YouVersion Logo
Search Icon

ମାଥିଉ 21

21
ଯୀଶୁଙ୍କ ବିଜୟ ଯାତ୍ରା
1ଯେତେବେଳେ ସେମାନେ ଯିରୂଶାଲମର ନିକଟବର୍ତ୍ତୀ ହୋଇ ବୈଥ୍ଫାଗୀ ଓ ଜୀତପର୍ବତ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଦୁଇ ଶିଷ୍ୟଙ୍କୁ ଏହି କଥା କହି ପଠାଇଲେ।
2ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ, ଆଉ ଯିବାମାତ୍ର ବନ୍ଧା ହୋଇଥିବା ଗୋଟିଏ ଗର୍ଦ୍ଦଭୀ ଓ ତାହା ସହିତ ଗୋଟିଏ ଶାବକକୁ ଦେଖିବ; ସେମାନଙ୍କୁ ଫିଟାଇ ମୋʼ ନିକଟକୁ ଘେନିଆସ।
3ଆଉ, ଯେବେ କେହି ତୁମ୍ଭମାନଙ୍କୁ କିଛି କହେ, ତେବେ କହିବ, ଏମାନଙ୍କଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି। ସେହିକ୍ଷଣି ସେ ସେମାନଙ୍କୁ ପଠାଇଦେବ।
4ଭାବବାଦୀଙ୍କ ଦ୍ଵାରା ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହା ଘଟିଲା,
5ସିୟୋନର କନ୍ୟାକୁ କୁହ, ଦେଖ୍, ତୋର ରାଜା ତୋʼ ନିକଟକୁ ଆସୁଅଛନ୍ତି; ସେ ନମ୍ର ଓ ଗର୍ଦ୍ଦଭାରୋହୀ, ଶାବକ, ଗର୍ଦ୍ଦଭଶାବକାରୋହୀ।
6ସେଥିରେ ଶିଷ୍ୟମାନେ ଯାଇ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କଲେ,
7ପୁଣି ଗର୍ଦ୍ଦଭୀ ଓ ଶାବକଟି ଆଣି ସେମାନଙ୍କ ଉପରେ ବସ୍ତ୍ର ପାତିଦେଲେ , ଆଉ ସେ ତାହା ଉପରେ ବସିଲେ।
8ପୁଣି, ଲୋକସମୂହ ମଧ୍ୟରୁଅଧିକାଂଶ ଆପଣା ଆପଣା ଲୁଗା ପଥରେ ବିଛାଇଲେ ଓ ଅନ୍ୟମାନେ ଗଛରୁ ଡାଳ କାଟି ଆଣି ବାଟରେ ବିଛାଇ ଦେବାକୁ ଲାଗିଲେ।
9ଆଉ, ତାହାଙ୍କ ଆଗରେ ଓ ପଛରେ ଯାଉଥିବା ଲୋକସମୂହ ଉଚ୍ଚ ସ୍ଵରରେ କହିବାକୁ ଲାଗିଲେ, ହୋଶାନ୍ନା ଦାଉଦ-ସନ୍ତାନ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ! ଊର୍ଦ୍ଧ୍ଵ ଲୋକରେ ହୋଶାନ୍ନା।
10ଆଉ, ସେ ଯିରୂଶାଲମରେ ପ୍ରବେଶ କରନ୍ତେ, ନଗରଯାକ ଏ କିଏ ବୋଲି ଚହଳ ପଡ଼ିଗଲା।
11ସେଥିରେ ଲୋକସମୂହ କହିଲେ, ଏ ଗାଲିଲୀସ୍ଥ ନାଜରିତର ଭାବବାଦୀ ଯୀଶୁ।
ଯୀଶୁଙ୍କ ମନ୍ଦିର ପରିଷ୍କାର
12ପରେ ଯୀଶୁ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କ୍ରୟବିକ୍ରୟ କରୁଥିବା ସମସ୍ତ ଲୋକଙ୍କୁ ବାହାର କରିଦେଲେ, ପୁଣି ମୁଦ୍ରାବ୍ୟବସାୟୀମାନଙ୍କର ମେଜ ଓ କାପ୍ତାବ୍ୟବସାୟୀ-ମାନଙ୍କର ଆସନ ଓଲଟାଇ ପକାଇଲେ,
13ଆଉ ଯୀଶୁ ସେମାନଙ୍କୁ କହିଲେ, ଲେଖା ଅଛି, ଆମ୍ଭର ଗୃହ ପ୍ରାର୍ଥନାଗୃହ ବୋଲି ଖ୍ୟାତ ହେବ, କିନ୍ତୁ ତୁମ୍ଭେମାନେ ତାହାକୁ ଦସ୍ୟୁମାନଙ୍କ ଗହ୍ଵର କରୁଅଛ।
