YouVersion Logo
Search Icon

ଯୋୟେଲ 3

3
ପରମେଶ୍ଵରଙ୍କ ଜାତିଗଣର ବିଚାର
1କାରଣ ଦେଖ, ସେହି ଦିନରେ ଓ ସେହି ସମୟରେ ଯେତେବେଳେ ଆମ୍ଭେ ଯିହୁଦା ଓ ଯିରୂଶାଲମର ବନ୍ଦୀତ୍ଵାବସ୍ଥା ପରିବର୍ତ୍ତନ କରିବା,
2ସେତେବେଳେ ଆମ୍ଭେ ଯାବତୀୟ ଗୋଷ୍ଠୀଙ୍କୁ ସଂଗ୍ରହ କରି ସେମାନଙ୍କୁ ଯିହୋଶାଫଟ (ସଦାପ୍ରଭୁଙ୍କ ବିଚାର) ଉପତ୍ୟକାକୁ ଓହ୍ଲାଇ ଆଣିବା; ଆଉ, ସେମାନଙ୍କ ସଙ୍ଗେ ଆମ୍ଭ ଲୋକମାନଙ୍କର ଓ ଆମ୍ଭ ଅଧିକାର ଇସ୍ରାଏଲ ସପକ୍ଷରେ ବାଦାନୁବାଦ କରିବା, କାରଣ ସେମାନେ ସେମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରି ଆମ୍ଭର ଦେଶ ବିଭାଗ କରିଅଛନ୍ତି।
3ପୁଣି, ସେମାନେ ଆମ୍ଭ ଲୋକମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିଅଛନ୍ତିଓ ଏକ ବେଶ୍ୟା ପାଇଁ ଏକ ବାଳକ ଦେଇଅଛନ୍ତି ଓ ପାନ କରିବା ନିମନ୍ତେ ଦ୍ରାକ୍ଷାରସ ପାଇଁ ବାଳିକା ବିକ୍ରୟ କରିଅଛନ୍ତି।
4ଆହୁରି, ହେ ସୋର, ସୀଦୋନ ଓ ପଲେଷ୍ଟୀୟାର ସକଳ ଅଞ୍ଚଳ, ତୁମ୍ଭେମାନେ ଆମ୍ଭ ପ୍ରତି କଅ? ତୁମ୍ଭେମାନେ କି ଆମ୍ଭକୁ ପ୍ରତିଫଳ ଦେବ? ଓ ତୁମ୍ଭେମାନେ ଆମ୍ଭକୁ ପ୍ରତିଫଳ ଦେଲେ, ଆମ୍ଭେ ଅବିଳମ୍ଵରେ ଓ ଅତି ଶୀଘ୍ରରେ ତୁମ୍ଭମାନଙ୍କର ପ୍ରତିଫଳ ତୁମ୍ଭମାନଙ୍କର ନିଜ ମସ୍ତକରେ ବର୍ତ୍ତାଇବା।
5କାରଣ ତୁମ୍ଭେମାନେ ଆମ୍ଭର ରୂପା ଓ ସୁନା ହରଣ କରିଅଛ, ଆଉ ଆମ୍ଭର ଉତ୍ତମ ମନୋହର ପଦାର୍ଥମାନ ଆପଣାମାନଙ୍କର ମନ୍ଦିରକୁ ବହି ନେଇ ଯାଇଅଛ;
6ଆହୁରି , ଯିହୁଦାର ସନ୍ତାନଗଣକୁ ଓ ଯିରୂଶାଲମର ସନ୍ତାନଗଣକୁ ସେମାନଙ୍କ ସୀମାରୁ ଦୂର କରିବା ନିମନ୍ତେ ଗ୍ରୀସ୍ର ସନ୍ତାନଗଣ ନିକଟରେ ସେମାନଙ୍କୁ ବିକ୍ରୟ କରିଅଛ।
