YouVersion Logo
Search Icon

ଆମୋଷ 2

2
1ସଦାପ୍ରଭୁ ଏହି କଥା କହନ୍ତି, ମୋୟାବର ତିନି, ହିଁ, ଚାରି ଅପରାଧ ସକାଶୁ ଆମ୍ଭେ ତହିଁର ଦଣ୍ତଣ ନିବାରଣ କରିବା ନାହିଁ; କାରଣ ସେ ଇଦୋମ ରାଜାର ଅସ୍ଥି ଦଗ୍ଧ କରି ତାହା ଚୂର୍ଣ୍ଣ କଲା;
2ମାତ୍ର ଆମ୍ଭେ ମୋୟାବର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା କରୀୟୋଥର ଅଟ୍ଟାଳିକାସକଳ ଗ୍ରାସ କରିବ; ପୁଣି, ମୋୟାବ କୋଳାହଳ, ସିଂହନାଦ ଓ ତୂରୀଧ୍ଵନି ସହିତ ପ୍ରାଣତ୍ୟାଗ କରିବ;
3ପୁଣି, ଆମ୍ଭେ ତହିଁ ମଧ୍ୟରୁ ବିଚାରକର୍ତ୍ତାକୁ ଉଚ୍ଛିନ୍ନ କରିବା ଓ ତାହା ସଙ୍ଗେ ତହିଁର ଅଧିପତିସମସ୍ତଙ୍କୁ ସଂହାର କରିବା, ଏହା ସଦାପ୍ରଭୁ କହନ୍ତି।
ଯିହୁଦାର ଦଣ୍ତ
4ସଦାପ୍ରଭୁ ଏହି କଥା କହନ୍ତି; ଯିହୁଦାର ତିନି, ହଁ, ଚାରି ଅପରାଧ ସକାଶୁ ଆମ୍ଭେ ତହିଁର ଦଣ୍ତ ନିବାରଣ କରିବା ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି ଓ ତାହାଙ୍କର ବିଧିସବୁ ପାଳନ କରି ନାହାନ୍ତି, ପୁଣି ସେମାନଙ୍କର ପିତୃପୁରୁଷମାନେ ଯେଉଁ ମିଥ୍ୟା ଦେବଗଣର ଅନୁଗାମୀ ହେଲେ,, ତଦ୍ଦ୍ଵାରା ସେମାନେ ଭ୍ରାନ୍ତ ହୋଇଅଛନ୍ତି;
5ମାତ୍ର ଆମ୍ଭେ ଯିହୁଦା ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ଯିରୂଶାଲମର ଅଟ୍ଟାଳିକାସକଳ ଗ୍ରାସ କରିବ।
ଇସ୍ରାଏଲର ଦଣ୍ତ
6ସଦାପ୍ରଭୁ ଏହି କଥା କହନ୍ତି; ଇସ୍ରାଏଲର ତିନି, ହଁ, ଚାରି ଅପରାଧ ସକାଶୁ ଆମ୍ଭେ ତହିଁର ଦଣ୍ତ ନିବାରଣ କରିବା ନାହିଁ; କାରଣ ସେମାନେ ରୂପା ପାଇଁ ଧାର୍ମିକକୁ ଓ ଏକ ଯୋଡ଼ା ପାଦୁକା ପାଇଁ ଦୀନହୀନକୁ ବିକ୍ରୟ କରିଅଛନ୍ତି;
7ସେମାନେ ଦରିଦ୍ରର ମସ୍ତକରେ ଧୂଳିର ଆକାଂକ୍ଷା କରନ୍ତି ଓ ନମ୍ର ଲୋକମାନଙ୍କର ମାର୍ଗ ବକ୍ର କରନ୍ତି; ପୁଣି, ଆମ୍ଭର ପବିତ୍ର ନାମ ଅପବିତ୍ର କରିବା ପାଇଁ ଜଣେ ପୁରୁଷ ଓ ତାହାର ପିତା ଏକ ଯୁବତୀରେ ଗମନ କରନ୍ତି ;
