ଏଫିସୀୟ 5
5
ପ୍ରେମରେ ଆଚରଣ
1ଅତଏବ, ପ୍ରିୟ ସନ୍ତାନମାନଙ୍କ ପରି ଈଶ୍ଵରଙ୍କ ଅନୁକାରୀ ହୁଅ।
2ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ପ୍ରେମ କଲେ, ପୁଣି ଆମ୍ଭମାନଙ୍କ ନିମନ୍ତେ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ଵରୂପେ ଆପଣାକୁ ଉତ୍ସର୍ଗ କଲେ, ସେହିପରି ପ୍ରେମରେ ଆଚରଣ କର,।
3କିନ୍ତୁ ବ୍ୟଭିଚାର, ସମସ୍ତ ପ୍ରକାର ଅଶୁଚିତା କିମ୍ଵା ଲୋଭ, ଏହିସବୁ ନାମରେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ନ ପାଉ, ତାହା ସାଧୁମାନଙ୍କ ପକ୍ଷରେ ଅନୁଚିତ;
4ପୁଣି ଯାହା ଯାହା ଅନୁପଯୁକ୍ତ, ଏପରି କୁତ୍ସିତ ବ୍ୟବହାର ବା ଅସାର କଥା ବା ହାସ୍ୟପରିହାସ ତୁମ୍ଭମାନଙ୍କ ମଧ୍ୟରେ ନ ହେଉ, ବରଂ ଧନ୍ୟବାଦ ଦିଆଯାଉ।
5କାରଣ ତୁମ୍ଭେମାନେ ନିଶ୍ଚୟରୂପେ ଜାଣ ଯେ, କୌଣସି ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ ବ୍ୟକ୍ତି ବା ଲୋଭୀ- ସେ ତ ଦେବ ପୂଜକ- ଏମାନଙ୍କର ଖ୍ରୀଷ୍ଟ ଓ ଈଶ୍ଵରଙ୍କର ରାଜ୍ୟରେ ଅଧିକାର ନାହିଁ।
6କେହି ତୁମ୍ଭମାନଙ୍କୁ ଅସାର କଥାରେ ନ ଭୁଲାଉ, କାରଣ ଏହି ସମସ୍ତ କୁକର୍ମ ହେତୁ ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ଈଶ୍ଵରଙ୍କ କ୍ରୋଧ ବର୍ତ୍ତେ।
7ଅତଏବ, ତୁମ୍ଭେମାନେ ସେମାନଙ୍କର ସହଭାଗୀ ହୁଅ ନାହିଁ,
8କାରଣ ତୁମ୍ଭେମାନେ ପୂର୍ବେ ଅନ୍ଧକାର ଥିଲ, କିନ୍ତୁ ଏବେ ପ୍ରଭୁଙ୍କ ସହଭାଗିତାରେ ଆଲୋକ ହୋଇଅଛ; ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର,
9(କାରଣ ସମସ୍ତ ପ୍ରକାର ଉତ୍ତମତା, ଧାର୍ମିକତା ଓ ସତ୍ୟ ଆଲୋକର ଫଳ ସ୍ଵରୂପ),
10ପ୍ରଭୁଙ୍କର କଅଣ ସନ୍ତୋଷଜନକ, ତାହା ଅନୁସନ୍ଧାନ କର;
11ଅନ୍ଧକାରର ନିଷ୍ଫଳ କର୍ମସବୁର ସହଭାଗୀ ହୁଅ ନାହିଁ, ବରଂ ସେସବୁର ଦୋଷ ହିଁ ଦେଖାଇଦିଅ;
12କାରଣ ସେମାନେ ଯାହାସବୁ ଗୁପ୍ତରେ କରନ୍ତି, ସେହିସବୁ କଥା କହିବା ସୁଦ୍ଧା ଲଜ୍ଜାଜନକ,
13କିନ୍ତୁ ଯେସମସ୍ତ ବିଷୟର ଦୋଷ ଆଲୋକ ଦ୍ଵାରା ଦେଖାଇ ଦିଆଯାଏ, ସେହିସବୁ ପ୍ରକାଶିତ ହୁଏ, କାରଣ ଯାହାସବୁ ପ୍ରକାଶିତ ହୁଏ, ତାହା ଆଲୋକ।
14ଏଣୁ ଉକ୍ତ ଅଛି, “ହେ ନିଦ୍ରିତ, ଜାଗ, ମୃତମାନଙ୍କ ମଧ୍ୟରୁ ଉଠ, ପୁଣି ଖ୍ରୀଷ୍ଟ ତୁମ୍ଭକୁ ଆଲୋକ ପ୍ରଦାନ କରିବେ।”
15ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ଵନ୍ଧରେ ବିଶେଷ ସାବଧାନ ହୁଅ,
16ପୁଣି, ସୁଯୋଗର ସଦ୍ବ୍ୟବହାର କର, କାରଣ କାଳ ମନ୍ଦ ଅଟେ।
17ଏଣୁ ନିର୍ବୋଧ ନ ହୋଇ ପ୍ରଭୁଙ୍କର ଇଚ୍ଛା କଅଣ, ତାହା ବୁଝ।
18ଆଉ ଦ୍ରାକ୍ଷାରସରେ ମତ୍ତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ,
19ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ଵାରା ପରସ୍ପରକୁ ଉତ୍ସାହ ଦିଅ, ପୁଣି ତୁମ୍ଭମାନଙ୍କ ହୃଦୟରେ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ସଂକୀର୍ତ୍ତନ ଓ ଗୀତ ଗାନ କର,
20ସର୍ବଦା ସର୍ବ ବିଷୟ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ଵରଙ୍କୁ ଧନ୍ୟବାଦ ଦିଅ,
ସ୍ତ୍ରୀ ଏବଂ ସ୍ଵାମୀ
21ଆଉ ଖ୍ରୀଷ୍ଟଙ୍କୁ ଭୟ କରି ପରସ୍ପର ବଶୀଭୂତ ହୁଅ।
22ହେ ସ୍ତ୍ରୀମାନେ, ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବଶୀଭୂତା, ସେହିପରି ଆପଣା ଆପଣା ସ୍ଵାମୀର ବଶୀଭୂତା ହୁଅ,
23କାରଣ ଖ୍ରୀଷ୍ଟ ଯେପରି ମଣ୍ତଳୀର ମସ୍ତକସ୍ଵରୂପ, ସ୍ଵାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ଵରୂପ, ପୁଣି ଖ୍ରୀଷ୍ଟ ଆପଣା ଶରୀରରୂପ ମଣ୍ତଳୀର ତ୍ରାଣକର୍ତ୍ତା।
24ହଁ, ମଣ୍ତଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତା, ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ଆପଣା ଆପଣା ସ୍ଵାମୀର ବଶୀଭୂତା ହେଉନ୍ତୁ।
25ହେ ସ୍ଵାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ତଳୀକି ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର, ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ;
26ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ଵାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି,
27ଯେପରି ମଣ୍ତଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି।
28ସେହିପରି ସ୍ଵାମୀମାନଙ୍କର ମଧ୍ୟ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ ଯେ ନିଜ ସ୍ତ୍ରୀକୁ ପ୍ରେମ କରେ, ସେ ଆପଣାକୁ ପ୍ରେମ କରେ;
29କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହାର ଭରଣପୋଷଣ ଓ ଲାଳନପାଳନ କରେ, ଖ୍ରୀଷ୍ଟ ମଧ୍ୟ ମଣ୍ତଳୀ ପ୍ରତି ସେହିପରି କରନ୍ତି,
30ଯେଣୁ ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ।
31“ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ।”
32ଏହା ଗୋଟିଏ ଅତି ନିଗୂଢ଼ ତତ୍ତ୍ଵ, କିନ୍ତୁ ମୁଁ ଖ୍ରୀଷ୍ଟ ଓ ମଣ୍ତଳୀ ସମ୍ଵନ୍ଧରେ ଏହା କହୁଅଛି।
33ଯାହା ହେଉ, ତୁମ୍ଭେମାନେ ପ୍ରତ୍ୟେକେ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମ ତୁଲ୍ୟ ପ୍ରେମ କର, ଆଉ ସ୍ତ୍ରୀ ମଧ୍ୟ ଆପଣା ସ୍ଵାମୀକି ଭକ୍ତି କରୁ।
Currently Selected:
ଏଫିସୀୟ 5: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.