Bible App logo
Search Icon

ଫିଲିପ୍‍ପୀୟ 2

2
ଖ୍ରୀଷ୍ଟଙ୍କ ନମ୍ରତାର ଆଦର୍ଶ
1ଅତଏବ, ଯଦି ଖ୍ରୀଷ୍ଟଙ୍କ ସହଭାଗିତାରେ କୌଣସି ଉତ୍ସାହ, କୌଣସି ପ୍ରେମପୂର୍ଣ୍ଣ ସାନ୍ତ୍ଵନା, ଆତ୍ମାଙ୍କ କୌଣସି ସହଭାଗିତା, ପୁଣି କୌଣସି ସ୍ନେହପୂର୍ଣ୍ଣ କରୁଣା ଓ ଦୟା ଥାଏ,
2ତାହାହେଲେ ତୁମ୍ଭେମାନେ ଏକମନା, ଏକ ପ୍ରେମରେ ପ୍ରେମୀ, ଏକଚିତ୍ତ ଓ ଏକଭାବାପନ୍ନ ହୋଇ ମୋହର ଆନନ୍ଦ ପୂର୍ଣ୍ଣ କର,
3ସ୍ଵାର୍ଥପରତା ଅବା ଅସାର ଗର୍ବ ହେତୁ କିଛି କର ନାହିଁ, ବରଂ ନମ୍ରଚିତ୍ତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର;
4ପ୍ରତି ଜଣ କେବଳ ଆପଣା ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟରେ ମଧ୍ୟ ମନୋଯୋଗୀ ହୁଅ।
5ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କର ସେହିପରି ମନ ହେଉ;
6ସେ ଈଶ୍ଵରରୂପୀ ହେଲେ ହେଁ ଈଶ୍ଵରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ,
7କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ;
8ପୁଣି, ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ, କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ।
9ଏହି କାରଣରୁଈଶ୍ଵର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି,
10ଯେପରି ସ୍ଵର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ,
11ପୁଣି, ପିତା ଈଶ୍ଵରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ଵା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ଵୀକାର କରିବ।
ଜଗତରେ ଜ୍ୟୋତି ସ୍ଵରୂପ ହେବା
12ଅତଏବ, ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ସାକ୍ଷାତରେ କଲା ପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅସାକ୍ଷାତରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର,
13କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ଵର ଆପଣା ମଙ୍ଗଳମୟ ସଙ୍କଳ୍ପର ସାଫଲ୍ୟ ନିମନ୍ତେ ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି।
14ବଚସା ଓ ତର୍କବିତର୍କ ବିନା ସମସ୍ତ କାର୍ଯ୍ୟ କର,
15ଯେପରି ତୁମ୍ଭେମାନେ ନିର୍ଦ୍ଦୋଷ ଓ ଅମାୟିକ ହୋଇ ଏହି କୁଟିଳ ବିପଥଗାମୀ ବଂଶ ମଧ୍ୟରେ ଈଶ୍ଵରଙ୍କ ଅନିନ୍ଦନୀୟ ସନ୍ତାନସନ୍ତତି ହୁଅ; ସେମାନଙ୍କ ମଧ୍ୟରେ ତୁମ୍ଭେମାନେ ଜୀବନର ବାକ୍ୟ ଧରି ଜଗତରେ ଜ୍ୟୋତି ସ୍ଵରୂପ ପ୍ରକାଶ ପାଉଅଛ;
16ସେଥିରେ ମୁଁ ଯେ ବୃଥାରେ ଦୌଡ଼ି ନାହିଁ କିଅବା ବୃଥାରେ ପରିଶ୍ରମ କରି ନାହିଁ, ସେ ସମ୍ଵନ୍ଧରେ ଖ୍ରୀଷ୍ଟଙ୍କ ଦିନରେ ଦର୍ପ କରି ପାରିବି।