7ଦେଖ, ତୁମ୍ଭେମାନେ ଯେଉଁ ସ୍ଥାନରେ ସେମାନଙ୍କୁ ବିକ୍ରୟ କରିଅଛ, ଆମ୍ଭେ ସେମାନଙ୍କର ପ୍ରବୃତ୍ତି ଜନ୍ମାଇ ସେହି ସ୍ଥାନରୁ ବାହାର କରିବା ଓ ତୁମ୍ଭମାନଙ୍କର ପ୍ରତିଫଳ ତୁମ୍ଭମାନଙ୍କର ମସ୍ତକରେ ବର୍ତ୍ତାଇବା;
8ପୁଣି, ଆମ୍ଭେ ତୁମ୍ଭମାନଙ୍କର ପୁତ୍ରଗଣ ଓ ତୁମ୍ଭମାନଙ୍କର କନ୍ୟାଗଣକୁ ଯିହୁଦାର ସନ୍ତାନଗଣର ହସ୍ତରେ ବିକ୍ରୟ କରିବା, ତହିଁରେ ସେମାନେ ସେମାନଙ୍କୁ ଦୂରଗୋଷ୍ଠୀୟ ଶିବାୟୀୟ ଲୋକମାନଙ୍କ ନିକଟରେ ବିକ୍ରୟ କରିବେ; କାରଣ ସଦାପ୍ରଭୁ ଏହା କହିଅଛନ୍ତି।
9ତୁମ୍ଭେମାନେ ଗୋଷ୍ଠୀବର୍ଗ ମଧ୍ୟରେ ଏହି କଥା ପ୍ରଚାର କର; ଯୁଦ୍ଧ ଆୟୋଜନ କର; ବୀରମାନଙ୍କର ପ୍ରବୃତ୍ତି ଜନ୍ମାଅ; ଯୋଦ୍ଧା ସମସ୍ତେ ନିକଟକୁ ଆସି ଉପସ୍ଥିତ ହେଉନ୍ତୁ।
10ତୁମ୍ଭେମାନେ ଆପଣା ଆପଣା ଲଙ୍ଗଳର ଫାଳ ଭାଙ୍ଗି ଖଡ଼୍‍ଗ ଗଢ଼ାଅ ଓ ଆପଣା ଆପଣା ଦା ଭାଙ୍ଗି ବର୍ଚ୍ଛା ଗଢ଼: ଦୁର୍ବଳ ଲୋକ କହୁ, ମୁଁ ବଳବାନ।
11ହେ ଚତୁର୍ଦ୍ଦିଗସ୍ଥ ଗୋଷ୍ଠୀସକଳ, ତୁମ୍ଭେମାନେ ଚଞ୍ଚଳ ହୋଇ ଆସ ଓ ଆପଣାମାନଙ୍କୁ ଏକତ୍ର କର; ହେ ସଦାପ୍ରଭୁ, ସେହି ସ୍ଥାନକୁ ତୁମ୍ଭେ ଆପଣା ବୀରଗଣକୁ ଓହ୍ଳାଇ ଆଣ।
12ଗୋଷ୍ଠୀବର୍ଗ ଉଦ୍ଯୋଗୀ ହୋଇ ଉଠନ୍ତୁ ଓ ଯିହୋଶାଫଟର ଉପତ୍ୟକାକୁ ଆସନ୍ତୁ; କାରଣ ସେସ୍ଥାନରେ ଆମ୍ଭେ ଚତୁର୍ଦ୍ଦିଗସ୍ଥ ସକଳ ଗୋଷ୍ଠୀର ବିଚାର କରିବା ପାଇଁ ବସିବା।
13ତୁମ୍ଭେମାନେ ଦା ଲଗାଅ କାରଣ ଶସ୍ୟ ପାଚିଅଛି; ତୁମ୍ଭେମାନେ ଆସି ଦଳନ କର; କାରଣ ଦ୍ରାକ୍ଷାଯନ୍ତ୍ର ପୂର୍ଣ୍ଣ ହୋଇଅଛିହ, କୁଣ୍ତସବୁ ଉଚ୍ଛୁଳି ପଡ଼ୁଅଛି; କାରଣ ସେମାନଙ୍କର ଦୁଷ୍ଟତା ବଡ଼।
14ଦଣ୍ତାଜ୍ଞାର ଉପତ୍ୟକାରେ ଲୋକାରଣ୍ୟ, ଲୋକାରଣ୍ୟଣ! କାରଣ ଦଣ୍ତାଜ୍ଞାର ଉପତ୍ୟକାରେ ସଦାପ୍ରଭୁଙ୍କର ଦିନ ସନ୍ନିକଟ ହୋଇଅଛି।
15ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହୋଇଅଛନ୍ତି ଓ ନକ୍ଷତ୍ରଗଣ ଆପଣା ଆପଣା ତେଜ ରହିତ କରୁଅଛନ୍ତି।
ଯିହୁଦାର ଗୌରବମୟ ଭବିଷ୍ୟତ
16ପୁଣି, ସଦାପ୍ରଭୁ ସିୟୋନରୁ ଗର୍ଜନ କରିବେ ଓ ଯିରୂଶାଲମରୁ ଆପଣା ରବ ଶୁଣାଇବେ; ତହିଁରେ ଆକାଶମଣ୍ତଳ ଓ ପୃଥିବୀ କମ୍ପିତ ହେବେ; ମାତ୍ର ସଦାପ୍ରଭୁ ଆପଣା ଲୋକମାନଙ୍କ ପ୍ରତି ଆଶ୍ରୟସ୍ଵରୂପ ହେବେ ଓ ଇସ୍ରାଏଲ-ସନ୍ତାନଗଣ ପ୍ରତି ଦୃଢ଼ ଦୁର୍ଗସ୍ଵରୂପ ହେବେ।
17ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ଅଟୁ ଓ ଆପଣା ପବିତ୍ର ପର୍ବତ ସିୟୋନରେ ବାସ କରୁ, ଏହା ତୁମ୍ଭେମାନେ ଜାଣିବ; ତହିଁରେ ଯିରୂଶାଲମ ପବିତ୍ର ହେବ ଓ ବିଦେଶୀୟମାନେ ତହିଁ ମଧ୍ୟଦେଇ ଆଉ ଗମନାଗମନ କରିବେ ନାହିଁ।
18ସେଦିନ ପର୍ବତଗଣ ମିଷ୍ଟ ଦ୍ରାକ୍ଷାରସ କ୍ଷରଣ କରିବେ, ଉପପର୍ବତଗଣ ଦୁଗ୍ଧରେ ପ୍ରବାହିତ ହେବେ ଓ ଯିହୁଦାର ନଦୀ ସ୍ରୋତସକଳ ଜଳରେ ପ୍ରବାହିତ ହେବେ; ପୁଣି, ସଦାପ୍ରଭୁଙ୍କ ଗୃହରୁ ଏକ ନିର୍ଝର ନିର୍ଗତ ହେବ, ତାହା ଶିଟୀମର ଉପତ୍ୟକାକୁ ଜଳମୟ କରିବ।
19ଯିହୁଦାର ସନ୍ତାନଗଣ ପ୍ରତି କୃତ ଉପଦ୍ରବ ସକାଶୁ ମିସର ଧ୍ଵଂସସ୍ଥାନ ହେବ ଓ ଇଦୋମ ଧ୍ଵଂସିତ ପ୍ରାନ୍ତର ହେବ, କାରଣ ସେମାନେ ଆପଣାମାନଙ୍କ ଦେଶରେ ନିର୍ଦ୍ଦୋଷର ରକ୍ତପାତ କରିଅଛନ୍ତି।
20ମାତ୍ର ଯିହୁଦା ଚିରକାଳ ଓ ଯିରୂଶାଲମ ପୁରୁଷାନୁକ୍ରମେ ରହିବ।
21ପୁଣି, ଆମ୍ଭେ ସେମାନଙ୍କର ଯେଉଁ ରକ୍ତ ପରିଷ୍କାର କରି ନାହୁଁ, ତାହା ପରିଷ୍କାର କରିବା; କାରଣ ସଦାପ୍ରଭୁ ସିୟୋନରେ ବାସ କରନ୍ତି।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in