14ପୁଣି, ମନ୍ଦିରରେ ଅନ୍ଧ ଓ ଖଞ୍ଜ ଲୋକେ ତାହାଙ୍କ ଛାମୁକୁ ଆସନ୍ତେ, ସେ ସେମାନଙ୍କୁ ସୁସ୍ଥ କଲେ।
15କିନ୍ତୁ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମସବୁ ଓ ମନ୍ଦିର ମଧ୍ୟରେ ହୋଶାନ୍ନା ଦାଉଦ-ସନ୍ତାନ ବୋଲି ଉଚ୍ଚ ସ୍ଵର କରୁଥିବା ପିଲାମାନଙ୍କୁ ଦେଖି ବିରକ୍ତ ହେଲେ,
16ପୁଣି ତାହାଙ୍କୁ ପଚାରିଲେ, ଏମାନେ କଅଣ କହୁଅଛନ୍ତି, ତାହା କି ତୁମ୍ଭେ ଶୁଣୁଅଛ? ଯୀଶୁ ସେମାନଙ୍କୁ କହିଲେ, ହଁ, ତୁମ୍ଭେ ଶିଶୁ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ଵାରା ଆପଣା ଉଦ୍ଦେଶ୍ୟରେ ସ୍ତବ ସିଦ୍ଧ କରିଅଛ, ଏହି କଥା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ?
17ଆଉ, ସେ ସେମାନଙ୍କୁ ପରିତ୍ୟାଗ କରି ନଗରରୁ ବାହାରି ବେଥନୀୟାକୁ ଯାଇ ସେଠାରେ ରାତ୍ରି ଯାପନ କଲେ।
ଡିମିରି ଗଛକୁ ଅଭିଶାପ
18ସକାଳେ ସେ ନଗରକୁ ବାହୁଡ଼ିବା ସମୟରେ କ୍ଷୁଧିତ ହେଲେ,
19ଆଉ ବାଟ ପାଖରେ ଗୋଟିଏ ଡିମିରି ଗଛ ଦେଖି ତାହା ପାଖକୁ ଗଲେ, ପୁଣି କେବଳ ପତ୍ର ଛଡ଼ା ତାହାଠାରେ ଆଉ କିଛି ନ ପାଇ ତାହାକୁ କହିଲେ, ଆଉ କେବେ ହେଁ ତୋʼଠାରେ ଫଳ ନ ହେଉ। ସେଥିରେ ସେହିକ୍ଷଣି ସେହି ଡିମିରି ଗଛ ଶୁଖିଗଲା।
20ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମିରି ଗଛଟି କିପରି ସେହିକ୍ଷଣି ଶୁଖିଗଲା?
21ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ତୁମ୍ଭମାନଙ୍କର ବିଶ୍ଵାସ ଥାଏ, ଆଉ ତୁମ୍ଭେମାନେ ସନ୍ଦେହ ନ କର, ତେବେ ଏହି ଡିମିରି ଗଛ ପ୍ରତି ଯେପରି କରାଯାଇଅଛି, କେବଳ ଯେ ସେପରି କରିବ, ତାହା ନୁହେଁ, ମାତ୍ର ଯଦି ଏହି ପର୍ବତକୁ ସୁଦ୍ଧା ତୁ ଉଠି ସମୁଦ୍ରରେ ଯାଇ ପଡ଼୍ ବୋଲି କହିବ, ତାହାହେଲେ ତାହା ଘଟିବ।
22ପୁଣି, ବିଶ୍ଵାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ, ସେହିସବୁ ପାଇବ।
ଯୀଶୁଙ୍କର ଅଧିକାରକୁ ଆହ୍ଵାନ
23ପରେ ସେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବା ସମୟରେ ପ୍ରଧାନ ଯାଜକମାନେ ଓ ଲୋକଙ୍କର ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ? ଆଉ, ତୁମ୍ଭକୁ କିଏ ଏହି ଅଧିକାର ଦେଲା?
24ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ଯଦି ତୁମ୍ଭେମାନେ ମୋତେ ତାହା କହିବ, ତେବେ କେଉଁ ଅଧିକାରରେ ମୁଁ ଏହିସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି।
