Bible App logo
Search Icon

ଯିଶାଇୟ 41

41
ଇସ୍ରାଏଲକୁ ଈଶ୍ଵରଙ୍କ ଅଭୟ ବାଣୀ
1ହେ ଦ୍ଵୀପଗଣ, ଆମ୍ଭ ସାକ୍ଷାତରେ ନୀରବ ହୁଅ ଓ ଲୋକମାନେ ନୂଆ ନୂଆ ବଳ ପ୍ରାପ୍ତ ହେଉନ୍ତୁ; ସେମାନେ ନିକଟକୁ ଆସନ୍ତୁ; ତେବେ କଥା କୁହନ୍ତୁ; ଆମ୍ଭେମାନେ ଏକତ୍ର ହୋଇ ବିଚାର କରୁ।
2ସେ ଧର୍ମରେ ଯାହାକୁ ଆପଣା ଚରଣ ନିକଟକୁ ଡାକନ୍ତି, ଏପରି ଏକ ଜଣକୁ ପୂର୍ବ ଦିଗରୁ କିଏ ଉତ୍ପନ୍ନ କରିଅଛନ୍ତି? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖରେ ସମର୍ପି ଦିଅନ୍ତି ଓ ରାଜଗଣଙ୍କ ଉପରେ ତାହାକୁ କର୍ତ୍ତୃତ୍ଵ କରାନ୍ତି; ସେ ତାହାର ଖଡ଼୍‍ଗ ସମ୍ମୁଖରେ ସେମାନଙ୍କୁ ଧୂଳି ତୁଲ୍ୟ ଓ ତାହାର ଧନୁକର ଅଗ୍ରରେ ଚାଳିତ କୁଟା ପରି ସମର୍ପି ଦିଅନ୍ତି।
3ସେ ସେମାନଙ୍କର ପଛେ ଗୋଡ଼ାଏ, ଯେଉଁ ପଥରେ ସେ ପଦାର୍ପଣ କରି ନାହିଁ, ସେହି ପଥରେ ହେଁ ସେ ନିରାପଦରେ ଅଗ୍ରସର ହୁଏ।
4ଆଦ୍ୟରୁ ପୁରୁଷକୁ ପୁରୁଷ ଆହ୍ଵାନ କରି କିଏ ଏ କାର୍ଯ୍ୟ ସାଧନ କରିଅଛନ୍ତି? ଆମ୍ଭେ ସଦାପ୍ରଭୁ ଆଦି, ପୁଣି ଶେଷକାଳୀନ ଲୋକମାନଙ୍କର ସଙ୍ଗରେ ହେଁ ଆମ୍ଭେ ସେହି ଅଟୁ ।
5ଦ୍ଵୀପଗଣ ଦେଖି ଭୀତ ହେଲେ; ପୃଥିବୀର ପ୍ରାନ୍ତସକଳ କମ୍ପିତ ହେଲେ; ସେମାନେ ନିକଟବର୍ତ୍ତୀ ହୋଇ ଆସିଲେ।
6ସେମାନେ ପ୍ରତ୍ୟେକେ ଆପଣା ପ୍ରତିବାସୀର ସାହାଯ୍ୟ କଲେ ଓ ସାହସିକ ହୁଅ ବୋଲି ପ୍ରତ୍ୟେକେ ଆପଣା ଭାଇକି କହିଲେ।
7ଏହିରୂପେ ସୂତ୍ରଧର ସ୍ଵର୍ଣ୍ଣକାରକୁ ସାହସ ଦେଲା ଓ ହାତୁଡ଼ିରେ ସମାନ କରିବା ଲୋକ ଯୋଡ଼ କର୍ମ ଉତ୍ତମ ହୋଇଅଛି ବୋଲି କହି, ନେହାଇରେ ପିଟିବା ଲୋକକୁ ଆଶ୍ଵାସ ଦେଲା; ପୁଣି, ପ୍ରତିମାଟି ଯେପରି ଟଳଟଳ ନ ହୁଏ , ଏଥିପାଇଁ ସେ କଣ୍ଟାରେ ତାହା ଦୃଢ଼ କଲା।
8ମାତ୍ର ହେ ଆମ୍ଭର ଦାସ ଇସ୍ରାଏଲ, ଆମ୍ଭର ମନୋନୀତ ଯାକୁବ, ଆମ୍ଭର ବନ୍ଧୁ ଅବ୍ରହାମର ବଂଶ;
9ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ ଓ ପୃଥିବୀର ସୀମାରୁ ତୁମ୍ଭକୁ ଆହ୍ଵାନ କରି କହିଅଛୁ, ତୁମ୍ଭେ ଆମ୍ଭର ଦାସ, ଆମ୍ଭେ ତୁମ୍ଭକୁ ମନୋନୀତ କରିଅଛୁ ଓ ଦୂର କରି ନାହୁଁ;
10ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ଵର; ଆମ୍ଭେ ତୁମ୍ଭକୁ ସବଳ କରିବା; ହଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା; ହଁ, ଆମ୍ଭେ ଆପଣା ଧର୍ମସ୍ଵରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।
11ଦେଖ, ଯେଉଁମାନେ ତୁମ୍ଭ ପ୍ରତି କୁପିତ ଅଛନ୍ତି, ସେସମସ୍ତେ ଲଜ୍ଜିତ ଓ ଘାବରା ହେବେ; ଯେଉଁମାନେ ତୁମ୍ଭ ସଙ୍ଗେ ବିରୋଧ କରନ୍ତି, ସେମାନେ ଅବସ୍ତୁ ତୁଲ୍ୟ ହୋଇ ବିନଷ୍ଟ ହେବେ।
12ଯେଉଁମାନେ ତୁମ୍ଭ ସଙ୍ଗେ ବିରୋଧ କରନ୍ତି, ତୁମ୍ଭେ ସେମାନଙ୍କୁ ଅନ୍ଵେଷଣ କରିବ, ମାତ୍ର ସେମାନଙ୍କର ଉଦ୍ଦେଶ୍ୟ ପାଇବ ନାହିଁ; ଯେଉଁମାନେ ତୁମ୍ଭ ସଙ୍ଗେ ଯୁଦ୍ଧ କରନ୍ତି, ସେମାନେ ଅବସ୍ତୁ ତୁଲ୍ୟ ଓ ଅକିଞ୍ଚନ ହେବେ।
13କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ଵର, ତୁମ୍ଭ ଦକ୍ଷିଣ ହସ୍ତ ଧରି ତୁମ୍ଭକୁ କହିବା, ଭୟ କର ନାହିଁ; ଆମ୍ଭେ ତୁମ୍ଭର ସାହାଯ୍ୟ କରିବା।
14ହେ କୀଟ ସ୍ଵରୂପ ଯାକୁବ ଓ ହେ ଇସ୍ରାଏଲୀୟ ନରଗଣ, ଭୟ କର ନାହିଁ; ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା ଓ ଇସ୍ରାଏଲର ଧର୍ମସ୍ଵରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।
15ଦେଖ, ଆମ୍ଭେ ତୁମ୍ଭକୁ ତୀକ୍ଷ୍ଣ ଛୁରିକାବିଶିଷ୍ଟ ଏକ ନୂତନ ଶସ୍ୟ-ମର୍ଦ୍ଦନ-ଯନ୍ତ୍ର ସ୍ଵରୂପ କରିବା; ତୁମ୍ଭେ ପର୍ବତଗଣକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ ଓ ଉପପର୍ବତଗଣକୁ ଭୂଷି ତୁଲ୍ୟ କରିବ।
