Bible App logo
Search Icon

ବିଚାରକର୍ତ୍ତା 10

10
ତୋଲୟ ଏବଂ ଯାୟୀର
1ଅବୀମେଲକ୍ର ମରଣ ଉତ୍ତାରେ ଇଷାଖର-ବଂଶୀୟ ଦୋଦୟର ପୌତ୍ର, ପୂୟାର ପୁତ୍ର ତୋଲୟ ଇସ୍ରାଏଲର ଉଦ୍ଧାର ନିମନ୍ତେ ଉତ୍ପନ୍ନ ହେଲେ; ସେ ଇଫ୍ରୟିମ ପର୍ବତମୟ ଦେଶସ୍ଥ ଶାମୀରରେ ବାସ କଲେ।
2ପୁଣି ସେ ତେଇଶ ବର୍ଷ ଇସ୍ରାଏଲର ବିଚାର କଲେ; ତହିଁ ଉତ୍ତାରେ ସେ ମଲେ ଓ ଶାମୀରରେ କବର ପାଇଲେ।
3ତାହା ଉତ୍ତାରେ ଗିଲୀୟଦୀୟ ଯାୟୀର ଉତ୍ପନ୍ନ ହେଲେ, ସେ ବାଇଶ ବର୍ଷ ଇସ୍ରାଏଲର ବିଚାର କଲେ।
4ପୁଣି ତାଙ୍କର ତିରିଶ ପୁତ୍ର ଥିଲେ, ସେମାନେ ତିରିଶ ଗର୍ଦ୍ଦଭରେ ଚଢ଼ିଲେ ଓ ସେମାନଙ୍କର ତିରିଶ ନଗର ଥିଲା, ସେହିସବୁକୁ ଆଜିଯାଏ ହବୋତ୍-ଯାୟୀର (ଯାୟୀର୍ ଗ୍ରାମ) ବୋଲାଯାଏ; ତାହାସବୁ ଗିଲୀୟଦ ଦେଶରେ ଅଛି।
5ଏ ଉତ୍ତାରେ ଯାୟୀର ମଲେ ଓ କାମୋନରେ କବର ପାଇଲେ।
ଅବାଧ୍ୟତା ଏବଂ ବିଚାର
6ଅନନ୍ତର ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ, ଆଉ ବାଲ୍-ଦେବତାଗଣର ଓ ଅଷ୍ଟାରୋତ୍ ଦେବୀଗଣର ଓ ଅରାମ ଦେବଗଣର ଓ ସୀଦୋନ ଦେବଗଣର ଓ ମୋୟାବ ଦେବଗଣର ଓ ଅମ୍ମୋନ୍-ସନ୍ତାନମାନଙ୍କ ଦେବଗଣର ଓ ପଲେଷ୍ଟୀୟ ଦେବଗଣର ସେବା କଲେ; ପୁଣି ସେମାନେ ସଦାପ୍ରଭୁଙ୍କୁ ପାସୋରିଲେ ଓ ତାହାଙ୍କର ସେବା କଲେ ନାହିଁ।
7ଏ ନିମନ୍ତେ ଇସ୍ରାଏଲ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ଵଳିତ ହେଲା, ପୁଣି ସେ ପଲେଷ୍ଟୀୟମାନଙ୍କ ହସ୍ତରେ ଓ ଅମ୍ମୋନ-ସନ୍ତାନମାନଙ୍କ ହସ୍ତରେ ସେମାନଙ୍କୁ ବିକ୍ରୟ କଲେ।
8ତହିଁରେ ସେମାନେ ସେହି ବର୍ଷ ଇସ୍ରାଏଲ-ସନ୍ତାନଗଣକୁ ଚୂର୍ଣ୍ଣଶୀର୍ଣ୍ଣ କଲେ; ସେମାନେ ଅଠର ବର୍ଷ ପର୍ଯ୍ୟନ୍ତ ଯର୍ଦ୍ଦନପାରିସ୍ଥ ଗିଲୀୟଦର ଅନ୍ତର୍ଗତ ଇମୋରୀୟ ଦେଶ ନିବାସୀ ସମସ୍ତ ଇସ୍ରାଏଲ-ସନ୍ତାନ ପ୍ରତି (ଏପରି କଲେ)।
9ଆହୁରି ଅମ୍ମୋନ-ସନ୍ତାନମାନେ ଯିହୁଦା ବିରୁଦ୍ଧରେ, ବିନ୍ୟାମୀନ ବିରୁଦ୍ଧରେ, ଇଫ୍ରୟିମ ବଂଶ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଯର୍ଦ୍ଦନ ପାର ହୋଇଗଲେ; ତହିଁରେ ଇସ୍ରାଏଲ ଅତିଶୟ କ୍ଳେଶ ପାଇଲେ।
10ତେଣୁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ, କାରଣ ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ଵରଙ୍କୁ ପରିତ୍ୟାଗ କରିଅଛୁ ଓ ବାଲ୍ ଦେବତାଗଣର ସେବା କରିଅଛୁ।
11ତହିଁରେ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣକୁ କହିଲେ, ଆମ୍ଭେ କି ମିସ୍ରୀୟମାନଙ୍କଠାରୁ ଓ ଇମୋରୀୟମାନଙ୍କଠାରୁ, ଅମ୍ମୋନ-ସନ୍ତାନମାନଙ୍କଠାରୁ ଓ ପଲେଷ୍ଟୀୟମାନଙ୍କଠାରୁ ତୁମ୍ଭମାନଙ୍କୁ ଉଦ୍ଧାର କରି ନାହୁଁ?
