24
ମନ୍ଦିରର ବିନାଶ ଓ ଅନ୍ତିମକାଳର ଚିହ୍ନସମୂହ
1ଯୀଶୁ ମନ୍ଦିରରୁ ବାହାରି ଯାଉଥିବା ସମୟରେ ଶିଷ୍ୟମାନେ ଆସି ତାହାର ଅଟ୍ଟାଳିକାଗୁଡ଼ିକ ପ୍ରତି ତାଙ୍କର ଦୃଷ୍ଟି ଆକର୍ଷଣ କଲେ 2ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏହିସବୁ କଅଣ ଦେଖୁଅଛ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହିଠାରେ ଗୋଟିଏ ପଥର ସୁଦ୍ଧା ଅନ୍ୟ ପଥର ଉପରେ ରହିବ ନାହିଁ, ପ୍ରତ୍ୟେକଟି ଭୂମିସାତ୍ ହେବ।”
3ଯୀଶୁ ଜୀତ ପର୍ବତ ଉପରେ ବସିଥିବା ବେଳେ ଶିଷ୍ୟମାନେ ତାଙ୍କ ନିକଟକୁ ଆସି ଏକାନ୍ତରେ ପଚାରିଲେ, “ଆମକୁ କହନ୍ତୁ, ଏହିସବୁ କେବେ ଘଟିବ? ଆପଣଙ୍କ ଆଗମନ ଓ ଯୁଗାନ୍ତ କାଳର ଚିହ୍ନ କଅଣ?”
ଦାରୁଣ ନିର୍ଯ୍ୟାତନା ସମୟ ଆସିବ
4ଯୀଶୁ ସେମାନଙ୍କୁ କହିଲେ, “ସତର୍କ ଥାଅ! କେହି ତୁମ୍ଭମାନଙ୍କୁ ବିଭ୍ରାନ୍ତ ନ କରୁ। 5କାରଣ ଅନେକେ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି ଦାବୀ କରିବେ ଓ ଅନେକଙ୍କୁ ବିଭ୍ରାନ୍ତ କରିବେ। 6ତୁମେମାନେ ଯୁଦ୍ଧର ସମ୍ବାଦ ଓ ଯୁଦ୍ଧ, ବିଗ୍ରହର ଜନରବ ଶୁଣିବ, ମାତ୍ର ତଦ୍ଦ୍ୱାରା ଯେପରି ଶଙ୍କିତ ହେବ ନାହିଁ, ସେଥିପ୍ରତି ଦୃଷ୍ଟି ଦେବ। ଏସମସ୍ତ ଅବଶ୍ୟ ଘଟିବ, ତଥାପି ତାହା ଅନ୍ତିମକାଳ ନୁହେଁ। 7ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ ଏବଂ ନାନା ସ୍ଥାନରେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। 8ଏସମସ୍ତ ପ୍ରସବବେଦନାର ଆରମ୍ଭ ମାତ୍ର।
9“ନିର୍ଯ୍ୟାତନା ଓ ବଧ କରିବା ପାଇଁ ତୁମ୍ଭମାନଙ୍କୁ ଧରାଇ ଦିଆଯିବ ଏବଂ ମୋ ନାମ ସକାଶେ ତୁମ୍ଭେମାନେ ସବୁ ଜାତି ଦ୍ଵାରା ଘୃଣିତ ହେବ। 10ସେତେବେଳେ ଅନେକେ ବିଶ୍ୱାସ ପଥରୁ ବିଚ୍ୟୁତ ହୋଇ ପରସ୍ପରକୁ ଘୃଣା କରିବେ ଓ ପରସ୍ପର ପ୍ରତି ବିଶ୍ୱାସଘାତକତା କରିବେ। 11ଅନେକ ଭଣ୍ଡ ଭାବବାଦୀ ଦେଖାଦେବେ ଓ ବହୁଲୋକଙ୍କୁ ବିଭ୍ରାନ୍ତ କରିବେ। 12ଅଧର୍ମର ବୃଦ୍ଧି ହେବା ସକାଶେ ଅନେକଙ୍କର ପ୍ରେମ ଶିଥିଳ ହୋଇବ। 13ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଅଟଳ ରହିବ, ସେ ପରିତ୍ରାଣ ପାଇବ। 14ସର୍ବଜାତି ନିକଟରେ ଏକ ସାକ୍ଷ୍ୟ ସ୍ଵରୂପେ, ରାଜ୍ୟର ଏହି ସୁସମାଚାର ସମଗ୍ର ଜଗତରେ ପ୍ରଚାର କରାଯିବ। ତା ପରେ ଆସିବ ଅନ୍ତିମକାଳ।
