ପ୍ରେରିତ 25
25
କାଇସରଙ୍କ ନିକଟରେ ପାଉଲଙ୍କ ଆବେଦନ
1ସେଥିରେ ଫେଷ୍ଟ ଅଧିପତିପଦ ଗ୍ରହଣ କରି ତିନି ଦିନ ଉତ୍ତାରେ କାଇସରିଆରୁ ଯିରୂଶାଲମକୁ ଗଲେ,
2ପୁଣି, ପ୍ରଧାନ ଯାଜକମାନେ ଓ ଯିହୁଦୀମାନଙ୍କର ମୁଖ୍ୟ ବ୍ୟକ୍ତିମାନେ ପାଉଲଙ୍କ ବିରୁଦ୍ଧରେ ତାଙ୍କ ନିକଟରେ ଆବେଦନ କଲେ,
3ଆଉ ସେ ଯେପରି ତାଙ୍କୁ ଯିରୂଶାଲମକୁ ଡକାଇ ପଠାନ୍ତି, ଏଥିନିମନ୍ତେ ବିନତିପୂର୍ବକ ତାଙ୍କ ବିରୁଦ୍ଧରେ ଏହି ଅନୁଗ୍ରହ ପ୍ରାର୍ଥନା କଲେ; ପୁଣି, ସେମାନେ ତାଙ୍କୁ ବାଟରେ ବଧ କରିବା ନିମନ୍ତେ ଛକି ବସିଲେ।
4ସେଥିରେ ଫେଷ୍ଟ ଉତ୍ତର ଦେଲେ, ପାଉଲ କାଇସରିଆରେ ବନ୍ଦୀ ହୋଇ ରହିଅଛି, ଆଉ ଆମ୍ଭେ ନିଜେ ଶୀଘ୍ର ସେଠାକୁ ଯାଉଅଛୁ।
5ଅତଏବ, ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ କ୍ଷମତାପନ୍ନ, ସେମାନେ ଆମ୍ଭ ସାଙ୍ଗରେ ଯାଇ ସେହି ଲୋକର ଯଦି କୌଣସି ଦୋଷ ଥାଏ, ତେବେ ତାʼର ବିରୁଦ୍ଧରେ ଅଭିଯୋଗ କରନ୍ତୁ।
6ପରେ ସେ ସେମାନଙ୍କ ମଧ୍ୟରେ ଆଠ ବା ଦଶ ଦିନରୁ ଅଧିକ ନ ରହି କାଇସରିଆକୁ ବାହୁଡ଼ିଗଲେ, ଆଉ ପରଦିନ ବିଚାରାସନରେ ବସି ପାଉଲଙ୍କୁ ଆଣିବା ନିମନ୍ତେ ଆଜ୍ଞା ଦେଲେ।
7ସେ ଆସନ୍ତେ ଯିରୂଶାଲମରୁ ଆଗତ ଯିହୁଦୀମାନେ ତାଙ୍କ ଚାରିଆଡ଼େ ଠିଆ ହୋଇ ତାଙ୍କ ବିରୁଦ୍ଧରେ ଅନେକ ପୁଣି ଗୁରୁତର ଅଭିଯୋଗ ଆଣିବାକୁ ଲାଗିଲେ, କିନ୍ତୁ ସେମାନେ ସେହିସବୁ ପ୍ରମାଣ କରି ପାରିଲେ ନାହିଁ।
8ସେଥିରେ ପାଉଲ ଆପଣା ପକ୍ଷସମର୍ଥନ କରି କହିଲେ, ଯିହୁଦୀମାନଙ୍କ ବ୍ୟବସ୍ଥା ବିରୁଦ୍ଧରେ କି ମନ୍ଦିର ବିରୁଦ୍ଧରେ କି କାଇସରଙ୍କ ବିରୁଦ୍ଧରେ ମୁଁ କୌଣସି ଅପରାଧ କରି ନାହିଁ।
9କିନ୍ତୁ ଫେଷ୍ଟ ଯିହୁଦୀମାନଙ୍କର ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ଉତ୍ତର ଦେଲେ, ତୁମ୍ଭେ କି ଯିରୂଶାଲମକୁ ଯାଇ ସେ ସ୍ଥାନରେ ଆମ୍ଭ ସାକ୍ଷାତରେ ଏହିସବୁ ବିଷୟ ଘେନି ବିଚାରିତ ହେବାକୁ ଇଚ୍ଛା କରୁଅଛ?
