ଯିଶାଇୟ 54
54
ଚିରନ୍ତନ ଶାନ୍ତିର ନିୟମ
1ଆଗୋ ବନ୍ଧ୍ୟେ, ଅପ୍ରସୂତେ, ତୁମ୍ଭେ ଗାନ କର, ଆଗୋ ଗର୍ଭବ୍ୟଥାରହିତେ, ତୁମ୍ଭେ ଉଚ୍ଚ- ସ୍ଵରରେ ଗାନ କରି ଆନନ୍ଦଧ୍ଵନି କର, କାରଣ ସଦାପ୍ରଭୁ କହନ୍ତି, ବିବାହିତା ଭାର୍ଯ୍ୟାର ସନ୍ତାନ ଅପେକ୍ଷା ଅନାଥାର ସନ୍ତାନ ଅଧିକ।
2ତୁମ୍ଭେ ଆପଣା ତମ୍ଵୁର ସ୍ଥାନ ବଢ଼ାଅ ଓ ସେମାନେ ତୁମ୍ଭ ବାସସ୍ଥାନର ଯବନିକାସବୁ ବିସ୍ତାର କରନ୍ତୁ; ବ୍ୟୟର ଆଶଙ୍କା କର ନାହିଁ; ତୁମ୍ଭର ଦଉଡ଼ିସବୁ ଲମ୍ଵାଇ ଦିଅ ଓ କିଳାସବୁ ଦୃଢ଼ କର।
3କାରଣ ତୁମ୍ଭେ ଦକ୍ଷିଣ ଓ ବାମରେ ବ୍ୟାପି ଯିବ ଓ ତୁମ୍ଭର ବଂଶ ଅନ୍ୟ ଦେଶୀୟମାନଙ୍କୁ ଅଧିକାର କରିବେ ଓ ନରଶୂନ୍ୟ ନଗରସମୂହକୁ ବସତି-ସ୍ଥାନ କରାଇବେ।
4ଭୟ କର ନାହିଁ କାରଣ ତୁମ୍ଭେ ଲଜ୍ଜିତ ହେବ ନାହିଁ। କିଅବା ବିଷର୍ଣ୍ଣମନା ହୁଅ ନାହିଁ; କାରଣ ତୁମ୍ଭକୁ ଲଜ୍ଜିତ କରାଯିବ ନାହିଁ; ତୁମ୍ଭେ ଆପଣା ଯୌବନ କାଳର ଲଜ୍ଜା ପାସୋରି ଯିବ ଓ ତୁମ୍ଭେ ଆପଣା ବିଧବାବସ୍ଥାର ଦୁର୍ନାମ ଆଉ ସ୍ମରଣ କରିବ ନାହିଁ।
5କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମ୍ଭର ସ୍ଵାମୀ ଅଟନ୍ତି; ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ ଓ ଇସ୍ରାଏଲର ଧର୍ମସ୍ଵରୂପ ତୁମ୍ଭର ମୁକ୍ତିଦାତା; ସେ ସମୁଦାୟ ପୃଥିବୀର ପରମେଶ୍ଵର ବୋଲି ବିଖ୍ୟାତ ହେବେ।
6କାରଣ ତୁମ୍ଭ ପରମେଶ୍ଵର କହନ୍ତି, ତ୍ୟକ୍ତା ଓ ମନୋଦୁଃଖିନୀ ଭାର୍ଯ୍ୟା ଅଥବା ଯୌବନକାଳୀନ ଦୂରୀକୃତା ଭାର୍ଯ୍ୟା ତୁଲ୍ୟ ସଦାପ୍ରଭୁ ତୁମ୍ଭକୁ ଆହ୍ଵାନ କରିଅଛନ୍ତି।
7ଆମ୍ଭେ ଅଳ୍ପ କ୍ଷଣ ନିମନ୍ତେ ତୁମ୍ଭକୁ ତ୍ୟାଗ କରିଅଛୁ; ମାତ୍ର ମହାକରୁଣାରେ ତୁମ୍ଭକୁ ସଂଗ୍ରହ କରିବା।
8ଅତିଶୟ କୋପରେ ଆମ୍ଭେ ଏକ ନିମିଷମାତ୍ର ଆପଣା ମୁଖ ତୁମ୍ଭଠାରୁ ଲୁଚାଇଲୁ; ମାତ୍ର ଅନନ୍ତ- କାଳସ୍ଥାୟୀ ଦୟାରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିବା, ଏହା ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ କହନ୍ତି।
