28
ମୃତ୍ୟୁଞ୍ଜୟୀ ଯୀଶୁ ଖ୍ରୀଷ୍ଟ
1ଶାବତବାର ପରେ, ସପ୍ତାହର ପ୍ରଥମ ଦିବସର ପ୍ରାତଃକାଳରେ ମଗ୍ଦଲିନୀ ମରିୟମ ଓ ଅନ୍ୟ ମରିୟମ କବର ଦେଖିବାକୁ ଗଲେ।
2ସେତେବେଳେ ଏକ ବଡ଼ ଧରଣର ଭୂମିକମ୍ପ ହେଲା, କାରଣ ପ୍ରଭୁଙ୍କର ଜଣେ ଦୂତ ସ୍ଵର୍ଗରୁ ଓହ୍ଲାଇ ଆସି କବର ନିକଟକୁ ଗଲେ ଏବଂ ପଥରଟିକୁ ଗଡ଼ାଇ ଦେଇ ତା ଉପରେ ବସିଲେ 3ତାଙ୍କର ରୂପ ବିଦ୍ୟୁତ୍ର ଆଲୋକ ପରି ଓ ତାଙ୍କର ବସ୍ତ୍ର ତୁଷାର ପରି ଶୁଭ୍ରବର୍ଣ୍ଣ ଥିଲା। 4ତାଙ୍କୁ ଦେଖି ପ୍ରହରୀମାନେ ଭୟରେ ଥରହର ହୋଇ ମୃତବତ୍ ହେଲେ।
5ସ୍ଵର୍ଗଦୂତ ସେହି ନାରୀମାନଙ୍କୁ କହିଲେ, “ଭୟ କର ନାହିଁ। କାରଣ ମୁଁ ଜାଣେ, ତୁମ୍ଭେମାନେ କ୍ରୁଶରେ ହତ ଯୀଶୁଙ୍କୁ ଖୋଜୁଅଛ। 6ସେ ଏଠାରେ ନାହାନ୍ତି! ସେ ଯେପରି କହିଥିଲେ, ସେହିପରି ଉଠିଅଛନ୍ତି। ଆସ, ଯେଉଁଠାରେ ତାଙ୍କୁ ରଖା ଯାଇଥିଲା, ସେହି ସ୍ଥାନ ଦେଖ। 7ତା ‘ପରେ ଶୀଘ୍ର ଯାଇ ତାଙ୍କ ଶିଷ୍ୟମାନଙ୍କୁ ଏହା କୁହ, ସେ ମୃତମାନଙ୍କ ମଧ୍ୟରୁ ଉଠିଛନ୍ତି ଓ ତୁମ ଆଗେ ଆଗେ ଗାଲିଲୀକୁ ଯାଉଛନ୍ତି। ସେଠାରେ ତୁମ୍ଭେମାନେ ତାଙ୍କର ଦେଖାପାଇବ।’ ଦେଖ, ମୁଁ ତୁମ୍ଭମାନଙ୍କୁ ଜଣାଇ ଦେଲି।”
8ସେହି ନାରୀମାନେ ସମାଧି ନିକଟରୁ ଶୀଘ୍ର ବାହାରିଗଲେ ସେମାନେ ଭୟଭୀତ ହୋଇଥିଲେ ସୁଦ୍ଧା ଆନନ୍ଦରେ ପୂର୍ଣ୍ଣ ହୋଇ ଶିଷ୍ୟମାନଙ୍କୁ କହିବା ପାଇଁ ଦୌଡ଼ିଲେ 9ହଠାତ୍ ଯୀଶୁ ସେମାନଙ୍କୁ ଭେଟି କହିଲେ, “ତୁମ୍ଭମାନଙ୍କର ମଙ୍ଗଳ ହେଉ!” ସେମାନେ ପାଖକୁ ଯାଇ ତାହାଙ୍କର ଚରଣ ଧରି ନମସ୍କାର କଲେ 10ତହୁଁ ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ! ଯାଅ ଓ ମୋର ଭାଇମାନଙ୍କୁ ଗାଲିଲୀକୁ ଯିବା ପାଇଁ କୁହ ସେଠାରେ ସେମାନେ ମୋର ଦର୍ଶନ ପାଇବେ।”