10ମାତ୍ର ପାଉଲ କହିଲେ, ମୁଁ କାଇସରଙ୍କ ବିଚାରାସନ ସମ୍ମୁଖରେ ଠିଆ ହୋଇଅଛି, ସେ ସ୍ଥାନରେ ମୋହର ବିଚାର ହେବା ଉଚିତ। ମୁଁ ଯିହୁଦୀମାନଙ୍କ ପ୍ରତି କୌଣସି ଅନ୍ୟାୟ କରି ନାହିଁ, ଆପଣ ମଧ୍ୟ ତାହା ଅତି ଉତ୍ତମ ରୂପେ ଜାଣନ୍ତି।
11ତେବେ, ଯଦି ମୁଁ ଅନ୍ୟାୟକାରୀ ହୋଇଥାଏ ଓ ମୃତ୍ୟୁଯୋଗ୍ୟ କୌଣସି କର୍ମ କରିଥାଏ, ତାହାହେଲେ ମୁଁ ମୃତ୍ୟୁଭୋଗ କରିବାକୁ ନାସ୍ତି କରୁ ନାହିଁ; କିନ୍ତୁ ଏମାନେ ମୋʼ ବିରୁଦ୍ଧରେ ଯାହାସବୁ ଅଭିଯୋଗ କରୁଅଛନ୍ତି, ସେହିସବୁ ମଧ୍ୟରେ ଯଦି ପଦେ ସତ୍ୟ ନାହିଁ, ତାହାହେଲେ କୌଣସି ବ୍ୟକ୍ତି ସେମାନଙ୍କ ହସ୍ତରେ ମୋତେ ସମର୍ପଣ କରି ପାରନ୍ତି ନାହିଁ। ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରୁଅଛି।
12ସେଥିରେ ଫେଷ୍ଟ ମନ୍ତ୍ରୀମଣ୍ତଳ ସହିତ ପରାମର୍ଶ କରି ଉତ୍ତର ଦେଲେ, ତୁମ୍ଭେ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିଅଛ, ତୁମ୍ଭେ କାଇସରଙ୍କ ନିକଟକୁ ଯିବ।
ଆଗ୍ରୀପ୍ପା ଓ ବର୍ଣ୍ଣୀକୀଙ୍କ ସମ୍ମୁଖରେ ପାଉଲ
13କେତେକ ଦିନ ଗତ ହେଲା ପରେ ରାଜା ଆଗ୍ରିପ୍ପା ଓ ବର୍ଣ୍ଣୀକୀ କାଇସରିଆକୁ ଆସି ଫେଷ୍ଟଙ୍କୁ ସାକ୍ଷାତ କଲେ।
14ସେମାନେ ଅନେକ ଦିନ ସେ ସ୍ଥାନରେ ରୁହନ୍ତେ, ରାଜାଙ୍କ ଆଗରେ ଫେଷ୍ଟ, ପାଉଲଙ୍କ କଥା ଜଣାଇ କହିଲେ, ଫେଲୀକ୍ସ୍ ଜଣେ ଲୋକକୁ ବନ୍ଦୀ କରି ରଖିଯାଇଅଛନ୍ତି।
15ମୁଁ ଯିରୂଶାଲମରେ ଥିବା ସମୟରେ ଯିହୁଦୀ-ମାନଙ୍କର ପ୍ରଧାନ ଯାଜକବର୍ଗ ଓ ପ୍ରାଚୀନମାନେ ତାହା ବିଷୟରେ ମୋʼ ନିକଟରେ ଆବେଦନ କରି ତାହା ବିରୁଦ୍ଧରେ ଦଣ୍ତାଜ୍ଞା ପ୍ରାର୍ଥନା କଲେ।
16ମୁଁ ସେମାନଙ୍କୁ ଉତ୍ତର ଦେଲି, ବାଦୀ ଓ ପ୍ରତିବାଦୀ ମୁଖାମୁଖି ନ ହେବା ପର୍ଯ୍ୟନ୍ତ, ପୁଣି ପ୍ରତିବାଦୀ ତାହା ବିରୁଦ୍ଧରେ କରାଯାଇଥିବା ଅଭିଯୋଗ ସମ୍ଵନ୍ଧରେ ଆତ୍ମ-ପକ୍ଷସମର୍ଥନ କରିବାର ସୁଯୋଗ ନ ପାଇବା ପର୍ଯ୍ୟନ୍ତ ତାକୁ ସମର୍ପଣ କରିବା ରୋମୀୟମାନଙ୍କର ବିଧି ନୁହେଁ।
17ଏଣୁ ସେମାନେ ମୋʼ ସାଙ୍ଗରେ ଏସ୍ଥାନକୁ ଆସନ୍ତେ, ମୁଁ ବିଳମ୍ଵ ନ କରି ପରଦିନ ବିଚାରାସନରେ ବସି ସେହି ଲୋକକୁ ଆଣିବା ନିମନ୍ତେ ଆଜ୍ଞା ଦେଲି।
18ଅଭିଯୋଗକାରୀମାନେ ଠିଆ ହୋଇ, ମୁଁ ଯେପ୍ରକାର ଦୋଷର କଥା ଅପେକ୍ଷା କରୁଥିଲି, ସେପରି କୌଣସି ଅଭିଯୋଗ ତାହା ସମ୍ଵନ୍ଧରେ ଆଣିଲେ ନାହିଁ,
