YouVersion Logo
Search Icon

ଯାତ୍ରା ପୁସ୍ତକ 5

5
ମିସର ରାଜାଙ୍କ ସମ୍ମୁଖରେ ମୋଶା ଓ ହାରୋଣ
1ଅନନ୍ତର ମୋଶା ଓ ହାରୋଣ ପ୍ରବେଶ କରି ଫାରୋଙ୍କୁ କହିଲେ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ଵର କହନ୍ତି, ପ୍ରାନ୍ତରରେ ଆମ୍ଭ ଉଦ୍ଦେଶ୍ୟରେ ଉତ୍ସବ କରିବାକୁ ଆମ୍ଭ ଲୋକମାନଙ୍କୁ ଛାଡ଼ି ଦିଅ।
2ତହିଁରେ ଫାରୋ କହିଲେ, ସଦାପ୍ରଭୁ କିଏ, ଯେ ଆମ୍ଭେ ତାହାର କଥା ମାନି ଇସ୍ରାଏଲକୁ ଛାଡ଼ି ଦେବୁ? ଆମ୍ଭେ ସଦାପ୍ରଭୁକୁ ଚିହ୍ନି ନାହୁଁ ଓ ଇସ୍ରାଏଲକୁ ଛାଡ଼ି ଦେବୁ ନାହିଁ।
3ସେମାନେ କହିଲେ, ଏବ୍ରୀୟମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ଦର୍ଶନ ଦେଇଅଛନ୍ତି; ଏଣୁ ଆମ୍ଭେମାନେ ବିନୟ କରୁଅଛୁ, ସଦାପ୍ରଭୁ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରାନ୍ତରରେ ତିନି ଦିନର ପଥ ଯିବାକୁ ଦେଉନ୍ତୁ; ନୋହିଲେ ସେ ଆମ୍ଭମାନଙ୍କୁ ମହାମାରୀରେ କିମ୍ଵା ଖଡ଼୍‍ଗ ଦ୍ଵାରା ଆକ୍ରମଣ କରିବେ।
4ତହୁଁ ମିସରର ରାଜା ସେମାନଙ୍କୁ କହିଲେ, ହେ ମୋଶା ଓ ହାରୋଣ, ତୁମ୍ଭେମାନେ ଲୋକମାନଙ୍କୁ କାହିଁକି କାର୍ଯ୍ୟରୁ ନିବୃତ୍ତ କରୁଅଛ? ତୁମ୍ଭେମାନେ ଆପଣା ଆପଣା ଭାରବହନ କର୍ମରେ ଯାଅ।
5ଫାରୋ ଆହୁରି କହିଲେ, ଦେଖ, ଏବେ ଏ ଦେଶରେ ଏହି ଲୋକ ଅନେକ, ପୁଣି ତୁମ୍ଭେମାନେ ସେମାନଙ୍କୁ ଭାର ବହିବାରୁ ନିବୃତ୍ତ କରୁଅଛ।
6ଆଉ ଫାରୋ ସେହି ଦିନ ଲୋକମାନଙ୍କ କାର୍ଯ୍ୟଶାସକ ଓ ଅଧ୍ୟକ୍ଷମାନଙ୍କୁ ଏହି ଆଜ୍ଞା ଦେଲେ,
7ତୁମ୍ଭେମାନେ ଇଷ୍ଟକାଦି ନିର୍ମାଣ ନିମିତ୍ତ ପୂର୍ବ ପରି ଏହି ଲୋକମାନଙ୍କୁ ଆଉ ପାଳ ଦିଅ ନାର୍ହିଁ; ସେମାନେ ଯାଇ ଆପଣା ନିମନ୍ତେ ପାଳ ସଂଗ୍ରହ କରନ୍ତୁ।
