ଯିହୋଶୂୟ 1
1
ଯିହୋଶୂୟଙ୍କୁ ସଦାପ୍ରଭୁଙ୍କ କର୍ତ୍ତୃତ୍ଵ ଓ ଅଧିକାର
1ସଦାପ୍ରଭୁଙ୍କ ସେବକ ମୋଶାଙ୍କର ମୃତ୍ୟୁ ଉତ୍ତାରେ ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟ ନାମକ ମୋଶାଙ୍କର ପରିଚାରକଙ୍କୁ କହିଲେ, ଆମ୍ଭର ସେବକ ମୋଶା ମରିଅଛି,
2ଏନିମନ୍ତେ ତୁମ୍ଭେ ଏବେ ଉଠ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେବାକୁ ଉଦ୍ୟତ ଅଛୁ, ସେଠାକୁ ତୁମ୍ଭେ ଓ ଏହି ଲୋକ ସମସ୍ତେ ଯର୍ଦ୍ଦନ ପାର ହୋଇଯାଅ।
3ଯେ ଯେ ସ୍ଥାନରେ ତୁମ୍ଭମାନଙ୍କ ତଳିପା ପଡ଼ିବ, ସେସବୁ ସ୍ଥାନ ମୋଶା ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆମ୍ଭେ ତୁମ୍ଭମାନଙ୍କୁ ଦେଲୁ।
4ପ୍ରାନ୍ତର ଓ ଏହି ଲିବାନୋନ୍ଠାରୁ ମହାନଦୀ, ଅର୍ଥାତ୍, ଫରାତ୍ ନଦୀ ପର୍ଯ୍ୟନ୍ତ ହିତ୍ତୀୟମାନଙ୍କ ସମସ୍ତ ଦେଶ, ପୁଣି ସୂର୍ଯ୍ୟାସ୍ତ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କର ସୀମା ହେବ।
5ତୁମ୍ଭର ଯାବଜ୍ଜୀବନ ତୁମ୍ଭ ସମ୍ମୁଖରେ କେହି ଠିଆ ହୋଇ ପାରିବ ନାହିଁ; ଆମ୍ଭେ ଯେପରି ମୋଶା ସଙ୍ଗରେ ଥିଲୁ, ସେପରି ଆମ୍ଭେ ତୁମ୍ଭ ସଙ୍ଗରେ ଥିବା; ଆମ୍ଭେ ତୁମ୍ଭ ପ୍ରତି ନିରସ୍ତ ହେବା ନାହିଁ, କି ତୁମ୍ଭକୁ ତ୍ୟାଗ କରିବା ନାହିଁ।
6ତୁମ୍ଭେ ବଳବାନ ଓ ସାହସିକ ହୁଅ; କାରଣ ଏମାନଙ୍କ ପୂର୍ବପୁରୁଷଗଣ ନିକଟରେ ଯେଉଁ ଦେଶ ଦେବାକୁ ଆମ୍ଭେ ଶପଥ କରିଅଛୁ, ତାହା ତୁମ୍ଭେ ଏମାନଙ୍କୁ ଅଧିକାର କରାଇବ।
7ମାତ୍ର ଆମ୍ଭର ସେବକ ମୋଶା ତୁମ୍ଭକୁ ଯେସମସ୍ତ ବ୍ୟବସ୍ଥା ଆଦେଶ କରିଅଛି, ସେସବୁ ତୁମ୍ଭେ ମାନିବାକୁ ଓ କରିବାକୁ ବଳବାନ ଓ ଅତି ସାହସିକ ହୁଅ; ତହିଁର ଦକ୍ଷିଣକୁ କି ବାମକୁ ଫେର ନାହିଁ, ତହିଁରେ ତୁମ୍ଭେ ଯେକୌଣସି ସ୍ଥାନକୁ ଯିବ, ସେଠାରେ କୁଶଳ ପ୍ରାପ୍ତ ହେବ।
8ଏହି ବ୍ୟବସ୍ଥା ପୁସ୍ତକ ତୁମ୍ଭ ମୁଖରୁ ବିଚଳିତ ନ ହେଉ, ମାତ୍ର ତୁମ୍ଭେ ତହିଁର ଲେଖାନୁସାରେ ମାନିବାକୁ ଓ କରିବାକୁ ଦିବାରାତ୍ର ତାହା ଧ୍ୟାନ କର; ତାହା କଲେ, ତୁମ୍ଭେ ଆପଣା ପଥ ସଫଳ କରିବ ଓ ତୁମ୍ଭେ କୁଶଳ ପ୍ରାପ୍ତ ହେବ।
9ଆମ୍ଭେ କି ତୁମ୍ଭକୁ ଆଜ୍ଞା ଦେଇ ନାହୁଁ? ବଳବାନ ହୁଅ ଓ ସାହସିକ ହୁଅ; ତ୍ରାସଯୁକ୍ତ ହୁଅ ନାହିଁ, କି ହତାଶ ହୁଅ ନାହିଁ; କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭର ସଙ୍ଗୀ ହେବେ।
ଯିହୋଶୂୟଙ୍କର ଦାୟିତ୍ଵ ଗ୍ରହଣ
10ଅନନ୍ତର ଯିହୋଶୂୟ ଲୋକମାନଙ୍କ ଅଧ୍ୟକ୍ଷମାନଙ୍କୁ ଆଜ୍ଞା ଦେଇ କହିଲେ,
11ଛାଉଣି ମଧ୍ୟ ଦେଇ ଯାଅ ଓ ଲୋକମାନଙ୍କୁ ଆଜ୍ଞା ଦେଇ କୁହ, ତୁମ୍ଭେମାନେ ଆପଣାମାନଙ୍କ ପାଇଁ ପାଥେୟ-ସାମଗ୍ରୀ ପ୍ରସ୍ତୁତ କର; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବା ନିମନ୍ତେ ତିନି ଦିନ ମଧ୍ୟରେ ତୁମ୍ଭମାନଙ୍କୁ ଏହି ଯର୍ଦ୍ଦନ ପାର ହୋଇ ଯିବାକୁ ହେବ।
