ଯିହୋଶୂୟ 8
8
ଅୟ ନଗରୀର ପରାଜୟ ଓ ବିନାଶ
1ଅନନ୍ତର ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ଭୟ କର ନାହିଁ, କିଅବା ନିରାଶ ହୁଅ ନାହିଁ; ସମସ୍ତ ସୈନ୍ୟ ସଙ୍ଗେ ନେଇ ଉଠି ଅୟକୁ ଯାତ୍ରା କର; ଦେଖ, ଆମ୍ଭେ ଅୟର ରାଜାକୁ ଓ ତାହାର ଲୋକମାନଙ୍କୁ ଓ ତାହାର ନଗର ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କଲୁ।
2ତୁମ୍ଭେ ଯିରୀହୋ ଓ ତହିଁର ରାଜା ପ୍ରତି ଯେରୂପ କଲ, ଅୟ ଓ ତହିଁର ରାଜା ପ୍ରତି ସେରୂପ କରିବ; କେବଳ ତୁମ୍ଭେମାନେ ତହିଁର ଲୁଟଦ୍ରବ୍ୟ ଓ ପଶୁ ଆପଣାମାନଙ୍କ ନିମନ୍ତେ ନେବ; ତୁମ୍ଭେ ନଗରର ପଶ୍ଚାତ୍ ଆପଣାର ଏକ ଦଳ ସୈନ୍ୟ ଗୋପନ କରି ରଖ।
3ତହୁଁ ଯିହୋଶୂୟ ଓ ସକଳ ସୈନ୍ୟ ଉଠି ଅୟକୁ ଯାତ୍ରା କଲେ; ପୁଣି ଯିହୋଶୂୟ ତିରିଶ ହଜାର ମହାବିକ୍ରମଶାଳୀ ଲୋକ ମନୋନୀତ କରି ରାତ୍ରିରେ ସେମାନଙ୍କୁ ପଠାଇଲେ।
4ପୁଣି ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, ଦେଖ, ତୁମ୍ଭେମାନେ ନଗର ପ୍ରତିକୂଳରେ ନଗରର ପଛଭାଗରେ ଗୋପନରେ ରହିବ; ନଗରଠାରୁ ବହୁ ଦୂରକୁ ଯିବ ନାହିଁ, ମାତ୍ର ସମସ୍ତେ ପ୍ରସ୍ତୁତ ହୋଇଥିବ।
5ତହିଁ ଉତ୍ତାରେ ମୁଁ ଓ ମୋର ସଙ୍ଗୀ ସମସ୍ତ ଲୋକ ନଗର ନିକଟକୁ ଯିବୁ, ତହିଁରେ ଯେତେବେଳେ ସେମାନେ ପୂର୍ବ ପରି ଆମ୍ଭମାନଙ୍କ ବିରୁଦ୍ଧରେ ବାହାର ହୋଇ ଆସିବେ, ସେତେବେଳେ ଆମ୍ଭେମାନେ ସେମାନଙ୍କ ଆଗରୁ ପଳାଇବୁ।
6ତହୁଁ ସେମାନେ ଆମ୍ଭମାନଙ୍କ ପଛେ ପଛେ ଆସିଲେ, ଆମ୍ଭେମାନେ ସେମାନଙ୍କୁ ନଗରରୁ କ୍ରମେ କ୍ରମେ ଦୂରକୁ ଆକର୍ଷଣ କରି ଆଣିବୁ; କାରଣ ସେମାନେ କହିବେ, ଏମାନେ ପୂର୍ବ ପରି ଆମ୍ଭମାନଙ୍କ ଆଗରୁ ପଳାଉ ଅଛନ୍ତି; ଏହିରୂପେ ଆମ୍ଭେମାନେ ସେମାନଙ୍କ ସମ୍ମୁଖରୁ ପଳାଇବୁ;
