ଯାତ୍ରା ପୁସ୍ତକ 29
29
ଯାଜକ ରୂପେ ଅଭିଷିକ୍ତ ହେବାର ବିଧି
1ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକକର୍ମ କରିବା ନିମନ୍ତେ ସେମାନଙ୍କୁ ପ୍ରତିଷ୍ଠା କରିବା ପାଇଁ ତୁମ୍ଭେ ସେମାନଙ୍କ ପ୍ରତି ଏହି ସମସ୍ତ କର୍ମ କରିବ; ନିଖୁନ୍ତ ଏକ ଗୋବତ୍ସ ଓ ଦୁଇ ମେଷ ନେବ।
2ପୁଣି ତାଡ଼ିଶୂନ୍ୟ ରୋଟୀ ଓ ତୈଳମିଶ୍ରିତ ତାଡ଼ିଶୂନ୍ୟ ପିଠା ଓ ତୈଳଯୁକ୍ତ ତାଡ଼ିଶୂନ୍ୟ ସରୁ ଚକୁଳି ଗହମ ମଇଦାରେ ପ୍ରସ୍ତୁତ କରିବ,
3ପୁଣି ଗୋଟିଏ ଡାଲାରେ ତାହା ରଖିବ ଓ ସେହି ଗୋବତ୍ସ ଓ ଦୁଇ ମେଷ ସଙ୍ଗରେ ଘେନି ସେହି ଡାଲା ଆଣିବ।
4ଆଉ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ଵୁ-ଦ୍ଵାର ନିକଟକୁ ଆଣି ଜଳରେ ସେମାନଙ୍କୁ ସ୍ନାନ କରାଇବ।
5ସେହି ସମସ୍ତ ବସ୍ତ୍ର ନେଇ ହାରୋଣକୁ ଜାମା ଓ ଏଫୋଦର ଚୋଗା ଓ ଏଫୋଦ ଓ ବୁକୁପଟା ପରିଧାନ କରାଇବ, ଆଉ ଏଫୋଦର ଚିତ୍ରିତ ପଟୁକାରେ ତାହାର କଟି ବାନ୍ଧିବ।
6ତାହାର ମସ୍ତକରେ ପାଗ ବାନ୍ଧି ତହିଁ ଉପରେ ପବିତ୍ର ମୁକୁଟ ଦେବ।
7ଏଉତ୍ତାରେ ଅଭିଷେକାର୍ଥକ ତୈଳ ଘେନି ତାହାର ମସ୍ତକ ଉପରେ ଢ଼ାଳି ତାହାକୁ ଅଭିଷେକ କରିବ।
8ତହୁଁ ତୁମ୍ଭେ ହାରୋଣର ପୁତ୍ରଗଣକୁ ଆଣି ଜାମା ପରିଧାନ କରାଇବ।
9ପୁଣି ହାରୋଣକୁ ଓ ତାହାର ପୁତ୍ରଗଣକୁ କଟିବନ୍ଧନ ପରିଧାନ କରାଇବ ଓ ସେମାନଙ୍କ ମସ୍ତକରେ ଶିରୋଭୂଷଣ ବାନ୍ଧିବ; ତହିଁରେ ସେମାନେ ଅନନ୍ତକାଳୀନ ବିଧି ଦ୍ଵାରା ଯାଜକତ୍ଵ ପଦ ପ୍ରାପ୍ତ ହେବେ। ଏହିରୂପେ ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ନିଯୁକ୍ତ କରିବ।
10ଅନନ୍ତର ତୁମ୍ଭେ ସମାଗମ-ତମ୍ଵୁ ସମ୍ମୁଖକୁ ସେହି ଗୋବତ୍ସ ଅଣାଇବ, ପୁଣି ହାରୋଣ ଓ ତାହାର ପୁତ୍ରଗଣ ସେହି ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବେ।
11ତହୁଁ ତୁମ୍ଭେ ସମାଗମ-ତମ୍ଵୁ ଦ୍ଵାର ସମୀପରେ ସଦାପ୍ରଭୁଙ୍କ ଛାମୁରେ ସେହି ଗୋବତ୍ସକୁ ବଧ କରିବ।
12ଅନନ୍ତର ଗୋବତ୍ସର ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ଵାରା ବେଦିର ଶୃଙ୍ଗ ଉପରେ ଦେବ, ପୁଣି ବେଦି ମୂଳରେ ଆଉ ସବୁ ରକ୍ତ ଢାଳି ଦେବ।
13ଆଉ ତାହାର ଅନ୍ତ୍ରୋପରିସ୍ଥିତ ମେଦ ଓ ଯକୃତ ଉପରିସ୍ଥ ଅନ୍ତ୍ରାପ୍ଳାବକ ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ମେଦ ଘେନି ବେଦିରେ ଦଗ୍ଧ କରିବ।
14ମାତ୍ର ଗୋବତ୍ସର ମାଂସ, ଚର୍ମ ଓ ଗୋମୟ ଛାଉଣିର ବାହାରେ ଅଗ୍ନିରେ ଦଗ୍ଧ କରିବ; ଏହା ପାପାର୍ଥକ ବଳି।
