ମାଥିଉଲିଖିତ 23
23
ଭଣ୍ଡ ଧର୍ମଗୁରୁମାନଙ୍କୁ ସାବଧାନ
1ତତ୍ପରେ ଯୀଶୁ ଲୋକମାନଙ୍କୁ ଓ ଆପଣା ଶିଷ୍ୟମାନଙ୍କୁ କହିଲେ, 2“ଶାସ୍ତ୍ରଜ୍ଞ ଓ ଫାରୂଶୀମାନେ ମୋଶାଙ୍କ ଆସନରେ ବସିଅଛନ୍ତି! 3ତେଣୁ ସେମାନେ ଯାହା ଯାହା ଶିକ୍ଷା ଦିଅନ୍ତି, ତୁମ୍ଭେମାନେ ସେସବୁ ପାଳନ କର। ମାତ୍ର ସେମାନେ ଯାହାସବୁ କରନ୍ତି, ତାହା କର ନାହିଁ। କାରଣ ସେମାନେ ଯାହା କହନ୍ତି, ନିଜେ ସେସବୁ ପାଳନ କରନ୍ତି ନାହିଁ। 4ସେମାନେ ଭାରୀ ବୋଝ ବାନ୍ଧି ଲୋକମାନଙ୍କର କାନ୍ଧ ଉପରେ ଲଦି ଦିଅନ୍ତି, ଅଥଚ ବହିବାରେ ସାହାଯ୍ୟ କରିବା ପାଇଁ ଟିପଟିଏ ସୁଦ୍ଧା ଲଗାଇବାକୁ ରାଜି ନୁହନ୍ତି।
5“ସେମାନଙ୍କର ସବୁ କାର୍ଯ୍ୟ ଲୋକଦେଖାଣିଆ। ସେମାନେ ନିଜ ବାହୁରେ ଧର୍ମଶାସ୍ତ୍ରାଂଶ ଲେଖାଥିବା ତାବିଜକୁ ଚଉଡ଼ା କରନ୍ତି ଓ ପୋଷାକର ଝାଲରକୁ ଅଧିକରୁ ଅଧିକ ଲମ୍ୱା କରନ୍ତି। 6ସେମାନେ ଭୋଜି ଉତ୍ସବରେ ସମ୍ମାନର ସ୍ଥାନ ଓ ଉପାସନାଗୃହମାନଙ୍କରେ ପ୍ରଧାନ ଆସନ ଗ୍ରହଣ କରିବାକୁ ଭଲ ପାଆନ୍ତି! 7ସେମାନେ ହାଟବଜାରରେ ଲୋକଙ୍କ ନିକଟରୁ ସମ୍ଭାଷଣ ପାଇବାକୁ ଓ ଗୁରୁ ବୋଲି ସମ୍ବୋଧିତ ହେବାକୁ ଭଲ ପାଆନ୍ତି।
8“କିନ୍ତୁ ତୁମ୍ଭେମାନେ କାହାରି ଦ୍ଵାରା ଗୁରୁ ବୋଲି ସମ୍ବୋଧିତ ହୁଅ ନାହିଁ। କାରଣ ତୁମ୍ଭମାନଙ୍କ ଗୁରୁ କେବଳ ଜଣେ ଓ ତୁମ୍ଭେମାନେ ସମସ୍ତେ ପରସ୍ପରର ଭାଇ। 9ଏହି ପୃଥିବୀରେ କାହାକୁ ପିତା ବୋଲି ସମ୍ବୋଧନ କର ନାହିଁ, କାରଣ ତୁମ୍ଭମାନଙ୍କ ପିତା କେବଳ ଜଣେ, ସେ ସ୍ଵର୍ଗରେ ଅଛନ୍ତି। 10ତୁମ୍ଭେମାନେ କର୍ତ୍ତା ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କ କର୍ତ୍ତା କେବଳ ଜଣେ ସେ ହେଉଛନ୍ତି ଖ୍ରୀଷ୍ଟ। 11ତୁମ୍ଭମାନଙ୍କମଧ୍ୟରେ ଯେ ମହାନ୍, ସେ ତୁମ୍ଭମାନଙ୍କର ଦାସ ହେବ। 12ଆହୁରି ମଧ୍ୟ, ଯେକେହି ନିଜକୁ ଉନ୍ନତ କରେ, ତାକୁ ନତ କରାଯିବ ଏବଂ ଯେକେହି ନିଜକୁ ନତ କରେ, ତାକୁ ଉନ୍ନତ କରାଯିବ।
