YouVersion Logo
Search Icon

ଯାତ୍ରା ପୁସ୍ତକ 7

7
1ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭକୁ ଫାରୋ ନିକଟରେ ପରମେଶ୍ଵର ତୁଲ୍ୟ କରି ନିଯୁକ୍ତ କଲୁ ଓ ତୁମ୍ଭ ଭ୍ରାତା ହାରୋଣ ତୁମ୍ଭର ଭବିଷ୍ୟଦ୍ବକ୍ତା ହେବ।
2ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରିବା, ତାହା ସବୁ ତୁମ୍ଭେ କହିବ; ପୁଣି ଫାରୋ ଇସ୍ରାଏଲ-ସନ୍ତାନଗଣକୁ ଆପଣା ଦେଶରୁ ଛାଡ଼ି ଦେବା ପାଇଁ ତୁମ୍ଭ ଭ୍ରାତା ହାରୋଣ ତାହାକୁ କହିବ।
3ଆଉ, ଆମ୍ଭେ ଫାରୋର ହୃଦୟ କଠିନ କରିବା, ପୁଣି ମିସର ଦେଶରେ ଆମ୍ଭର ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ବହୁସଂଖ୍ୟକ କରିବା।
4ତଥାପି ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ; ଏହେତୁ ଆମ୍ଭେ ମିସର ଦେଶ ଉପରେ ଆପଣା ହସ୍ତ ଥୋଇ ମହାଦଣ୍ତ ଦ୍ଵାରା ମିସରଠାରୁ ଆପଣା ସୈନ୍ୟସାମନ୍ତ, ଆମ୍ଭର ଲୋକ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା।
5ପୁଣି ଆମ୍ଭେ ମିସର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିସେମାନଙ୍କ ମଧ୍ୟରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା ବେଳେ ଆମ୍ଭେ ଯେ ସଦାପ୍ରଭୁ, ତାହା ସେମାନେ ଜାଣିବେ।
6ଅନନ୍ତର ମୋଶା ଓ ହାରୋଣ ସେହିରୂପ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ କର୍ମ କଲେ।
7ଫାରୋଙ୍କ ସଙ୍ଗରେ କଥୋପକଥନ କରିବା ବେଳେ ମୋଶାଙ୍କୁ ଅଶୀଓ ହାରୋଣଙ୍କୁ ତେୟାଶୀ ବର୍ଷ ବୟସ ହୋଇଥିଲା।
ହାରୋଣଙ୍କ ଯଷ୍ଟି
8ଆଉ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
9ତୁମ୍ଭେମାନେ ଆପଣାମାନଙ୍କ ପାଇଁ କୌଣସି ଚିହ୍ନ ଦେଖାଅବୋଲି ଯେବେ ଫାରୋ ତୁମ୍ଭମାନଙ୍କୁ କହିବ, ତେବେ ତୁମ୍ଭେ ହାରୋଣକୁ କହିବ, ତୁମ୍ଭର ଯଷ୍ଟି ନେଇ ଫାରୋ ଅଗ୍ରତେ ତଳେ ପକାଅ; ତହିଁରେ ସେହି ଯଷ୍ଟି ସର୍ପ ହେବ।
10ତହୁଁ ମୋଶା ଓ ହାରୋଣ ଫାରୋଙ୍କ ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞାପ୍ରମାଣେ କର୍ମ କଲେ; ପୁଣି ହାରୋଣ, ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ଆପଣା ଯଷ୍ଟି ତଳେ ପକାନ୍ତେ, ତାହା ସର୍ପ ହେଲା।
11ତେବେ ଫାରୋ ଆପଣା ପଣ୍ତିତ ଓ ଗୁଣିଆ-ମାନଙ୍କୁ ଡାକିଲେ; ତହିଁରେ ମିସ୍ରୀୟ ମନ୍ତ୍ରଜ୍ଞମାନେ ମଧ୍ୟ ଆପଣାମାନଙ୍କ ମାୟାରେ ସେହିପରି କଲେ।
12ଅର୍ଥାତ୍, ସେମାନେ ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ପକାନ୍ତେ, ସେଗୁଡ଼ିକ ସର୍ପ ହେଲା; ମାତ୍ର ହାରୋଣଙ୍କ ଯଷ୍ଟି ସେମାନଙ୍କର ସମସ୍ତ ଯଷ୍ଟିକୁ ଗ୍ରାସ କଲା।
13ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ।