25ଯୋହନଙ୍କରବାପ୍ତିସ୍ମ କେଉଁଠାରୁ ହୋଇଥିଲା? ସ୍ଵର୍ଗରୁ ବା ମନୁଷ୍ୟଠାରୁ? ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ଵର୍ଗରୁ ବୋଲି କହିବୁ, ତାହା ହେଲେ ସେ ଆମ୍ଭମାନଙ୍କୁ କହିବେ, ତେବେ ତୁମ୍ଭେମାନେ କାହିଁକି ତାଙ୍କୁ ବିଶ୍ଵାସ କଲ ନାହିଁ?
26କିନ୍ତୁ ଯଦି ମନୁଷ୍ୟଠାରୁ ବୋଲି କହିବୁ, ତେବେ ଲୋକସମୂହକୁ ତ ଭୟ ! କାରଣ ସମସ୍ତେ ଯୋହନଙ୍କୁ ଭାବବାଦୀ ବୋଲି ମାନନ୍ତି।
27ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁ ନାହିଁ। ସେ ମଧ୍ୟ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।
ଦୁଇ ପୁଅଙ୍କ ଦୃଷ୍ଟାନ୍ତ
28ମାତ୍ର ତୁମ୍ଭେମାନେ କଅଣ ମନେ କର? ଜଣେ ବ୍ୟକ୍ତିଙ୍କର ଦୁଇଟି ପୁତ୍ର ଥିଲେ। ସେ ପ୍ରଥମ ନିକଟକୁ ଆସି କହିଲେ, ପୁଅ, ଯା, ଆଜି ଦ୍ରାକ୍ଷା କ୍ଷେତ୍ରରେ କାମ କର।
29ସେ ଉତ୍ତର ଦେଲା, ମୋର ଇଚ୍ଛା ନାହିଁ, କିନ୍ତୁ ପରେ ଅନୁତାପ କରି ଗଲା।
30ପୁଣି, ସେ ଦ୍ଵିତୀୟ ନିକଟକୁ ଆସି ସେହି ପ୍ରକାର କହିଲେ। ସେ ଉତ୍ତର ଦେଲା, ଆଜ୍ଞା, ମୁଁ ଯାଉଛି, କିନ୍ତୁ ଗଲା ନାହିଁ।
31ଏହି ଦୁହିଁଙ୍କ ମଧ୍ୟରୁ କିଏ ପିତାଙ୍କର ଇଚ୍ଛା ସାଧନ କଲା? ସେମାନେ କହିଲେ, ପ୍ରଥମ ଜଣକ। ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କରଗ୍ରାହୀ ଓ ବେଶ୍ୟାମାନେ ତୁମ୍ଭମାନଙ୍କ ଆଗେ ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରୁଅଛନ୍ତି।
32କାରଣ ଯୋହନ ତୁମ୍ଭମାନଙ୍କ ନିକଟକୁ ଧାର୍ମିକତାର ପଥ ଦେଇ ଆସିଲେ, ଆଉ ତୁମ୍ଭେମାନେ ତାଙ୍କୁ ବିଶ୍ଵାସ କଲ ନାହିଁ, ମାତ୍ର କରଗ୍ରାହୀ ଓ ବେଶ୍ୟାମାନେ ତାଙ୍କୁ ବିଶ୍ଵାସ କଲେ, କିନ୍ତୁ ତୁମ୍ଭେମାନେ ଯେପରି ତାଙ୍କୁ ବିଶ୍ଵାସ କରି ପାର, ଏଥିନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କଲ ନାହିଁ।
ଦ୍ରାକ୍ଷାକ୍ଷେତ୍ରରେ ଦୁଷ୍ଟ ଭାଗ ଚାଷୀଙ୍କ ଦୃଷ୍ଟାନ୍ତ
33ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଜଣେ ଗୃହକର୍ତ୍ତା ଥିଲେ, ସେ ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ଚାରିଆଡ଼େ ବାଡ଼ ଦେଲେ ଓ ତହିଁ ମଧ୍ୟରେ ଦ୍ରାକ୍ଷାକୁଣ୍ତ ଖୋଳି ପ୍ରହରୀ-ଗୃହ ନିର୍ମାଣ କଲେ, ପୁଣି କୃଷକମାନଙ୍କୁ ସେହି କ୍ଷେତ୍ର ଭାଗରେ ଦେଇ ବିଦେଶକୁ ଗମନ କଲେ।
34ପରେ ଫଳର ସମୟ ସନ୍ନିକଟ ହୁଅନ୍ତେ, ସେ ଆପଣା ଫଳ ପାଇବା ପାଇଁ କୃଷକମାନଙ୍କ ପାଖକୁ ନିଜ ଦାସମାନଙ୍କୁ ପଠାଇଲେ।
