YouVersion Logo
Search Icon

ଯାତ୍ରା ପୁସ୍ତକ 14

14
ସୁଫ ସାଗର ଅତିକ୍ରମ
1ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
2ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ଫେରି ପୀହହୀରୋତର ପୂର୍ବ ଦିଗରେ ମିଗ୍ଦୋଲ ଓ ସମୁଦ୍ର ମଧ୍ୟରେ ଛାଉଣି ସ୍ଥାପନ କର; ତୁମ୍ଭେମାନେ ବାଲସଫୋନ ଆଗରେ, ଅର୍ଥାତ୍, ତାହାର ସମ୍ମୁଖରେ ସମୁଦ୍ର ନିକଟରେ ଛାଉଣି ସ୍ଥାପନ କର।
3ତହିଁରେ ଫାରୋ ଇସ୍ରାଏଲ-ସନ୍ତାନଗଣ ବିଷୟରେ କହିବ, ସେମାନେ ଦେଶ ମଧ୍ୟରେ ଧନ୍ଦଳା ହୋଇ ରହିଅଛନ୍ତି ଓ ପ୍ରାନ୍ତର ସେମାନଙ୍କ ପଥ ରୁଦ୍ଧ କରିଅଛି।
4ଆଉ, ଆମ୍ଭେ ଫାରୋର ହୃଦୟ କଠିନ କରିବା, ତହିଁରେ ସେ ସେମାନଙ୍କ ପଛେ ପଛେ ଦୌଡ଼ିବ; ପୁଣି ଆମ୍ଭେ ଫାରୋ ଓ ତାହାର ସକଳ ସୈନ୍ୟ ଦ୍ଵାରା ସମ୍ଭ୍ରମ ପାଇବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ମିସ୍ରୀୟ ଲୋକମାନେ ଜାଣିବେ। ତହୁଁ ସେମାନେ ସେହିପରି କଲେ।
5ଅନନ୍ତର ଲୋକମାନେ ପଳାଇ ଅଛନ୍ତି, ଏହି ସମ୍ଵାଦ ମିସ୍ରୀୟ ରାଜାଙ୍କୁ ଜଣାଯାଆନ୍ତେ, ଲୋକମାନଙ୍କ ବିଷୟରେ ଫାରୋଙ୍କର ଓ ତାଙ୍କର ଦାସମାନଙ୍କ ଅନ୍ତଃକରଣ ପରିବର୍ତ୍ତିତ ହେଲା; ତହୁଁ ସେମାନେ କହିଲେ, ଆମ୍ଭେମାନେ ଏ କି କର୍ମ କଲୁ? କାହିଁକି ଇସ୍ରାଏଲକୁ ଆପଣାମାନଙ୍କ ଦାସତ୍ଵରୁ ଛାଡ଼ି ଦେଲୁ?
6ତହୁଁ ରାଜା ଆପଣା ରଥ ପ୍ରସ୍ତୁତ କରାଇଲେ ଓ ଆପଣା ଲୋକମାନଙ୍କୁ ସଙ୍ଗରେ ନେଲେ।
7ପୁଣି ଛଅଶହ ବଚ୍ଛା ରଥଓ ମିସ୍ରୀୟମାନଙ୍କର ସମସ୍ତ ରଥ ଓ ପ୍ରତ୍ୟେକ ରଥରେ ଯୋଦ୍ଧାମାନଙ୍କୁ ନେଲେ।
8ଆଉ ସଦାପ୍ରଭୁ ମିସ୍ରୀୟ ରାଜା ଫାରୋଙ୍କର ହୃଦୟ କଠିନ କରନ୍ତେ, ସେ ଇସ୍ରାଏଲ-ସନ୍ତାନଗଣର ପଛେ ପଛେ ଗୋଡ଼ାଇଲେ; ସେତେବେଳେ ଇସ୍ରାଏଲ-ସନ୍ତାନମାନେ ଊର୍ଦ୍ଧ୍ଵ ହସ୍ତରେ ଯାତ୍ରା କରୁଥିଲେ
9ତହୁଁ ମିସ୍ରୀୟମାନେ, ଅର୍ଥାତ୍, ଫାରୋଙ୍କର ସମସ୍ତ ଅଶ୍ଵ ଓ ରଥ ଓ ଅଶ୍ଵାରୂଢ଼ ସୈନ୍ୟଗଣ ସେମାନଙ୍କ ପଛେ ପଛେ ଦୌଡ଼ି ବାଲସଫୋନ ଅଗ୍ରତେ ପୀହହୀରୋତ ନିକଟରେ ସମୁଦ୍ର ତୀରରେ ସେମାନେ ଛାଉଣି କରିବା ସମୟରେ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ।
10ଆଉ ଫାରୋ ନିକଟବର୍ତ୍ତୀ ହୁଅନ୍ତେ, ଇସ୍ରାଏଲ-ସନ୍ତାନଗଣ ଅନାଇ ଆପଣାମାନଙ୍କ ପଶ୍ଚାତ୍ ପଶ୍ଚାତ୍ ଆଗମନକାରୀ ମିସ୍ରୀୟମାନଙ୍କୁ ଦେଖି ଅତିଶୟ ଭୀତ ହେଲେ, ପୁଣି ଇସ୍ରାଏଲ-ସନ୍ତାନମାନେ ସଦାପ୍ରଭୁଙ୍କୁ ଡାକ ପକାଇଲେ।
11ପୁଣି ମୋଶାଙ୍କୁ କହିଲେ, ମିସରରେ କବର ନ ଥିଲା ବୋଲି କି ପ୍ରାନ୍ତରରେ ତୁମ୍ଭେ ଆମ୍ଭମାନଙ୍କୁ ମାରିବାକୁ ଆଣିଲ? ଆମ୍ଭମାନଙ୍କ ସଙ୍ଗରେ ଏରୂପ ବ୍ୟବହାର କରି ଆମ୍ଭମାନଙ୍କୁ ମିସରରୁ କାହିଁକି ବାହାର କରି ଆଣିଲ?
