ଯିଶାଇୟ 56
56
ବିଜାତୀୟଙ୍କ ପରିତ୍ରାଣ
1ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ନ୍ୟାୟବିଚାର ପାଳନ କର; ଧର୍ମକର୍ମ କର; କାରଣ ଆମ୍ଭର ପରିତ୍ରାଣର ଆଗମନ ଓ ଆମ୍ଭ ଧର୍ମର ପ୍ରକାଶ ସନ୍ନିକଟ।
2ଯେଉଁ ମନୁଷ୍ୟ ଏହା କରେ ଓ ଯେଉଁ ମନୁଷ୍ୟ-ସନ୍ତାନ ଏହା ଦୃଢ଼ ରୂପେ ଅବଲମ୍ଵନ କରେ; ଯେ ବିଶ୍ରାମବାର ପାଳନ କରି ତାହା ଅଶୁଚି ନ କରେ ଓ ସବୁ ପ୍ରକାର କୁକର୍ମରୁ ଆପଣା ହସ୍ତକୁ ନିବାରଣ କରେ, ସେ ଧନ୍ୟ।
3ନିଶ୍ଚୟ ସଦାପ୍ରଭୁ ଆପଣା ଲୋକମାନଙ୍କଠାରୁ ମୋତେ ପୃଥକ କରିବେ, ଏହା ସଦାପ୍ରଭୁଙ୍କଠାରେ ଆସକ୍ତ ବିଦେଶୀ ଲୋକ ନ କହୁ; ଅଥବା ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ଏହା ନପୁଂସକ ନ କହୁ।
4କାରଣ ନପୁଂସକମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, ଯେଉଁମାନେ ଆମ୍ଭର ବିଶ୍ରାମଦିନ ପାଳନ କରନ୍ତି ଓ ଆମ୍ଭର ତୁଷ୍ଟିକର ବିଷୟ ମନୋନୀତ କରନ୍ତି ଓ ଆମ୍ଭର ନିୟମ ଅବଲମ୍ଵନ କରନ୍ତି;
5ସେମାନଙ୍କୁ ଆମ୍ଭେ ଆମ୍ଭ ଗୃହ ମଧ୍ୟରେ ଓ ଆମ୍ଭ ପ୍ରାଚୀର ଭିତରେ ପୁତ୍ର କନ୍ୟା ଅପେକ୍ଷା ଉତ୍ତମ ସ୍ମରଣାର୍ଥକ ସ୍ତମ୍ଭ ଓ ନାମ ଦେବା; ଆମ୍ଭେ ସେମାନଙ୍କୁ ଅନନ୍ତ- କାଳସ୍ଥାୟୀ ନାମ ଦେବା, ତାହା କଟା ହେବ ନାହିଁ।
6ଆହୁରି, ଯେଉଁ ବିଦେଶୀୟମାନେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁଙ୍କ ନାମକୁ ପ୍ରେମ କରିବା ପାଇଁ ଓ ତାହାଙ୍କର ଦାସ ହେବା ନିମନ୍ତେ ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅନ୍ତି, ଅର୍ଥାତ୍, ଯେଉଁମାନେ ବିଶ୍ରାମଦିନ ପାଳନ କରି ତାହା ଅଶୁଚି ନ କରନ୍ତି ଓ ଆମ୍ଭର ନିୟମ ଅବଲମ୍ଵନ କରନ୍ତି;
7ସେସମସ୍ତଙ୍କୁ ଆମ୍ଭେ ଆପଣା ପବିତ୍ର ପର୍ବତକୁ ଆଣିବା ଓ ଆମ୍ଭର ପ୍ରାର୍ଥନା-ଗୃହରେ ସେମାନଙ୍କୁ ଆନନ୍ଦିତ କରିବା; ସେମାନଙ୍କର ହୋମବଳି ଓ ପ୍ରାୟଶ୍ଚିତ୍ତ ବଳିସବୁ ଆମ୍ଭ ଯଜ୍ଞବେଦି ଉପରେ ଗ୍ରାହ୍ୟ ହେବ ; କାରଣ ଆମ୍ଭର ଗୃହ ସର୍ବଗୋଷ୍ଠୀୟ ଲୋକଙ୍କର ପ୍ରାର୍ଥନା-ଗୃହ ବୋଲି ବିଖ୍ୟାତ ହେବ।
8ଯେ ଇସ୍ରାଏଲର ଦୂରୀକୃତ ଲୋକଙ୍କୁ ସଂଗ୍ରହ କରନ୍ତି, ସେହି ପ୍ରଭୁ, ସଦାପ୍ରଭୁ କହନ୍ତି, ତାହାର ସଂଗୃହୀତ ନିଜ ଲୋକ ଛଡ଼ା ଆମ୍ଭେ ଅନ୍ୟ ଲୋକମାନଙ୍କୁ ତାହା ନିକଟରେ ସଂଗ୍ରହ କରିବା।
ଇସ୍ରାଏଲର ଦାୟିତ୍ଵହୀନ ନେତୃତ୍ଵ
9ହେ କ୍ଷେତ୍ରସ୍ଥ ପଶୁସବୁ, ହେ ବନସ୍ଥ ସମସ୍ତ ପଶୁ, ତୁମ୍ଭେମାନେ ଗ୍ରାସ କରିବାକୁ ଆସ।
10ତାହାର ପ୍ରହରୀଗଣ ଅନ୍ଧ, ସେସମସ୍ତେ ଜ୍ଞାନହୀନ; ସେସମସ୍ତେ ଘୁଙ୍ଗା କୁକ୍କୁର, ସେମାନେ ଭୁକି ପାରନ୍ତି ନାହିଁ; ସେମାନେ ସ୍ଵପ୍ନଦର୍ଶୀ, ନିଦ୍ରାଳୁ, ଢୁଳାଇବାକୁ ସୁଖ ପାʼନ୍ତି।
11ଆହୁରି, ସେହି କୁକ୍କୁରମାନେ ପେଟୁକ, ସେମାନେ କେବେ ତୃପ୍ତ ନୁହନ୍ତି; ଆଉ, ଏମାନେ ବିବେଚନାଶକ୍ତିଶୂନ୍ୟ ପାଳକ; ସେସମସ୍ତେ ଚାରିଆଡ଼ରୁ ଆପଣା ଆପଣା ଲାଭ ଚେଷ୍ଟାରେ ଆପଣା ଆପଣା ବାଟ ଆଡ଼େ ଫେରିଅଛନ୍ତି।
12ପ୍ରତ୍ୟେକେ କହନ୍ତି, ଆସ, ଆମ୍ଭେ ଦ୍ରାକ୍ଷାରସ ଆଣିବା ଓ ଆମ୍ଭେମାନେ ସୁରାପାନରେ ମତ୍ତ ହେବା; ପୁଣି, ଯେପରି ଆଜି, ସେପରି କାଲି ହେବ, ତାହା ଅପରିମିତ ମହାଦିନ ହେବ।
Currently Selected:
ଯିଶାଇୟ 56: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.