Bible App logo
Search Icon

୨ କରିନ୍ଥୀୟ 12

12
ପାଉଲଙ୍କ ସ୍ଵର୍ଗୀୟ ଦର୍ଶନ ଏବଂ କଣ୍ଟକ
1ଯଦ୍ୟପି ଦର୍ପ କରିବା ହିତକର ନୁହେଁ, ତଥାପି ମୋତେ ଦର୍ପ କରିବାକୁ ପଡ଼ୁଅଛି; ମୁଁ ପ୍ରଭୁଙ୍କ ଦର୍ଶନ ଓ ପ୍ରକାଶିତ ବିଷୟ କହିବି।
2ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ, ସେ ଚଉଦ ବର୍ଷ ପୂର୍ବେ ତୃତୀୟ ସ୍ଵର୍ଗ ପର୍ଯ୍ୟନ୍ତ ନୀତ ହେଲା, (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ଵର ଜାଣନ୍ତି)।
3ହଁ, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେ ପାରଦୀଶକୁ ନୀତ ହେଲା (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ଵର ଜାଣନ୍ତି)।
4ଆଉ ଯାହା ମନୁଷ୍ୟ ପକ୍ଷରେ କହିବା ବିଧେୟ ନୁହେଁ, ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲା।
5ଏହିପରି ଜଣକ ବିଷୟରେ ମୁଁ ଦର୍ପ କରିବି, କିନ୍ତୁ ମୋʼ ନିଜ ବିଷୟରେ ମୋହର ଦୁର୍ବଳତା ବିନା ଆଉ କାହିଁରେ ଦର୍ପ କରିବି ନାହିଁ।
6ଆଉ ଦର୍ପ କରିବାକୁ ଇଚ୍ଛା କଲେ ହେଁ ମୁଁ ନିର୍ବୋଧ ହେବି ନାହିଁ, ଯେଣୁ ମୁଁ ସତ୍ୟକହିବି; କିନ୍ତୁ କାଳେ କୌଣସି ଲୋକ ମୋତେ ଯେପ୍ରକାର ଦେଖେ କିମ୍ଵା ମୋʼଠାରୁ ଯେପ୍ରକାର ଶୁଣେ, ମୋʼ ପ୍ରତି ପ୍ରକାଶିତ ବିଷୟରେ ଅତ୍ୟଧିକ ଶ୍ରେଷ୍ଠତା ହେତୁ ଯେପରି ମୋʼ ବିଷୟରେ ଅଧିକ ବୋଧ ନ କରେ, ଏଥିପାଇଁ ମୁଁ କ୍ଷା; ହୋଇଥାଏ।
7ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ, ଏଥିନିମନ୍ତେ ମୋତେ ପ୍ରହାର କରିବା ପାଇଁ ମୋହର ଶରୀରରେ ଶୟତାନର ଦୂତ ସ୍ଵରୂପ ଗୋଟିଏ କଣ୍ଟକ ଦିଆଗଲା, ହଁ, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ, ଏଥିନିମନ୍ତେ ତାହା ଦିଆଗଲା।
8ଯେପରି ତାହା ମୋʼଠାରୁ ଦୂର ହୁଏ, ଏଥିପାଇଁ ମୁଁ ପ୍ରଭୁଙ୍କୁ ସେ ବିଷୟରେ ତିନି ଥର ବିନତି କଲି।
9ଆଉ, ସେ ମୋତେ କହିଅଛନ୍ତି, ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ। ଅତଏବ, ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋʼ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଞ୍ଚ ମୋହର ଦୁର୍ବଳତାରେ ଦର୍ପ କରିବି।
10ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ; କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ।
କରିନ୍ଥ ମଣ୍ତଳୀ ନିମନ୍ତେ ପାଉଲଙ୍କର ବୋଝ
11ମୁଁ ନିର୍ବୋଧ ହୋଇଅଛି, ତୁମ୍ଭେମାନେ ମୋତେ ବାଧ୍ୟ କଲ, କାରଣ ମୋର ପ୍ରଶଂସା କରିବା ତୁମ୍ଭମାନଙ୍କର ଉଚିତ ଥିଲା; ଯେଣୁ ଯଦ୍ୟପି ମୁଁ କିଛି ନୁହେଁ, ତଥାପି କୌଣସି ବିଷୟରେ ସେହି ଶ୍ରେଷ୍ଠତମ ପ୍ରେରିତମାନଙ୍କ ଅପେକ୍ଷା ଊଣା ନୁହେଁ।
12ଯେସମସ୍ତ ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି ଶକ୍ତିର କାର୍ଯ୍ୟ ପ୍ରେରିତଙ୍କ ଲକ୍ଷଣ ସ୍ଵରୂପ, ସେହିସବୁ ପ୍ରକୃତରେ ତୁମ୍ଭମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଧୈର୍ଯ୍ୟ ସହକାରେ ସାଧିତ ହୋଇଅଛି।
13କାରଣ ମୁଁ ନିଜେ ଯେ ତୁମ୍ଭମାନଙ୍କର ଭାର ସ୍ଵରୂପ ହୋଇ ନାହିଁ, ଏହି ଗୋଟିଏ ବିଷୟ ଛଡ଼ା ଅବଶିଷ୍ଟ ମଣ୍ତଳୀସମୂହଠାରୁ ତୁମ୍ଭେମାନେ କାହିଁରେ ନିକୃଷ୍ଟ ହୋଇଅଛ? ମୋହର ଏହି ଦୋଷ କ୍ଷମା କର।
14ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଏହି ତୃତୀୟ ଥର ପ୍ରସ୍ତୁତ ଅଛି, ଆଉ ମୁଁ ତୁମ୍ଭମାନଙ୍କର ଭାର ସ୍ଵରୂପ ହେବି ନାହିଁ, କାରଣ ମୁଁ ତୁମ୍ଭମାନଙ୍କର ଧନ ନ ଖୋଜି ତୁମ୍ଭମାନଙ୍କୁ ଖୋଜୁଅଛି। ଯେଣୁ ସନ୍ତାନ ସନ୍ତତିମାନଙ୍କର ପିତାମାତାମାନଙ୍କ ନିମନ୍ତେ ସଞ୍ଚୟ କରିବା ଉଚିତ ନୁହେଁ, ମାତ୍ର ସନ୍ତାନସନ୍ତତିମାନଙ୍କ ନିମନ୍ତେ ପିତାମାତାଙ୍କର ସଞ୍ଚୟ କରିବା ଉଚିତ।
15ଆଉ, ମୁଁ ତୁମ୍ଭମାନଙ୍କ ଆତ୍ମା ନିମନ୍ତେ ମହାନନ୍ଦରେ ବ୍ୟୟ କରିବି, ହଁ, ମୋହର ପ୍ରାଣ ସୁଦ୍ଧା ବ୍ୟୟ କରିବି। ମୁଁ ତୁମ୍ଭମାନଙ୍କୁ ଅଧିକ ପ୍ରଚୁରଭାବେ ପ୍ରେମ କରୁଅଛି ବୋଲି କଅଣ ଊଣା ପ୍ରେମ ପ୍ରାପ୍ତ ହେଉଅଛି?