13“ରେ କପଟାଚାରୀ ଶାସ୍ତ୍ରଜ୍ଞ ଓ ଫାରୂଶୀମାନେ, ତୁମ୍ଭମାନଙ୍କୁ ଧିକ୍! ତୁମେମାନେ ଲୋକଙ୍କ ସମ୍ମୁଖରେ ସ୍ଵର୍ଗରାଜ୍ୟ ରୁଦ୍ଧ କରୁଛ। ତୁମେମାନେ ନିଜେ ପ୍ରବେଶ କରୁ ନାହଁ ଓ ଯେଉଁମାନେ ପ୍ରବେଶ କରିବାକୁ ଇଚ୍ଛା କରୁଛନ୍ତି, ସେମାନଙ୍କୁ ପ୍ରବେଶ କରିବାକୁ ଦେଉ ନାହଁ। 14ହେ କପଟାଚାରୀ ଶାସ୍ତ୍ରଜ୍ଞ ଓ ଫାରୂଶୀମାନେ, ତୁମ୍ଭମାନଙ୍କୁ ଧିକ୍! ତୁମ୍ଭେମାନେ ଲୋକଦେଖାଣିଆଭାବେ ଦୀର୍ଘ ପ୍ରାର୍ଥନା କର, ଅଥଚ ବିଧବାମାନଙ୍କ ଗୃହ ଆତ୍ମସାତ୍ କରିଥାଅ। ସେଥିପାଇଁ ତୁମମାନଙ୍କର ଦଣ୍ଡ ଅଧିକ କଠୋର ହେବ।
15“ରେ କପଟାଚାରୀ ଶାସ୍ତ୍ରଜ୍ଞ ଓ ଫାରୂଶୀମାନେ, ତୁମ୍ଭମାନଙ୍କୁ ଧିକ୍! ତୁମେମାନେ ଜଣକୁ ତୁମ ଧର୍ମରେ ଦୀକ୍ଷିତ କରିବା ପାଇଁ ଜଳସ୍ଥଳ ଚତୁର୍ଦ୍ଦିଗ ଭ୍ରମଣ କରିଥାଅ ଏବଂ ସେ ଦୀକ୍ଷିତ ହେଲେ, ତାକୁ ତୁମ ଅପେକ୍ଷା ଦ୍ୱିଗୁଣ ନରକବାସୀ କରିଦିଅ।
16“ହେ ଅନ୍ଧ ପଥପ୍ରଦର୍ଶକମାନେ! ତୁମ୍ଭମାନଙ୍କୁ ଧିକ୍! ତୁମେମାନେ କହିଥାଅ, ‘କେହି ଈଶ୍ୱରଙ୍କ ମନ୍ଦିରର ରାଣ ପକାଇଲେ, କିଛି କ୍ଷତି ନାହିଁ। କିନ୍ତୁ ମନ୍ଦିରରେ ଥିବା ସୁବର୍ଣ୍ଣର ରାଣ ପକାଇଲେ, ସେ ନିଜ ଶପଥ ଦ୍ଵାରା ଆବଦ୍ଧ’ 17ଆରେ ନିର୍ବୋଧ ଅନ୍ଧମାନେ! କେଉଁଟା ଶ୍ରେଷ୍ଠ: ସୁବର୍ଣ୍ଣ, ନା ସୁବର୍ଣ୍ଣକୁ ପବିତ୍ର କରୁଥିବା ମନ୍ଦିର? 18ତୁମେମାନେ ଆହୁରି ମଧ୍ୟ କହିଥାଅ, ‘କେହି ଯଜ୍ଞବେଦିର ରାଣ ପକାଇଲେ, କିଛି କ୍ଷତି ନାହିଁ ମାତ୍ର ଯଜ୍ଞବେଦି ଉପରେ ଥିବା ନୈବେଦ୍ୟର ରାଣ ପକାଇଲେ, ସେ ନିଜ ଶପଥ ଦ୍ଵାରା ଆବଦ୍ଧ’ 19ଆରେ ଅନ୍ଧମାନେ! କେଉଁଟା ଶ୍ରେଷ୍ଠ: ନୈବେଦ୍ୟ, ନା ନୈବେଦ୍ୟକୁ ପବିତ୍ର କରୁଥିବା ଯଜ୍ଞବେଦି? 20ଅତଏବ ଯେ ଯଜ୍ଞବେଦିର ଶପଥ ପକାଏ, ସେ ଯଜ୍ଞବେଦି ଓ ତା ଉପରେ ଥିବା ସବୁ କିଛିର ଶପଥ ପକାଏ। 21ପୁଣି, ଯେ ମନ୍ଦିରର ଶପଥ ପକାଏ, ସେ ମନ୍ଦିର ତଥା ତହିଁର ଅଧିଷ୍ଠାତାଙ୍କର ଶପଥ ପକାଏ। 22ଆହୁରି ମଧ୍ୟ, ଯେ ସ୍ଵର୍ଗର ଶପଥ କରେ ସେ ଈଶ୍ୱରଙ୍କ ସିଂହାସନ ତଥା ତହିଁରେ ଯେ ଉପବିଷ୍ଟ, ତାହାଙ୍କର ଶପଥ କରେ।
