Bible App logo
Search Icon

ଯିଶାଇୟ 52

52
ଯିରୂଶାଲମକୁ ପରମେଶ୍ଵରଙ୍କ ଉଦ୍ଧାର
1ହେ ସିୟୋନ, ଜାଗ, ଜାଗ, ଆପଣା ବଳ ପରିଧାନ କର; ହେ ପବିତ୍ର ନଗରୀ ଯିରୂଶାଲମ, ତୁମ୍ଭେ ଆପଣା ସୁନ୍ଦର ବସ୍ତ୍ରସବୁ ପିନ୍ଧ; କାରଣ ଏହି ସମୟଠାରୁ ତୁମ୍ଭ ମଧ୍ୟକୁ ଅସୁନ୍ନତ ଅବା ଅଶୁଚି ଲୋକ ଆଉ ଆସିବ ନାହିଁ।
2ତୁମ୍ଭେ ଆପଣା ଦେହର ଧୂଳି ଝାଡ଼ି ଦିଅ; ହେ ଯିରୂଶାଲମ, ଉଠ, ଆସନରେ ବସ; ଆଗୋ ସିୟୋନର ବନ୍ଦୀ କନ୍ୟେ, ଆପଣା ଗଳାର ବନ୍ଧନସବୁ ଫିଟାଇ ପକାଅ।
3କାରଣ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ବିନାମୂଲ୍ୟରେ ବିକ୍ରୀତ ହୋଇଥିଲ, ଆଉ ବିନାମୂଲ୍ୟରେ ମୁକ୍ତ କରାଯିବ।
4କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭର ଲୋକମାନେ ପ୍ରଥମରେ ପ୍ରବାସ କରିବା ପାଇଁ ମିସରକୁ ଗଲେ; ପୁଣି, ଅଶୂରୀୟ ଅକାରଣରେ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କଲା।
5ଏହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ଲୋକମାନେ ତ ଅକାରଣରେ ନିଆ ଯାଉଅଛନ୍ତି, ଆମ୍ଭେ ଏଠାରେ ଥାଇ କଅଣ କରୁଅଛୁ? ସଦାପ୍ରଭୁ କହନ୍ତି, ସେମାନଙ୍କ ଉପରେ କର୍ତ୍ତୃତ୍ଵକାରୀମାନେ ଗର୍ଜ୍ଜନ କରୁଅଛନ୍ତି ଓ ଆମ୍ଭର ନାମ ଦିନଯାକ ନିରନ୍ତର ନିନ୍ଦିତ ହେଉଅଛି।
6ଏଥିପାଇଁ ଆମ୍ଭର ଲୋକମାନେ ଆମ୍ଭର ନାମ ଜାଣିବେ; ଏଥିପାଇଁ ଯେ କଥା କହନ୍ତି, ସେ ଯେ ଆମ୍ଭେ ଅଟୁ, ଏହା ସେମାନେ ସେଦିନ ଜାଣିବେ; ଦେଖ, ସେ ଆମ୍ଭେ।
7ଯେଉଁ ଜନ ସୁସମାଚାର ଆଣୁଅଛି, ଯେ ଶାନ୍ତି ପ୍ରଚାର କରୁଅଛି, ଯେ ମଙ୍ଗଳର ସୁସମାଚାର ଆଣୁଅଛି, ଯେ ପରିତ୍ରାଣ ପ୍ରଚାର କରୁଅଛି, ଯେ ସିୟୋନକୁ ତୁମ୍ଭ ପରମେଶ୍ଵର ରାଜ୍ୟ କରନ୍ତି ବୋଲି କହୁଅଛି, ତାହାର ଚରଣ ପର୍ବତଗଣର ଉପରେ କିପରି ଶୋଭା ପାଏ !