15ଅନନ୍ତର ତୁମ୍ଭେ ପ୍ରଥମ ମେଷ ନେବ; ପୁଣି ହାରୋଣ ଓ ତାହାର ପୁତ୍ରଗଣ ସେହି ମେଷର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବେ।
16ତହୁଁ ତୁମ୍ଭେ ସେହି ମେଷକୁ ବଧ କରି ତାହାର ରକ୍ତ ନେଇ ବେଦି ଉପରେ ଚାରିଆଡ଼େ ଛିଞ୍ଚିବ।
17ତହିଁ ଉତ୍ତାରେ ମେଷକୁ ଖଣ୍ତ ଖଣ୍ତ କରି ତାହାର ଅନ୍ତ୍ର ଓ ଗୋଡ଼ ଧୌତ କରି ତାହାସବୁ ସେହି ଖଣ୍ତସକଳ ଓ ମସ୍ତକ ଉପରେ ରଖିବ।
18ପୁଣି ତୁମ୍ଭେ ମେଷକୁ ଗୋଟାଯାକ ବେଦି ଉପରେ ଦଗ୍ଧ କରିବନ୍ତତାହା ସଦାପ୍ରଭୁଙ୍କର ହୋମବଳି ଓ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର।
19ଅନନ୍ତର ତୁମ୍ଭେ ଦ୍ଵିତୀୟ ମେଷକୁ ନେବ, ପୁଣି ହାରୋଣ ଓ ତାହାର ପୁତ୍ରଗଣ ସେହି ମେଷର ମସ୍ତକରେ ହସ୍ତ ନିର୍ଭର ଦେବେ।
20ତହୁଁ ତୁମ୍ଭେ ସେହି ମେଷକୁ ବଧ କରି ତାହାର କିଛି ରକ୍ତ ଘେନି ହାରୋଣର ଦକ୍ଷିଣ କର୍ଣ୍ଣ-ପ୍ରାନ୍ତରେ ଓ ତାହାର ପୁତ୍ରଗଣର ଦକ୍ଷିଣ କର୍ଣ୍ଣ-ପ୍ରାନ୍ତରେ ଓ ସେମାନଙ୍କ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଷ୍ଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଷ୍ଠି ଉପରେ ଦେବ, ପୁଣି ବେଦି ଉପରେ ଚାରିଆଡ଼େ ରକ୍ତ ଛିଞ୍ଚିବ।
21ଅନନ୍ତର ବେଦିର ଉପରିସ୍ଥିତ ରକ୍ତରୁ ଓ ଅଭିଷେକାର୍ଥକ ତୈଳରୁ କିଛି ନେଇ ହାରୋଣ ଉପରେ ଓ ତାହାର ବସ୍ତ୍ର ଉପରେ, ପୁଣି ତାହା ସହିତ ତାହାର ପୁତ୍ରଗଣ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ଛିଞ୍ଚିବ; ତହିଁରେ ସେ ଓ ତାହା ସହିତ ତାହାର ବସ୍ତ୍ର, ପୁଣି ତାହାର ପୁତ୍ରଗଣ ଓ ସେମାନଙ୍କ ବସ୍ତ୍ର ପବିତ୍ର ହେବ।
22ଆହୁରି, ତୁମ୍ଭେ ସେହି ମେଷର ମେଦ ଓ ମେଦମୟ ଲାଙ୍ଗୁଳ ଓ ଅନ୍ତ୍ର ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ମେଦ ଓ ଡାହାଣ ଚଟୁଆ ନେବ, ଯେହେତୁ ସେ ପଦ- ନିଯୋଗାର୍ଥକ ମେଷ।
23ପୁଣି ସଦାପ୍ରଭୁଙ୍କ ଛାମୁସ୍ଥିତ ତାଡ଼ିଶୂନ୍ୟ ରୋଟୀର ଡାଲାରୁ ଏକ ରୋଟୀ ଓ ତୈଳମିଶ୍ରିତ ଏକ ପିଠା ଓ ଏକ ସରୁ ଚକୁଳି ନେଇ
24ତାହାସବୁ ହାରୋଣର ହସ୍ତରେ ଓ ତାହାର ପୁତ୍ରଗଣ ହସ୍ତରେ ଦେଇ ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ତାହା ଦୋଳାଇବ।
25ଅନନ୍ତର ତୁମ୍ଭେ ସେମାନଙ୍କ ହସ୍ତରୁ ତାହାସବୁ ନେଇ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଛାମୁରେ ବେଦିରେ ହୋମାର୍ଥକ ବଳି ଉପରେ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର।