12ଆଉ ଯିହୋଶୂୟ ରୁବେନୀୟମାନଙ୍କୁ ଓ ଗାଦୀୟ-ମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ କହିଲେ,
13ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ତୁମ୍ଭମାନଙ୍କୁ ବିଶ୍ରାମ ପ୍ରଦାନ କରି ଏହି ଦେଶ ଦେବେ, ଏହା କହି ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେଉଁ କଥା ଆଜ୍ଞା ଦେଇଥିଲେ, ତାହା ସ୍ମରଣ କର।
14ମୋଶା ଯର୍ଦ୍ଦନର ପୂର୍ବ ପାରିରେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇ ଅଛନ୍ତି, ସେଠାରେ ତୁମ୍ଭମାନଙ୍କର ସ୍ତ୍ରୀଲୋକ ଓ ବାଳକ ଓ ପଶୁମାନେ ରହିବେ; ମାତ୍ର ତୁମ୍ଭେମାନେ, ତୁମ୍ଭମାନଙ୍କ ମହାବିକ୍ରମଶାଳୀ ଲୋକମାନେ, ସସଜ୍ଜ ହୋଇ ଆପଣା ଭାଇମାନଙ୍କ ଆଗେ ଆଗେ ପାର ହୋଇଯିବ,
15ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ଯେପରି ବିଶ୍ରାମ ଦେଇଅଛନ୍ତି, ସେପରି ତୁମ୍ଭମାନଙ୍କ ଭାଇମାନଙ୍କୁ ବିଶ୍ରାମ ଦେବାଯାଏ, ମଧ୍ୟ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ସେମାନଙ୍କୁ ଯେଉଁ ଦେଶ ଦେବାକୁ ଉଦ୍ୟତ ଅଛନ୍ତି, ତାହା ସେମାନେ ଅଧିକାର କରିବାଯାଏ ତୁମ୍ଭେମାନେ ସେମାନଙ୍କର ଉପକାର କରିବ; ତହିଁ ଉତ୍ତାରେ ଯର୍ଦ୍ଦନର ପୂର୍ବ ପାରିରେ ସୂର୍ଯ୍ୟୋଦୟ ଦିଗରେ ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ତୁମ୍ଭେମାନେ ଆପଣାମାନଙ୍କ ସେହି ଅଧିକୃତ ଦେଶକୁ ଫେରି ଆସି ତାହା ଅଧିକାର କରିବ।
16ଏଥିରେ ସେମାନେ ଯିହୋଶୂୟଙ୍କୁ ଉତ୍ତର ଦେଇ କହିଲେ, ତୁମ୍ଭେ ଆମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରିଅଛ, ତାହାସବୁ ଆମ୍ଭେମାନେ କରିବୁ ଓ ତୁମ୍ଭେ ଆମ୍ଭମାନଙ୍କୁ ଯେକୌଣସି ସ୍ଥାନକୁ ପଠାଇବ; ଆମ୍ଭେମାନେ ସେସ୍ଥାନକୁ ଯିବୁ।
17ଆମ୍ଭେମାନେ ସବୁ ବିଷୟରେ ଯେପରି ମୋଶାଙ୍କର କଥା ଶୁଣିଥିଲୁ, ସେପରି ଆମ୍ଭେମାନେ ତୁମ୍ଭ କଥା ଶୁଣିବୁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଯେପରି ମୋଶାଙ୍କ ସଙ୍ଗରେ ଥିଲେ, ସେପରି ସେ ତୁମ୍ଭ ସଙ୍ଗରେ ହେଉନ୍ତୁ।
18ଯେଉଁ ବ୍ୟକ୍ତି ତୁମ୍ଭ ଆଜ୍ଞାର ବିରୁଦ୍ଧାଚରଣ କରିବ ଓ ତୁମ୍ଭେ ଯେ ଯେ କଥା ଆଦେଶ କରିବ, ତାହାସବୁ ଶୁଣିବ ନାହିଁ, ସେ ଯେକେହି ହେଉ, ତାହାର ପ୍ରାଣଦଣ୍ତ ହେବ। ତୁମ୍ଭେ କେବଳ ବଳବାନ ଓ ସାହସିକ ହୁଅ।
Currently Selected:
ଯିହୋଶୂୟ 1: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.