Bible App logo
Search Icon

୨ ଥେସଲନୀକୀୟ 3

3
ପ୍ରାର୍ଥନା ଅନୁରୋଧ
1ଅବଶେଷରେ, ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରି ପ୍ରଭୁଙ୍କ ବାକ୍ୟ ତୁମ୍ଭମାନଙ୍କ ମଧ୍ୟରେ ଯେରୂପେ, ସେହିରୂପେ ସର୍ବତ୍ର ଶୀଘ୍ର ବ୍ୟାପିଯାଇ ଗୌରବପ୍ରାପ୍ତ ହେବ,
2ପୁଣି, ଯେପରି ଆମ୍ଭେମାନେ ଅବିବେଚକ ଓ ଦୁଷ୍ଟ ଲୋକମାନଙ୍କଠାରୁ ଉଦ୍ଧାର ପାଇବୁ; କାରଣ ସମସ୍ତଙ୍କର ବିଶ୍ଵାସ ନାହିଁ।
3କିନ୍ତୁ ପ୍ରଭୁ ବିଶ୍ଵସ୍ତ, ସେ ତୁମ୍ଭମାନଙ୍କୁ ସ୍ଥିର କରି ମନ୍ଦରୁ ରକ୍ଷା କରିବେ।
4ଆମ୍ଭେମାନେ ଯେଉଁ ସବୁ ଆଦେଶ ଦେଉଅଛୁ, ସେହିସବୁ ଯେ ତୁମ୍ଭେମାନେ କରୁଅଛ ଓ କରିବ, ଏହା ତୁମ୍ଭମାନଙ୍କ ସମ୍ଵନ୍ଧରେ ପ୍ରଭୁଙ୍କଠାରେ ଆମ୍ଭମାନଙ୍କର ଦୃଢ଼ ବିଶ୍ଵାସ।
5ଆଉ ପ୍ରଭୁ ତୁମ୍ଭମାନଙ୍କ ହୃଦୟକୁ ଈଶ୍ଵରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ଧୈର୍ଯ୍ୟରୂପ ପଥରେ ଅଗ୍ରସର କରାଉନ୍ତୁ।
ଆଳସ୍ୟତା ବିରୁଦ୍ଧରେ ଚେତାବନୀ
6ହେ ଭ୍ରାତୃବୃନ୍ଦ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଉଅଛୁ, ଯେକୌଣସି ଭାଇ ଆମ୍ଭମାନଙ୍କଠାରୁ ପ୍ରାପ୍ତ ଶିକ୍ଷା ଅନୁସାରେ ଆଚରଣ ନ କରି ଆଳସ୍ୟ ପରାୟଣ ଆଚରଣ କରେ, ତାହାଠାରୁ ଆପଣା ଆପଣାକୁ ପୃଥକ କର।
7କାରଣ କିପରି ଆମ୍ଭମାନଙ୍କୁ ଅନୁକରଣ କରିବା ତୁମ୍ଭମାନଙ୍କର ଉଚିତ୍ ତାହା ତୁମ୍ଭେମାନେ ନିଜେ ଜାଣୁଅଛ; ଯେଣୁ ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ଆଳସ୍ୟ ପରାୟଣ ଆଚରଣ କରି ନ ଥିଲୁ,
8କିଅବା ବିନାମୂଲ୍ୟରେ କାହାରି ଅନ୍ନ ଭୋଜନ କରି ନ ଥିଲୁ, ବରଂ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଭାର ସ୍ଵରୂପ ନ ହେବା ପାଇଁ ପରିଶ୍ରମ ଓ କ୍ଳେଶ ସହ ଦିବାରାତ୍ର କାର୍ଯ୍ୟ କରିଥିଲୁ;
9ତୁମ୍ଭମାନଙ୍କଠାରୁ କିଛି ଗ୍ରହଣ କରିବାକୁ ଯେ ଆମ୍ଭମାନଙ୍କର ଅଧିକାର ନାହିଁ, ତାହା ନୁହେଁ, କିନ୍ତୁ ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ଅନୁକରଣ କର; ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଆପଣା ଆପଣାକୁ ଆଦର୍ଶ ରୂପେ ଦେଖାଇବା ପାଇଁ ସେପରି କଲୁ।
10କାରଣ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲୁ, ଯେକେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ।
11ଯେଣୁ ତୁମ୍ଭମାନଙ୍କ ମଧ୍ୟରେ କେହି କେହି ଆଳସ୍ୟ ପରାୟଣ ଆଚରଣ କରୁଅଛନ୍ତି ଓ କୌଣସି କାର୍ଯ୍ୟ ନ କରି ଅନଧିକାରଚର୍ଚ୍ଚାରେ ବ୍ୟସ୍ତ ଅଟନ୍ତି ବୋଲି ଆମ୍ଭେମାନେ ଶୁଣୁଅଛୁ।
12ଏହିପ୍ରକାର ଲୋକମାନଙ୍କୁ ଶା; ଭାବରେ କାର୍ଯ୍ୟ କରି ନିଜ ନିଜର ଅନ୍ନ ଭୋଜନ କରିବାକୁ ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଓ ଚେତନା ଦେଉଅଛୁ।
13କିନ୍ତୁ ହେ ଭ୍ରାତୃବୃନ୍ଦ, ସତ୍କର୍ମ କରିବାରେ ତୁମ୍ଭେମାନେ କ୍ଲା; ନ ହୁଅ।
14ଆଉ ଯେବେ କେହି ଏହି ପତ୍ରରେ ଲିଖିତ ଆମ୍ଭମାନଙ୍କ କଥା ନ ମାନେ, ତେବେ ସେହି ଲୋକକୁ ଚିହ୍ନି ରଖ, ପୁଣି ସେ ଯେପରି ଲଜ୍ଜିତ ହୁଏ, ଏଥିନିମନ୍ତେ ତାହା ସହିତ ସମ୍ଵନ୍ଧ ରଖ ନାହିଁ;
15ତଥାପି ତାହାକୁ ଶତ୍ରୁ ବୋଲି ଜ୍ଞାନ କର ନାହିଁ, ମାତ୍ର ତାହାକୁ ଭାଇ ବୋଲି ଜ୍ଞାନ କରି ଚେତନା ଦିଅ।
ଶେଷ ଆଶିଷ
16ଶାନ୍ତିଦାତା ପ୍ରଭୁ ସ୍ଵୟଂ ତୁମ୍ଭମାନଙ୍କୁ ସର୍ବଦା ଓ ସର୍ବପ୍ରକାରେ ଶାନ୍ତି ଦେଉନ୍ତୁ। ପ୍ରଭୁ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉନ୍ତୁ।
17ମୁଁ ପାଉଲ ମୋହର ନିଜ ହସ୍ତରେ ଲେଖି ନମସ୍କାର ଜଣାଉଅଛି; ପ୍ରତ୍ୟେକ ପତ୍ରରେ ଏହା ଚିହ୍ନ ସ୍ଵରୂପ, ମୁଁ ଏହିପରି ଲେଖେ।
18ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Video for ୨ ଥେସଲନୀକୀୟ 3