11ସେହି ନାରୀମାନେ ଯାଉଥିଲା ବେଳେ ପ୍ରହରୀମାନଙ୍କ ମଧ୍ୟରୁ କେତେଜଣ ନଗରକୁ ଯାଇ ପ୍ରଧାନ ଯାଜକମାନଙ୍କୁ ସମସ୍ତ ଘଟଣା ଜଣାଇଲେ। 12ପ୍ରଧାନ ଯାଜକମାନେ କୁଳବୃଦ୍ଧମାନଙ୍କ ସହ ସାକ୍ଷାତ କରି ଗୋଟିଏ କୌଶଳ କଲେ, ସେମାନେ ପ୍ରହରୀମାନଙ୍କୁ ପ୍ରଚୁର ଅର୍ଥ ଦେଲେ 13ପୁଣି, ସେମାନଙ୍କୁ କହିଲେ, “ତୁମେମାନେ ଏହି କଥା କହିବ ଆମେ ରାତିରେ ଶୋଇପଡ଼ିଥିବା ସମୟରେ ତାଙ୍କ ଶିଷ୍ୟମାନେ ଆସି ତାଙ୍କୁ ଚୋରି କରି ନେଇଗଲେ 14ଏ କଥା ଯଦି ରାଜ୍ୟପାଳ ଶୁଣିବାକୁ ପାଆନ୍ତି, ତେବେ ଆମେ ତାଙ୍କୁ ବୁଝାଇ ଦେବୁ ଓ ତୁମ୍ଭମାନଙ୍କୁ ବିପଦରୁ ରକ୍ଷା କରିବୁ।” 15ଅତଏବ ପ୍ରହରୀମାନେ ଟଙ୍କା ନେଇ ସେମାନଙ୍କୁ ଯେପରି ନିର୍ଦ୍ଦେଶ ଦିଆଯାଇଥିଲା, ସେହିପରି କଲେ, ଏହି କାହାଣୀ ଯିହୁଦିମାନଙ୍କ ମଧ୍ୟରେ ଆଜିଯାଏ ପ୍ରଚାରିତ ହେଉଛି।
ଏକ ମହାନ୍ ଆଦେଶ
16ତତ୍ପରେ ଏଗାର ଜଣ ଶିଷ୍ୟ ଗାଲିଲୀକୁ ଯାତ୍ରା କରି ଯୀଶୁ ସେମାନଙ୍କୁ କହିଥିବା ପର୍ବତରେ ପହଞ୍ଚିଲେ 17ସେମାନେ ତାହାଙ୍କୁ ଦେଖି ତାଙ୍କର ବନ୍ଦନା କଲେ କିନ୍ତୁ କେହି କେହି ସନ୍ଦେହରେ ପଡ଼ିଲେ! 18ତହୁଁ ଯୀଶୁ ସେମାନଙ୍କ ନିକଟକୁ ଯାଇ କହିଲେ, “ସ୍ଵର୍ଗ ଓ ମର୍ତ୍ତ୍ୟର ସମସ୍ତ କର୍ତ୍ତୃତ୍ଵ ମୋତେ ଦତ୍ତ ହୋଇଅଛି। 19ତେଣୁ ତୁମେ ଯାଇ ସବୁ ଜାତିର ଲୋକମାନଙ୍କୁ ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ଡୁବନ ଦେଇ ସେମାନଙ୍କୁ ଶିଷ୍ୟ କର, 20ପୁଣି, ମୁଁ ତୁମ୍ଭମାନଙ୍କୁ ଯେଉଁସବୁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ସେମାନଙ୍କୁ ଶିକ୍ଷା ଦିଅ। ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସହିତ ଅଛି।”