୧ କରିନ୍ଥୀୟ 10
10
ଇସ୍ରାଏଲର ଇତିହାସରୁ ଚେତାବନୀ
1କାରଣ, ହେ ଭାଇମାନେ, ଆମ୍ଭମାନଙ୍କ ପିତୃ-ପୁରୁଷ ସମସ୍ତେ ମେଘ ତଳେ ଥିଲେ, 2ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ, ପୁଣି, ସମସ୍ତେ ମେଘ ଓ ସମୁଦ୍ରରେ ମୋଶାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ, 3ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ 4ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ (ଯେଣୁ ସେମାନେ ସେମାନଙ୍କ ଅନୁବର୍ତ୍ତୀ ପାରମାର୍ଥିକ ଶୈଳରୁ ପାନ କରୁଥିଲେ, ଆଉ ସେହି ଶୈଳ ଖ୍ରୀଷ୍ଟ), 5ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶଠାରେ ଈଶ୍ବରଙ୍କ ସନ୍ତୋଷ ନ ଥିଲା, ତେଣୁ ସେମାନେ ପ୍ରାନ୍ତରରେ ମଲେ, ଏସମସ୍ତ କଥା ଯେ ତୁମ୍ଭେମାନେ ଅଜ୍ଞାତ ଥାଅ, ଏହା ମୋହର ଇଚ୍ଛା ନୁହେଁ। 6ସେମାନେ ଯେପ୍ରକାର ମନ୍ଦ ବିଷୟରେ ଅଭିଳାଷୀ ହୋଇଥିଲେ, ଆମ୍ଭେମାନେ ଯେପରି ସେପ୍ରକାରେ ଅଭିଳାଷୀ ନ ହେଉ, ଏଥିନିମନ୍ତେ ଏହି ସମସ୍ତ ବିଷୟ ଆମ୍ଭମାନଙ୍କ ପକ୍ଷରେ ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛି। 7ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରତିମାପୂଜକ ହେଲେ, ସେପରି ତୁମ୍ଭେମାନେ ପ୍ରତିମାପୂଜକ ହୁଅ ନାହିଁ; ଯେପରି ଲେଖାଅଛି, “ଲୋକମାନେ ଭୋଜନପାନ କରିବାକୁ ବସିଲେ, ଆଉ ନୃତ୍ୟ କରିବାକୁ ଉଠିଲେ।” 8ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି ଏକ ଦିନରେ ତେଇଶ ହଜାର ମରିଗଲେ, ସେପରି ଆମ୍ଭେମାନେ ବ୍ୟଭିଚାର ନ କରୁ। 9ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ, ସେପରି ଆମ୍ଭେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ। 10ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ୱାରା ବିନଷ୍ଟ ହେଲେ, ସେପରି ତୁମ୍ଭେମାନେ ବଚସା କର ନାହିଁ। 11ଏହି ସମସ୍ତ ଦୃଷ୍ଟାନ୍ତ ସ୍ୱରୂପେ ସେମାନଙ୍କ ପ୍ରତି ଘଟିଲା, ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତ କାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭେମାନେ, ଆମ୍ଭମାନଙ୍କ ଚେତନା ନିମନ୍ତେ ସେହିସବୁ ଲେଖାଯାଇଅଛି। 12ଏଣୁ ଯେ ଆପଣାକୁ ସ୍ଥିର ବୋଲି ମନେ କରେ, ସେ ଯେପରି ପତିତ ନ ହୁଏ, ଏଥିନିମନ୍ତେ ସେ ସାବଧାନ ହେଉ। 13ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ; କିନ୍ତୁ ଈଶ୍ବର ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରିପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ।
ପ୍ରତିମାପୂଜା ବିରୁଦ୍ଧରେ ଚେତାବନୀ
14ଅତଏବ, ହେ ମୋହର ପ୍ରିୟମାନେ, ପ୍ରତିମାପୂଜାରୁ ପଳାୟନ କର। 15ମୁଁ ବୁଦ୍ଧିମାନ ଲୋକଙ୍କୁ କହିଲା ପରି କହୁଅଛି; ମୁଁ ଯାହା କହୁଅଛି, ତାହା ତୁମ୍ଭେମାନେ ନିଜେ ବିଚାର କର। 16ଯେଉଁ ଆଶୀର୍ବାଦର ପାତ୍ରକୁ ଆମ୍ଭେମାନେ ଆଶୀର୍ବାଦ କରୁ, ତାହା କି ଖ୍ରୀଷ୍ଟଙ୍କ ରକ୍ତର ସହଭାଗିତା ନୁହେଁ? ଯେଉଁ ରୁଟି ଆମ୍ଭେମାନେ ଭାଙ୍ଗୁ, ତାହା କି ଖ୍ରୀଷ୍ଟଙ୍କ ଶରୀରର ସହଭାଗିତା ନୁହେଁ? 17କାରଣ ରୁଟି ଏକ ହେବାରୁ ଆମ୍ଭେମାନେ ଅନେକ ହେଲେ ହେଁ ଏକ ଶରୀର ସ୍ୱରୂପ, ଯେଣୁ ଆମ୍ଭେମାନେ ସମସ୍ତେ ସେହି ଏକ ରୁଟିର ଅଂଶୀ। 