26ଅନନ୍ତର ତୁମ୍ଭେ ହାରୋଣର ପଦ-ନିଯୋଗାର୍ଥକ ମେଷର ବକ୍ଷ ଘେନି ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ଦୋଳାଇବ; ସେହି ଖଣ୍ତ ତୁମ୍ଭର ଅଂଶ ହେବ।
27ଆଉ ହାରୋଣର ଓ ତାହାର ପୁତ୍ରଗଣର ପଦ-ନିଯୋଗାର୍ଥକ ମେଷର ଯେଉଁ ବୁକୁ ରୂପ ଦୋଳନୀୟ ନୈବେଦ୍ୟ ଦୋଳାୟିତ ଓ ଯେଉଁ ଚଟୁଆ ରୂପ ଉତ୍ତୋଳନୀୟ ଉପହାର ଉତ୍ତୋଳିତ ହେଲା, ତାହା ତୁମ୍ଭେ ପବିତ୍ର କରିବ।
28ତହିଁରେ ଅନନ୍ତକାଳୀନ ବିଧି ଦ୍ଵାରା ଇସ୍ରାଏଲ-ସନ୍ତାନଗଣଠାରୁ ତାହା ହାରୋଣର ଓ ତାହାର ପୁତ୍ରଗଣର ଅଧିକାର ହେବ, ଯେହେତୁ ତାହା ଉତ୍ତୋଳନୀୟ ଉପହାର; ଇସ୍ରାଏଲ-ସନ୍ତାନଗଣର ଏହି ଉତ୍ତୋଳନୀୟ ଉପହାର ସେମାନଙ୍କ ମଙ୍ଗଳାର୍ଥକ ବଳିରୁ ଦେୟ ହେବ; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ଉତ୍ତୋଳନୀୟ ଉପହାର।
29ପୁଣି ହାରୋଣର (ମୁତ୍ୟୁ) ଉତ୍ତାରେ ତାହାର ପବିତ୍ର ବସ୍ତ୍ରସକଳ ତାହାର ପୁତ୍ରଗଣର ହେବ; ଅଭିଷେକ ଓ ପଦ-ନିଯୋଗ ସମୟରେ ସେମାନେ ତାହା ପରିଧାନ କରିବେ।
30ତାହାର ପୁତ୍ରମାନଙ୍କ ମଧ୍ୟରୁ ଯେଉଁ ଲୋକ ତାହା ପଦରେ ଯାଜକ ହୋଇ ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସମାଗମ-ତମ୍ଵୁକୁ ଆସିବ, ସେ ସେହି ବସ୍ତ୍ର ସାତ ଦିନପରିଧାନ କରିବ।
31ଅନନ୍ତର ତୁମ୍ଭେ ସେହି ପଦ-ନିଯୋଗାର୍ଥକ ମେଷର ମାଂସ ଘେନି ଗୋଟିଏ ପବିତ୍ର ସ୍ଥାନରେ ପାକ କରିବ,
32ପୁଣି ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ଵୁ ଦ୍ଵାର ନିକଟରେ ସେହି ମେଷ ମାଂସ ଓ ଡାଲାସ୍ଥିତ ସେହି ରୋଟୀ ଭୋଜନ କରିବେ।
33ପୁଣି ସେମାନଙ୍କୁ ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହା ଦ୍ଵାରା ପ୍ରାୟଶ୍ଚିତ୍ତ ହେଲା, ତାହା ସେମାନେ ଭୋଜନ କରିବେ; ମାତ୍ର କୌଣସି ଅନ୍ୟ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ, କାରଣ ତାହା ସବୁ ପବିତ୍ର ବସ୍ତୁ।
34ଆଉ ସେହି ପଦ-ନିଯୋଗାର୍ଥକ ମାଂସ ଓ ରୋଟୀରୁ ଯେବେ ପ୍ରଭାତ ପର୍ଯ୍ୟନ୍ତ କିଛି ଅବଶିଷ୍ଟ ରହିବ, ତେବେ ସେହି ଅବଶିଷ୍ଟାଂଶ ଅଗ୍ନିରେ ଭସ୍ମସାତ୍ କରିବ, କେହି ତାହା ଖାଇବ ନାହିଁ; କାରଣ ତାହା ପବିତ୍ର ବସ୍ତୁ।
35ଆମ୍ଭେ ତୁମ୍ଭକୁ ଏହି ଯେସବୁ ଆଜ୍ଞା ଦେଲୁ, ତଦନୁସାରେ ତୁମ୍ଭେ ହାରୋଣ ପ୍ରତି ଓ ତାହାର ପୁତ୍ରଗଣ ପ୍ରତି କରିବ; ସେମାନଙ୍କ ପଦନିଯୋଗରେ ସାତଦିନ ଲାଗିବ।
36ଆଉ ତୁମ୍ଭେ ପ୍ରାୟଶ୍ଚିତ୍ତ ନିମନ୍ତେ ପ୍ରତି ଦିନ ପାପାର୍ଥକ ବଳି ରୂପେ ଏକ ପୁଂଗୋବତ୍ସ ଉତ୍ସର୍ଗ କରିବ, ପୁଣି ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ତାହା ମୁକ୍ତପାପ କରିବ ଓ ତାହା ପବିତ୍ର କରିବା ପାଇଁ ଅଭିଷେକ କରିବ।