8ପୁଣି ପୂର୍ବରେ ସେମାନଙ୍କ ଉପରେ ଯେତେ ଇଷ୍ଟକ ନିର୍ମାଣର ଭାର ଥିଲା, ଏବେ ସେହି ଭାର ଦିଅ; ତହିଁରୁ କିଛିମାତ୍ର ଊଣା କର ନାହିଁ; ଯେହେତୁ ସେମାନେ ଅଳସୁଆ; ଏଣୁ ଆମ୍ଭମାନଙ୍କୁ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଛାଡ଼ି ଦିଅ ବୋଲି ଡକା ପକାଉ ଅଛନ୍ତି;
9ଏହେତୁ ଏମାନେ କାର୍ଯ୍ୟ ଭାରରେ ଭାରାକ୍ରା; ହୋଇ ତହିଁରେ ବ୍ୟସ୍ତ ଥାʼନ୍ତୁ; ମିଥ୍ୟା କଥାରେ ଅବଧାନ ନ କରନ୍ତୁ।
10ତହିଁ ଉତ୍ତାରୁ ଲୋକମାନଙ୍କ କାର୍ଯ୍ୟଶାସକ ଓ ଅଧ୍ୟକ୍ଷଗଣ ବାହାରେ ଯାଇ ସେମାନଙ୍କୁ କହିଲେ, ଫାରୋ ଏହି କଥା କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ଆଉ ପାଳ ଦେବୁ ନାହିଁ।
11ତୁମ୍ଭେମାନେ ଯେଉଁଠାରେ ପାଅ, ସେହିଠାକୁ ଯାଇ ପାଳ ସମ୍ପାଦ; ମାତ୍ର ତୁମ୍ଭମାନଙ୍କର କାର୍ଯ୍ୟ କିଛି ଊଣା ହେବ ନାହିଁ।
12ତହିଁରେ ଲୋକମାନେ ପାଳ ବଦଳେ କୁଟା ସମ୍ପାଦିବାକୁ ସମସ୍ତ ମିସର ଦେଶରେ ଛିନ୍ନଭିନ୍ନ ହୋଇଗଲେ।
13ତଥାପି କାର୍ଯ୍ୟଶାସକମାନେ ତ୍ଵରା କରାଇ କହିଲେ, ପାଳ ପାଇବା ବେଳେ ଯେପରି ତୁମ୍ଭେମାନେ କର୍ମ କରୁଥିଲ, ସେପରି ଏବେ ମଧ୍ୟ ନିରୂପିତ ଦୈନିକ କର୍ମ ପ୍ରତିଦିନ ସମ୍ପୂର୍ଣ୍ଣ କର।
14ଫାରୋଙ୍କର କାର୍ଯ୍ୟଶାସକମାନେ ଇସ୍ରାଏଲବଂଶୀୟ ଯେଉଁ କାର୍ଯ୍ୟାଧ୍ୟକ୍ଷମାନଙ୍କୁ ରଖିଥିଲେ; ସେମାନଙ୍କୁ ପ୍ରହାର କରି କହିଲେ, ତୁମ୍ଭେମାନେ ପୂର୍ବ ପରି ଇଟା ବନାଇବାର ନିରୂପିତ କର୍ମ କାହିଁକି ଆଜିକାଲି ସମ୍ପୂର୍ଣ୍ଣ କରୁ ନାହଁ?
15ତହିଁରେ ଇସ୍ରାଏଲବଂଶୀୟ କାର୍ଯ୍ୟାଧ୍ୟକ୍ଷମାନେ ଆସି ଫାରୋଙ୍କ ନିକଟରେ କ୍ରନ୍ଦନ କରି କହିଲେ, ଆପଣ କାହିଁକି ଆପଣା ଦାସମାନଙ୍କ ସହିତ ଏପରି ବ୍ୟବହାର କରୁଅଛନ୍ତି?
16ଆପଣଙ୍କ ଦାସମାନଙ୍କୁ ପାଳ ଦିଆଯାଏ ନାହିଁ, ତଥାପି ସେମାନେ କହନ୍ତି, ଇଟା ବନାଅ; ଆଉ ଦେଖନ୍ତୁ, ଆପଣଙ୍କ ଦାସମାନେ ପ୍ରହାରିତ ହୁଅନ୍ତି, ମାତ୍ର ଦୋଷ ଆପଣଙ୍କ ନିଜ ଲୋକଙ୍କର।
