ଗାଲାତୀୟ 3
3
ବିଶ୍ଵାସ ଅବା ବ୍ୟବସ୍ଥା ପାଳନ ଦ୍ଵାରା ଧାର୍ମିକତା
1ହେ ନିର୍ବୋଧ ଗାଲାତୀୟମାନେ, କିଏ ତୁମ୍ଭମାନଙ୍କୁ ମୋହିତ କଲାଣ? ତୁମ୍ଭମାନଙ୍କ ଚକ୍ଷୁ ସମ୍ମୁଖରେ ତ କ୍ରୁଶରେ ହତ ଯୀଶୁ ଖ୍ରୀଷ୍ଟଙ୍କ ଚିତ୍ର ଅଙ୍କିତ ହୋଇଥିଲା।
2ମୁଁ ତୁମ୍ଭମାନଙ୍କଠାରୁ କେବଳ ଏହା ଜାଣିବାକୁ ଇଚ୍ଛା କରେ, ତୁମ୍ଭେମାନେ କଅଣ ବ୍ୟବସ୍ଥାର କ୍ରିୟାକର୍ମ ହେତୁ ନା ବିଶ୍ଵାସରେ ଶୁଣିବା ହେତୁ ଆତ୍ମା ପାଇଥିଲ?
3ତୁମ୍ଭେମାନେ କଅଣ ଏପରି ନିର୍ବୋଧ? ଆତ୍ମାରେ ଆରମ୍ଭ କରି ତୁମ୍ଭେମାନେ କି ଏବେ ଶରୀରରେ ସିଦ୍ଧ ହେବାକୁ ଯାଉଅଛ?
4ତୁମ୍ଭେମାନେ କି ବ୍ୟର୍ଥରେ ଏତେ କ୍ଳେଶ ଭୋଗ କରିଅଛ? ତାହା କଅଣ ପ୍ରକୃତରେ ବୃଥା?
5ଅତଏବ, ଯେ ତୁମ୍ଭମାନଙ୍କୁ ଆତ୍ମା ଦାନ କରନ୍ତି, ଆଉ ତୁମ୍ଭମାନଙ୍କ ମଧ୍ୟରେ ଶକ୍ତିର କାର୍ଯ୍ୟ ସାଧନ କରନ୍ତି, ସେ କି ବ୍ୟବସ୍ଥାର କ୍ରିୟାକର୍ମ ହେତୁ ତାହା କରନ୍ତି ନା ବିଶ୍ଵାସରେ ଶୁଣିବା ହେତୁ କରନ୍ତି?
6ଯେପରି ଅବ୍ରହାମ ଈଶ୍ଵରଙ୍କୁ ବିଶ୍ଵାସ କଲେ, ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା।
7ଅତଏବ ଯେଉଁମାନେ ବିଶ୍ଵାସୀ, ସେମାନେ ଅବ୍ରହାମଙ୍କର ସନ୍ତାନ।
8ଆଉ ଈଶ୍ଵର ବିଜାତିମାନଙ୍କୁ ବିଶ୍ଵାସ ହେତୁ ଧାର୍ମିକ ଗଣନା କରିବେ, ଏହା ଧର୍ମଶାସ୍ତ୍ର ପୂର୍ବରୁ ଦେଖି ଅବ୍ରହାମଙ୍କ ନିକଟରେ ସୁସମାଚାର ପ୍ରଚାର କରି କହିଲା,‘‘ତୁମ୍ଭ ଦେଇ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ”।
9ଏଣୁ ଯେଉଁମାନେ ବିଶ୍ଵାସୀ, ସେମାନେ ବିଶ୍ଵାସୀ ଅବ୍ରହାମଙ୍କ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।
ଧାର୍ମିକ ବିଶ୍ଵାସ ଦ୍ଵାରା ବଞ୍ଚିବ
10କାରଣ ଯେତେ ଲୋକ ବ୍ୟବସ୍ଥାର କ୍ରିୟାକର୍ମ କରନ୍ତି, ସେମାନେ ଶାପଗ୍ରସ୍ତ, ଯେଣୁ ଲେଖା ଅଛି, “ଯେକେହି ବ୍ୟବସ୍ଥା ପୁସ୍ତକରେ ଲିଖିତ ସମସ୍ତ କଥା ପାଳନ କରିବା ପାଇଁ ସେଥିରେ ନିତ୍ୟ ପ୍ରବୃତ୍ତ ନ ହୁଏ, ସେ ଶାପଗ୍ରସ୍ତ।”
