ଲେବୀୟ ପୁସ୍ତକ 3
3
ମଙ୍ଗଳାର୍ଥକ ବଳିଦାନର ନିୟମ
1ଆଉ, କୌଣସି ବ୍ୟକ୍ତିର ଉପହାର ଯେବେ ମଙ୍ଗଳାର୍ଥକ ବଳିଦାନ ହୁଏ; ଯେବେ ସେ ପଲରୁ ଅଣ୍ତିରା କି ମାଈ ଗୋରୁ ଦିଏ, ତେବେ ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁନ୍ତ ପଶୁ ଆଣିବ।
2ପୁଣି, ସେ ସମାଗମ-ତମ୍ଵୁଦ୍ଵାର ନିକଟରେ ଆପଣା ବଳିର ମସ୍ତକରେ ହସ୍ତନିର୍ଭର ଦେଇ ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ବେଦି ଉପରେ ଚାରିଆଡ଼େ ଛିଞ୍ଚିବେ।
3ଏଉତ୍ତାରେ ସେ ସେହି ମଙ୍ଗଳାର୍ଥକ ବଳିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ଅର୍ଥାତ୍, ଅନ୍ତ୍ର-ଆଚ୍ଛାଦକ ମେଦ ଓ ଅନ୍ତ୍ର-ଉପରିସ୍ଥ ମେଦ
4ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ପାର୍ଶ୍ଵବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଲାବକ, ଗୁରୁଦା ସହିତ ନେବ।
5ତହୁଁ ହାରୋଣର ପୁତ୍ରଗଣ ବେଦି ଉପରିସ୍ଥିତ ଅଗ୍ନି ଓ କାଷ୍ଠ ଓ ହୋମଦ୍ରବ୍ୟ ଉପରେ ତାହା ଦଗ୍ଧ କରିବେ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର।
6ଆଉ, ଯେବେ କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଷାଦିପଲରୁ ମଙ୍ଗଳାର୍ଥକ ବଳିଦାନ କରେ, ତେବେ ସେ ନିଖୁନ୍ତ ଅଣ୍ତିରା କି ମାଈ ପଶୁ ଉତ୍ସର୍ଗ କରିବ।
7ଯେବେ ସେ ଉପହାର ନିମନ୍ତେ ମେଷବତ୍ସ ବଳିଦାନ କରେ, ତେବେ ସେ ସଦାପ୍ରଭୁଙ୍କ ଛାମୁକୁ ତାହା ଆଣିବ;
8ପୁଣି ଆପଣା ବଳିର ମସ୍ତକରେ ହସ୍ତ-ନିର୍ଭର ଦେଇ ସମାଗମ-ତମ୍ଵୁ ନିକଟରେ ତାକୁ ବଧ କରିବ। ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ।
9ଏଉତ୍ତାରୁ ସେ ସେହି ମଙ୍ଗଳାର୍ଥକ ବଳିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ; ଅର୍ଥାତ୍, ତହିଁର ମେଦ, ସମସ୍ତ ମେଦମୟ ଲାଙ୍ଗୁଳ ମେରୁଦଣ୍ତ ନିକଟରୁ ନେବ ଓ ଅନ୍ତ୍ର-ଆଚ୍ଛାଦକ ମେଦ ଓ ଅନ୍ତ୍ର ଉପରିସ୍ଥ ସମସ୍ତ ମେଦ
10ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥିତ ପାର୍ଶ୍ଵବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଲାବକ, ଗୁରୁଦା ସହିତ ନେବ।
11ତହୁଁ ଯାଜକ ତାହା ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପ ଭୋଜନ।
12ଆଉ, କେହି ଯେବେ ଛାଗଳ ବଳିଦାନ କରେ, ତେବେ ସେ ତାହା ସଦାପ୍ରଭୁଙ୍କ ଛାମୁକୁ ଆଣିବ,
13ପୁଣି, ଆପଣା ବଳିର ମସ୍ତକରେ ହସ୍ତନିର୍ଭର ଦେଇ ସମାଗମ-ତମ୍ଵୁ ନିକଟରେ ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ।
14ଆଉ, ସେ ତହିଁରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ଅର୍ଥାତ୍, ଅନ୍ତ୍ର-ଆଚ୍ଛାଦକ ମେଦ ଓ ଅନ୍ତ୍ର-ଉପରିସ୍ଥ ସମସ୍ତ ମେଦ
15ଓ ଦୁଇ ଗୁରୁଦା ଓ ତାହାର ଉପରିସ୍ଥ ପାର୍ଶ୍ଵବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ, ଗୁରୁଦା ସହିତ ନେବ।
16ତହୁଁ ଯାଜକ ବେଦି ଉପରେ ତାହା ଦଗ୍ଧ କରିବ; ତାହା ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ରୂପ ଭୋଜନ; ସମସ୍ତ ମେଦ ସଦାପ୍ରଭୁଙ୍କର।
17ତାହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସମସ୍ତ ଗୃହରେ ପାଳନୀୟ ଅନନ୍ତକାଳୀନ ବିଧି; ତୁମ୍ଭେମାନେ ମେଦ ଓ ରକ୍ତ, କିଛି ଭୋଜନ କରିବ ନାହିଁ।
Currently Selected:
ଲେବୀୟ ପୁସ୍ତକ 3: ODIAOV-BSI
Highlight
Share
Copy
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.