ମାଥିଉଲିଖିତ 16
16
1ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ସେମାନଙ୍କୁ ଆକାଶରୁ ଗୋଟିଏ ଚିହ୍ନ ଦେଖାଇବା ପାଇଁ ତାହାଙ୍କୁ ଅନୁରୋଧ କଲେ।
2ସେ ଉତ୍ତର ଦେଲେ, “ସନ୍ଧ୍ୟା ହେଲେ ତୁମେମାନେ କହିଥାଅ, ‘ଆକାଶ ଲାଲ ଦିଶୁଛି, ପାଗ ଭଲ ହେବ,’ 3ଏବଂ ସକାଳବେଳେ କହିଥାଅ, ‘ଆକାଶ ଲାଲ ଓ ମେଘୁଆ ହୋଇଛି ଆଜି ଝଡ଼ ହେବ।’ ଆକାଶର ଲକ୍ଷଣ ଦେଖି ତୁମ୍ଭେମାନେ ତାହାର ଅର୍ଥ ବେଶ୍ ନିରୂପଣ କରିପାର, ଅଥଚ ସମୟର ଚିହ୍ନସବୁ ତୁମ୍ଭେମାନେ ବୁଝିପାରୁ ନାହଁ। 4ଏକ ଅଧାର୍ମିକ ଓ ଭ୍ରଷ୍ଟାଚାର ବଂଶ ଅଲୌକିକ ଚିହ୍ନ ଦେଖିବାକୁ ଚାହେଁ। କିନ୍ତୁ ଯୂନସଙ୍କ ଚିହ୍ନଛଡ଼ା ତାକୁ ଅନ୍ୟ କୌଣସି ଚିହ୍ନ ଦିଆଯିବ ନାହିଁ।” ଏହାପରେ ଯୀଶୁ ସେମାନଙ୍କୁ ଛାଡ଼ି ଚାଲିଗଲେ।
5ହ୍ରଦର ଅପର ପାରିରେ ପହଞ୍ଚି ଶିଷ୍ୟମାନେ ଦେଖିଲେ ଯେ, ସେମାନେ ରୋଟୀ ନେବାକୁ ଭୁଲି ଯାଇଛନ୍ତି। 6ଯୀଶୁ ସେମାନଙ୍କୁ କହିଲେ, “ସାବଧାନ, ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମିର ପ୍ରତି ସତର୍କ ଥାଅ।”
7ସେମାନେ ଏ ବିଷୟରେ ପରସ୍ପର ମଧ୍ୟରେ କୁହାକୁହି ହେଲେ, “ଆମେ ରୋଟୀ ଆଣି ନ ଥିବାରୁ ସେ ଏପରି କହୁଛନ୍ତି।”
8ସେମାନଙ୍କ କଥାବାର୍ତ୍ତା ବୁଝିପାରି ଯୀଶୁ ପଚାରିଲେ, “ହେ ଅଳ୍ପବିଶ୍ୱାସୀମାନେ, ତୁମ୍ଭମାନଙ୍କ ନିକଟରେ ରୋଟୀ ନାହିଁ ବୋଲି କାହିଁକି ଏତେ ଆଲୋଚନା କରୁଛ? 9ତୁମ୍ଭେମାନେ କଣ ଏପର୍ଯ୍ୟନ୍ତ ବୁଝୁନାହଁ? ପାଞ୍ଚୋଟି ରୋଟୀରେ ପାଞ୍ଚହଜାର ଲୋକ ଖାଇଲେ ଓ ବଳକା କେତେ ଟୋକେଇ ତୁମେମାନେ ଗୋଟାଇଲ, ତାହା କଅଣ ତୁମମାନଙ୍କର ମନେ ନାହିଁ? 10ପୁଣି, ସାତୋଟି ରୋଟୀରେ ଚାରିହଜାର ଲୋକ ଖାଇଲେ ଓ କେତେ ଟୋକେଇ ତୁମେମାନେ ଗୋଟାଇଲ, ତାହା କଅଣ ତୁମମାନଙ୍କର ମନେ ନାହିଁ? 11ତେବେ, ମୁଁ ଯେ ତୁମ୍ଭମାନଙ୍କୁ ରୋଟୀ ବିଷୟରେ କହୁ ନ ଥିଲି, ଏହା କେମିତି ତୁମେମାନେ ବୁଝିପାରୁ ନାହଁ? କିନ୍ତୁ, ତୁମ୍ଭେମାନେ ଫାରୂଶୀ ଓ ସାଦ୍ଦୂକୀମାନଙ୍କର ଖମିର ପ୍ରତି ସାବଧାନ।” 12ସେତେବେଳେ ସେମାନେ ବୁଝିଲେ ଯେ, ସେ ରୋଟୀରେ ବ୍ୟବହୃତ ଖମିର ବିଷୟରେ କହୁ ନ ଥିଲେ, କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଶିକ୍ଷା ପ୍ରତି ସାବଧାନ ରହିବାକୁ କହୁଥିଲେ।
ଖ୍ରୀଷ୍ଟଙ୍କ ବିଷୟରେ ପିତରଙ୍କ ସ୍ଵକାରୋକ୍ତି
13ଯୀଶୁ କାଇସରିଆ ଫିଲିପି ଅଞ୍ଚଳରେ ପହଞ୍ଚିଲା ପରେ ଶିଷ୍ୟମାନଙ୍କୁ ପଚାରିଲେ, “ମନୁଷ୍ୟପୁତ୍ର କିଏ, ଲୋକେ ଏ ବିଷୟରେ କଅଣ କହନ୍ତି?”