15“ଅତଏବ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାବବାଦୀଙ୍କ ଉକ୍ତ ସେହି ବିଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ ପୁଣ୍ୟଧାମରେ ଅଧିଷ୍ଠିତ ଦେଖିବ, ଏହାର ଅର୍ଥ ପାଠକେ ବୁଝନ୍ତୁ 16ସେତେବେଳେ ଯେଉଁମାନେ ଯିହୁଦା ପ୍ରଦେଶରେ ଥିବେ, ସେମାନେ ପର୍ବତମାଳାକୁ ପଳାନ୍ତୁ। 17ଯେ ନିଜ ଘର ଛାତ ଉପରେ ଥିବ, ସେ ଘର ଭିତରୁ କିଛି ନେବା ପାଇଁ ତଳକୁ ଓହ୍ଲାଇ ନ ଆସୁ। 18ଯେ କ୍ଷେତରେ ଥିବ, ସେ ପୋଷାକ ଆଣିବା ପାଇଁ ଫେରି ନ ଯାଉ। 19ସେହି ସମୟରେ ଗର୍ଭବତୀ ସ୍ତ୍ରୀ ଓ ସ୍ତନ୍ୟଦାତ୍ରୀ ମାତାମାନଙ୍କର ଦଶା କି ଭୟାନକ ନ ହେବ! 20ପ୍ରାର୍ଥନା କର, ଯେପରି ତୁମର ପଳାୟନ ସମୟ ଶୀତକାଳରେ କିମ୍ବା ଶାବତବାରରେ ନ ହୁଏ। 21କାରଣ ସେହି ସମୟରେ ଯେଉଁ ଦାରୁଣ କ୍ଳେଶ ଆସିବ, ତାହା ଜଗତର ଆରମ୍ଭରୁ ଆଜିଯାଏ କେବେ ହୋଇନାହିଁ, କିମ୍ବା ଆଉ କେବେ ହେବ ନାହିଁ।
22“ସେହି ଦିନଗୁଡ଼ିକ ଯଦି ଊଣା କରାଯାଇ ନ ଥାଆନ୍ତା, ତେବେ କେହି ଉଦ୍ଧାର ପାଆନ୍ତା ନାହିଁ, କିନ୍ତୁ ମନୋନୀତ ଲୋକଙ୍କ ସକାଶେ ସେହି ଦିନଗୁଡ଼ିକ ଊଣା କରାହେବ। 23ସେତେବେଳେ କେହି ଯେବେ ତୁମକୁ କହେ, ‘ଦେଖ, ଖ୍ରୀଷ୍ଟ ଏ ସ୍ଥାନରେ ଅଛନ୍ତି,’ କିମ୍ବା ‘ସେ ସ୍ଥାନରେ ଅଛନ୍ତି,’ ତେବେ ତାହା ବିଶ୍ୱାସ କର ନାହିଁ। 24କାରଣ ବହୁ ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭାବବାଦୀମାନେ ବାହାରିବେ ଏବଂ ଏପରି ମହା ମହା ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମମାନ ଦେଖାଇବେ ଯେ, ଯଦି ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବା ସମ୍ଭବପର ହୁଅନ୍ତା, ତା ହେଲେ ସେମାନେ ତାହା କରନ୍ତେ! 25ଦେଖ, ମୁଁ ତୁମକୁ ପୂର୍ବରୁ ଜଣାଇ ଦେଲି।