7ତହୁଁ ତୁମ୍ଭେମାନେ ଗୋପନ-ସ୍ଥାନରୁ ଉଠି ନଗର ଅଧିକାର କରିବ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ତାହା ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ।
8ତୁମ୍ଭେମାନେ ନଗର ଆକ୍ରମଣ କଲାକ୍ଷଣେ ନଗରରେ ଅଗ୍ନି ଲଗାଇବ; ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟାନୁସାରେ କର୍ମ କରିବ; ଦେଖ, ଏହା ମୁଁ ତୁମ୍ଭମାନଙ୍କୁ ଆଜ୍ଞା କଲି।
9ଏରୂପେ ଯିହୋଶୂୟ ସେମାନଙ୍କୁ ପ୍ରେରଣ କଲେ; ଆଉ ସେମାନେ ଯାଇ ଅୟର ପଶ୍ଚିମରେ ବୈଥେଲ୍ ଓ ଅୟର ମଧ୍ୟସ୍ଥାନରେ ଗୋପନରେ ରହିଲେ; ମାତ୍ର ଯିହୋଶୂୟ ଲୋକମାନଙ୍କ ମଧ୍ୟରେ ସେ ରାତ୍ର ରହିଲେ।
10ଅନନ୍ତର ଯିହୋଶୂୟ ଅତି ପ୍ରଭାତରେ ଉଠି ଲୋକମାନଙ୍କୁ ଗଣନା କଲେ, ତହିଁ ଉତ୍ତାରେ ସେ ଓ ଇସ୍ରାଏଲର ପ୍ରାଚୀନବର୍ଗ ଲୋକମାନଙ୍କ ଆଗେ ଆଗେ ଅୟକୁ ଯାତ୍ରା କଲେ।
11ପୁଣି ତାଙ୍କର ସଙ୍ଗୀ ସମସ୍ତ ସୈନ୍ୟ ଯାଇ ନିକଟବର୍ତ୍ତୀ ହୋଇ ନଗର ସମ୍ମୁଖରେ ଉପସ୍ଥିତ ହେଲେ ଓ ଅୟର ଉତ୍ତର ଦିଗରେ ଛାଉଣି ସ୍ଥାପନ କଲେ; ସେମାନଙ୍କର ଓ ଅୟର ମଧ୍ୟରେ ଏକ ଉପତ୍ୟକା ଥିଲା।
12ପୁଣି ସେ ନ୍ୟୂନାଧିକ ପାଞ୍ଚ ହଜାର ଲୋକ ନେଇ ନଗରର ପଶ୍ଚିମ ଦିଗରେ ବୈଥେଲ୍ ଓ ଅୟର ମଧ୍ୟସ୍ଥାନରେ ଗୋପନରେ ରଖିଲେ।
13ଏହିରୂପେ ସେମାନେ ନଗରର ଉତ୍ତର ଦିଗସ୍ଥ ସମସ୍ତ ଛାଉଣିକି ଓ ନଗରର ପଶ୍ଚିମ ଦିଗସ୍ଥ ଆପଣାମାନଙ୍କ ଗୁପ୍ତ ଦଳକୁ ରଖିଲେ; ପୁଣି ଯିହୋଶୂୟ ସେହି ରାତ୍ରି ତଳଭୂମି ମଧ୍ୟକୁ ଗମନ କଲେ।
14ସେତେବେଳେ ଅୟର ରାଜା ତାହା ଦେଖନ୍ତେ, ସେ ଓ ତାଙ୍କର ସମସ୍ତ ଲୋକ ପ୍ରଭାତରେ ଶୀଘ୍ର ଉଠିଲେ ଓ ନଗରସ୍ଥ ଲୋକମାନେ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ବାହାରି ନିରୂପିତ ସମୟରେ ପଦାଭୂମି ସମ୍ମୁଖରେ ଉପସ୍ଥିତ ହେଲେ; ମାତ୍ର ତାଙ୍କ ବିରୁଦ୍ଧରେ ଏକ ଦଳ ସୈନ୍ୟ ନଗର ପଛେ ଗୋପନରେ ଅଛନ୍ତି ବୋଲି ସେ ଜାଣି ନ ଥିଲେ।
