YouVersion Logo
Search Icon

ମୀଖା 4

4
ସଦାପ୍ରଭୁଙ୍କ ପର୍ବତ
1ମାତ୍ର ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ, ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ; ଆଉ, ଗୋଷ୍ଠୀଗଣ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ।
2ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, ତୁମ୍ଭେମାନେ ଆସ, ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ଵରଙ୍କ ଗୃହକୁ ଆମ୍ଭେମାନେ ଯାଉ; ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା। କାରଣ ସିୟୋନଠାରୁ ବ୍ୟବସ୍ଥା ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ।
3ପୁଣି, ସେ ଅନେକ ଗୋଷ୍ଠୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଦୂରସ୍ଥିତ ବଳବାନ ଗୋଷ୍ଠୀୟମାନଙ୍କ ସମ୍ଵନ୍ଧରେ ନିଷ୍ପତ୍ତି କରିବେ; ତହିଁରେ ସେମାନେ ଆପଣା ଆପଣା ଖଡ଼୍‍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦା, ନିର୍ମାଣ କରିବେ; ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ଼୍‍ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ।
4ମାତ୍ର ସେମାନେ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଲତା ଓ ଡିମିରି ବୃକ୍ଷ ତଳେ ବସିବେ ଓ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ; କାରଣ ସୈନ୍ୟାଧିପତି ସଦାପ୍ରଭୁଙ୍କର ମୁଖ ଏହା କହିଅଛି।
5କାରଣ ଯାବତୀୟ ଗୋଷ୍ଠୀ ଆପଣା ଆପଣା ଦେବତାର ନାମରେ ଚାଲିବେ, ପୁଣି ଆମ୍ଭେମାନେ ଅନନ୍ତକାଳଯାଏ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନାମରେ ଚାଲିବା।
ସିୟୋନକୁ ସଦାପ୍ରଭୁଙ୍କ ସୁରକ୍ଷା
6ସଦାପ୍ରଭୁ କହନ୍ତି, ସେଦିନ ଆମ୍ଭେ ପଙ୍ଗୁକୁ ସଂଗ୍ରହ କରିବା, ପୁଣି ଯେ ତାଡ଼ିତ ହୋଇଅଛି ଓ ଯାହାକୁ ଆମ୍ଭେ କ୍ଳେଶ ଦେଇଅଛୁ, ତାହାକୁ ଏକତ୍ର କରିବା।
7ପୁଣି, ଆମ୍ଭେ ପଙ୍ଗୁକୁ ଅବଶିଷ୍ଟାଂଶ କରି ରଖିବା ଓ ଯେ ଦୂରୀକୃତ ହୋଇଥିଲା, ତାହାକୁ ବଳବତୀ ଗୋଷ୍ଠୀ କରିବା; ଆଉ, ସଦାପ୍ରଭୁ ଆଜିଠାରୁ ସଦାକାଳ ପର୍ଯ୍ୟନ୍ତ ସିୟୋନ ପର୍ବତରେ ସେମାନଙ୍କ ଉପରେ ରାଜତ୍ଵ କରିବେ।
8ପୁଣି, ହେ ପଲର ଦୁର୍ଗ, ହେ ସିୟୋନ କନ୍ୟାର ଗିରି, ତାହା ତୁମ୍ଭ ନିକଟକୁ ଆସିବ, ହଁ ପୂର୍ବ କାଳର ରାଜ୍ୟ, ଯିରୂଶାଲମ କନ୍ୟାର ରାଜ୍ୟ ଆସିବ।
9ଏବେ ତୁମ୍ଭେ କାହିଁକି ଘୋର ଚିତ୍କାର କରୁଅଛ? ତୁମ୍ଭ ମଧ୍ୟରେ କି ରାଜା ନାହିଁ, ତୁମ୍ଭର ମନ୍ତ୍ରୀ ବିନଷ୍ଟ ହୋଇଅଛି ବୋଲି କି ସ୍ତ୍ରୀର ପ୍ରସବବେଦନା ତୂଲ୍ୟ ବେଦନା ତୁମ୍ଭକୁ ଆକ୍ରା; କରିଅଛି?
10ହେ ସିୟୋନ କନ୍ୟେ, ତୁମ୍ଭେ ପ୍ରସବବେଦନାଗ୍ରସ୍ତା ସ୍ତ୍ରୀ ପରି ବ୍ୟଥିତା ହୋଇ ପ୍ରସବ କରିବାକୁ ଯନି କର; କାରଣ ଏବେ ତୁମ୍ଭେ ନଗରରୁ ବାହାରି ଯାଇ ପଦାରେ ବାସ କରିବ ଓ ବାବିଲ ପର୍ଯ୍ୟନ୍ତ ହିଁ ଯିବ; ସେଠାରେ ତୁମ୍ଭେ ଉଦ୍ଧାର ପାଇବ; ସେଠାରେ ସଦାପ୍ରଭୁ ତୁମ୍ଭ ଶତ୍ରୁଗଣର ହସ୍ତରୁ ତୁମ୍ଭକୁ ମୁକ୍ତ କରିବେ।
11ପୁଣି, ବର୍ତ୍ତମାନ ଅନେକ ଗୋଷ୍ଠୀ ତୁମ୍ଭ ବିରୁଦ୍ଧରେ ଏକତ୍ରିତ ହୋଇଅଛନ୍ତି, ସେମାନେ କହନ୍ତି, ସେ ଅଶୁଚି ହେଉ ଓ ଆମ୍ଭମାନଙ୍କର ଚକ୍ଷୁ ତହିଁର ଅଭିଳାଷ ସିୟୋନ ପ୍ରତି ସଫଳ ହେବାର ଦେଖୁ।
12ମାତ୍ର ସେମାନେ ସଦାପ୍ରଭୁଙ୍କର ସଙ୍କଳ୍ପସବୁ ଜାଣନ୍ତି ନାହିଁ, ଅଥବା ତାହାଙ୍କର ମନ୍ତ୍ରଣା ବୁଝନ୍ତି ନାହିଁ; କାରଣ ସେ ସେମାନଙ୍କୁ ଶସ୍ୟ ବିଡ଼ା ପରି ଖଳାରେ ଏକତ୍ର କରିଅଛନ୍ତି।
13ହେ ସିୟୋନ କନ୍ୟେ, ଉଠ, ଶସ୍ୟ ମର୍ଦ୍ଦନ କର; କାରଣ ଆମ୍ଭେ ତୁମ୍ଭର ଶୃଙ୍ଗ ଲୌହମୟ ଓ ତୁମ୍ଭର ଖୁରା ପିତ୍ତଳମୟ କରିବା; ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଚୂର୍ଣ୍ଣ କରିବ; ପୁଣି, ତୁମ୍ଭେ ସେମାନଙ୍କର ଲୁଟିତ ଦ୍ରବ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ସେମାନଙ୍କର ସମ୍ପତ୍ତି ସମୁଦାୟ ଭୂମଣ୍ତଳର ଅଧିପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।

Currently Selected:

ମୀଖା 4: ODIAOV-BSI

Highlight

Copy

Compare

Share

None

Want to have your highlights saved across all your devices? Sign up or sign in