26“ଅତଏବ କେହି ଯଦି ତୁମକୁ କହେ, ‘ଦେଖ, ସେ ମରୁପ୍ରାନ୍ତରରେ ଅଛନ୍ତି,’ ତେବେ ସେଠାକୁ ଯାଅ ନାହିଁ କିମ୍ବା ଯଦି କହେ, ‘ସେ ଏଠାରେ ଭିତର କୋଠରିରେ ଅଛନ୍ତି,’ ତାହା ବିଶ୍ୱାସ କର ନାହିଁ! 27କାରଣ ବିଜୁଳି ଯେପରି ପୂର୍ବଦିଗରୁ ପଶ୍ଚିମଦିଗ ପର୍ଯ୍ୟନ୍ତ ଝଲସି ଉଠେ, ମନୁଷ୍ୟପୁତ୍ରଙ୍କର ପୁନଃ ଆଗମନ ସେହିପରି ହେବ। 28ଯେଉଁଠାରେ ମଢା ପଡ଼ିଥାଏ, ସାଗୁଣାମାନେ ସେହିଠାରେ ରୁଣ୍ଢ ହେବେ।
29“ସେହି ସମୟର କ୍ଳେଶ ପରେ ପରେ
“ ‘ସୂର୍ଯ୍ୟ ଅନ୍ଧକାରାଚ୍ଛନ୍ନ ହେବ ଓ
ଚନ୍ଦ୍ର ଆଲୋକ ଦେବ ନାହିଁ।
ତାରାସବୁ ଆକାଶରୁ ଖସି ପଡ଼ିବେ।
ଏବଂ ମହାକାଶର ଜ୍ୟୋତିଷ୍କସମୂହ ଟଳମଳ ହେବେ।’
30“ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କ ଚିହ୍ନ ଦେଖାଯିବ ଏବଂ ପୃଥିବୀର ସବୁ ଜାତି ମହା ବିଳାପ କରିବେ। ସେମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମ ଓ ମହା ଗୌରବରେ ଆକାଶର ମେଘମାଳାରେ ଆସିବାର ଦେଖିବେ। 31ପୁଣି, ସେ ତାଙ୍କର ଦୂତମାନଙ୍କୁ ଉଚ୍ଚ ତୂରୀନାଦ ସହ ପଠାଇବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କ ମନୋନୀତ ଲୋକମାନଙ୍କୁ ସଂଗ୍ରହ କରିବେ।
32“ଡିମ୍ବିରି ଗଛରୁ ଏହି ଶିକ୍ଷା ଗ୍ରହଣ କର: ଯେତେବେଳେ ତାହାର ସରସ ଡାଳରୁ ପତ୍ର କଅଁଳିବାକୁ ଆରମ୍ଭ କରେ, ସେତେବେଳେ ଗ୍ରୀଷ୍ମକାଳ ଆସିଲାଣି ବୋଲି ତୁମେ ଜାଣିପାର। 33ଠିକ ସେହିପରି, ଏସମସ୍ତ ଦେଖିଲେ, ତୁମେ ଜାଣିବ ଯେ, ସେ ନିକଟବର୍ତ୍ତୀ, ଏପରିକି ଦ୍ଵାର ନିକଟରେ ଉପସ୍ଥିତ। 34ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ଜାତି କୌଣସିମତେ ଲୋପ ପାଇବ ନାହିଁ। 35ଆକାଶ ଓ ପୃଥିବୀ ଲୋପ ପାଇବ, କିନ୍ତୁ ମୋହର ବାକ୍ୟସବୁ କେବେ ଲୋପ ପାଇବ ନାହିଁ।
ସେହିଦିନ ଓ ସମୟ ଅଜଣା ଅଟେ
36“ସେହିଦିନ କି ସେହି ସମୟ କେହି ଜାଣେ ନାହିଁ, ଏପରିକି ସ୍ଵର୍ଗଦୂତମାନେ, କିମ୍ବା ପୁତ୍ର ମଧ୍ୟ ଜାଣନ୍ତି ନାହିଁ କେବଳ ପିତା ଜାଣନ୍ତି। 37ନୋହଙ୍କ ସମୟରେ ଯେପରି ହୋଇଥିଲା, ମନୁଷ୍ୟପୁତ୍ରଙ୍କ ଆଗମନ ସମୟରେ ଠିକ ସେହିପରି ହେବ। 