17ତହୁଁ ସେ କହିଲେ, ତୁମ୍ଭେମାନେ ଅଳସୁଆ, ଖାଲି ଅଳସୁଆ, ଏଥିପାଇଁ କହୁଛ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆମ୍ଭମାନଙ୍କୁ ଛାଡ଼ି ଦିଅ।
18ଏବେ ଯାଅ, କର୍ମ କର, ତୁମ୍ଭମାନଙ୍କୁ ପାଳ ଦିଆଯିବ ନାହିଁ, ତଥାପି ତୁମ୍ଭମାନଙ୍କୁ ଇଟାର ସମ୍ପୂର୍ଣ୍ଣ ସଂଖ୍ୟା ଦେବାକୁ ହେବ।
19ତହିଁରେ ତୁମ୍ଭମାନଙ୍କ ଦୈନିକ ନିରୂପିତ ଇଷ୍ଟକରୁ କିଛି ଊଣା ହେବ ନାହିଁ; ଏହି କଥାରେ ଇସ୍ରାଏଲବଂଶୀୟ କାର୍ଯ୍ୟାଧ୍ୟକ୍ଷମାନେ ଦେଖିଲେ ଯେ, ସେମାନଙ୍କ ଦଶା ଅମଙ୍ଗଳସୂଚକ।
20ଅନନ୍ତର ସେମାନେ ଫାରୋଙ୍କ ନିକଟରୁ ଆସିବା ବେଳେ ମୋଶା ଓ ହାରୋଣଙ୍କ ସାକ୍ଷାତ ପାଇଲେ, ସେମାନେ ପଥରେ ଠିଆ ହୋଇଥିଲେ;
21ଏଣୁ ସେମାନଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୃଷ୍ଟି କରି ବିଚାର କରନ୍ତୁ; ଯେହେତୁ ତୁମ୍ଭେମାନେ ଫାରୋ ଓ ତାଙ୍କର ଦାସମାନଙ୍କ ସାକ୍ଷାତରେ ଆମ୍ଭମାନଙ୍କର ସୁଗନ୍ଧକୁ ଦୁର୍ଗନ୍ଧ କରି ଆମ୍ଭମାନଙ୍କ ହତ୍ୟା ନିମିତ୍ତ ସେମାନଙ୍କ ହସ୍ତରେ ଖଡ଼୍‍ଗ ଦେଲ।
22ଅନନ୍ତର ମୋଶା ସଦାପ୍ରଭୁଙ୍କ ନିକଟକୁ ଫେରିଯାଇ କହିଲେ, ହେ ପ୍ରଭୋ, ତୁମ୍ଭେ ଏହି ଲୋକମାନଙ୍କର ଅମଙ୍ଗଳ କାହିଁକି କଲ? ମୋତେ ବା ପଠାଇଲ କାହିଁକି?
23କାରଣ ଯେଉଁ ଦିନାବଧି ମୁଁ ତୁମ୍ଭ ନାମରେ କଥା କହିବା ପାଇଁ ଫାରୋଙ୍କ ନିକଟକୁ ଆସିଲି, ସେହି ଦିନାବଧି ସେ ଏହି ଲୋକମାନଙ୍କର ଅମଙ୍ଗଳ କରୁଅଛନ୍ତି, ପୁଣି ତୁମ୍ଭେ ଆପଣା ଲୋକମାନଙ୍କର କିଛିମାତ୍ର ଉଦ୍ଧାର କରିନାହଁ।

Highlight

Share

Copy

None

Want to have your highlights saved across all your devices? Sign up or sign in