ଆମୋଷ 4
4
1ହେ ଶମରୀୟାର ପର୍ବତବାସିନୀ ବାଶନର ଗାଭୀସବୁ, ତୁମ୍ଭେମାନେ ଏହି ବାକ୍ୟ ଶୁଣ, ତୁମ୍ଭେମାନେ ଦରିଦ୍ରଗଣ ପ୍ରତି ଉପଦ୍ରବ କରୁଅଛ, ଦୀନହୀନମାନଙ୍କୁ ଦଳି ପକାଉଅଛ, ତୁମ୍ଭେମାନେ ଆପଣା ଆପଣା କର୍ତ୍ତାକୁ କହୁଅଛ, ଆଣ, ଆମ୍ଭେମାନେ ପାନ କରିବା।
2ପ୍ରଭୁ ସଦାପ୍ରଭୁ ଆପଣା ପବିତ୍ରତାରେ ଶପଥ କରି କହିଅଛନ୍ତି, ଦେଖ, ଯେଉଁ ସମୟରେ ଲୋକମାନେ ତୁମ୍ଭମାନଙ୍କୁ ତେଣ୍ଟାରେ ଓ ତୁମ୍ଭମାନଙ୍କର ଅବଶିଷ୍ଟାଂଶକୁ ବଡ଼ଶୀ କଣ୍ଟାରେ ଟାଣି ନେବେ, ଏପରି ସମୟ ତୁମ୍ଭମାନଙ୍କ ଉପରେ ଆସିବ।
3ପୁଣି, ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ସମ୍ମୁଖସ୍ଥ ଭଗ୍ନସ୍ଥାନ ଦେଇ ବାହାରି ଯିବ ଓ ହର୍ମ୍ମୋଣରେ ଆପଣାମାନଙ୍କୁ ନିକ୍ଷେପ କରିବ, ଏହା ସଦାପ୍ରଭୁ କହନ୍ତି।
4ତୁମ୍ଭେମାନେ ବୈଥେଲକୁ ଯାଇ ଅପରାଧ କର; ଗିଲ୍ଗଲ୍କୁ ଯାଇ ଅପରାଧ ବୃଦ୍ଧି କର; ଆଉ, ପ୍ରତି ପ୍ରଭାତରେ ଆପଣା ଆପଣା ବଳି ଓ ପ୍ରତି ତିନି ଦିନରେ ଆପଣା ଆପଣାର ଦଶମାଂଶ ଉତ୍ସର୍ଗ କର;
5ପୁଣି, ପ୍ରଶଂସାର୍ଥକ ବଳି ନିମନ୍ତେ ତାଡ଼ିମିଶ୍ରତ ଦ୍ରବ୍ୟ ଉତ୍ସର୍ଗ କର ଓ ସ୍ଵେଚ୍ଛାଦତ୍ତ ଉପହାର ବିଷୟ ଘୋଷଣା କରି ପ୍ରକାଶ କର; କାରଣ, ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ଏପରି କରିବାକୁ ଭଲ ପାଅ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି।
ଶିକ୍ଷା ଗ୍ରହଣ କରିବାକୁ ଇସ୍ରାଏଲ ଅସମର୍ଥ
6ଆଉ, ଆମ୍ଭେ ତୁମ୍ଭମାନଙ୍କର ସମୁଦାୟ ନଗରରେ ଦନ୍ତପଂକ୍ତିର ନିର୍ମଳତା ଓ ତୁମ୍ଭମାନଙ୍କର ସମୁଦାୟ ବାସସ୍ଥାନରେ ଅନ୍ନାଭାବ ତୁମ୍ଭମାନଙ୍କୁ ଦେଇଅଛୁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ, ଏହା ସଦାପ୍ରଭୁ କହନ୍ତି।
7ଆହୁରି, ଶସ୍ୟ ପାଚିବାର ତିନି ମାସ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କଠାରୁ ବୃଷ୍ଟି ନିବାରଣ କରିଅଛୁ; ପୁଣି, ଏକ ନଗରରେ ଜଳ ବର୍ଷାଇଅଛୁ ଓ ଅନ୍ୟ ନଗରରେ ଜଳ ବର୍ଷାଇ ନାହୁଁ; ଖଣ୍ତେ (କ୍ଷେତ୍ରରେ) ବୃଷ୍ଟି ହେଲା ଓ ଯେଉଁ ଖଣ୍ତକରେ ବୃଷ୍ଟି ନୋହିଲା, ତାହା ଶୁଷ୍କ ହେଲା।
