4
ମରୁପ୍ରାନ୍ତରରେ ଯୀଶୁଙ୍କ ପ୍ରତି ପରୀକ୍ଷା
1ଏଥିଉତ୍ତାରେ ଯୀଶୁ ଶୟତାନଦ୍ଵାରା ପରୀକ୍ଷିତ ହେବାକୁ ପବିତ୍ରଆତ୍ମାଙ୍କ ଦ୍ଵାରା ଚାଳିତ ହୋଇ ମରୁପ୍ରାନ୍ତରକୁ ଗଲେ। 2ସେ ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କରିବାପରେ କ୍ଷୁଧିତ ହେଲେ। 3ତହୁଁ ପ୍ରଲୋଭନକାରୀ ଶୟତାନ ତାହାଙ୍କ ନିକଟକୁ ଆସି କହିଲା, “ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ାକ ରୋଟୀ ହେବାକୁ ଆଜ୍ଞା କର।”
4ଯୀଶୁ ଉତ୍ତର ଦେଲେ, “ଏହା ଲେଖାଅଛି ମନୁଷ୍ୟ କେବଳ ରୋଟୀରେ ବଞ୍ଚେ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖନିଃସୃତ ପ୍ରତ୍ୟେକ ବାକ୍ୟରେ ବଞ୍ଚେ।”
5ତତ୍ପରେ ଶୟତାନ ଯୀଶୁଙ୍କୁ ପୁଣ୍ୟ ନଗରୀକୁ ନେଇ ମନ୍ଦିରର ଶିଖର ଉପରେ ଠିଆ କରାଇଲା। 6ସେ ତାଙ୍କୁ କହିଲା, ତୁମେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏଠାରୁ ତଳକୁ ଡେଇଁପଡ଼, କାରଣ ଏହା ଲେଖାଅଛି,
“ ‘ତୁମ ବିଷୟରେ ଈଶ୍ୱର ଆପଣା ଦୂତମାନଙ୍କୁ ଆଜ୍ଞା ଦେବେ,
ତୁମର ପାଦ ଯେପରି ପଥରରେ ବାଜିବ ନାହିଁ,
ଏଥିପାଇଁ ସେମାନେ ତୁମକୁ ହାତରେ ତୋଳି ଧରିବେ।’ ”
7ଯୀଶୁ ତାକୁ ଉତ୍ତର ଦେଲେ, “ଏହା ମଧ୍ୟ ଲେଖାଅଛି: ‘ତୁମେ ଆପଣା ପ୍ରଭୁ ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ।’ ”
8ଏହାପରେ ଶୟତାନ ତାଙ୍କୁ ଏକ ଅତ୍ୟୁଚ୍ଚ ପର୍ବତ ଉପରକୁ ନେଇଗଲା ଏବଂ ଜଗତର ସକଳ ରାଜ୍ୟ ଓ ସମସ୍ତ ଐଶ୍ୱର୍ଯ୍ୟ ଆଦି ଦେଖାଇଲା। 9ସେ କହିଲା, ତୁମେ ଯେବେ ମୋତେ ଭୂମିଷ୍ଠ ପ୍ରଣାମ ଓ ଆରାଧନା କରିବ ତେବେ ଏସମସ୍ତ “ମୁଁ ତୁମକୁ ଦେବି।”
10ଯୀଶୁ ତାହାକୁ କହିଲେ, “ଦୂର ହ ଶୟତାନ! କାରଣ ଏହା ଲେଖାଅଛି: ତୁମେ ‘ତୁମର ପ୍ରଭୁ ଈଶ୍ୱରଙ୍କ ଆରାଧନା କର, ଓ କେବଳ ତାହାଙ୍କର ସେବା କର।’ ”
11ଏହାପରେ ଶୟତାନ ଯୀଶୁଙ୍କୁ ଛାଡ଼ି ଚାଲିଗଲା, ଏବଂ ସ୍ଵର୍ଗଦୂତମାନେ ଆସି ତାହାଙ୍କର ପରିଚର୍ଯ୍ୟା କଲେ।
ଯୀଶୁଙ୍କ ସେବାକାର୍ଯ୍ୟ ଆରମ୍ଭ ହୁଏ
12ଯୀଶୁ ଯେତେବେଳେ ଯୋହନଙ୍କ କାରାବାସ ସମ୍ବାଦ ଶୁଣିଲେ, ସେତେବେଳେ ସେ ଗାଲିଲୀ ପ୍ରଦେଶକୁ ଫେରିଗଲେ। 13କିନ୍ତୁ ସେ ନାଜରିତ ପରିତ୍ୟାଗ କରି, ଜେବୁଲନ୍, ଓ ନପ୍ତାଲୀ ଅଞ୍ଚଳରେ ଥିବା ହ୍ରଦକୂଳସ୍ଥିତ କଫର୍ନାହୁମରେ ବାସ କଲେ। 14ଏହା ଦ୍ଵାରା ଭାବବାଦୀ ଯିଶାଇୟଙ୍କ ଭବିଷ୍ୟଦ୍ବାଣୀ ସଫଳ ହେଲା:
15“ସମୁଦ୍ରକୁ ଯିବା ପଥରେ ଅବସ୍ଥିତ ଜେବୁଲନ୍ ଓ ନପ୍ତାଲୀ ଦେଶରେ,
ଯର୍ଦ୍ଦନ ନଦୀର ଅପରପାର୍ଶ୍ୱସ୍ଥ ଅଞ୍ଚଳରେ,
ଓ ବିଜାତୀୟମାନେ ବାସ କରୁଥିବା ଗାଲିଲୀ ପ୍ରଦେଶରେ,
16ଯେଉଁ ଲୋକମାନେ ଅନ୍ଧକାରରେ ରହିଥିଲେ
ସେମାନେ ଏକ ମହା ଆଲୋକ ଦେଖିଲେ;
ଯେଉଁମାନେ ମୃତ୍ୟୁଛାୟାବୃତ ରାଜ୍ୟରେ ବାସ କରୁଥିଲେ
ସେମାନଙ୍କ ଉପରେ ଆଲୋକ ଉଦିତ ହେଲା।”
17ସେହି ସମୟରୁ ଯୀଶୁ ପ୍ରଚାର କରିବାକୁ ଆରମ୍ଭ କରି କହିଲେ, “ଅନୁତାପ କର, କାରଣ ସ୍ଵର୍ଗରାଜ୍ୟ ସନ୍ନିକଟ।”
ଯୀଶୁଙ୍କର ପ୍ରଥମ ଶିଷ୍ୟମାନେ
18ଯୀଶୁ ଗାଲିଲୀ ହ୍ରଦକୂଳରେ ଯାଉଥିବା ସମୟରେ, ପିତର ନାମରେ ଖ୍ୟାତ ଶିମୋନ ଓ ତାଙ୍କ ଭାଇ ଆନ୍ଦ୍ରିୟ ଏ ଦୁଇ ଭାଇଙ୍କୁ ଦେଖିଲେ, ସେମାନେ ହ୍ରଦରେ ଜାଲ ପକାଇ ମାଛ ଧରୁଥିଲେ, କାରଣ ସେମାନେ ଧୀବର ଥିଲେ। 19ଯୀଶୁ ସେମାନଙ୍କୁ କହିଲେ, “ଆସ ମୋର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।” 20ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କ ଅନୁଗମନ କଲେ।
21ଆଉ ଟିକିଏ ଆଗକୁ ଯାଇ, ସେ ଆଉ ଦୁଇ ଭାଇଙ୍କୁ, ଅର୍ଥାତ୍ ଜେବଦୀଙ୍କ ପୁତ୍ର ଯାକୁବ ଓ ତାଙ୍କ ଭାଇ ଯୋହନଙ୍କୁ ଦେଖିଲେ। ସେମାନେ ପିତା ଜେବଦୀଙ୍କ ସଙ୍ଗେ ନୌକାରେ ବସି ଜାଲ ସଜାଡୁ ଥିବା ବେଳେ, ଯୀଶୁ ସେମାନଙ୍କୁ ଡାକିଲେ, 22ସେମାନେ ସଙ୍ଗେସଙ୍ଗେ ନୌକାକୁ ଏବଂ ସେମାନଙ୍କର ପିତାଙ୍କୁ ଛାଡ଼ି ତାହାଙ୍କ ପଛେ ପଛେ ଗଲେ।
ଯୀଶୁ ରୋଗୀମାନଙ୍କୁ ସୁସ୍ଥ କରନ୍ତି
23ଯୀଶୁ ସମଗ୍ର ଗାଲିଲୀ ପ୍ରଦେଶରେ ବୁଲି ବୁଲି ସେମାନଙ୍କ ଉପାସନାଗୃହମାନଙ୍କରେ ଶିକ୍ଷା ଦେଲେ, ରାଜ୍ୟ ସମ୍ବନ୍ଧୀୟ ସୁସମାଚାର ପ୍ରଚାର କଲେ, ଓ ଲୋକଙ୍କର ସବୁପ୍ରକାର ରୋଗ ଓ ବ୍ୟାଧି ଆରୋଗ୍ୟ କଲେ। 24ତାହାଙ୍କ ଖ୍ୟାତି ସିରିଆ ଦେଶ ପର୍ଯ୍ୟନ୍ତ ବ୍ୟାପିଗଲା, ତେଣୁ ଲୋକେ ଭୂତାବିଷ୍ଟ, ମୃଗୀ-ରୋଗଗ୍ରସ୍ତ, ପକ୍ଷାଘାତରେ ଆକ୍ରାନ୍ତ, ନାନାଦି ବ୍ୟାଧିରେ ପୀଡ଼ିତ, ଏବଂ ଅତିଶୟ ଯନ୍ତ୍ରଣାରେ ବ୍ୟଥିତ ଲୋକଙ୍କୁ ତାହାଙ୍କ ନିକଟକୁ ଆଣିଲେ; ଓ ସେ ସେମାନଙ୍କୁ ସୁସ୍ଥ କଲେ। 25ପୁଣି, ଗାଲିଲୀ, ଦେକାପଲ୍ଲୀ, ଯିରୂଶାଲମ ଓ ସମଗ୍ର ଯିହୁଦା ପ୍ରଦେଶରୁ, ଏପରିକି ଯର୍ଦ୍ଦନ ନଦୀର ଅପରପାର୍ଶ୍ୱରୁ ବହୁସଂଖ୍ୟକ ଲୋକ ଆସି ତାହାଙ୍କ ପଛେ ପଛେ ଗଲେ।