37ତୁମ୍ଭେ ବେଦି ନିମନ୍ତେ ସାତ ଦିନ ପ୍ରାୟଶ୍ଚିତ୍ତ କରି ତାହା ପବିତ୍ର କରିବ; ତହିଁରେ ବେଦି ମହାପବିତ୍ର ହେବ, ପୁଣି ଯାହା କିଛି ବେଦି ସ୍ପର୍ଶ କରେ, ସେସବୁ ପବିତ୍ର ହେବ।
ଦୈନନ୍ଦିନ ନୈବେଦ୍ୟ
38ସେହି ବେଦି ଉପରେ ତୁମ୍ଭେ ଏହି ଏହି ବଳି ଉତ୍ସର୍ଗ କରିବ; ତୁମ୍ଭେ ନିତ୍ୟ ନିତ୍ୟ ପ୍ରତିଦିନ ଏକବର୍ଷୀୟ ଦୁଇ ମେଷଶାବକ,
39ଅର୍ଥାତ୍, ତାହାର ପ୍ରଥମ ମେଷଶାବକକୁ ପ୍ରଭାତରେ ଉତ୍ସର୍ଗ କରିବ ଓ ଦ୍ଵିତୀୟ ମେଷଶାବକକୁ ସନ୍ଧ୍ୟା ବେଳେ ଉତ୍ସର୍ଗ କରିବ।
40ପୁଣି ପ୍ରଥମ ମେଷଶାବକ ସହିତ ହିନ୍ପାତ୍ରର ଚତୁର୍ଥାଂଶ ନିର୍ମଳ ପେଷା ତୈଳରେ ମିଶ୍ରିତ ଏକ ଐଫାର ଦଶମାଂଶ ମଇଦା ଓ ପେୟ ନୈବେଦ୍ୟ ନିମନ୍ତେ ହିନ୍ର ଚତୁର୍ଥାଂଶ ଦ୍ରାକ୍ଷାରସ ଦେବ।
41ଆଉ ସନ୍ଧ୍ୟା ବେଳେ ଦ୍ଵିତୀୟ ମେଷଶାବକ ଉତ୍ସର୍ଗ କରିବ, ପୁଣି ପ୍ରଭାତର ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ପ୍ରମାଣେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ସ୍ଵରୂପେ ତାହା ଉତ୍ସର୍ଗ କରିବ।
42ଏହା ସମାଗମ-ତମ୍ଵୁଦ୍ଵାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ନିତ୍ୟ (କର୍ତ୍ତବ୍ୟ) ହୋମ ହେବ; ସେସ୍ଥାନରେ ଆମ୍ଭେ ତୁମ୍ଭ ସହିତ ଆଳାପ କରିବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବା।
43ଆଉ ସେସ୍ଥାନରେ ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ସହିତ ସାକ୍ଷାତ କରିବା; ପୁଣି ଆମ୍ଭ ପ୍ରତାପରେ (ତମ୍ଵୁ) ପବିତ୍ରୀକୃତ ହେବ।
44ଆଉ, ଆମ୍ଭେ ସମାଗମ-ତମ୍ଵୁ ଓ ବେଦି ପବିତ୍ର କରିବା, ପୁଣି ଆମ୍ଭର ଯାଜକକର୍ମ କରଣାର୍ଥେ ହାରୋଣକୁ ଓ ତାହାର ପୁତ୍ରଗଣକୁ ପବିତ୍ର କରିବା।
45ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ବାସ କରି ସେମାନଙ୍କର ପରମେଶ୍ଵର ହେବା।
46ତହିଁରେ ଆମ୍ଭେ ଯେ ସେମାନଙ୍କର ସଦାପ୍ରଭୁ ପରମେଶ୍ଵର, ସେମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ମିସର ଦେଶରୁ ସେମାନଙ୍କୁ ବାହାର କରି ଆଣିଅଛୁ, ତାହା ସେମାନେ ଜାଣିବେ; ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ଵର।
Currently Selected:
ଯାତ୍ରା ପୁସ୍ତକ 29: ODIAOV-BSI
Highlight
Share
Copy
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.