ଯିଶାଇୟ 58
58
ପ୍ରକୃତ ଉପବାସ
1ମୁକ୍ତ କଣ୍ଠରେ ଘୋଷଣା କର, ସ୍ଵର ଊଣା କର ନାହିଁ, ତୂରୀ ପରି ଆପଣା ରବ ଉଠାଅ, ଆମ୍ଭ ଲୋକମାନଙ୍କୁ ସେମାନଙ୍କ ଅଧର୍ମ ଓ ଯାକୁବ ବଂଶକୁ ସେମାନଙ୍କ ପାପସବୁ ଜଣାଅ।
2ତଥାପି ସେମାନେ ପ୍ରତିଦିନ ଆମ୍ଭର ଅନ୍ଵେଷଣ କରନ୍ତି ଓ ଆମ୍ଭ ପଥ ବିଷୟ ଜାଣିବାକୁ ସନ୍ତୁଷ୍ଟ ହୁଅନ୍ତି; ଯେଉଁ ଗୋଷ୍ଠୀୟ ଲୋକେ ଧର୍ମକର୍ମ କରନ୍ତି ଓ ଆପଣାମାନଙ୍କ ପରମେଶ୍ଵରଙ୍କର ବିଧାନ ତ୍ୟାଗ କରି ନାହାନ୍ତି, ସେମାନଙ୍କ ପରି ସେମାନେ ଧର୍ମ ବିଧାନ ବିଷୟ ଆମ୍ଭକୁ ପଚାରନ୍ତି ଓ ପରମେଶ୍ଵରଙ୍କର ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି।
3ସେମାନେ କୁହନ୍ତି, ଆମ୍ଭେମାନେ କାହିଁକି ଉପବାସ କରିଅଛୁ ଓ ତୁମ୍ଭେ ଦୃଷ୍ଟି କରୁ ନାହଁ? ଆମ୍ଭେମାନେ କାହିଁକି ଆପଣା ଆପଣା ପ୍ରାଣକୁ କ୍ଳେଶ ଦେଇଅଛୁ ଓ ତୁମ୍ଭେ ମନୋଯୋଗ କରୁ ନାହଁ? ଦେଖ, ତୁମ୍ଭେମାନେ ଉପବାସ ଦିନ ଆପଣା ସୁଖ ଚେଷ୍ଟା କରୁଅଛ ଓ ବଳପୂର୍ବକ ସବୁ ପରିଶ୍ରମ ନେଉଅଛ।
4ଦେଖ, ତୁମ୍ଭେମାନେ ବିବାଦ ଓ କଳହ ନିମନ୍ତେ, ଆଉ ଦୁଷ୍ଟତାରୂପ ମୁଷ୍ଟି ଦ୍ଵାରା ଆଘାତ କରିବା ନିମନ୍ତେ ଉପବାସ କରୁଅଛ; ତୁମ୍ଭମାନଙ୍କର ରବ ଊର୍ଦ୍ଧ୍ଵରେ ଯେପରି ଶୁଣାଯିବ, ଏପରି ଉପବାସ ଆଜି ତୁମ୍ଭେମାନେ କରୁ ନାହଁ।
5ଏହି ପ୍ରକାର ଉପବାସ, ମନୁଷ୍ୟ ଆପଣା ପ୍ରାଣକୁ କ୍ଳେଶ ଦେବା ନିମନ୍ତେ ଏହି ପ୍ରକାର ଦିନ, ଆମ୍ଭେ କʼଣ ମନୋନୀତ କରିଅଛୁ? ନଳବୃକ୍ଷ ପରି ମସ୍ତକ ନୁଆଁଇବାର, ପୁଣି ଚଟବସ୍ତ୍ର ଓ ଭସ୍ମ ଆପଣା ତଳେ ବିଛାଇବାର , ଏହାକୁ ତୁମ୍ଭେ ଉପବାସ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କି ଗ୍ରାହ୍ୟ ଦିନ ବୋଲି କହିବ?
6ଦୁଷ୍ଟତାରୂପ ବନ୍ଧନ ଫିଟାଇ ଦେବାର, ଯୁଆଳିର ବନ୍ଧନ ମୁକ୍ତ କରିବାର ଓ ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତ କରି ଛାଡ଼ି ଦେବାର, ପୁଣି ପ୍ରତ୍ୟେକ ଯୁଆଳି ଭଗ୍ନ କରିବାର,
7କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର, ଓ ତାଡ଼ିତ ଦୁଃଖୀ ଲୋକକୁ ଆପଣା ଗୃହକୁ ଆଣିବାର, ତୁମ୍ଭେ ଉଲଙ୍ଗକୁ ଦେଖିଲେ, ତାହାକୁ ବସ୍ତ୍ର ପିନ୍ଧାଇବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ଆପଣାକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେ କି ମନୋନୀତ କରି ନାହୁଁ?
