YouVersion Logo
Search Icon

ଆଦି ପୁସ୍ତକ 46

46
ସପରିବାରେ ଯାକୁବଙ୍କ ମିସର ଯାତ୍ରା
1ଅନନ୍ତର ଇସ୍ରାଏଲ ଆପଣା ସର୍ବସ୍ଵ ଘେନି ଯାତ୍ରା କଲେ, ପୁଣି ବେରଶେବାରେ ଉତ୍ତରି ସେଠାରେ ଆପଣା ପିତା ଇସ୍‍ହାକଙ୍କର ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ।
2ତହିଁରେ ପରମେଶ୍ଵର ଇସ୍ରାଏଲଙ୍କୁ ରାତିରେ ଦର୍ଶନ ଦେଇ କହିଲେ, ହେ ଯାକୁବ, ହେ ଯାକୁବ। ତହିଁରେ ସେ ଉତ୍ତର କଲେ, ଦେଖନ୍ତୁ, ମୁଁ ଉପସ୍ଥିତ ଅଛି।
3ସେତେବେଳେ ସେ କହିଲେ, ଆମ୍ଭେ ପରମେଶ୍ଵର, ତୁମ୍ଭ ପିତାର ପରମେଶ୍ଵର; ତୁମ୍ଭେ ମିସରକୁ ଯିବା ପାଇଁ ଭୟ କର ନାହିଁ; ଯେହେତୁ ଆମ୍ଭେ ସେଠାରେ ତୁମ୍ଭକୁ ଏକ ବୃହତ ଗୋଷ୍ଠୀ କରିବା।
4ଆମ୍ଭେ ତୁମ୍ଭ ସଙ୍ଗରେ ମିସର ଦେଶକୁ ଯିବା; ପୁଣି ଆମ୍ଭେ ମଧ୍ୟ ସେଠାରୁ ତୁମ୍ଭକୁ ନିଶ୍ଚୟ ବାହୁଡ଼ାଇ ଆଣିବା, ପୁଣି ଯୋଷେଫ ନିଜ ହସ୍ତରେ ତୁମ୍ଭର ଚକ୍ଷୁ ମୁଦ୍ରିତ କରିବ।
5ଅନନ୍ତର ଯାକୁବ ବେରଶେବାଠାରୁ ଯାତ୍ରା କଲେ; ପୁଣି ତାଙ୍କୁ ବହିବା ନିମନ୍ତେ ଫାରୋ ଯେଉଁ ଶକଟ ପଠାଇଥିଲେ, ତହିଁରେ ଇସ୍ରାଏଲର ପୁତ୍ରଗଣ ଆପଣାମାନଙ୍କ ପିତା ଯାକୁବଙ୍କୁ ଓ ବାଳକମାନଙ୍କୁ ଓ ଭାର୍ଯ୍ୟାମାନଙ୍କୁ ନେଇ ଗଲେ।
6ଏଉତ୍ତାରେ ସେମାନେ, ଅର୍ଥାତ୍, ଯାକୁବ ଓ ତାଙ୍କ ସମସ୍ତ ବଂଶ, ଆପଣାମାନଙ୍କ ପଶୁଗଣ ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ମିସର ଦେଶରେ ଉତ୍ତରିଲେ।
7ଏହି ପ୍ରକାରେ ଯାକୁବ ଆପଣା ପୁତ୍ର ପୌତ୍ର ଓ ପୁତ୍ରୀ ଓ ପୌତ୍ରୀ ସମସ୍ତ ପରିବାର ନେଇ ମିସର ଦେଶକୁ ଗଲେ।
8ମିସର ଦେଶକୁ ଆଗତ ଇସ୍ରାଏଲ ବଂଶ, ଅର୍ଥାତ୍, ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ। ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍।
9ରୁବେନର ପୁତ୍ର ହନୋକ୍ ଓ ପଲ୍ଲୁ ଓ ହିଷ୍ରୋନ୍ ଓ କର୍ମି।
