୨ କରିନ୍ଥୀୟ 3
3
ନୂତନ ନିୟମର ସେବକ
1ଆମ୍ଭେମାନେ କି ପୁନର୍ବାର ଆତ୍ମପ୍ରଶଂସା କରିବାକୁ ଆରମ୍ଭ କରୁଅଛୁଣ? କିମ୍ଵା କାହାରି କାହାରି ପରି କଅଣ ତୁମ୍ଭମାନଙ୍କ ନିକଟକୁ ବା ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କର ପ୍ରଶଂସାପତ୍ର ଆବଶ୍ୟକ?
2ତୁମ୍ଭେମାନେ ତ ଆମ୍ଭମାନଙ୍କ ହୃଦୟରେ ଲିଖିତ ଏବଂ ସମସ୍ତ ଲୋକଙ୍କ ଜ୍ଞାତ ଓ ପଠିତ ଆମ୍ଭମାନଙ୍କ ପତ୍ରସ୍ଵରୂପ;
3ପୁଣି, ତୁମ୍ଭେମାନେ ଯେ ଆମ୍ଭମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ର ସ୍ଵରୂପ, ଏହା ପ୍ରକାଶ ପାଉଅଛି; ତାହା କାଳିରେ ଲିଖିତ ନୁହେଁ, ମାତ୍ର ଜୀବନ୍ତ ଈଶ୍ଵରଙ୍କ ଆତ୍ମାଙ୍କ ଦ୍ଵାରା ଲିଖିତ, ପ୍ରସ୍ତରଫଳକରେ ନୁହେଁ, ମାତ୍ର ମାଂସମୟ ହୃଦୟରୂପ ଫଳକରେ।
4ଆଉ, ଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ଵରଙ୍କ ଉପରେ ନିର୍ଭର ରଖି ଆମ୍ଭମାନଙ୍କର ଏହି ପ୍ରକାର ବିଶ୍ଵାସ ଅଛି।
5ଆମ୍ଭେମାନେ ଯେ ନିଜଠାରୁ କିଛି ଉଦ୍ଭାବନ କରିବାକୁ ସମର୍ଥ, ଏପରି ନୁହେଁ, ମାତ୍ର ଆମ୍ଭମାନଙ୍କର ସାମର୍ଥ୍ୟ ଈଶ୍ଵରଙ୍କଠାରୁ;
6ସେ ତ ଆମ୍ଭମାନଙ୍କୁ ଅକ୍ଷରର ସେବକ କରି ନାହାନ୍ତି, ମାତ୍ର ଆତ୍ମାଙ୍କ, ଅର୍ଥାତ୍ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଅଛନ୍ତି; କାରଣ ଅକ୍ଷର ମୃତ୍ୟୁଦାୟକା, ମାତ୍ର ଆତ୍ମା ଜୀବନଦାୟକ;
7ଆଉ, ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ବ୍ୟବସ୍ଥାର ସେବାକାର୍ଯ୍ୟ ଏପରି ଗୌରବରେ ପ୍ରକାଶିତ ହୋଇଥିଲା ଯେ, ଇସ୍ରାଏଲ ସନ୍ତାନମାନେ ମୋଶାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ,
8ତେବେ ଆତ୍ମିକ ସେବାକାର୍ଯ୍ୟ କେତେ ଅଧିକ ଗୌରବଯୁକ୍ତ ନ ହେବ?
9କାରଣ ଯଦି ଦଣ୍ତାଜ୍ଞାର ସେବାକାର୍ଯ୍ୟ ଗୌରବଯୁକ୍ତ, ତେବେ ଧାର୍ମିକତାର ସେବାକାର୍ଯ୍ୟ ବରଂ ଆହୁରି ଅଧିକ ଗୌରବଯୁକ୍ତ।
10ଯେଣୁ ଯାହା ଗୌରବଯୁକ୍ତ ହୋଇଥିଲା, ତାହା ସେଥିରୁ ଅତି ଅଧିକ ଗୌରବଯୁକ୍ତ ବିଷୟର ତୁଳନାରେ ଗୌରବବିହୀନ ହୋଇଅଛି।
11କାରଣ ଯଦି କ୍ଷଣସ୍ଥାୟୀ ବିଷୟ ଗୌରବଯୁକ୍ତ ହେଲା, ତେବେ ଚିରସ୍ଥାୟୀ ବିଷୟ ଆହୁରି ଅଧିକ ଗୌରବରେ ଅବସ୍ଥିତ।
12ଅତଏବ, ଏହି ପ୍ରକାର ଭରସା ପ୍ରାପ୍ତ ହୋଇ ଆମ୍ଭେମାନେ ଅତି ସାହସିକ ଅଟୁ,
13ଆଉ, ଇସ୍ରାଏଲ ସନ୍ତାନମାନେ ଯେପରି ସେହି କ୍ଷଣସ୍ଥାୟୀ ଗୌରବ ଲୋପ ପାଉଥିବା ଦୃଶ୍ୟ ପ୍ରତି ସ୍ଥିର ଦୃଷ୍ଟି ନ କରନ୍ତି, ସେଥିପାଇଁ ମୋଶା ଯେ ପ୍ରକାରେ ଆପଣା ମୁଖରେ ଆବରଣ ଦେଉଥିଲେ, ଆମ୍ଭେମାନେ ସେପ୍ରକାର କରୁ ନାହୁଁ।
14କିନ୍ତୁ ସେମାନଙ୍କର ଜ୍ଞାନଚକ୍ଷୁ ଜଡ଼ୀଭୂତ ହୋଇଅଛି, କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପାଠ ସମୟରେ ସେହି ଆବରଣ ପୂର୍ବ ପରି ରହିଅଛି, ଆଉ ଖ୍ରୀଷ୍ଟଙ୍କଠାରେ ସେହି ଆବରଣର ଯେ ଲୋପ ହେଉଅଛି, ଏହା ପ୍ରକାଶ ପାଉ ନାହିଁ।
15ମାତ୍ର ଆଜି ପର୍ଯ୍ୟନ୍ତ ମୋଶାଙ୍କର ବ୍ୟବସ୍ଥା ପାଠ କରାଯିବା ସମୟରେ ସେମାନଙ୍କ ହୃଦୟ ଆବରଣରେ ଆଚ୍ଛାଦିତ ଥାଏ,
16କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ।
17ପ୍ରଭୁ ଆତ୍ମା ଅଟନ୍ତି; ଆଉ ଯେଉଁଠାରେ ପ୍ରଭୁଙ୍କ ଆତ୍ମା ସେଠାରେ ସ୍ଵାଧୀନତା।
18କିନ୍ତୁ ଆମ୍ଭେମାନେ ସମସ୍ତେ ଅନାଚ୍ଛାଦିତ ମୁଖରେ ଦର୍ପଣରେ ଦେଖିବା ପରି ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ତାହାଙ୍କ ସେହି ମୂର୍ତ୍ତିରେ ପରିବର୍ତ୍ତିତ ହେଉଅଛୁ; ଯେଣୁ ପ୍ରଭୁ ଯେ କି ଆତ୍ମା, ତାହାଙ୍କଠାରୁ ଏହିସବୁ ହେଉଅଛି।
Currently Selected:
୨ କରିନ୍ଥୀୟ 3: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.