ଯାତ୍ରା ପୁସ୍ତକ 7
7
1ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭକୁ ଫାରୋ ନିକଟରେ ପରମେଶ୍ୱର ତୁଲ୍ୟ କରି ନିଯୁକ୍ତ କଲୁ ଓ ତୁମ୍ଭ ଭ୍ରାତା ହାରୋଣ ତୁମ୍ଭର ଭବିଷ୍ୟଦ୍ବକ୍ତା ହେବ। 2ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରିବା, ତାହାସବୁ ତୁମ୍ଭେ କହିବ; ପୁଣି, ତୁମ୍ଭ ଭ୍ରାତା ହାରୋଣ ଇସ୍ରାଏଲ-ସନ୍ତାନଗଣକୁ ଆପଣା ଦେଶରୁ ଛାଡ଼ି ଯିବାକୁ ଫାରୋଙ୍କୁ କହିବ। 3ଆଉ, ଆମ୍ଭେ ଫାରୋର ହୃଦୟ କଠିନ କରିବା, ପୁଣି, ମିସର ଦେଶରେ ଆମ୍ଭର ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ବହୁସଂଖ୍ୟକ କରିବା। 4ତଥାପି ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ; ଏହେତୁ ଆମ୍ଭେ ମିସର ଦେଶ ଉପରେ ଆପଣା ହସ୍ତ ଥୋଇ ମହାଦଣ୍ଡ ଦ୍ୱାରା ମିସରଠାରୁ ଆପଣା ସୈନ୍ୟସାମନ୍ତ, ଆମ୍ଭର ଲୋକ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା। 5ପୁଣି, ଆମ୍ଭେ ମିସର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କ ମଧ୍ୟରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା ବେଳେ ଆମ୍ଭେ ଯେ ସଦାପ୍ରଭୁ, ତାହା ସେମାନେ ଜାଣିବେ।”
6ଏଥିଉତ୍ତାରେ ମୋଶା ଓ ହାରୋଣ ସେହିରୂପ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ କର୍ମ କଲେ। 7ଫାରୋଙ୍କ ସଙ୍ଗରେ କଥୋପକଥନ କରିବା ବେଳେ ମୋଶାଙ୍କୁ ଅଶୀ ଓ ହାରୋଣଙ୍କୁ ତେୟାଅଶୀ ବର୍ଷ ହୋଇଥିଲା।
ହାରୋଣଙ୍କ ଯଷ୍ଟି
8ଆଉ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 9“ତୁମ୍ଭେମାନେ ଆପଣାମାନଙ୍କ ପାଇଁ ‘କୌଣସି ଚିହ୍ନ ଦେଖାଅ’ ବୋଲି ଯଦି ଫାରୋ ତୁମ୍ଭମାନଙ୍କୁ କହିବ, ତେବେ ତୁମ୍ଭେ ହାରୋଣକୁ କହିବ, ‘ତୁମ୍ଭର ଯଷ୍ଟି ନେଇ ଫାରୋ ଅଗ୍ରତେ ତଳେ ପକାଅ; ତହିଁରେ ସେହି ଯଷ୍ଟି ସର୍ପ ହେବ।’” 10ତହୁଁ ମୋଶା ଓ ହାରୋଣ ଫାରୋଙ୍କ ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ କର୍ମ କଲେ; ପୁଣି, ହାରୋଣ, ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ଆପଣା ଯଷ୍ଟି ତଳେ ପକାନ୍ତେ, ତାହା ସର୍ପ ହେଲା।
11ତେବେ ଫାରୋ ଆପଣା ପଣ୍ଡିତ ଓ ଗୁଣିଆମାନଙ୍କୁ ଡାକିଲେ; ତହିଁରେ ମିସରୀୟ ମନ୍ତ୍ରଜ୍ଞମାନେ ମଧ୍ୟ ଆପଣାମାନଙ୍କ ମାୟାରେ ସେହିପରି କଲେ। 12ଅର୍ଥାତ୍, ସେମାନେ ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ପକାନ୍ତେ, ସେଗୁଡ଼ିକ ସର୍ପ ହେଲା; ମାତ୍ର ହାରୋଣଙ୍କ ଯଷ୍ଟି ସେମାନଙ୍କର ସମସ୍ତ ଯଷ୍ଟିକୁ ଗ୍ରାସ କଲା। 13ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ।
ପ୍ରଥମ ଦଣ୍ଡ - ରକ୍ତ
14ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋର ହୃଦୟ କଠିନ ହୋଇଅଛି, ସେ ଲୋକମାନଙ୍କୁ ଯିବାକୁ ଦେବା ପାଇଁ ମନା କରୁଅଛି। 15ଏହେତୁ ତୁମ୍ଭେ ପ୍ରଭାତରେ ଫାରୋ ନିକଟକୁ ଯାଅ; ଦେଖ, ସେ ଜଳ ଆଡ଼େ ଗଲେ, ତୁମ୍ଭେ ତାହା ସହିତ ସାକ୍ଷାତ କରିବାକୁ ନୀଳ ନଦୀ ତୀରରେ ଠିଆ ହୁଅ; ଯେଉଁ ଯଷ୍ଟି ସର୍ପ ହୋଇଥିଲା, ତାହା ମଧ୍ୟ ହସ୍ତରେ ନିଅ। 16ପୁଣି, ଫାରୋକୁ କୁହ, ‘ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ୱର ମୋତେ ତୁମ୍ଭ ନିକଟକୁ ପଠାଇ କହିଲେ, ତୁମ୍ଭେ ଆମ୍ଭ ଲୋକମାନଙ୍କୁ ପ୍ରାନ୍ତରରେ ସେବା କରିବାକୁ ଛାଡ଼ିଦିଅ; ମାତ୍ର ଦେଖ, ତୁମ୍ଭେ ଏପର୍ଯ୍ୟନ୍ତ ଏହି କଥାରେ ମନୋଯୋଗ କରି ନାହଁ। 17ସଦାପ୍ରଭୁ ଏହି ପ୍ରକାରେ କହୁଅଛନ୍ତି, ଆମ୍ଭେ ଯେ ସଦାପ୍ରଭୁ, ତାହା ତୁମ୍ଭେ ଏତଦ୍ଦ୍ୱାରା ଜ୍ଞାତ ହେବ; ଦେଖ, ଆମ୍ଭେ ଆପଣା ହସ୍ତସ୍ଥିତ ଏହି ଯଷ୍ଟି ଦ୍ୱାରା ନଦୀର ଜଳ ଉପରେ ପ୍ରହାର କରିବା, ତହିଁରେ ତାହା ରକ୍ତ ହୋଇଯିବ। 18ପୁଣି, ନଦୀରେ ଥିବା ମତ୍ସ୍ୟସକଳ ମରିଯିବେ ଓ ନଦୀ ଦୁର୍ଗନ୍ଧ ହେବ; ତହିଁରେ ମିସରୀୟ ଲୋକମାନେ ନଦୀର ଜଳ ପାନ କରିବାକୁ ଘୃଣା କରିବେ।’”
19ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ ଏହି କଥା କୁହ, ‘ତୁମ୍ଭେ ଆପଣା ଯଷ୍ଟି ଘେନି ମିସର ଦେଶୀୟ ଜଳ ଉପରେ, ଅର୍ଥାତ୍, ତହିଁର ନଦୀ, ନାଳ, ପୁଷ୍କରିଣୀ ଓ ଜଳାଶୟ, ଏସମସ୍ତ ଉପରେ ଆପଣା ହସ୍ତ ବିସ୍ତାର କର, ତହିଁରେ ସମସ୍ତ ଜଳ ରକ୍ତ ହେବ; ପୁଣି, ମିସର ଦେଶର ସର୍ବତ୍ର କାଷ୍ଠ ପାତ୍ର ଓ ପ୍ରସ୍ତର ପାତ୍ରରେ ହେଁ ରକ୍ତ ହେବ।’”
20ତହୁଁ ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେହି ପ୍ରକାର କଲେ; ସେ ଯଷ୍ଟି ଘେନି ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ନଦୀର ଜଳ ଉପରେ ପ୍ରହାର କଲେ; ତହିଁରେ ସମୁଦାୟ ନଦୀର ଜଳ ରକ୍ତ ହୋଇଗଲା। 21ପୁଣି, ନଦୀର ସମସ୍ତ ମତ୍ସ୍ୟ ମଲେ ଓ ନଦୀ ଦୁର୍ଗନ୍ଧ ହେଲା, ତହିଁରେ ମିସରୀୟମାନେ ନଦୀର ଜଳ ପାନ କରି ପାରିଲେ ନାହିଁ; ମିସର ଦେଶର ସର୍ବତ୍ର ରକ୍ତ ହେଲା। 22ସେତେବେଳେ ମିସରୀୟ ମନ୍ତ୍ରଜ୍ଞମାନେ ହେଁ ଆପଣାମାନଙ୍କ ମାୟାରେ ସେହିପରି କଲେ; ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ।
23ଏଥିଉତ୍ତାରେ ଫାରୋ ମୁଖ ଫେରାଇ ଆପଣା ଗୃହକୁ ଗଲେ, ଏଥିରେ ଆପଣା ମନ ଦେଲେ ନାହିଁ। 24ପୁଣି, ସମସ୍ତ ମିସରୀୟ ଲୋକେ ନଦୀର ଜଳ ପାନ କରି ନ ପାରିବାରୁ ପିଇବା ଜଳ ନିମନ୍ତେ ନଦୀର ଚାରିଆଡ଼େ ଖୋଳିଲେ। 25ସଦାପ୍ରଭୁ ନଦୀକୁ ଆଘାତ କଲା ଉତ୍ତାରେ ସାତ ଦିନ ସମ୍ପୂର୍ଣ୍ଣ ହେଲା।
Currently Selected:
ଯାତ୍ରା ପୁସ୍ତକ 7: IRVOry
Highlight
Share
Copy
Want to have your highlights saved across all your devices? Sign up or sign in
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.