23“ରେ କପଟାଚାରୀ ଶାସ୍ତ୍ରଜ୍ଞ ଓ ଫାରୂଶୀମାନେ, ତୁମ୍ଭମାନଙ୍କୁ ଧିକ୍! ତୁମେମାନେ ପୋଦିନା, ପାନମହୁରି ଓ ଜୀରାର ଦଶମାଂଶ ଦାନ ଦେଉଛ, ଅଥଚ ବିଧିବ୍ୟବସ୍ଥାର ପ୍ରଧାନ ବିଷୟ, ଯଥା ନ୍ୟାୟ, ଦୟା ଓ ବିଶ୍ୱସ୍ତତାକୁ ହେଳା କରୁଛ। ପୂର୍ବୋକ୍ତ ବିଷୟଗୁଡ଼ିକ ହେଳା ନ କରି ଶେଷୋକ୍ତ ବିଷୟଗୁଡ଼ିକ ପାଳନ କରିବା ତୁମର ଉଚିତ ଥିଲା। 24ରେ ଅନ୍ଧ ପଥପ୍ରଦର୍ଶକମାନେ! ତୁମେମାନେ ମଶାକୁ ଛାଣି ବାହାର କରିଥାଅ, କିନ୍ତୁ ଓଟକୁ ଗିଳିଥାଅ!
25“ରେ କପଟାଚାରୀ ଶାସ୍ତ୍ରଜ୍ଞ ଓ ଫାରୂଶୀମାନେ, ତୁମ୍ଭମାନଙ୍କୁ ଧିକ୍! ତୁମେମାନେ ଗିନା ଓ ଥାଳିର ବାହାରଟା ଧୋଇ ମାଜି ପରିଷ୍କାର କରୁଥାଅ, ଅଥଚ ଭିତରଟା ଲୋଭ ଓ ଇନ୍ଦ୍ରିୟ ଭୋଗବାସନାରେ ପୂର୍ଣ୍ଣ। 26ହେ ଅନ୍ଧ ଫାରୂଶୀଗଣ! ପ୍ରଥମେ ଗିନା ଓ ଥାଳିର ଭିତର ପରିଷ୍କାର କର ତା ପରେ ବାହାରଟା ମଧ୍ୟ ପରିଷ୍କୃତ ହେବ।
27“ରେ କପଟାଚାରୀ ଶାସ୍ତ୍ରଜ୍ଞ ଓ ଫାରୂଶୀମାନେ, ତୁମ୍ଭମାନଙ୍କୁ ଧିକ୍! ତୁମେମାନେ ଧଳା କବର ପରି, ଯାହାର ବାହାରଟା ସୁନ୍ଦର ଦିଶେ କିନ୍ତୁ ଭିତରଟା ମୃତ୍ୟୁ ଲୋକଙ୍କର ଅସ୍ଥି ଓ ସବୁପ୍ରକାର ଅଶୁଚି ବିଷୟରେ ପୂର୍ଣ୍ଣ। 28ସେହିପରି ବାହାରେ ତୁମେମାନେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, ମାତ୍ର ଭିତରଟା କପଟପଣ ଓ ଅଧର୍ମରେ ପୂର୍ଣ୍ଣ।
29“ରେ କପଟାଚାରୀ ଶାସ୍ତ୍ରଜ୍ଞ ଓ ଫାରୂଶୀମାନେ, ତୁମ୍ଭମାନଙ୍କୁ ଧିକ୍! ତୁମେମାନେ ଭାବବାଦୀମାନଙ୍କ ସମାଧି ନିର୍ମାଣ କରିଥାଅ ଓ ଧାର୍ମିକ ବ୍ୟକ୍ତିମାନଙ୍କ ସମାଧିଗୁଡ଼ିକୁ ସୁଶୋଭିତ କରିଥାଅ। 30ପୁଣି, କହିଥାଅ, ‘ଆମେ ଆମ ପୂର୍ବପୁରୁଷମାନଙ୍କ ସମୟରେ ଯଦି ଥାଆନ୍ତୁ, ତେବେ ଭାବବାଦୀମାନଙ୍କ ରକ୍ତପାତରେ ସେମାନଙ୍କର ସହଭାଗୀ ହୋଇ ନ ଥାଆନ୍ତୁ।’ 31ଏହିରୂପେ, ତୁମେମାନେ ଭାବବାଦୀମାନଙ୍କ ହତ୍ୟାକାରୀମାନଙ୍କ ବଂଶଧର ବୋଲି ନିଜ ବିରୁଦ୍ଧରେ ହିଁ ସାକ୍ଷ୍ୟ ଦେଉଛ। 32ତେଣୁ ନିଜ ପିତୃପୁରୁଷମାନଙ୍କ ପାପର ସଂଖ୍ୟା ପୂର୍ଣ୍ଣ କରିଦିଅ।