18ଶାରୀରିକ ଜନ୍ମାନୁସାରେ ଯେଉଁମାନେ ଇସ୍ରାଏଲ ଲୋକ, ସେମାନଙ୍କୁ ଦେଖ; ଯେଉଁମାନେ ବଳିମାଂସ ଭୋଜନ କରନ୍ତି, ସେମାନେ କି ବେଦିର ସହଭାଗୀ ନୁହଁନ୍ତି? 19ତେବେ ଦେବପ୍ରସାଦ ବୋଲି ଯେ କିଛି ଅଛି ବା ପ୍ରତିମା ବୋଲି ଯେ କିଛି ଅଛି, ଏହା କି ମୁଁ କହୁଅଛି? 20ନା, କିନ୍ତୁ ମୁଁ କହୁଅଛି ଯେ, ଯାହା ଯାହା ଅଣଯିହୁଦୀମାନେ ବଳି ରୂପେ ଉତ୍ସର୍ଗ କରନ୍ତି, ସେହିସବୁ ସେମାନେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ନ କରି ଭୂତମାନଙ୍କ ଉଦ୍ଦେଶ୍ୟରେ କରନ୍ତି। ଆଉ, ତୁମ୍ଭେମାନେ ଯେ ଭୂତମାନଙ୍କ ସହଭାଗୀ ହୁଅ, ଏହା ମୋହର ଇଚ୍ଛା ନୁହେଁ। 21ତୁମ୍ଭେମାନେ ପ୍ରଭୁଙ୍କ ପାନପାତ୍ର ଓ ଭୂତମାନଙ୍କ ପାନପାତ୍ର ଉଭୟରେ ପାନ କରିପାର ନାହିଁ; ତୁମ୍ଭେମାନେ ପ୍ରଭୁଙ୍କ ମେଜ ଓ ଭୂତମାନଙ୍କ ମେଜ ଉଭୟର ଅଂଶୀ ହୋଇପାର ନାହିଁ। 22ଅଥବା ଆମ୍ଭେମାନେ କଅଣ ପ୍ରଭୁଙ୍କୁ ବିରକ୍ତି ଜନ୍ମାଇବା? ଆମ୍ଭେମାନେ କି ତାହାଙ୍କଠାରୁ ବଳବାନ?
ସମସ୍ତ ବିଷୟର କାରଣ-ଈଶ୍ବରଙ୍କ ଗୌରବ
23ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ। ସମସ୍ତ ବିଷୟ ସାଧନ କରିବାକୁ ସ୍ୱାଧୀନତା ଅଛି, କିନ୍ତୁ ସମସ୍ତ ବିଷୟରୁ ନିଷ୍ଠା ଜାତ ହୁଏ ନାହିଁ। 24କେହି ନିଜର ସ୍ୱାର୍ଥ ଚେଷ୍ଟା ନ କରୁ, ମାତ୍ର ପ୍ରତ୍ୟେକ ଜଣ ଅନ୍ୟର ମଙ୍ଗଳ ଚେଷ୍ଟା କରୁ। 25ବଜାରରେ ଯାହା ବିକ୍ରୟ ହୁଏ, ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର, 26କାରଣ ପୃଥିବୀ ଓ ସେଥିରେ ଥିବା ସମସ୍ତ ବିଷୟ ପ୍ରଭୁଙ୍କର। 27ଅବିଶ୍ୱାସୀମାନଙ୍କ ମଧ୍ୟରୁ କେହି ଯଦି ତୁମ୍ଭମାନଙ୍କୁ ନିମନ୍ତ୍ରଣ କରେ, ଆଉ ତୁମ୍ଭେମାନେ ଯିବାକୁ ଇଚ୍ଛା କର, ତେବେ ଯାହା କିଛି ତୁମ୍ଭମାନଙ୍କୁ ପରିବେଷଣ କରାଯାଏ, ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର। 28କିନ୍ତୁ କେହି ଯଦି ତୁମ୍ଭମାନଙ୍କୁ କହେ, ଏହା ବଳି ସ୍ୱରୂପେ ଉତ୍ସର୍ଗୀକୃତ ହୋଇଅଛି, ତେବେ ଯେ ଏହା ଜଣାଇଲା, ତାହାର ସକାଶେ ଓ ବିବେକ ସକାଶେ ତାହା ଭୋଜନ କର ନାହିଁ; 29ତୁମ୍ଭ ନିଜ ବିବେକ ସକାଶେ ବୋଲି ମୁଁ କହୁ ନାହିଁ, ମାତ୍ର ତାହାର ବିବେକ ସକାଶେ। ମୋହର ସ୍ୱାଧୀନତା କାହିଁକି ଅନ୍ୟର ବିବେକ ଦ୍ୱାରା ବିଚାରିତ ହୁଏ? 30ଯଦି ମୁଁ ଧନ୍ୟବାଦ ଦେଇ ଭୋଜନ କରେ, ତେବେ ଯାହା ନିମନ୍ତେ ଧନ୍ୟବାଦ ଦିଏ, ତାହା ନିମନ୍ତେ ନିନ୍ଦିତ ହୁଏ କାହିଁକି? 31ଅତଏବ, ତୁମ୍ଭେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ବରଙ୍କ ଗୌରବ ନିମନ୍ତେ ସବୁ କର। 32ଯିହୁଦୀ ବା ଗ୍ରୀକ୍ ବା ଈଶ୍ବରଙ୍କ ମଣ୍ଡଳୀ, କାହାରି ଝୁଣ୍ଟିବାର କାରଣ ହୁଅ ନାହିଁ, 33ଯେପରି ମୁଁ ମଧ୍ୟ ମୋହର ସ୍ୱାର୍ଥ ଚେଷ୍ଟା ନ କରି ଅନେକଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ମଙ୍ଗଳ ଚେଷ୍ଟା କରେ, ପୁଣି, ସବୁ ବିଷୟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଯତ୍ନ କରେ।
Currently Selected:
୧ କରିନ୍ଥୀୟ 10: IRVOry
Highlight
Copy
Compare
Share
Want to have your highlights saved across all your devices? Sign up or sign in
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.