11ବ୍ୟବସ୍ଥା ଦ୍ଵାରା କେହି ଯେ ଈଶ୍ଵରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହୁଏ ନାହିଁ, ଏହା ତ ସ୍ପଷ୍ଟ, “କାରଣ ଧାର୍ମିକ ବିଶ୍ଵାସ ଦ୍ଵାରା ବଞ୍ଚିବ।”
12ଆଉ ବିଶ୍ଵାସ ବ୍ୟବସ୍ଥାର ମୂଳ ବିଷୟ ନୁହେଁ; ବ୍ୟବସ୍ଥାର ମୂଳ ବିଷୟ ଏହି, ଯେ ଏହିସବୁ ପାଳନ କରେ, ସେ ସେଥିରେ ବଞ୍ଚିବ।
13ଯୀଶୁ ଖ୍ରୀଷ୍ଟଙ୍କ ହେତୁ ଅବ୍ରହାମଙ୍କର ଆଶୀର୍ବାଦ ଯେପରି ବିଜାତିମାନଙ୍କ ପ୍ରତି ବର୍ତ୍ତେ, ପୁଣି ଆମ୍ଭେମାନେ ଯେପରି ବିଶ୍ଵାସ ହେତୁ ପ୍ରତିଜ୍ଞାତ ଆତ୍ମା ପ୍ରାପ୍ତ ହେଉ,
14ଏଥିପାଇଁ ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ବ୍ୟବସ୍ଥାର ଅଭିଶାପରୁ ଆମ୍ଭମାନଙ୍କୁ ମୂଲ୍ୟ ଦେଇ ମୁକ୍ତ କଲେ; କାରଣ ଲେଖା ଅଛି, ଯେକେହି ଖୁଣ୍ଟରେ ଟଙ୍ଗାଯାଏ, ସେ ଅଭିଶପ୍ତ।
ବ୍ୟବସ୍ଥା ଏବଂ ପ୍ରତିଜ୍ଞା
15ହେ ଭାଇମାନେ, ମୁଁ ମନୁଷ୍ୟ ଭାବରେ କହୁଅଛି; ଇଚ୍ଛାପତ୍ର ମନୁଷ୍ୟ ଦ୍ଵାରା କରାଗଲେ ସୁଦ୍ଧା ଯେତେବେଳେ ତାହା ସ୍ଥିରୀକୃତ ହୁଏ, ସେତେବେଳେ କେହି ତାହା ଅନ୍ୟଥା କରି ପାରେ ନାହିଁ ବା ସେଥିରେ କିଛି ଯୋଗ କରି ପାରେ ନାହିଁ।
16ଅବ୍ରହାମ ଓ ତାହାଙ୍କ ସନ୍ତାନ ପ୍ରତି ପ୍ରତିଜ୍ଞାସମୂହ ଉକ୍ତ ହୋଇଥିଲା। ଅନେକଙ୍କୁ ଲକ୍ଷ୍ୟ କରି ସନ୍ତାନମାନଙ୍କୁ ବୋଲି କୁହାଯାଏ ନାହିଁ, କିନ୍ତୁ ଜଣଙ୍କୁ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ତୁମ୍ଭର ସନ୍ତାନକୁ ବୋଲି କୁହାଯାଏ।
17ମୋହର ଭାବ ଏହି, ଯେଉଁ ନିୟମ ଈଶ୍ଵରଙ୍କ କର୍ତ୍ତୃକ ପୂର୍ବରୁ ସ୍ଥିରୀକୃତ ହୋଇଥିଲା, ଚାରି ଶହ ତିରିଶ ବର୍ଷ ପରେ ଦତ୍ତ ବ୍ୟବସ୍ଥା ତାହା ବ୍ୟର୍ଥ କରେ ନାହିଁ, ଯେପରି ତଦ୍ଦ୍ଵାରା ପ୍ରତିଜ୍ଞା ନିଷ୍ଫଳ କରାଯାଏ।
18କାରଣ ଅଧିକାର ଯଦି ବ୍ୟବସ୍ଥାମୂଳକ ହୁଏ, ତେବେ ତାହା ଆଉ ପ୍ରତିଜ୍ଞାମୂଳକ ନୁହେଁ; କିନ୍ତୁ ଈଶ୍ଵର ପ୍ରତିଜ୍ଞା ଦ୍ଵାରା ଅବ୍ରହାମଙ୍କୁ ତାହା ଦାନ କରିଅଛନ୍ତି।
19ତେବେ ବ୍ୟବସ୍ଥା କାହିଁକି ଦତ୍ତ ହେଲା? ଯେଉଁ ସନ୍ତାନଙ୍କୁ ଲକ୍ଷ୍ୟ କରି ପ୍ରତିଜ୍ଞା କରାଯାଇଥିଲା, ତାହାଙ୍କ ନ ଆସିବା ପର୍ଯ୍ୟନ୍ତ ତାହା ଆଜ୍ଞାଲଙ୍ଘନ ହେତୁ ଯୋଗ କରାଗଲା, ପୁଣି ତାହା ଦୂତମାନଙ୍କ ଦ୍ଵାରା ଜଣେ ମଧ୍ୟସ୍ଥଙ୍କ ହସ୍ତରେ ସ୍ଥାପିତ ହୋଇଥିଲା।