8ଆଉ, ସେମାନେ ପ୍ରତ୍ୟେକ ଯଜ୍ଞବେଦିର ନିକଟରେ ବନ୍ଧକି-ବସ୍ତ୍ରର ଉପରେ ଶୟନ କରନ୍ତି, ଆଉ ସେମାନେ ଅର୍ଥଦଣ୍ତପ୍ରାପ୍ତ ଲୋକମାନଙ୍କର ଦ୍ରାକ୍ଷାରସ ଆପଣାମାନଙ୍କ ପରମେଶ୍ଵରଙ୍କ ଗୃହରେ ପାନ କରନ୍ତି।
9ତଥାପି ଏରସ ବୃକ୍ଷ ତୁଲ୍ୟ ଦୀର୍ଘ ଓ ଅଲୋନ ବୃକ୍ଷ ତୁଲ୍ୟ ବଳିଷ୍ଠ ଇମୋରୀୟକୁ ଆମ୍ଭେ ସେମାନଙ୍କ ସମ୍ମୁଖରେ ବିନାଶ କଲୁ; ଆଉ, ଉପରେ ତାହାର ଫଳ ଓ ତଳେ ତାହାର ମୂଳ ନଷ୍ଟ କଲୁ।
10ଆହୁରି, ଇମୋରୀୟମାନଙ୍କ ଦେଶ ଅଧିକାର କରିବା ନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲୁ ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ପଥ କଢ଼ାଇ ତୁମ୍ଭମାନଙ୍କୁ ଗମନ କରାଇଲୁ।
11ପୁଣି, ଆମ୍ଭେ ତୁମ୍ଭମାନଙ୍କ ପୁତ୍ରଗଣ ମଧ୍ୟରୁ ଭବିଷ୍ୟଦ୍ବକ୍ତାଗଣ ଓ ତୁମ୍ଭମାନଙ୍କ ଯୁବାଗଣ ମଧ୍ୟରୁ ନାସରୀୟ ଲୋକମାନଙ୍କୁ ଉତ୍ପନ୍ନ କଲୁ। ସଦାପ୍ରଭୁ କହନ୍ତି, ହେ ଇସ୍ରାଏଲ-ସନ୍ତାନଗଣ, କି ଏପରି ହୋଇ ନାହିଁ?
12ମାତ୍ର ତୁମ୍ଭେମାନେ ନାସରୀୟ ଲୋକମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦେଲ ଓ ଭବିଷ୍ୟଦ୍ବକ୍ତାମାନଙ୍କୁ ଆଜ୍ଞା ଦେଇ କହିଲ, ଭବିଷ୍ୟଦ୍-ବାକ୍ୟ ପ୍ରଚାର କର ନାହିଁ।
13ଦେଖ, ହଳାରେ ପୂର୍ଣ୍ଣ ଶକଟ ଯେପରି ଚାପେ, ସେପରି ଆମ୍ଭେ ତୁମ୍ଭମାନଙ୍କ ନିଜ ସ୍ଥାନରେ ତୁମ୍ଭମାନଙ୍କୁ ଚାପିବା।
14ତହିଁରେ ଦ୍ରୁତଗାମୀର ପଳାୟନ-ଉପାୟ ନଷ୍ଟ ହେବ ଓ ବଳବାନ ଆପଣା ବଳ ଦୃଢ଼ କରିବ ନାହିଁ, ଅଥବା ବୀର ଆପଣାକୁ ରକ୍ଷା କରିବ ନାହିଁ;
15ଅଥବା ଧନୁର୍ଦ୍ଧାରୀ ଠିଆ ହେବ ନାହିଁ ଓ ଯାହାର ଚରଣ ଦ୍ରୁତଗାମୀ, ସେ ଆପଣାକୁ ରକ୍ଷା କରିବ ନାହିଁ; ଯେ ଅଶ୍ଵାରୋହୀ, ସେ ଆପଣାକୁ ରକ୍ଷା କରିବ ନାହିଁ;
16ପୁଣି, ବୀରଗଣ ମଧ୍ୟରେ ଯେ ସାହସିକ, ସେ ଉଲଙ୍ଗ ହୋଇ ସେଦିନ ପଳାଇ ଯିବ, ଏହା ସଦାପ୍ରଭୁ କହନ୍ତି।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in