33“ଆରେ ସର୍ପମାନେ! ବିଷଧର ସର୍ପର ବଂଶଧରମାନେ! ନରକ ଦଣ୍ଡରୁ କିପରି ତୁମେମାନେ ଉଦ୍ଧାର ପାଇବ? 34ସେଥିପାଇଁ ମୁଁ ତୁମମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରଞ୍ଜମାନଙ୍କୁ ପଠାଉଛି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ତୁମେମାନେ ହତ୍ୟା କରିବ ଓ କ୍ରୁଶରେ ଚଢ଼ାଇବ ଅନ୍ୟ କେତେକଙ୍କୁ ଉପାସନାଗୃହମାନଙ୍କରେ ବେତ୍ରାଘାତ କରିବ ଓ ନଗରେ ନଗରେ ସେମାନଙ୍କୁ ଗୋଡ଼ାଇବ। 35ଏତଦ୍ଦ୍ୱାରା ଧାର୍ମିକ ହେବଲଙ୍କଠାରୁ ଆରମ୍ଭ କରି ମନ୍ଦିର ଓ ଯଜ୍ଞବେଦିର ମଧ୍ୟସ୍ଥାନରେ ନିହତ ହୋଇଥିବା ବରିଖିୟଙ୍କ ପୁତ୍ର ଜିଖରିୟଙ୍କ ପର୍ଯ୍ୟନ୍ତ ପୃଥିବୀରେ ଯେତେ ଧାର୍ମିକ ଲୋକଙ୍କର ରକ୍ତପାତ ହୋଇଛି ସେସମସ୍ତର ଦଣ୍ଡ ତୁମ ଉପରେ ବର୍ତ୍ତିବ। 36ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏସମସ୍ତ ଏହି ପୀଢ଼ିର ଲୋକମାନଙ୍କ ଉପରେ ପଡ଼ିବ।
37“ଗୋ ଯିରୂଶାଲମ, ଯିରୂଶାଲମ, ତୁ ଭାବବାଦୀମାନଙ୍କୁ ହତ୍ୟା କରୁ ଓ ତୋ ନିକଟକୁ ପ୍ରେରିତ ବ୍ୟକ୍ତିମାନଙ୍କୁ ପ୍ରସ୍ତରାଘାତ କରୁ। କୁକୁଡ଼ା ଯେପରି ଆପଣା ପକ୍ଷ ତଳେ ତାହାର ଛୁଆମାନଙ୍କୁ ଏକତ୍ର କରେ, ମୁଁ ସେହିପରି କେତେ ଥର ତୋର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଆକାଂକ୍ଷା କଲି, କିନ୍ତୁ ତୁ ସମ୍ମତ ହେଲୁ ନାହିଁ। 38ଦେଖ୍, ବର୍ତ୍ତମାନ ତୋର ଗୃହ ପରିତ୍ୟକ୍ତ ହେଲା। 39କାରଣ ମୁଁ କହୁଛି, ପ୍ରଭୁଙ୍କ ନାମରେ ଯେ ଆସୁଛନ୍ତି, ସେ ଧନ୍ୟ, ଏହା ନ କହିବା ପର୍ଯ୍ୟନ୍ତ ତୁ ମୋତେ ଆଉ ଦେଖିବୁ ନାହିଁ!”
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.