8ଏହା କଲେ, ଅରୁଣ ତୁଲ୍ୟ ତୁମ୍ଭର ଦୀପ୍ତି ପ୍ରକାଶ ପାଇବ ଓ ତୁମ୍ଭର ଆରୋଗ୍ୟ ଶୀଘ୍ର ଅଙ୍କୁରିତ ହେବ; ପୁଣି, ତୁମ୍ଭର ଧର୍ମ ତୁମ୍ଭର ଅଗ୍ରବର୍ତ୍ତୀ ହେବ; ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭର ପଶ୍ଚାଦ୍ବର୍ତ୍ତୀ ହେବ।
9ସେତେବେଳେ ତୁମ୍ଭେ ଡାକିବ ଓ ସଦାପ୍ରଭୁ ଉତ୍ତର ଦେବେ; ତୁମ୍ଭେ ଆର୍ତ୍ତସ୍ଵର କରିବ, ଆଉ ସେ କହିବେ, ଆମ୍ଭେ ଉପସ୍ଥିତ ଅଛୁ। ଯେବେ ତୁମ୍ଭେ ଆପଣା ମଧ୍ୟରୁ ଯୁଆଳି, ଅଙ୍ଗୁଳିତର୍ଜ୍ଜନ ଓ ଅଧର୍ମ ବାକ୍ୟ ଦୂର କର;
10ପୁଣି, ଯେବେ କ୍ଷୁଧିତର ପ୍ରତି ତୁମ୍ଭର ପ୍ରାଣ ଆକର୍ଷିତ ହୁଏ ଓ ତୁମ୍ଭେ ଦୁଃଖିତର ପ୍ରାଣକୁ ତୃପ୍ତ କର, ତେବେ ଅନ୍ଧକାରରେ ତୁମ୍ଭର ଦୀପ୍ତି ଉଦିତ ହେବ ଓ ତୁମ୍ଭର ଅନ୍ଧକାର ମଧ୍ୟାହ୍ନର ସମାନ ହେବ;
11ଆଉ, ସଦାପ୍ରଭୁ ନିତ୍ୟ ତୁମ୍ଭକୁ ପଥ କଢ଼ାଇ ନେବେ ଓ ମରୁଭୂମିରେ ତୁମ୍ଭ ପ୍ରାଣକୁ ତୃପ୍ତ କରିବେ ଓ ତୁମ୍ଭ ଅସ୍ଥିସକଳକୁ ବଳିଷ୍ଠ କରିବେ; ତହିଁରେ ତୁମ୍ଭେ ଜଳସିଞ୍ଚିତ ଉଦ୍ୟାନ ତୁଲ୍ୟ ଓ ଜଳାଭାବ ନ ଥିବା ନିର୍ଝର ତୁଲ୍ୟ ହେବ।
12ପୁଣି, ତୁମ୍ଭ ବଂଶୀୟ ଲୋକେ ପୁରାତନ ଉତ୍ସନ୍ନ ସ୍ଥାନସକଳ ପୁନର୍ନିର୍ମାଣ କରିବେ; ତୁମ୍ଭେ ପୂର୍ବ କାଳର ଅନେକ ଭିତ୍ତିମୂଳର ଉପରେ ଗାନ୍ଥିବ; ପୁଣି, ଭଗ୍ନ-ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ୟାତ ହେବ।
ବିଶ୍ରାମବାର ବିଧି ପାଳନର ପୁରସ୍କାର
13ତୁମ୍ଭେ ଯେବେ ବିଶ୍ରାମବାର ଲଙ୍ଘନରୁ, ଆମ୍ଭ ପବିତ୍ର ଦିନରେ ନିଜ ଅଭିଳାଷ ଚେଷ୍ଟାରୁ ଆପଣା ପାଦ ଫେରାଅ; ପୁଣି, ବିଶ୍ରାମବାରକୁ ସୁଖଦାୟକ ଓ ସଦାପ୍ରଭୁଙ୍କ ପବିତ୍ର ଦିନକୁ ଆଦରଣୀୟ ବୋଲି କୁହ; ଆଉ, ନିଜ କାର୍ଯ୍ୟ ନ କରି ଅବା ନିଜ ଅଭିଳାଷର ଚେଷ୍ଟା ନ କରି ଅଥବା ନିଜ କଥା ନ କହି ତାହାକୁ ଆଦର କରିବ:
14ତେବେ ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ; ପୁଣି, ଆମ୍ଭେ ତୁମ୍ଭକୁ ପୃଥିବୀର ଉଚ୍ଚସ୍ଥଳୀ-ମାନରେ ଆରୋହଣ କରାଇବା; ଆଉ, ତୁମ୍ଭ ପିତା ଯାକୁବର ଅଧିକାର ତୁମ୍ଭକୁ ଭୋଗ କରାଇବା : କାରଣ ସଦାପ୍ରଭୁଙ୍କର ମୁଖ ଏହା କହିଅଛି।
Currently Selected:
ଯିଶାଇୟ 58: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.