15ଏଉତ୍ତାରେ ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେମାନଙ୍କ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ହେଲା ପରି ଦେଖାଇ ପ୍ରାନ୍ତର ପଥ ଦେଇ ପଳାୟନ କଲେ।
16ତହିଁରେ ନଗରସ୍ଥିତ ସମସ୍ତ ଲୋକ ସେମାନଙ୍କ ପଛେ ପଛେ ଗୋଡ଼ାଇବା ପାଇଁ ଏକତ୍ର ଡକାଗଲେ; ପୁଣି ସେମାନେ ଯିହୋଶୂୟଙ୍କର ପଛେ ପଛେ ଗୋଡ଼ାଉ ଗୋଡ଼ାଉ ନଗରରୁ ଦୂରକୁ ଆକର୍ଷିତ ହେଲେ।
17ପୁଣି ଇସ୍ରାଏଲର ପଛରେ ଯେ ନ ଗଲା, ଏପରି ଜଣେ ହେଲେ ଅୟ କି ବୈଥେଲରେ ଅବଶିଷ୍ଟ ନ ଥିଲା; ସମସ୍ତେ ନଗର ମୁକ୍ତ କରି ଇସ୍ରାଏଲ ପଛେ ପଛେ ଗୋଡ଼ାଇଲେ।
18ସେତେବେଳେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ତୁମ୍ଭେ ଆପଣା ହସ୍ତସ୍ଥିତ ବର୍ଚ୍ଛା ଅୟ ନଗର ଆଡ଼େ ବିସ୍ତାର କର; କାରଣ ଆମ୍ଭେ ତାହା ତୁମ୍ଭ ହସ୍ତଗତ କରିବା। ତହିଁରେ ଯିହୋଶୂୟ ଆପଣା ହସ୍ତସ୍ଥିତ ବର୍ଚ୍ଛା ନଗର ଆଡ଼େ ବିସ୍ତାର କଲେ।
19ସେ ହସ୍ତ ବିସ୍ତାର କରିବା ମାତ୍ରେ ଗୋପନରେ ଥିବା ସୈନ୍ୟଦଳ ଶୀଘ୍ର ଆପଣା ଆପଣା ସ୍ଥାନରୁ ଉଠି ଦୌଡ଼ିଯାଇ ନଗରରେ ପ୍ରବେଶ କରି ତାହା ହସ୍ତଗତ କଲେ ଓ ଶୀଘ୍ର ନଗରରେ ଅଗ୍ନି ଲଗାଇଲେ।
20ଏ ଉତ୍ତାରେ ଅୟର ଲୋକମାନେ ଆପଣା ପଛକୁ ଅନାଇ ଦେଖିଲେ, ଆଉ ଦେଖ, ନଗରର ଧୂମ ଆକାଶକୁ ଉଠୁଅଛି, ମାତ୍ର ଏଆଡ଼େ କି ସେଆଡ଼େ ପଳାଇବାକୁ ସେମାନଙ୍କର ବଳ ନ ଥିଲା; ଆଉ ଯେଉଁମାନେ ପ୍ରାନ୍ତରକୁ ପଳାଉଥିଲେ, ସେମାନେ ଫେରି ଗୋଡ଼ାଇବା ଲୋକମାନଙ୍କୁ ଆକ୍ରମଣ କଲେ।
21ପୁଣି ଗୋପନରେ ଥିବା ସୈନ୍ୟଦଳ ନଗର ହସ୍ତଗତ କରିଅଛନ୍ତି ଓ ନଗରର ଧୂମ ଉଠୁଅଛି, ଏହା ଦେଖି ଯିହୋଶୂୟ ଓ ସମସ୍ତ ଇସ୍ରାଏଲ ଫେରି ଅୟର ଲୋକମାନଙ୍କୁ ବଧ କଲେ।