ପ୍ରଥମ ଦଣ୍ତ - ରକ୍ତ
14ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଫାରୋର ହୃଦୟ ଭାରୀ ହୋଇଅଛି, ସେ ଲୋକମାନଙ୍କୁ ଛାଡ଼ି ଦେବାକୁ ନାସ୍ତି କରୁଅଛି।
15ଏହେତୁ ତୁମ୍ଭେ ପ୍ରଭାତରେ ଫାରୋ ନିକଟକୁ ଯାଅ; ଦେଖ, ସେ ଜଳ ଆଡ଼େ ଗଲେ, ତୁମ୍ଭେ ତାହା ସହିତ ସାକ୍ଷାତ କରିବାକୁ ନଦୀ ତୀରରେ ଠିଆ ହୁଅ; ଯେଉଁ ଯଷ୍ଟି ସର୍ପ ହୋଇଥିଲା, ତାହା ମଧ୍ୟ ହସ୍ତରେ ନିଅ।
16ପୁଣି ଫାରୋକୁ କୁହ, ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ଵର ମୋତେ ତୁମ୍ଭ ନିକଟକୁ ପଠାଇ କହିଲେ, ତୁମ୍ଭେ ଆମ୍ଭ ଲୋକମାନଙ୍କୁ ପ୍ରାନ୍ତରରେ ସେବା କରିବାକୁ ଛାଡ଼ି ଦିଅ; ମାତ୍ର ଦେଖ, ତୁମ୍ଭେ ଏପର୍ଯ୍ୟନ୍ତ ଏହି କଥାରେ ମନୋଯୋଗ କରି ନାହଁ।
17ସଦାପ୍ରଭୁ ଏହି ପ୍ରକାରେ କହୁଅଛନ୍ତି, ଆମ୍ଭେ ଯେ ସଦାପ୍ରଭୁ, ତାହା ତୁମ୍ଭେ ଏତଦ୍ଦ୍ଵାରା ଜ୍ଞାତ ହେବ; ଦେଖ, ଆମ୍ଭେ ଆପଣା ହସ୍ତସ୍ଥିତ ଏହି ଯଷ୍ଟି ଦ୍ଵାରା ନଦୀର ଜଳ ଉପରେ ପ୍ରହାର କରିବା, ତହିଁରେ ତାହା ରକ୍ତ ହୋଇଯିବ।
18ପୁଣି ନଦୀରେ ଥିବା ମତ୍ସ୍ୟସକଳ ମରିଯିବେ ଓ ନଦୀ ଦୁର୍ଗନ୍ଧ ହେବ; ତହିଁରେ ମିସ୍ରୀୟ ଲୋକମାନେ ନଦୀଜଳ ପାନ କରିବାକୁ ଘୃଣା କରିବେ।
19ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ହାରୋଣକୁ ଏହି କଥା କୁହ, ତୁମ୍ଭେ ଆପଣା ଯଷ୍ଟି ଘେନି ମିସରଦେଶୀୟ ଜଳ ଉପରେ, ଅର୍ଥାତ୍, ତହିଁର ନଦୀ, ନାଳ, ପୁଷ୍କରିଣୀ ଓ ଜଳାଶୟ, ଏସମସ୍ତ ଉପରେ ଆପଣା ହସ୍ତ ବିସ୍ତାର କର, ତହିଁରେ ସମସ୍ତ ଜଳ ରକ୍ତ ହେବ; ପୁଣି ମିସର ଦେଶର ସର୍ବତ୍ର କାଷ୍ଠ ପାତ୍ର ଓ ପ୍ରସ୍ତର ପାତ୍ରରେ ହେଁ ରକ୍ତ ହେବ।
20ତହୁଁ ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେହି ପ୍ରକାର କଲେ; ସେ ଯଷ୍ଟି ଘେନି ଫାରୋ ଓ ତାଙ୍କର ଦାସମାନଙ୍କ ସମ୍ମୁଖରେ ନଦୀଜଳ ଉପରେ ପ୍ରହାର କଲେ; ତହିଁରେ ସମୁଦାୟ ନଦୀଜଳ ରକ୍ତ ହୋଇଗଲା।
21ପୁଣି ନଦୀର ସମସ୍ତ ମତ୍ସ୍ୟ ମଲେ ଓ ନଦୀ ଦୁର୍ଗନ୍ଧ ହେଲା, ତହିଁରେ ମିସ୍ରୀୟମାନେ ନଦୀଜଳ ପାନ କରି ପାରିଲେ ନାହିଁ; ମିସର ଦେଶର ସର୍ବତ୍ର ରକ୍ତ ହେଲା।
22ସେତେବେଳେ ମିସ୍ରୀୟ ମନ୍ତ୍ରଜ୍ଞମାନେ ହେଁ ଆପଣାମାନଙ୍କ ମାୟାରେ ସେହିପରି କଲେ; ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ।
23ଅନନ୍ତର ଫାରୋ ମୁଖ ଫେରାଇ ଆପଣା ଗୃହକୁ ଗଲେ, ଏଥିରେ ଆପଣା ମନ ଦେଲେ ନାହିଁ।
24ପୁଣି ସମସ୍ତ ମିସ୍ରୀୟ ଲୋକେ ନଦୀଜଳ ପାନ କରି ନ ପାରିବାରୁ ପିଇବା ଜଳ ନିମନ୍ତେ ନଦୀର ଚାରିଆଡ଼େ ଖୋଳିଲେ।
25ସଦାପ୍ରଭୁ ନଦୀକି ଆଘାତ କଲା ଉତ୍ତାରେ ସାତଦିନ ସମ୍ପୂର୍ଣ୍ଣ ହେଲ।।

Highlight

Share

Copy

None

Want to have your highlights saved across all your devices? Sign up or sign in