ଯିହୋଶୂୟ 20
20
ଆଶ୍ରୟ ନଗରସମୂହ
1ଏଥିଉତ୍ତାରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ;
2ଆମ୍ଭେ ମୋଶା ହାତରେ ଯେଉଁସବୁ ଆଶ୍ରୟ ନଗର ବିଷୟ ତୁମ୍ଭମାନଙ୍କୁ କହିଅଛୁ, ତାହା ତୁମ୍ଭେମାନେ ଆପଣାମାନଙ୍କ ପାଇଁ ନିରୂପଣ କର।
3ତହିଁରେ ଯେଉଁ ନରହତ୍ୟାକାରୀ ଭ୍ରାନ୍ତିରେ ଓ ଅଜ୍ଞାତସାରରେ କାହାକୁ ବଧ କରେ, ସେ ସେଠାକୁ ପଳାଇ ଯାଇ ପାରିବ; ପୁଣି ସେହିସବୁ ନଗର ରକ୍ତର ପ୍ରତିହନ୍ତାଠାରୁ ତୁମ୍ଭମାନଙ୍କ ପ୍ରତି ଆଶ୍ରୟ ନଗର ହେବ।
4ଆଉ ତହିଁ ମଧ୍ୟରୁ କୌଣସି ନଗରକୁ ପଳାୟନକାରୀ ଲୋକ ନଗର ଦ୍ଵାରର ପ୍ରବେଶ-ସ୍ଥାନରେ ଠିଆ ହୋଇ ନଗରର ପ୍ରାଚୀନମାନଙ୍କ କର୍ଣ୍ଣଗୋଚରରେ ଆପଣାର କଥା କହିବ, ତହୁଁ ସେମାନେ ନଗର ମଧ୍ୟରେ ଆପଣାମାନଙ୍କ ନିକଟକୁ ତାହାକୁ ଆଣି ଆପଣାମାନଙ୍କ ମଧ୍ୟରେ ବାସ କରିବାକୁ ସ୍ଥାନ ଦେବେ।
5ପୁଣି ରକ୍ତର ପ୍ରତିହନ୍ତା ତାହା ପଛେ ପଛେ ଗୋଡ଼ାଇଲେ, ସେମାନେ ନରହତ୍ୟାକାରୀକି ତାହା ହସ୍ତରେ ସମର୍ପଣ କରିବେ ନାହିଁ; କାରଣ ସେ ଅଜ୍ଞାତସାରରେ ଆପଣା ପ୍ରତିବାସୀକି ବଧ କରିଅଛି ଓ ସେ ପୂର୍ବରେ ତାହାକୁ ହିଂସା କରି ନ ଥିଲା।
6ଏହି ନିମନ୍ତେ ସେ ବିଚାରାର୍ଥେ ମଣ୍ତଳୀ ସାକ୍ଷାତରେ ଠିଆ ହେବାଯାଏ, ପୁଣି ସେହି ସମୟର ମହାଯାଜକର ମୃତ୍ୟୁ ହେବାଯାଏ ସେ ସେହି ନଗରରେ ବାସ କରିବ; ତହିଁ ଉତ୍ତାରୁ ସେହି ନରହତ୍ୟାକାରୀ ଯେଉଁ ନଗରରୁ ପଳାୟନ କରିଥିଲା, ଆପଣା ନିଜର ସେହି ନଗରକୁ ଓ ଆପଣା ନିଜ ଗୃହକୁ ଫେରି ଆସିବ।
7ଏଣୁ ସେମାନେ ନପ୍ତାଲିର ପର୍ବତମୟ ଦେଶସ୍ଥ ଗାଲିଲୀରେ କେଦଶ ଓ ଇଫ୍ରୟିମ ପର୍ବତମୟ ଦେଶରେ ଶିଖିମ ଓ ଯିହୁଦାର ପର୍ବତମୟ ଦେଶରେ କିରୀୟଥର୍ବ (ଏହାକୁ ହିବ୍ରୋଣ କହନ୍ତି) ପ୍ରତିଷ୍ଠା କଲେ।
8ପୁଣି ଯିରୀହୋ ନିକଟସ୍ଥ ଯର୍ଦ୍ଦନ-ପୂର୍ବପାରିରେ ରୁବେନ୍ ବଂଶର ସମଭୂମି ପ୍ରାନ୍ତରରେ ବେତ୍ସର ଓ ଗାଦ୍ ବଂଶର ଗିଲୀୟଦରେ ରାମୋତ୍ ଓ ମନଃଶି ବଂଶର ବାଶନରେ ଗୋଲନ୍ ନିରୂପଣ କଲେ।
9କେହି ଭ୍ରାନ୍ତିରେ ନରହତ୍ୟା କଲେ, ମଣ୍ତଳୀ ସାକ୍ଷାତରେ ଠିଆ ହେବା ପର୍ଯ୍ୟନ୍ତ ସେହି ସ୍ଥାନକୁ ପଳାଇ ଯେପରି ରକ୍ତପ୍ରତିହନ୍ତାର ହସ୍ତରେ ନ ମରେ, ଏନିମନ୍ତେ ଇସାଏଲ-ସନ୍ତାନ ସମସ୍ତଙ୍କ ପାଇଁ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ଲୋକ ପାଇଁ ଏସବୁ ନଗର ନିରୂପିତ ହେଲା।
Currently Selected:
ଯିହୋଶୂୟ 20: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.