22ଆଉ ଅନ୍ୟ ଦଳ ନଗରରୁ ବାହାରି ସେମାନଙ୍କ ବିରୁଦ୍ଧରେ ଆସିଲେନ୍ତଏହିରୂପେ ସେମାନେ ଏପାଖେ କେତେକ ଓ ସେପାଖେ କେତେକ ହୋଇ ଇସ୍ରାଏଲ ମଧ୍ୟରେ ପଡ଼ିଲେ; ତେଣୁ ଇସ୍ରାଏଲ ସେମାନଙ୍କୁ ଏପରି ସଂହାର କଲେ ଯେ, ସେମାନଙ୍କ ମଧ୍ୟରୁ କେହି ଅବଶିଷ୍ଟ ରହିଲା ନାହିଁ, କି କେହି ପଳାଇ ପାରିଲା ନାହିଁ।
23ମାତ୍ର ସେମାନେ ଅୟର ରାଜାଙ୍କୁ ଜୀବିତ ଧରି ଯିହୋଶୂୟଙ୍କ ନିକଟକୁ ଆଣିଲେ।
24ଏହିରୂପେ ଯେଉଁ ପ୍ରାନ୍ତରରେ ଅୟ ନିବାସୀ ଲୋକମାନେ ସେମାନଙ୍କ ପଛେ ପଛେ ଗୋଡ଼ାଉଥିଲେ, ସେହି କ୍ଷେତ୍ରରେ ଇସ୍ରାଏଲ ସେମାନଙ୍କୁ ବଧ କରି ସାରିଲା ଉତ୍ତାରେ ଓ ସେମାନେ ନିଃଶେଷିତ ହେବାଯାଏ ଖଡ଼୍ଗମୁଖରେ ପଡ଼ିଲା ଉତ୍ତାରେ ସମଗ୍ର ଇସ୍ରାଏଲ ଫେରି ଆସି ଖଡ଼୍ଗମୁଖରେ ଅୟକୁ ସଂହାର କଲେ।
25ପୁଣି ସେହି ଦିନ ଅୟ ନିବାସୀ ସମସ୍ତ ଲୋକ ସ୍ତ୍ରୀ ପୁରୁଷ ସର୍ବସୁଦ୍ଧା ବାର ହଜାର ଲୋକ ହତ ହେଲେ।
26କାରଣ ଅୟ ନିବାସୀ ସମସ୍ତଙ୍କୁ ବର୍ଜିତ ରୂପେ ବିନାଶ କରିବା ଯାଏ ଯିହୋଶୂୟ ଆପଣାର ଯେଉଁ ହସ୍ତ ବର୍ଚ୍ଛା ଧରି ବିସ୍ତାର କରିଥିଲେ, ତାହା ସେ ସଙ୍କୁଚିତ କଲେ ନାହିଁ।
27ଯିହୋଶୂୟଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲୀୟ ଲୋକମାନେ କେବଳ ସେହି ନଗରର ପଶୁ ଓ ଲୁଟଦ୍ରବ୍ୟସବୁ ଆପଣାମାନଙ୍କ ନିମନ୍ତେ ଗ୍ରହଣ କଲେ।
28ପୁଣି ଯିହୋଶୂୟ ଅୟ ନଗରକୁ ଅଗ୍ନିରେ ଦଗ୍ଧ କରି ଅନନ୍ତକାଳୀନ ଢିପି ଓ ଆଜିଯାଏ ଏକ ଶୂନ୍ୟସ୍ଥାନ କଲେ।
29ଏଉତ୍ତାରେ ସେ ଅୟର ରାଜାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ବୃକ୍ଷରେ ଟଙ୍ଗାଇ ରଖିଲେ, ମାତ୍ର ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କର ଶବ ବୃକ୍ଷରୁ ତଳକୁ ଆଣି ନଗରଦ୍ଵାର-ପ୍ରବେଶ ସ୍ଥାନରେ ପକାଇ; ତହିଁ ଉପରେ ପ୍ରସ୍ତରର ଏକ ବଡ଼ ଢିପି କଲେ; ତାହା ଆଜିଯାଏ ଅଛି।
ଏବଲ ପର୍ବତରେ ବ୍ୟବସ୍ଥା ପଠନ