38କାରଣ ଜଳପ୍ଳାବନର ପୂର୍ବରୁ ନୋହ ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଭୋଜନପାନ, ବିବାହ କରିବା ଓ ବିବାହ ଦେବାରେ ମାତି ରହିଥିଲେ 39ଜଳପ୍ଳାବନ ଆସି ସମସ୍ତଙ୍କୁ ଭସାଇ ନେବା ପର୍ଯ୍ୟନ୍ତ କଅଣ ଘଟିବ, ସେମାନେ ଜାଣି ନ ଥିଲେ ମନୁଷ୍ୟପୁତ୍ରଙ୍କ ଆଗମନ ସମୟରେ ସେହିପ୍ରକାର ହେବ। 40ସେତେବେଳେ ଦୁଇଜଣ କ୍ଷେତରେ ଥିବେ, ଜଣକୁ ନିଆଯିବ, ଅନ୍ୟ ଜଣକ ପରିତ୍ୟକ୍ତ ହେବ। 41ଦୁଇଜଣ ସ୍ତ୍ରୀ ଚକି ପେଷୁଥିବେ, ଜଣକୁ ନିଆ ହେବ, ଅନ୍ୟ ଜଣକ ପରିତ୍ୟକ୍ତ ହେବ।
42“ତେଣୁ ସତର୍କ ଥାଅ, କାରଣ ତୁମର ପ୍ରଭୁ କେଉଁ ଦିନ ଆସିବେ, ତାହା ତୁମେ ଜାଣ ନାହିଁ। 43କିନ୍ତୁ ଏହା ଜାଣିଥାଅ, ରାତ୍ରିର କେଉଁ ସମୟରେ ଚୋର ଆସିବ, ଏହା ଯଦି ଗୃହକର୍ତ୍ତା ଜାଣି ପାରନ୍ତେ, ତେବେ ସେ ଜାଗି ରହି ଚୋରକୁ ଘରେ ପଶିବାକୁ ଦିଅନ୍ତେ ନାହିଁ। 44ତେଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ଥାଅ, କାରଣ ଯେଉଁ ସମୟରେ ତୁମେ ମନୁଷ୍ୟପୁତ୍ରଙ୍କୁ ଅପେକ୍ଷା କରୁ ନ ଥିବ, ସେହି ସମୟରେ ସେ ଆସିବେ।
45“କିଏ ତା ହେଲେ ବୁଦ୍ଧିମାନ ଓ ବିଶ୍ୱସ୍ତ ଦାସ, ଯାହାକୁ କର୍ତ୍ତା ତାଙ୍କ ଘରର ଦାସମାନଙ୍କୁ ଯଥା ସମୟରେ ଖାଦ୍ୟ ଦେବା ଦାୟିତ୍ଵ ଦେଇଛନ୍ତି? 46କର୍ତ୍ତା ଫେରି ଆସିବା ସମୟରେ ନିଜର ଯେଉଁ ଦାସକୁ ସେହି କାର୍ଯ୍ୟ କରୁଥିବା ଦେଖିବେ, ତାହାର ମଙ୍ଗଳ ହେବ। 47ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ସେ ତାହାକୁ ତାଙ୍କର ସର୍ବସ୍ଵ ଉପରେ ଦାୟିତ୍ଵ ଦେବେ। 48କିନ୍ତୁ ମନେକର, ସେହି ଦାସ ଦୁରାଚାରୀ ଓ ସେ ମନେ ମନେ କହିବ, ମୋର କର୍ତ୍ତା ବହୁକାଳ ବାହାରେ ରହିବେ 49ପୁଣି ସେ ଅନ୍ୟ ଦାସମାନଙ୍କୁ ମାରପିଟ କରିବାକୁ ଏବଂ ମଦ୍ୟପମାନଙ୍କ ସଙ୍ଗେ ଭୋଜନପାନ କରିବାକୁ ଆରମ୍ଭ କରିବ। 50ଯେଉଁଦିନ ସେ ତାଙ୍କୁ ଅପେକ୍ଷା କରୁ ନ ଥିବ ଓ ଯେଉଁ ସମୟ ସେ ଜାଣି ନ ଥିବ, ଏପରି ଦିନ ଓ ଏପରି ସମୟରେ ସେହି ଦାସର କର୍ତ୍ତା ଆସି ପହଞ୍ଚିଯିବେ। 51ସେ ତାକୁ କଠୋର ପ୍ରହାର କରି କପଟାଚାରୀମାନଙ୍କ ମଧ୍ୟରେ ସ୍ଥାନ ଦେବେ, ଯେଉଁଠାରେ କ୍ରନ୍ଦନ ଓ ଦନ୍ତର କିଡ଼ିମିଡ଼ି ହେବ।