17ହଁ, ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ଵାସ ସମ୍ଵନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଉଅଛି, ତାହାହେଲେ ଆନନ୍ଦ କରୁଅଛି ଓ ତୁମ୍ଭସମସ୍ତଙ୍କ ସହିତ ଉଲ୍ଲାସ କରୁଅଛି,,
18ଆଉ, ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆନନ୍ଦ କର ଓ ମୋʼ ସହିତ ଉଲ୍ଲାସ କର।
ତୀମଥି ଏବଂ ଏପାଫ୍ରଦିତ
19କିନ୍ତୁ ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ଶୀଘ୍ର ପଠାଇବି ବୋଲି ପ୍ରଭୁ ଯୀଶୁଙ୍କଠାରେ ଭରସା କରୁଅଛି, ଯେପରି ତୁମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ମୁଁ ମଧ୍ୟ ଉତ୍ସାହିତ ହେବି।
20କାରଣ ଯେ ତୁମ୍ଭମାନଙ୍କ ବିଷୟରେ ପ୍ରକୃତରେ ମନୋଯୋଗ କରିବ, ଏପରି ସମଭାବାପନ୍ନ ଲୋକ ତାଙ୍କ ବିନା ମୋʼ ନିକଟରେ ଆଉ କେହି ନାହିଁ।
21ଯେଣୁ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଚେଷ୍ଟା ନ କରି ସ୍ଵାର୍ଥ ଚେଷ୍ଟା କରନ୍ତି।
22ସେ ଯେ ପରୀକ୍ଷାସିଦ୍ଧ ଲୋକ, ଏହା ତୁମ୍ଭେମାନେ ଜାଣ; ପୁତ୍ର ପିତାର ସେବା କଲା ପରି ସେ ତ ସୁସମାଚାର କାର୍ଯ୍ୟରେ ମୋʼ ସହିତ ସେବା କରିଥିଲେ।
23ଅତଏବ, ମୋʼ ପ୍ରତି କଅଣ ଘଟିବ, ତାହା ଜାଣିବାମାତ୍ର ତାଙ୍କୁ ପଠାଇବି ବୋଲି ଭରସା କରୁଅଛି;
24କିନ୍ତୁ ମୁଁ ପ୍ରଭୁଙ୍କଠାରେ ବିଶ୍ଵାସ କରୁ ଅଛି ଯେ, ମୁଁ ନିଜେ ମଧ୍ୟ ଶୀଘ୍ର ଯିବି।
25କିନ୍ତୁ ମୁଁ ମୋହର ଭ୍ରାତା, ସହକର୍ମୀ, ସହସେନା ଓ ମୋହର ଅଭାବ ପୂରଣ ନିମନ୍ତେ ତୁମ୍ଭମାନଙ୍କର ପ୍ରେରିତ ଓ ସେବକ ଏପାଫ୍ରଦିତଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ପାଇଁ ଆବଶ୍ୟକ ମନେ କଲି;
26କାରଣ ସେ ତୁମ୍ଭ ସମସ୍ତଙ୍କୁ ଦେଖିବା ପାଇଁ ଅତ୍ୟ; ଇଚ୍ଛୁକ, ପୁଣି ସେ ପୀଡ଼ିତ ଅଛନ୍ତି ବୋଲି ତୁମ୍ଭେମାନେ ଶୁଣିଥିବାରୁ ଅତ୍ୟ; ବ୍ୟଥିତ;
27ହଁ, ସେ ମୃତ୍ୟୁ ସରିକି ପୀଡ଼ିତ ହୋଇଥିଲେ, କିନ୍ତୁ ଈଶ୍ଵର ତାଙ୍କୁ ଦୟା କଲେ, ଆଉ କେବଳ ତାଙ୍କୁ ନୁହେଁ, ମାତ୍ର ଯେପରି ମୋʼ ପ୍ରତି ଦୁଃଖ ଉପରେ ଦୁଃଖ ଘଟିବ ନାହିଁ, ଏଥିପାଇଁ ମୋʼ ଉପରେ ମଧ୍ୟ ଦୟା କଲେ।
28ଏଣୁ ତୁମ୍ଭେମାନେ ଯେପରି ତାଙ୍କୁ ପୁନର୍ବାର ଦେଖି ଆନନ୍ଦ କର ଓ ମୋʼ ଦୁଃଖ ଯେପରି ଊଣା ପଡ଼େ, ଏଥିପାଇଁ ମୁଁ ତାଙ୍କୁ ପଠାଇବା ନିମନ୍ତେ ଅଧିକ ଯନିବାନ ହେଲି।
29ଅତଏବ, ପ୍ରଭୁଙ୍କ ହେତୁ ତାଙ୍କୁ ଅତି ଆନନ୍ଦରେ ଗ୍ରହଣ କର, ଆଉ ଏହିପ୍ରକାର ବ୍ୟକ୍ତିମାନଙ୍କ ସମାଦର କର;
30କାରଣ ମୋʼ ପ୍ରତି ତୁମ୍ଭମାନଙ୍କ ସେବାରେ ଯାହା କିଛି ଅଭାବ, ତାହା ପୂରଣ କରିବାକୁ ସେ ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଆପଣା ଜୀବନ ବିପଦଗ୍ରସ୍ତ କରି ମୃତପ୍ରାୟ ହୋଇଥିଲେ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in