12ଆହୁରି ସୀଦୋନୀୟମାନେ ଓ ଅମାଲେକୀୟମାନେ ଓ ମାୟୋନୀୟମାନେ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କଲେ ; ତହିଁରେ ତୁମ୍ଭେମାନେ ଆମ୍ଭ ନିକଟରେ କ୍ରନ୍ଦନ କରନ୍ତେ, ଆମ୍ଭେ ସେମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ।
13ତଥାପି ତୁମ୍ଭେମାନେ ଆମ୍ଭକୁ ପରିତ୍ୟାଗ କରିଅଛ ଓ ଅନ୍ୟ ଦେବଗଣର ସେବା କରିଅଛନ୍ତଏହେତୁ ଆମ୍ଭେ ଆଉ ତୁମ୍ଭମାନଙ୍କୁ ଉଦ୍ଧାର କରିବା ନାହିଁ।
14ତୁମ୍ଭେମାନେ ଯେଉଁ ଦେବଗଣକୁ ମନୋନୀତ କରିଅଛ, ସେମାନଙ୍କ ନିକଟକୁ ଯାଇ କ୍ରନ୍ଦନ କର; ତୁମ୍ଭମାନଙ୍କ ସଙ୍କଟ ସମୟରେ ସେମାନେ ତୁମ୍ଭମାନଙ୍କୁ ଉଦ୍ଧାର କରନ୍ତୁ।
15ଏଥିରେ ଇସ୍ରାଏଲ-ସନ୍ତାନମାନେ ସଦାପ୍ରଭୁଙ୍କୁ କହିଲେ, ଆମ୍ଭେମାନେ ପାପ କରିଅଛୁ; ତୁମ୍ଭକୁ ଯାହା କିଛି ଭଲ ଦିଶେ, ତାହା ଆମ୍ଭମାନଙ୍କ ପ୍ରତି କର ପଛେ, ମାତ୍ର ଆମ୍ଭେମାନେ ବିନୟ କରୁଅଛୁ, ଆଜି ଆମ୍ଭମାନଙ୍କୁ ରକ୍ଷା କର।
16ଏ ଉତ୍ତାରେ ସେମାନେ ଆପଣାମାନଙ୍କ ମଧ୍ୟରୁ ବିଦେଶୀୟ ଦେବଗଣକୁ ଦୂର କରି ସଦାପ୍ରଭୁଙ୍କର ସେବା କଲେ; ତହିଁରେ ଇସ୍ରାଏଲର ଦୁଃଖରେ ତାହାଙ୍କର ପ୍ରାଣ ଅସ୍ଥିର ହେଲା।
17ସେ ସମୟରେ ଅମ୍ମୋନ-ସନ୍ତାନଗଣ ଏକତ୍ରିତ ହୋଇ ଗିଲୀୟଦରେ ଛାଉଣି ସ୍ଥାପନ କରିଥିଲେ। ପୁଣି ଇସ୍ରାଏଲ-ସନ୍ତାନମାନେ ଏକତ୍ରିତ ହୋଇ ମିସ୍ପୀରେ ଛାଉଣି ସ୍ଥାପନ କରିଥିଲେ।
18ତହିଁରେ ଗିଲୀୟଦୀୟ ଲୋକମାନେ, ଅର୍ଥାତ୍, ଅଧିପତିମାନେ ଏକକୁ ଆରେକ କହିଲେ, ଅମ୍ମୋନ-ସନ୍ତାନମାନଙ୍କ ସଙ୍ଗରେ କିଏ ଯୁଦ୍ଧ ଆରମ୍ଭ କରିବ? ସେ ଗିଲୀୟଦ ନିବାସୀ ସମସ୍ତ ଲୋକଙ୍କର ମସ୍ତକ ସ୍ଵରୂପ ହେବ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Video for ବିଚାରକର୍ତ୍ତା 10