14ସେମାନେ ଉତ୍ତର ଦେଲେ, “କେହି କେହି ଡୁବକ ଯୋହନ, କେହି କେହି ଏଲିୟ, ଆଉ କେହି କେହି ଯିରିମିୟ କିମ୍ବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ ବୋଲି କହନ୍ତି।”
15ସେ ପଚାରିଲେ, “କିନ୍ତୁ ମୁଁ କିଏ, ଏ ବିଷୟରେ ତୁମେମାନେ କଅଣ କହୁଛ?”
16ଶିମୋନ ପିତର ଉତ୍ତର ଦେଲେ, “ଆପଣ ଖ୍ରୀଷ୍ଟ, ନିତ୍ୟଜୀବି ଈଶ୍ୱରଙ୍କ ପୁତ୍ର।”
17ଯୀଶୁ କହିଲେ, “ହେ ଯୂନସ-ପୁତ୍ର ଶିମୋନ, ତୁମେ ଧନ୍ୟ, କାରଣ ଏହା ମନୁଷ୍ୟ ଦ୍ଵାରା ପ୍ରକାଶିତ ହୋଇନାହିଁ, ମାତ୍ର ମୋର ସ୍ଵର୍ଗସ୍ଥପିତାଙ୍କ ଦ୍ଵାରା ତୁମ ନିକଟରେ ପ୍ରକାଶିତ ହୋଇଅଛି। 18ମୁଁ ତୁମକୁ କହୁଅଛି, ତୁମେ ପିତର, ଓ ଏହି ପ୍ରସ୍ତର ଉପରେ ମୁଁ ମୋହର ମଣ୍ଡଳୀ ଗଢ଼ିବି ଓ ନରକର ଶକ୍ତି ତାହାକୁ ପରାଜିତ କରିପାରିବ ନାହିଁ। 19ମୁଁ ତୁମକୁ ସ୍ଵର୍ଗ-ରାଜ୍ୟର ଚାବି ଦେବି। ଏହି ପୃଥିବୀରେ ଯାହାକିଛି ତୁମେ ବନ୍ଦ କରିବ, ତାହା ସ୍ଵର୍ଗରେ ବନ୍ଦ ହୋଇ ରହିବ ଏବଂ ପୃଥିବୀରେ ଯାହାକିଛି ତୁମେ ଖୋଲିବ, ତାହା ସ୍ଵର୍ଗରେ ଖୋଲା ହେବ!” 20ଏହାପରେ ସେ ଯେ ଖ୍ରୀଷ୍ଟ, ଏହା ଅନ୍ୟମାନଙ୍କୁ ନ କହିବା ପାଇଁ ଶିଷ୍ୟମାନଙ୍କୁ ଦୃଢ଼ ଆଦେଶ ଦେଲେ।
ଆପଣା ମୃତ୍ୟୁ ବିଷୟରେ ଯୀଶୁଙ୍କର ଭବିଷ୍ୟଦ୍ବାଣୀ
21ସେହି ସମୟରୁ ଯୀଶୁ ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ ତାଙ୍କୁ ଯିରୂଶାଲମକୁ ଯିବାକୁ ହେବ, ସେଠାରେ କୁଳବୃଦ୍ଧ, ପ୍ରଧାନଯାଜକ ଓ ଶାସ୍ତ୍ରଜ୍ଞମାନଙ୍କ ହାତରେ ଅନେକ ଦୁଃଖଭୋଗ କରିବାକୁ ହେବ ଓ ନିହତ ହୋଇ ତୃତୀୟ ଦିବସରେ ପୁନରୁଜ୍ଜୀବିତ ହେବାକୁ ହେବ।
22ପିତର ତାଙ୍କୁ ଅଲଗା ନେଇଯାଇ ଅନୁଯୋଗ କରି କହିଲେ, “ପ୍ରଭୁ, ଈଶ୍ୱର ଏହା ନ କରନ୍ତୁ। ଏହା ଆପଣଙ୍କ ପ୍ରତି କେବେ ନ ଘଟୁ।”