20ମଧ୍ୟସ୍ଥ ଗୋଟିଏ ପକ୍ଷର ପ୍ରତିନିଧି ନୁହନ୍ତି, କିନ୍ତୁ ଈଶ୍ଵର ଏକ।
21ତେବେ ବ୍ୟବସ୍ଥା କି ଈଶ୍ଵରଙ୍କ ପ୍ରତିଜ୍ଞାସମୂହର ବିରୁଦ୍ଧ? ତାହା କେବେ ହେଁ ନ ହେଉ; କାରଣ ଯଦି ଜୀବନ ଦେବାକୁ ସମର୍ଥ ଏପରି ବ୍ୟବସ୍ଥା ଦତ୍ତ ହୋଇଥାଆନ୍ତା, ତେବେ ଧାର୍ମିକତା ପ୍ରକୃତରେ ବ୍ୟବସ୍ଥାମୂଳକ ହୁଅନ୍ତା।
22କିନ୍ତୁ ଯେପରି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ହେତୁ ପ୍ରତିଜ୍ଞା ବିଶ୍ଵାସ କରୁଥିବା ଲୋକମାନଙ୍କୁ ଦିଆଯାଏ, ଏଥିପାଇଁ ଧର୍ମଶାସ୍ତ୍ର ସମସ୍ତ ବିଷୟକୁ ପାପର ଅଧୀନ ବୋଲି ଗଣନା କରିଅଛି।
23ମାତ୍ର ସେହି ବିଶ୍ଵାସ ଆସିବା ପୂର୍ବେ, ପ୍ରକାଶିତ ହେବାକୁ ଯାଉଥିବା ସେହି ବିଶ୍ଵାସ ପ୍ରାପ୍ତି ଉଦ୍ଦେଶ୍ୟରେ, ଆମ୍ଭେମାନେ ବ୍ୟବସ୍ଥାର ଅଧୀନରେ ବନ୍ଦୀ ହୋଇ ରକ୍ଷିତ ହେଉଥିଲୁ।
24ଏହି ପ୍ରକାରେ ବିଶ୍ଵାସ ହେତୁ ଆମ୍ଭମାନଙ୍କର ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ, ବ୍ୟବସ୍ଥା ଆମ୍ଭମାନଙ୍କର ଶିକ୍ଷକ ସ୍ଵରୂପ ହୋଇଥିଲା।
25କିନ୍ତୁ ଏବେ ସେହି ବିଶ୍ଵାସ ଉପସ୍ଥିତ ହେଲା ପରେ ଆମ୍ଭେମାନେ ଆଉ ସେହି ଶିକ୍ଷକର ଅଧୀନରେ ନାହୁଁ।
26କାରଣ ତୁମ୍ଭେମାନେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଦ୍ଵାରା ଈଶ୍ଵରଙ୍କର ସନ୍ତାନ ହୋଇଅଛ;
27ଯେଣୁ ତୁମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛ, ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ।
28ଯିହୁଦୀ କି ଗ୍ରୀକ୍, ଦାସ କି ସ୍ଵାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ଏକ,।
29ଆଉ ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ତେବେ ତୁମ୍ଭେମାନେ ତ ଅବ୍ରହାମଙ୍କ ବଂଶ, ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ।
Currently Selected:
ଗାଲାତୀୟ 3: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.