16ତୁମ୍ଭେ ସେମାନଙ୍କୁ କୁଲାରେ ଉଡ଼ାଇଲେ, ବାୟୁ ସେମାନଙ୍କୁ ଉଡ଼ାଇ ନେଇ ଯିବ ଓ ଘୂର୍ଣ୍ଣିବାୟୁ ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇବ; ପୁଣି, ତୁମ୍ଭେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କରିବ ଓ ଇସ୍ରାଏଲର ଧର୍ମସ୍ଵରୂପଙ୍କଠାରେ ଦର୍ପ କରିବ।
17ଦରିଦ୍ର ଓ ଦୀନହୀନମାନେ ଜଳ ଅନ୍ଵେଷଣ କରନ୍ତି, ମାତ୍ର ଜଳ ନାହିଁ, ତହିଁରେ ସେମାନଙ୍କ ଜିହ୍ଵା ତୃଷାରେ ଶୁଷ୍କ ହୁଏ; ଆମ୍ଭେ ସଦାପ୍ରଭୁ ସେମାନଙ୍କୁ ଉତ୍ତର ଦେବା, ଆମ୍ଭେ ଇସ୍ରାଏଲର ପରମେଶ୍ଵର ସେମାନଙ୍କୁ ତ୍ୟାଗ କରିବା ନାହିଁ।
18ଆମ୍ଭେ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରେ ନଦନଦୀ କରିବା ଓ ସମସ୍ଥଳୀ ମଧ୍ୟରେ ନିର୍ଝରମାନ ଫିଟାଇବା; ଆମ୍ଭେ ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିକି ଜଳ-ନିର୍ଝର କରିବା।
19ଆମ୍ଭେ ପ୍ରାନ୍ତରରେ ଏରସ, ବବୁର୍ ଓ ମେହେନ୍ଦି ଓ ତୈଳବୃକ୍ଷ ରୋପଣ କରିବା; ଆମ୍ଭେ ମରୁଭୂମିରେ ଦେବଦାରୁ, ତିଧର ଓ ତାଶୂର ବୃକ୍ଷ ଏକତ୍ର ଲଗାଇବା;
20ତହିଁରେ ସଦାପ୍ରଭୁଙ୍କ ହସ୍ତ ଏହି କାର୍ଯ୍ୟ କରିଅଛି ଓ ଇସ୍ରାଏଲର ଧର୍ମସ୍ଵରୂପ ଏହା ସୃଷ୍ଟି କରିଅଛନ୍ତି ବୋଲି ଲୋକମାନେ ଏକତ୍ର ଦେଖିବେ ଓ ବିବେଚନା କରି ବୁଝିବେ।
ମିଥ୍ୟା ଦେବଦେବୀମାନଙ୍କୁ ସଦାପ୍ରଭୁଙ୍କର ଆହ୍ଵାନ
21ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆପଣାମାନଙ୍କ ବିବାଦ ଉପସ୍ଥିତ କର; ଯାକୁବର ରାଜା କହନ୍ତି, ତୁମ୍ଭେମାନେ ଆପଣାମାନଙ୍କର ଦୃଢ଼ ପ୍ରମାଣସବୁ ବାହାର କର।
22ସେମାନେ ତାହାସବୁ ବାହାର କରି ଯାହା ଯାହା ଘଟିବ, ତାହା ଆମ୍ଭମାନଙ୍କ ନିକଟରେ ପ୍ରକାଶ କରନ୍ତୁନ୍ତ ଆଦ୍ୟର ବିଷୟମାନ କଅଣ, ତାହା ତୁମ୍ଭେମାନେ ପ୍ରକାଶ କର, ତାହା କଲେ, ଆମ୍ଭେମାନେ ବିବେଚନା କରି ତହିଁର ଶେଷ ଫଳ ଜାଣି ପାରିବା; ନୋହିଲେ ଆଗାମୀ ଘଟଣା ଆମ୍ଭମାନଙ୍କୁ ଦେଖାଅ।