16କିନ୍ତୁ ଯାହା ହେଉ, ମୁଁ ନିଜେ ତୁମ୍ଭମାନଙ୍କୁ ଭାରଗ୍ରସ୍ତ କଲି ନାହିଁ, ମାତ୍ର ଧୂର୍ତ୍ତ ହୋଇ ମୁଁ ତୁମ୍ଭମାନଙ୍କୁ ଛଳରେ ଧରିଲି !
17ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁମାନଙ୍କୁ ପଠାଇଅଛି, ସେମାନଙ୍କ ମଧ୍ୟରୁ କୌଣସି ଜଣକ ଦ୍ଵାରା କି ତୁମ୍ଭମାନଙ୍କଠାରୁ କିଛି ଲାଭ କରିଅଛି?
18ମୁଁ ତୀତସଙ୍କୁ ଯିବା ନିମନ୍ତେ ଅନୁରୋଧ କରିଥିଲି, ପୁଣି ତାଙ୍କ ସହିତ ସେହି ଭାଇଙ୍କି ପଠାଇଥିଲି। ତୀତସ କି ତୁମ୍ଭମାନଙ୍କଠାରୁ କିଛି ଲାଭ କରିଅଛନ୍ତି? ଆମ୍ଭେମାନେ କଅଣ ଏକ ଆତ୍ମାରେ ଆଚରଣ କରି ନାହୁଁ? ଆମ୍ଭେମାନେ କଅଣ ଏକ ପଦଚିହ୍ନରେ ଗମନ କରି ନାହୁଁ?
19ଏପର୍ଯ୍ୟନ୍ତ ତୁମ୍ଭେମାନେ ଭାବୁଅଛ ଯେ, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଦୋଷ କଟାଉଅଛୁ। ଈଶ୍ଵରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ସେବକ ସ୍ଵରୂପେ ଆମ୍ଭେମାନେ କଥା କହୁଅଛୁ। କିନ୍ତୁ ହେ ପ୍ରିୟମାନେ, ସମସ୍ତ ବିଷୟ ତୁମ୍ଭମାନଙ୍କ ନିଷ୍ଠା ନିମନ୍ତେ କହୁଅଛୁ।
20କାରଣ କାଳେ ଅବା ମୁଁ ଉପସ୍ଥିତ ହେଲେ, ତୁମ୍ଭମାନଙ୍କୁ ଯେପରି ଦେଖିବାକୁ ଇଚ୍ଛା କରୁଅଛି, ସେପରି ତୁମ୍ଭମାନଙ୍କୁ ନ ଦେଖେ, ଆଉ, ତୁମ୍ଭେମାନେ ମୋତେ ଯେପରି ଦେଖିବାକୁ ଇଚ୍ଛା ନ କର, ସେପରି ମୋତେ ଦେଖ, ଏଥିପାଇଁ ମୁଁ ଭୟ କରୁଅଛି; କାଳେ ଅବା ବିବାଦ, ଈର୍ଷା, କ୍ରୋଧ, ଦଳାଦଳି, ପରନିନ୍ଦା, କାନକୁହାକୋହି, ଦାମ୍ଭିକତା, ଗଣ୍ତଗୋଳ ହୁଏ;
21କାଳେ ମୁଁ ପୁନର୍ବାର ଉପସ୍ଥିତ ହେଲେ ମୋହର ଈଶ୍ଵର ତୁମ୍ଭମାନଙ୍କ ସମ୍ଵନ୍ଧରେ ମୋତେ ପୁନର୍ବାର ଅବନତ କରନ୍ତି, ପୁଣି, ଯେଉଁମାନେ ପୂର୍ବରେ ପାପ କରିଅଛନ୍ତି, ଆଉ ଆପଣା ଆପଣା କୃତ ଅଶୁଚିତା, ବ୍ୟଭିଚାର ଓ କାମୁକତା ସକାଶେ ଅନୁତାପ କରି ନାହାନ୍ତି, ଏପରି ଅନେକ ଲୋକଙ୍କ ନିମନ୍ତେ ମୁଁ ଶୋକ କରେ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in