8ତହିଁ ସକାଶୁ ଦୁଇ, ତିନି ନଗରସ୍ଥ ଲୋକମାନେ ଜଳ ପାନ କରିବା ନିମନ୍ତେ ବୁଲି ବୁଲି ଅନ୍ୟ ଏକ ନଗରକୁ ଗଲେ, ମାତ୍ର ତୃପ୍ତ ନୋହିଲେ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ, ଏହା ସଦାପ୍ରଭୁ କହନ୍ତି।
9ଆମ୍ଭେ ଶସ୍ୟର ଶୋଷ ଓ ମ୍ଳାନି ଦ୍ଵାରା ତୁମ୍ଭମାନଙ୍କୁ ଆଘାତ କରିଅଛୁ; ଶୁକକୀଟ ତୁମ୍ଭମାନଙ୍କର ବହୁସଂଖ୍ୟକ ଉଦ୍ୟାନ, ଦ୍ରାକ୍ଷାକ୍ଷେତ୍ର ଓ ଡିମିରି ବୃକ୍ଷ ଓ ଜୀତବୃକ୍ଷ ଗ୍ରାସ କରିଅଛି; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ, ଏହା ସଦାପ୍ରଭୁ କହନ୍ତି।
10ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ମିସର ଦେଶର ମହାମାରୀ ତୁଲ୍ୟ ମହାମାରୀ ପଠାଇଅଛୁ; ତୁମ୍ଭମାନଙ୍କର ଯୁବାଗଣକୁ ଆମ୍ଭେ ଖଡ଼୍ଗରେ ସଂହାର କରିଅଛୁ ଓ ତୁମ୍ଭମାନଙ୍କର ଅଶ୍ଵଗଣକୁ ନେଇ ଯାଇଅଛୁ; ପୁଣି, ଆମ୍ଭେ ତୁମ୍ଭମାନଙ୍କର ଛାଉଣି-ସ୍ଥାନର ଦୁର୍ଗନ୍ଧ ତୁମ୍ଭମାନଙ୍କର ନାସିକା ପର୍ଯ୍ୟନ୍ତ ହିଁ ପ୍ରବେଶ କରାଇଅଛୁଣ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ, ଏହା ସଦାପ୍ରଭୁ କହନ୍ତି।
11ପରମେଶ୍ଵର ସଦୋମ ଓ ହମୋରାକୁ ଯେପରି ଉତ୍ପାଟନ କରିଥିଲେ, ସେପରି ଆମ୍ଭେ ତୁମ୍ଭମାନଙ୍କର କେତେକ (ସ୍ଥାନ) ଉତ୍ପାଟନ କରିଅଛୁ, ଆଉ ତୁମ୍ଭେମାନେ ପୋଡ଼ା ଖୁଣ୍ଟା ପରି ଅଗ୍ନିରୁ କଢ଼ାଗଲ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ, ଏହା ସଦାପ୍ରଭୁ କହନ୍ତି।
12ଏଥିପାଇଁ ହେ ଇସ୍ରାଏଲ, ଆମ୍ଭେ ତୁମ୍ଭ ପ୍ରତି ଏରୂପ କରିବା; ଆଉ, ଆମ୍ଭେ ତୁମ୍ଭ ପ୍ରତି ଏରୂପ କରିବା, ଏହିହେତୁ ହେ ଇସ୍ରାଏଲ, ତୁମ୍ଭେ ଆପଣା ପରମେଶ୍ଵରଙ୍କ ସହିତ ସାକ୍ଷାତ କରିବାକୁ ପ୍ରସ୍ତୁତ ହୁଅ।
13କାରଣ ଦେଖ, ଯେ ପର୍ବତଗଣ ନିର୍ମାଣ କରନ୍ତି ଓ ବାୟୁକୁ ସୃଷ୍ଟି କରନ୍ତି ଓ ମନୁଷ୍ୟ ପ୍ରତି ତାହାର ଚିନ୍ତା ପ୍ରକାଶ କରନ୍ତି, ଯେ ଅରୁଣକୁ ଅନ୍ଧକାରମୟ କରନ୍ତି ଓ ପୃଥିବୀର ଉଚ୍ଚସ୍ଥଳୀସକଳର ଉପରେ ଗମନାଗମନ କରନ୍ତି; ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ଵର ତାହାଙ୍କର ନାମ।
Currently Selected:
ଆମୋଷ 4: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.