23ଏଥି ଉତ୍ତାରେ ଯାହା ଯାହା ଘଟିବ, ତାହା ପ୍ରକାଶ କର, ତହିଁରେ ତୁମ୍ଭେମାନେ ଯେ ଈଶ୍ଵରଗଣ, ଏହା ଆମ୍ଭେମାନେ ଜାଣିବା; ହଁ, ମଙ୍ଗଳ କର, ଅବା ଅମଙ୍ଗଳ କର, ତହିଁରେ ଆମ୍ଭେମାନେ ନିରାଶ ହୋଇ ଏକତ୍ର ତାହା ଦେଖିବା।
24ଦେଖ, ତୁମ୍ଭେମାନେ ଅକିଞ୍ଚିତ ଓ ତୁମ୍ଭମାନଙ୍କର କାର୍ଯ୍ୟ କିଛି ହିଁ ନୁହେଁନ୍ତ ଯେଉଁ ଲୋକ ତୁମ୍ଭମାନଙ୍କୁ ମନୋନୀତ କରେ, ସେ ଘୃଣାସ୍ପଦ।
25ଆମ୍ଭେ ଉତ୍ତର ଦିଗରୁ ଏକ ଜଣକୁ ଉତ୍ପନ୍ନ କରିଅଛୁ ଓ ସେ ଉପସ୍ଥିତ; ସେ ସୂର୍ଯ୍ୟୋଦୟ ଦିଗରୁ ଆମ୍ଭ ନାମ ଆହ୍ଵାନ କରେ; ସେ ଗାନ୍ଥନୀର ମଶଲା ଓ କୁମ୍ଭକାରର ମର୍ଦ୍ଦିତ ମୃତ୍ତିକା ପରି ଦେଶାଧ୍ୟକ୍ଷମାନଙ୍କୁ ଦଳିତ କରିବ।
26ଆମ୍ଭେମାନେ ଯେପରି ଜାଣି ପାରିବା, ଏଥିପାଇଁ ଆଦ୍ୟରୁ କିଏ ଏହା ପ୍ରକାଶ କରିଅଛି? ପୁଣି, ସେ ଧାର୍ମିକ ବୋଲି ଯେପରି ଆମ୍ଭେମାନେ କହି ପାରିବା, ଏଥିପାଇଁ ପୂର୍ବରୁ କିଏ ଏହା ପ୍ରକାଶ କରିଅଛି? ହଁ, ପ୍ରକାଶକାରୀ କେହି ନାହିଁ, ହଁ, ଦେଖାଇବା ଲୋକ କେହି ନାହିଁ, ହଁ, ତୁମ୍ଭମାନଙ୍କ କଥା ଶୁଣିବା ଲୋକ କେହି ନାହିଁ।
27ଆମ୍ଭେ ପ୍ରଥମେ ସିୟୋନକୁ କହିବା, ଦେଖ, ସେମାନଙ୍କୁ ଦେଖ, ପୁଣି ଆମ୍ଭେ ଯିରୂଶାଲମକୁ ସୁସମାଚାର ଆଣିବାର ଏକ ଲୋକ ଦେବା।
28ଆମ୍ଭେ ଅନାଇଲା ବେଳେ କେହି ନାହିଁ; ଆମ୍ଭେ ପଚାରିଲା ବେଳେ ଯେ ପଦେ ଉତ୍ତର ଦେଇ ପାରେ, ସେମାନଙ୍କ ମଧ୍ୟରେ ଏପରି ମନ୍ତ୍ରଣାଦାତା ସୁଦ୍ଧା କେହି ନାହିଁ।
29ଦେଖ, ସେସମସ୍ତେ, ସେମାନଙ୍କର କର୍ମସବୁ ଅସାର ଓ ଅବସ୍ତୁ ମାତ୍ର; ସେମାନଙ୍କର ଛାଞ୍ଚରେ ଢଳା ପ୍ରତିମାଗଣ ବାୟୁ ଓ ଶୂନ୍ୟ ମାତ୍ର।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in