35କିନ୍ତୁ କୃଷକମାନେ ତାଙ୍କ ଦାସମାନଙ୍କୁ ଧରି ଜଣକୁ ପ୍ରହାର କଲେ, ଅନ୍ୟ ଜଣକୁ ବଧ କଲେ, ପୁଣି ଆଉ ଜଣକୁ ପଥର ଫୋପାଡ଼ି ମାରିପକାଇଲେ।
36ପୁନଶ୍ଚ ସେ ପ୍ରଥମ ଥର ଅପେକ୍ଷା ଅଧିକସଂଖ୍ୟକ ଦାସ ପଠାଇଲେ, ଆଉ ସେମାନେ ସେମାନଙ୍କ ପ୍ରତି ସେହି ପ୍ରକାର କଲେ।
37କିନ୍ତୁ ମୋର ପୁଅକୁ ସେମାନେ ମାନ୍ୟ କରିବେ, ଏହା କହି ସେ ପରେ ଆପଣା ପୁତ୍ରଙ୍କୁ ସେମାନଙ୍କ ନିକଟକୁ ପଠାଇଲେ।
38ମାତ୍ର ସେହି କୃଷକମାନେ ପୁତ୍ରଙ୍କୁ ଦେଖି ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ବଧ କରି ଆମ୍ଭେମାନେ ଏହାର ଅଧିକାର ହସ୍ତଗତ କରୁ।
39ଆଉ, ସେମାନେ ତାଙ୍କୁ ଧରି ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ବଧ କଲେ।
40ଅତଏବ, ଯେତେବେଳେ ସେହି ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ଆସିବେ, ସେତେବେଳେ ସେହି କୃଷକମାନଙ୍କ ପ୍ରତି ସେ କଅଣ କରିବେ?
41ସେମାନେ ତାହାଙ୍କୁ କହିଲେ, ସେ ସେହି ଦୁଷ୍ଟମାନଙ୍କୁ ଦାରୁଣ ଭାବରେ ବିନାଶ କରିବେ ଓ ଯେଉଁ ଅନ୍ୟ କୃଷକମାନେ ତାଙ୍କୁ ଯଥାସମୟରେ ଫଳ ଯୋଗାଇବେ, ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଭାଗରେ ଦେବେ।
42ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କି କେବେ ହେଁ ଧର୍ମଶାସ୍ତ୍ରରେ ଏହି କଥା ପାଠ କରି ନାହଁ, ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା; ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ?
43ଏଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କଠାରୁ କାଢ଼ିନିଆଯିବ, ପୁଣି ଯେଉଁ ଜାତି ସେଥିର ଫଳ ଫଳିବ, ତାହାକୁ ଦିଆଯିବ।
44ଆଉ, ଯେ ଏହି ପ୍ରସ୍ତର ଉପରେ ପଡ଼ିବ, ସେ ଖଣ୍ତବିଖଣ୍ତ ହେବ, ପୁଣି ଏହି ପ୍ରସ୍ତର ଯାହା ଉପରେ ପଡ଼ିବ, ତାହାକୁ ତାହା ଚୂର୍ଣ୍ଣବିଚୂର୍ଣ୍ଣ କରିବ।
45ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କର ଏହିସମସ୍ତ ଦୃଷ୍ଟାନ୍ତ ଶୁଣି, ସେ ଯେ ସେମାନଙ୍କ ବିଷୟରେ କହୁଅଛନ୍ତି, ଏହା ବୁଝିଲେ।
46ଆଉ, ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାହାଙ୍କୁ ଭାବବାଦୀ ବୋଲି ମାନୁଥିଲେ।

Highlight

Share

Compare

Copy

None

Want to have your highlights saved across all your devices? Sign up or sign in