10ଶିମୀୟୋନର ପୁତ୍ର ଯିମୁଏଲ ଓ ଯାମୀନ୍ ଓ ଓହଦ୍ ଓ ଯାଖୀନ୍ ଓ ସୋହର ଓ ତାହାର କିଣାନୀୟା ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ।
11ଲେବୀର ପୁତ୍ର ଗେର୍ଶୋନ୍ ଓ କହାତ୍ ଓ ମରାରି।
12ଯିହୁଦାର ପୁତ୍ର ଏର୍ ଓ ଓଜନ ଓ ଶେଲା ଓ ପେରସ୍ ଓ ସେରହ; ମାତ୍ର ଏର୍ ଓ ଓନନ୍ କିଣାନ ଦେଶରେ ମରିଥିଲେ। ପେରସ୍ର ପୁତ୍ର ହିଷ୍ରୋନ୍ ଓ ହାମୂଲ।
13ଇଷାଖରର ସନ୍ତାନ ତୋଲୟ ଓ ପୂୟ ଓ ଯୋବ ଓ ଶିମ୍ରୋନ୍।
14ସବୂଲୂନର ପୁତ୍ର ସେରଦ ଓ ଏଲୋନ୍ ଓ ଯହଲେଲ।
15ଏମାନେ ଓ କନ୍ୟା ଦୀଣା ପଦ୍ଦନ ଅରାମରେ ଯାକୁବଙ୍କଠାରୁ ଜାତ ଲେୟାର ସନ୍ତାନ। ଏମାନେ ପୁତ୍ର କନ୍ୟାରେ ତେତିଶ ପ୍ରାଣୀ ଥିଲେ।
16ଗାଦର ପୁତ୍ର ସିଫୋନ୍ ଓ ହଗି ଓ ଶୂନୀ ଓ ଇଷବୋନ୍ ଓ ଏରି ଓ ଅରୋଦୀ ଓ ଅରେଲୀ।
17ଆଶେରର ପୁତ୍ର ଯିମ୍ନା ଓ ଯିଶ୍ବା ଓ ଯିଶ୍ବି ଓ ବରୀୟ ଓ ସେମାନଙ୍କ ଭଗିନୀ ସେରହ। ପୁଣି ବରୀୟର ପୁତ୍ର ହେବର ଓ ମଲ୍‍କୀୟେଲ।
18ଲାବନ ଆପଣା କନ୍ୟା ଲେୟାକୁ ସିଳ୍ପା ନାମ୍ନୀ ଯେଉଁ (ଦାସୀ) ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା। ଏମାନେ ଷୋଳ ପ୍ରାଣୀ।
19ପୁଣି ଯାକୁବଙ୍କ ଭାର୍ଯ୍ୟା ରାହେଲର ପୁତ୍ର ଯୋଷେଫ ଓ ବିନ୍ୟାମିନ।
20ଯୋଷେଫଙ୍କର ପୁତ୍ର ମନଃଶି ଓ ଇଫ୍ରୟିମ ମିସର ଦେଶରେ ଜନ୍ମିଥିଲେ; ଓନ୍ ନଗରସ୍ଥ ପୋଟୀଫେର ଯାଜକର ଆସନତ୍ ନାମ୍ନୀ କନ୍ୟା ସେମାନଙ୍କୁ ପ୍ରସବ କରିଥିଲା।
21ପୁଣି ବିନ୍ୟାମିନର ସନ୍ତାନ ବେଲା ଓ ବେଖର ଓ ଅସ୍ବେଲ ଓ ଗେରା ଓ ନାମନ ଓ ଏହୀ ଓ ରୋଶ ଓ ମୁପ୍‍ପୀମ ଓ ହୁପ୍‍ପୀମ ଓ ଅର୍ଦ।
22ଏହି ଚୌଦ ପ୍ରାଣୀ ଯାକୁବଙ୍କଠାରୁ ଜାତ ରାହେଲର ସନ୍ତାନ।
23ଆଉ ଦାନର ପୁତ୍ର ହୁଶୀମ।
24ନପ୍ତାଲିର ପୁତ୍ର ଯହସିୟେଲ ଓ ଗୁନି ଓ ୟେତ୍ସର ଓ ଶିଲେମ।
25ଲାବନ ଆପଣା କନ୍ୟା ରାହେଲକୁ ବିଲ୍ହା ନାମ୍ନୀ ଯେଉଁ (ଦାସୀ) ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା; ଏମାନେ ସର୍ବସୁଦ୍ଧା ସାତ ପ୍ରାଣୀ।