30ଏଉତ୍ତାରେ ଯିହୋଶୂୟ ଏବଲ ପର୍ବତରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ।
31ସଦାପ୍ରଭୁଙ୍କ ସେବକ ମୋଶା ଇସ୍ରାଏଲ-ସନ୍ତାନଗଣକୁ ଯେରୂପ ଆଜ୍ଞା ଦେଇଥିଲେ, ସେରୂପ ମୋଶାଙ୍କର ବ୍ୟବସ୍ଥାଗ୍ରନ୍ଥର ଲେଖାନୁସାରେ, ଯହିଁ ଉପରେ କୌଣସି ମନୁଷ୍ୟ ଲୁହା ଉଞ୍ଚାଇ ନାହିଁ, ଏପରି ଅଚଞ୍ଛା ପଥରର ଏକ ଯଜ୍ଞବେଦି ସେ ନିର୍ମାଣ କଲେ; ତହିଁ ଉପରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
32ପୁଣି ସେ ସେହି ପ୍ରସ୍ତର ଉପରେ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ମୋଶାଙ୍କ ଦ୍ଵାରା ଲିଖିତ ବ୍ୟବସ୍ଥାଗ୍ରନ୍ଥର ଅଂଶ ଉତ୍ତାରି ଲେଖିଲେ।
33ଏ ଉତ୍ତାରେ ସମୁଦାୟ ଇସ୍ରାଏଲ ଓ ସେମାନଙ୍କ ପ୍ରାଚୀନବର୍ଗ ଓ ଅଧ୍ୟକ୍ଷଗଣ ଓ ସେମାନଙ୍କ ବିଚାରକର୍ତ୍ତୃଗଣ, ଯେପରି ବିଦେଶୀ, ସେପରି ଗୃହଜାତ, ଅଧେ ଗରିଷୀମ ପର୍ବତ ଆଗରେ ଓ ଅଧେ ଏବଲ ପର୍ବତ ଆଗରେ, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହୀ ଲେବୀୟ ଯାଜକମାନଙ୍କ ସମ୍ମୁଖରେ ସିନ୍ଦୁକର ଏପାଖେ ଓ ସେପାଖେ ଠିଆ ହେଲେ; କାରଣ ପ୍ରଥମେ ଇସ୍ରାଏଲୀୟ ଲୋକମାନଙ୍କୁ ଆଶୀର୍ବାଦ କରିବା ପାଇଁ ସଦାପ୍ରଭୁଙ୍କ ସେବକ ମୋଶା ସେମାନଙ୍କୁ ଆଦେଶ ଦେଇଥିଲେ।
34ତହୁଁ ବ୍ୟବସ୍ଥା-ଗ୍ରନ୍ଥର ସମସ୍ତ ଲେଖାନୁସାରେ ସେ ଆଶୀର୍ବାଦ ଓ ଅଭିଶାପ ବିଷୟକ ବ୍ୟବସ୍ଥାର ସମସ୍ତ କଥା ପାଠ କଲେ।
35ଯିହୋଶୂୟ ଇସ୍ରାଏଲୀୟ ସମସ୍ତ ସମାଜର ଓ ସ୍ତ୍ରୀଗଣର ଓ ବାଳକଗଣର ଓ ସେମାନଙ୍କ ମଧ୍ୟରେ ପରିଚିତ ବିଦେଶୀମାନଙ୍କ ସମ୍ମୁଖରେ ଯାହା ପାଠ କଲେ ନାହିଁ, ମୋଶାଙ୍କର ସମସ୍ତ ଆଦେଶ ମଧ୍ୟରେ ଏପରି ଗୋଟିଏ କଥା ନ ଥିଲା।
Currently Selected:
ଯିହୋଶୂୟ 8: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.