9କାରଣ ଏହା ଆମ୍ଭ ପ୍ରତି ନୋହ ସମୟର ଜଳ ତୁଲ୍ୟ ଅଟେନ୍ତ ନୋହ ସମୟର ଜଳ ଆଉ ପୃଥିବୀକି ପ୍ଳାବିତ କରିବ ନାହିଁ ବୋଲି ଆମ୍ଭେ ଯେପରି ଶପଥ କରିଅଛୁ, ସେପରି ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ, ଅବା ତୁମ୍ଭକୁ ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।
10ଯେହେତୁ ତୁମ୍ଭ ପ୍ରତି କରୁଣା କରିଅଛନ୍ତି ଯେଉଁ ସଦାପ୍ରଭୁ, ସେ କହନ୍ତି, ପର୍ବତଗଣ ବିଚଳିତ ହୋଇ ଘୁଞ୍ଚିଯିବେ ଓ ଉପପର୍ବତଗଣ ଟଳିବେ; ମାତ୍ର ଆମ୍ଭର ଦୟା ତୁମ୍ଭଠାରୁ ବିଚଳିତ ହେବ ନାହିଁ, ଅଥବା ଆମ୍ଭ ଶାନ୍ତିର ନିୟମ ଟଳିବ ନାହିଁ।
11ଆଗୋ ଦୁଃଖିନୀ, ତୋଫାନରେ ବିଚଳିତେ ଓ ସାନ୍ତ୍ଵନାବିହୀନେ, ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣି ଦ୍ଵାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।
12ଆମ୍ଭେ ପଦ୍ମରାଗ ମଣିରେ ତୁମ୍ଭର ଚୂଡ଼ା ଓ ସୂର୍ଯ୍ୟକା; ମଣିରେ ତୁମ୍ଭ ନଗରର ଦ୍ଵାରସକଳ ଓ ମନୋହର ପ୍ରସ୍ତରରେ ତୁମ୍ଭର ସମସ୍ତ ସୀମା ନିର୍ମାଣ କରିବା।
13ତୁମ୍ଭର ସନ୍ତାନଗଣ ସମସ୍ତେ ସଦାପ୍ରଭୁଙ୍କ ଦ୍ଵାରା ଶିକ୍ଷିତ ହେବେ ଓ ତୁମ୍ଭ ସନ୍ତାନଗଣର ମହାଶାନ୍ତି ହେବ।
14ତୁମ୍ଭେ ଧାର୍ମିକତାରେ ସ୍ଥିରୀକୃତ ହେବ; ତୁମ୍ଭେ ଉପଦ୍ରବଠାରୁ ଦୂରରେ ରହିବ, କାରଣ ତୁମ୍ଭେ ଭୀତ ନୋହିବ; ପୁଣି ତ୍ରାସଠାରୁ ଦୂରରେ ରହିବ, କାରଣ ତାହା ତୁମ୍ଭ ନିକଟକୁ ଆସିବ ନାହିଁ।
15ଦେଖ, ଲୋକମାନେ ଏକମେଳ ହୋଇ ପାରନ୍ତି, ମାତ୍ର ଆମ୍ଭ ଦ୍ଵାରା ନୁହେଁ; ଯେକେହି ତୁମ୍ଭ ବିପକ୍ଷରେ ଏକମେଳ ହୁଏ, ସେ ତୁମ୍ଭ ହେତୁ ପତିତ ହେବ।
16ଦେଖ, ଯେଉଁ ଲୌହକାର କୋଇଲାକୁ ଅଗ୍ନି ଦେଇ ତାହେ ଓ ଆପଣା କାର୍ଯ୍ୟ ନିମନ୍ତେ ଅସ୍ତ୍ର ନିର୍ମାଣ କରେ, ଆମ୍ଭେ ତାହାର ସୃଷ୍ଟି କରିଅଛୁ ଓ ବିନାଶ-କରଣାର୍ଥେ ବିନାଶକକୁ ହିଁ ଆମ୍ଭେ ସୃଷ୍ଟି କରିଅଛୁ।
17ଯେକୌଣସି ଅସ୍ତ୍ର ତୁମ୍ଭ ପ୍ରତିକୂଳରେ ନିର୍ମିତ ହୁଏ, ତାହା ସାର୍ଥକ ହେବ ନାହିଁ ଓ ଯେ ପ୍ରତ୍ୟେକ ଜିହ୍ଵା ବିଚାରରେ ତୁମ୍ଭ ବିରୁଦ୍ଧରେ ଉଠେ, ତୁମ୍ଭେ ତାହାକୁ ଦୋଷୀ କରିବ। ସଦାପ୍ରଭୁଙ୍କ ଦାସମାନଙ୍କର ଅଧିକାର ଓ ଆମ୍ଭ ଦତ୍ତ ସେମାନଙ୍କର ଧାର୍ମିକତା ଏହି, ଏହା ସଦାପ୍ରଭୁ କହନ୍ତି।
Currently Selected:
ଯିଶାଇୟ 54: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.