26ଯାକୁବଙ୍କ କଟିରୁ ଉତ୍ପନ୍ନ ଯେଉଁ ପ୍ରାଣୀଗଣ ତାଙ୍କ ସଙ୍ଗରେ ମିସରରେ ଉପସ୍ଥିତ ହେଲେ, ଯାକୁବଙ୍କ ପୁତ୍ରବଧୂମାନଙ୍କ ଛଡ଼ା ସେମାନେ ସର୍ବସୁଦ୍ଧା ଛଅଷଠି ପ୍ରାଣୀ ଥିଲେ।
27ମିସରରେ ଯୋଷେଫଙ୍କର ଯେଉଁ ପୁତ୍ର ଜାତ ହୋଇ ଥିଲେ, ସେମାନେ ଦୁଇ ପ୍ରାଣୀ। ମିସରକୁ ଆଗତ ଯାକୁବଙ୍କର ପରିଜନ ସର୍ବସୁଦ୍ଧା ସତୁରି ଜଣ ଥିଲେ।
ଯାକୁବ ଓ ଯୋଷେଫଙ୍କ ପୁନର୍ମିଳନ
28ଅନନ୍ତର ଯୋଷେଫ ଗୋଶନ ପ୍ରଦେଶକୁ ଯିବାର ପଥ ଯେପରି ଦେଖାଇବେ, ଏଥିପାଇଁ ଯାକୁବ ଆପଣା ଆଗେ ଯିହୁଦାକୁ ତାଙ୍କ ନିକଟକୁ ପଠାଇଲେ; ଏଉତ୍ତାରେ ସେମାନେ ଗୋଶନ ପ୍ରଦେଶରେ ଉତ୍ତରିଲେ।
29ତହୁଁ ଯୋଷେଫ ଆପଣା ପିତା ଇସ୍ରାଏଲଙ୍କ ସଙ୍ଗେ ସାକ୍ଷାତ୍ କରିବା ପାଇଁ ରଥ ସଜାଇ ଗୋଶନ ପ୍ରଦେଶକୁ ଗମନ କଲେ; ପୁଣି ତାଙ୍କୁ ଦେଖା ଦେଇ ତାଙ୍କ ଗଳା ଧରି ବହୁତ ବେଳ ଯାଏ ରୋଦନ କଲେ।
30ସେତେବେଳେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, ଏବେ ମୋହର ମରଣ ହେଉ, ମୁଁ ତୁମ୍ଭ ମୁଖ ଦେଖିଲି, ତୁମ୍ଭେ ତ ଆଜିଯାଏ ବଞ୍ଚିଅଛ।
31ଅନନ୍ତର ଯୋଷେଫ ଆପଣା ଭାଇମାନଙ୍କୁ ଓ ପିତୃପରିବାରକୁ କହିଲେ, ମୁଁ ଯାଇ ଫାରୋଙ୍କୁ ସମ୍ଵାଦ ଦେଇ କହିବି, କିଣାନ ଦେଶରୁ ମୋହର ଭ୍ରାତୃଗଣ ଓ ପିତୃପରିବାର ମୋʼ ନିକଟକୁ ଆସିଅଛନ୍ତି।
32ସେମାନେ ପଶୁପାଳକ ଓ ପଶୁ ବ୍ୟବସାୟୀ, ଏଣୁ ସେମାନେ ଆପଣାମାନଙ୍କ ଗୋମେଷାଦି ପଲ ପ୍ରଭୃତି ସର୍ବସ୍ଵ ଆଣିଅଛନ୍ତି।
33ତହିଁରେ ଫାରୋ ତୁମ୍ଭମାନଙ୍କୁ ଡକାଇ ତୁମ୍ଭମାନଙ୍କର କେଉଁ ବ୍ୟବସାୟ? ଏ କଥା ଯେତେବେଳେ ପଚାରିବେ,
34ସେତେବେଳେ ତୁମ୍ଭେମାନେ କହିବ, ଆପଣଙ୍କର ଏହି ଦାସମାନେ ବାଲ୍ୟାବଧି ଏପର୍ଯ୍ୟନ୍ତ ପୂର୍ବପୁରୁଷାନୁକ୍ରମେ ପଶୁବ୍ୟବସାୟୀ; ତହିଁରେ ତୁମ୍ଭେମାନେ ଗୋଶନ ପ୍ରଦେଶରେ ବାସ କରି ପାରିବ; କାରଣ ପଶୁପାଳକମାନେ ମିସ୍ରୀୟମାନଙ୍କ ନିକଟରେ ଘୃଣାସ୍ପଦ ଅଟନ୍ତି।

Highlight

Share

Copy

None

Want to have your highlights saved across all your devices? Sign up or sign in