23ଯୀଶୁ ପିତରଙ୍କ ଆଡ଼କୁ ବୁଲିପଡ଼ି କହିଲେ, “ମୋ ପାଖରୁ ଦୂର ହୁଅ, ଶୟତାନ! ତୁମେ ମୋ ପାଇଁ ବାଧାର କାରଣ ହେଉଅଛ। ତୁମର ଚିନ୍ତାଧାରା ଈଶ୍ୱରଙ୍କର ନୁହେଁ, ମାତ୍ର ମନୁଷ୍ୟର।”
ଶିଷ୍ୟତ୍ଵ ଓ ତ୍ୟାଗ ସ୍ଵକାର
24ତତ୍ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “କେହି ଯେବେ ମୋର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ନିଜକୁ ତ୍ୟାଗ କରୁ ଓ ଆପଣାର କ୍ରୁଶ ବହନ କରି ମୋର ଅନୁଗମନ କରୁ। 25କାରଣ ଯେକେହି ନିଜର ଜୀବନକୁ ଧରି ରିଖିବାକୁ ଚାହେଁ, ସେ ନିଜ ଜୀବନ ହରାଇବ କିନ୍ତୁ ଯେକେହି ମୋ ସକାଶେ ନିଜର ଜୀବନ ହରାଇ ଦେବ, ସେ ଅନନ୍ତଜୀବନ ଲାଭ କରିବ। 26ମନୁଷ୍ୟ ଯଦି ସମଗ୍ର ଜଗତ ଲାଭକରି ନିଜ ଅନ୍ତରାତ୍ମାକୁ ହରାଏ, ତେବେ ସେଥିରେ କି ଲାଭ? କିମ୍ବା, ନିଜ ଅନ୍ତରାତ୍ମା ବଦଳରେ ମନୁଷ୍ୟ କଅଣ ଦେଇପାରେ? 27କାରଣ ମନୁଷ୍ୟପୁତ୍ର ଆପଣା ପିତାଙ୍କ ଗୌରବରେ ଗୌରବାନ୍ୱିତ ହୋଇ ସ୍ଵର୍ଗଦୂତମାନଙ୍କ ସହିତ ଆଗମନ କରିବେ ଏବଂ ସେତେବେଳେ ପ୍ରତ୍ୟେକ ମନୁଷ୍ୟକୁ ସେ ତାହାର କର୍ମ ଅନୁସାରେ ପୁରସ୍କାର ଦେବେ।
28“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ ମଧ୍ୟରୁ ଏଠାରେ ଠିଆ ହୋଇଥିବା କେତେଜଣ, ନିଜ ରାଜ୍ୟରେ ମନୁଷ୍ୟପୁତ୍ରଙ୍କର ଆଗମନ ନ ଦେଖିବା ପର୍ଯ୍ୟନ୍ତ ମୃତ୍ୟୁଭୋଗ କରିବେ ନାହିଁ।”
ନୂତନ ନିୟମ, ଓଡିଆ ସମସାମୟିକ ବାଇବଲ
କପିରାଇଟ୍ © 1998 2025 by Biblica, Inc.
ଅନୁମତି ସହିତ ବ୍ୟବହାରିତ। ସମଗ୍ର ବିଶ୍ୱରେ ସମସ୍ତ ଅଧିକାର ସଞ୍ଚିତ ଅଛି।
New Testament, Odia Contemporary Bible
Copyright © 1998, 2025 by Biblica, Inc.
Used with permission. All rights reserved worldwide.