8ହେଇ, ତୁମ୍ଭ ପ୍ରହରୀଗଣର ରବ ! ସେମାନେ ଉଚ୍ଚ ରବ କରୁଅଛନ୍ତି, ସେମାନେ ଏକତ୍ର ଗାନ କରୁଅଛନ୍ତି; କାରଣ ସଦାପ୍ରଭୁ ସିୟୋନକୁ ଫେରି ଆସିବା ବେଳେ ସେମାନେ ସମ୍ମୁଖାସମ୍ମୁଖୀ ହୋଇ ଦେଖିବେ।
9ହେ ଯିରୂଶାଲମର ଉତ୍ସନ୍ନ ସ୍ଥାନସକଳ, ଉଚ୍ଚ ଆନନ୍ଦଧ୍ଵନି କର, ଏକତ୍ର ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ଵନା କରିଅଛନ୍ତି, ସେ ଯିରୂଶାଲମକୁ ମୁକ୍ତ କରିଅଛନ୍ତି।
10ସଦାପ୍ରଭୁ ସର୍ବଦେଶୀୟମାନଙ୍କ ଦୃଷ୍ଟିରେ ଆପଣା ପବିତ୍ର ବାହୁ ଅନାବୃତ କରିଅଛନ୍ତି ଓ ପୃଥିବୀର ଆଦ୍ୟନ୍ତସ୍ଥିତ ସମସ୍ତେ ଆମ୍ଭମାନଙ୍କ ପରମେଶ୍ଵରଙ୍କ ପରିତ୍ରାଣ ଦେଖିବେ।
11ତୁମ୍ଭେମାନେ ପ୍ରସ୍ଥାନ କର, ପ୍ରସ୍ଥାନ କର, ସେହି ସ୍ଥାନରୁ ବାହାରି ଯାଅ, କୌଣସି ଅଶୁଚି ବସ୍ତୁ ଛୁଅଁ ନାହିଁ; ତୁମ୍ଭେମାନେ ତାହାର ମଧ୍ୟରୁ ବାହାରି ଯାଅ; ହେ ସଦାପ୍ରଭୁଙ୍କର ପାତ୍ରବାହକଗଣ, ତୁମ୍ଭେମାନେ ଶୁଚି ହୁଅ।
12କାରଣ ତୁମ୍ଭେମାନେ ତର ତର ହୋଇ ବାହାରି ଯିବ ନାହିଁ, କିଅବା ତୁମ୍ଭେମାନେ ପଳାୟନ କରି ବାହାରି ଯିବ ନାହିଁ କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ ଓ ଇସ୍ରାଏଲର ପରମେଶ୍ଵର ତୁମ୍ଭମାନଙ୍କର ପଶ୍ଚାଦ୍ବର୍ତ୍ତୀ ହେବେ ।
ଦୁଃଖଭୋଗକାରୀ ସଦାପ୍ରଭୁଙ୍କ ଦାସ
13ଦେଖ, ଆମ୍ଭର ଦାସ ସୁବିବେଚନାପୂର୍ବକ ବ୍ୟବହାର କରିବେ, ସେ ଉନ୍ନତ, ଉଚ୍ଚ ପଦପ୍ରାପ୍ତ ଓ ମହାମହିମ ହେବେ।
14ମନୁଷ୍ୟ ଅପେକ୍ଷା ତାହାଙ୍କର ଆକୃତି ଓ ମନୁଷ୍ୟ-ସନ୍ତାନଗଣ ଅପେକ୍ଷା ତାହାଙ୍କର ରୂପ ଅଧିକ ବିକୃତ ହେବାରୁ ଯେପରି ଅନେକେ ତାହାଙ୍କ ବିଷୟରେ ଚମତ୍କୃତ ହୋଇଥିଲେ,
15ସେପରି ସେ ଅନେକ ଦେଶୀୟମାନଙ୍କୁ ଛିଞ୍ଚିବେ; ରାଜାମାନେ ତାହାଙ୍କ ଛାମୁରେ ଆପଣା ଆପଣା ମୁଖ ବନ୍ଦ କରିବେ; କାରଣ ଯାହା ସେମାନଙ୍କୁ କୁହାଯାଇ ନ ଥିଲା, ତାହା ସେମାନେ ଦେଖିବେ ଓ ଯାହା ସେମାନେ ଶୁଣି ନ ଥିଲେ, ତାହା ସେମାନେ ବୁଝିବେ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in