19କିନ୍ତୁ ସେମାନଙ୍କ ସ୍ଵଧର୍ମ ପୁଣି ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି, ଯାହାକୁ ପାଉଲ ସଜୀବ ବୋଲି କହୁଥିଲା, ସେହିସବୁ ବିଷୟରେ ତାହା ବିରୁଦ୍ଧରେ ସେମାନଙ୍କର କେତେକ ବିବାଦ ଥିଲା।
20ଏହିସମସ୍ତ ବିଷୟ କିପ୍ରକାରେ ଅନୁସନ୍ଧାନ କରିବି ବୋଲି ମୁଁ ହତବୁଦ୍ଧି ହୋଇ, ସେ ଯିରୂଶାଲମକୁ ଯାଇ ସେଠାରେ ଏସମସ୍ତ ବିଷୟରେ ବିଚାରିତ ହେବା ପାଇଁ ଇଚ୍ଛା କରେ କି ନାହିଁ, ଏହା ପଚାରିଲି।
21କିନ୍ତୁ ପାଉଲ ସମ୍ରାଟଙ୍କ ବିଚାର ନିମନ୍ତେ ରଖା ହେବା ପାଇଁ ପ୍ରାର୍ଥନା କରନ୍ତେ, ମୁଁ ତାକୁ କାଇସରଙ୍କ ନିକଟକୁ ନ ପଠାଇବା ପର୍ଯ୍ୟନ୍ତ ବନ୍ଦୀ କରି ରଖିବାକୁ ଆଜ୍ଞା ଦେଲି।
22ସେଥିରେ ଆଗ୍ରିପ୍ପା ଫେଷ୍ଟଙ୍କୁ କହିଲେ, ଆମ୍ଭେ ମଧ୍ୟ ସ୍ଵୟଂ ସେହି ଲୋକର କଥା ଶୁଣିବାକୁ ଇଚ୍ଛା କରୁଅଛୁ। ସେ କହିଲେ, କାଲି ଆପଣ ତାʼର କଥା ଶୁଣିବେ।
23ଅତଏବ, ପରଦିନ ଆଗ୍ରିପ୍ପା ଓ ବର୍ଣ୍ଣୀକୀ ମହା ସମାରୋହରେ ଆସି ପ୍ରଧାନ ପ୍ରଧାନ ସେନାପତି ଓ ନଗରର ମୁଖ୍ୟ ମୁଖ୍ୟ ବ୍ୟକ୍ତିଙ୍କ ସହିତ ବିଚାରାଳୟରେ ପ୍ରବିଷ୍ଟ ହୁଅନ୍ତେ, ଫେଷ୍ଟଙ୍କ ଆଜ୍ଞା ଅନୁସାରେ ପାଉଲ ଅଣାଗଲେ।
24ସେଥିରେ ଫେଷ୍ଟ କହିଲେ, ହେ ରାଜନ୍ ଆଗ୍ରିପ୍ପା ଓ ଆମ୍ଭମାନଙ୍କ ସହିତ ଏହି ସ୍ଥାନରେ ଉପସ୍ଥିତ ମହାଶୟବୃନ୍ଦ, ଆପଣମାନେ ଏହି ଲୋକକୁ ଦେଖୁଅଛନ୍ତି; ଏହା ବିରୁଦ୍ଧରେ ଯିରୂଶାଲମରେ ଓ ଏହି ସ୍ଥାନରେ ମଧ୍ୟ ଯିହୁଦୀ ଲୋକସମୂହ ଆମ୍ଭ ନିକଟରେ ଆବେଦନ କରି ତାʼର ଆଉ ବଞ୍ଚି ରହିବା ଉଚିତ ନୁହେଁ ବୋଲି ଚିତ୍କାର କଲେ।
25କିନ୍ତୁ ସେ ମୃତ୍ୟୁଯୋଗ୍ୟ କୌଣସି କର୍ମ କରି ନାହିଁ ବୋଲି ମୁଁ ବୁଝିଲି, ଆଉ ସେ ନିଜେ ସମ୍ରାଟଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାରୁ ମୁଁ ତାକୁ ପଠାଇବା ନିମନ୍ତେ ସ୍ଥିର କଲି।
26ମୋର ପ୍ରଭୁଙ୍କ ଛାମୁକୁ ତାʼର ବିଷୟରେ ଲେଖିବା ନିମନ୍ତେ ମୋର କୌଣସି ନିଶ୍ଚିତ ବିଷୟ ନାହିଁ। ଏଣୁ ବିଚାର କରି ଯେପରି ମୁଁ ଲେଖିବା ନିମନ୍ତେ କିଛି ପାଇ ପାରେ, ସେଥିପାଇଁ ତାକୁ ଆପଣମାନଙ୍କ, ବିଶେଷତଃ, ହେ ରାଜନ୍ ଆଗ୍ରିପ୍ପା, ଆପଣଙ୍କ ସମ୍ମୁଖକୁ ଆଣିଅଛି;
27କାରଣ ବନ୍ଦୀକି ପଠାଇବା ସମୟରେ ତାʼ ବିରୁଦ୍ଧରେ ଅଭିଯୋଗଗୁଡ଼ିକ ନିର୍ଦ୍ଦେଶ ନ କରିବା ମୋତେ ଅସଙ୍ଗତ ବୋଧ ହେଉଅଛି।
Currently Selected:
ପ୍ରେରିତ 25: ODIAOV-BSI
Highlight
Share
Compare
Copy
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.