12ଆମ୍ଭମାନଙ୍କୁ ରହିବାକୁ ଦିଅ, ଆମ୍ଭେମାନେ ମିସ୍ରୀୟମାନଙ୍କର ଦାସ୍ୟକର୍ମ କରିବା, କାରଣ ପ୍ରାନ୍ତରରେ ମରିବା ଅପେକ୍ଷା ମିସ୍ରୀୟମାନଙ୍କର ସେବା କରିବା ଆମ୍ଭମାନଙ୍କର ମଙ୍ଗଳ, ଆମ୍ଭେମାନେ କି ମିସରରେ ତୁମ୍ଭଙ୍କୁ ଏହି କଥା କହି ନ ଥିଲୁ?
13ତହୁଁ ମୋଶା ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ଭୟ କର ନାହିଁ, ସୁସ୍ଥିର ହୁଅ; ସଦାପ୍ରଭୁ ଆଜି କିପ୍ରକାରେ ତୁମ୍ଭମାନଙ୍କୁ ଉଦ୍ଧାର କରିବେ, ତାହା ଦେଖ; ତୁମ୍ଭେମାନେ ଆଜି ଯେପରି ମିସ୍ରୀୟମାନଙ୍କୁ ଦେଖୁଅଛ, ସେପରି ଅନ; କାଳଯାଏ ଆଉ କେବେ ଦେଖିବ ନାହିଁ।
14ପରମେଶ୍ଵର ତୁମ୍ଭମାନଙ୍କ ନିମନ୍ତେ ଯୁଦ୍ଧ କରିବେ, ତୁମ୍ଭେମାନେ ନିରବ ରହିବ।
15ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆମ୍ଭଙ୍କୁ କାହିଁକି ଡାକୁଅଛ? ଇସ୍ରାଏଲ-ସନ୍ତାନଗଣକୁ କୁହ, ସେମାନେ ଅଗ୍ରସର ହେଉନ୍ତୁ।
16ପୁଣି ତୁମ୍ଭେ ଆପଣା ଯଷ୍ଟି ଉଠାଅ ଓ ସମୁଦ୍ର ଉପରେ ହସ୍ତ ବିସ୍ତାର କରି ତାହା ଦୁଇ ଭାଗ କର; ତହିଁରେ ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ପ୍ରବେଶ କରିବେ।
17ପୁଣି ଆମ୍ଭେ, ଦେଖ, ଆମ୍ଭେ ମିସ୍ରୀୟମାନଙ୍କ ହୃଦୟ କଠିନ କରନ୍ତେ, ସେମାନେ ସେମାନଙ୍କ ପଛେ ପଛେ ଯିବେ, ତହିଁରେ ଆମ୍ଭେ ଫାରୋ ଓ ତାହାର ସମସ୍ତ ସୈନ୍ୟ ଓ ରଥ ଓ ଅଶ୍ଵାରୂଢ଼ ଲୋକମାନଙ୍କ ଦ୍ଵାରା ସମ୍ଭ୍ରମ ପ୍ରାପ୍ତ ହେବା।
18ଆଉ ଫାରୋ ଓ ତାହାର ରଥ ଓ ତାହାର ଅଶ୍ଵାରୂଢ଼ ଲୋକମାନଙ୍କ ଦ୍ଵାରା ସମ୍ଭ୍ରମ ପ୍ରାପ୍ତ ହେଲା ଉତ୍ତାରେ ଆମ୍ଭେ ଯେ ସଦାପ୍ରଭୁ, ଏହା ମିସ୍ରୀୟ ଲୋକମାନେ ଜାଣିବେ।
19ସେତେବେଳେ ଇସ୍ରାଏଲୀୟ ଦଳର ଅଗ୍ରଗାମୀ ପରମେଶ୍ଵରଙ୍କ ଦୂତ ସ୍ଥାନାନ୍ତର ହୋଇ ସେମାନଙ୍କର ପଶ୍ଚାଦ୍ଗାମୀ ହେଲେ, ପୁଣି ମେଘସ୍ତମ୍ଭ ସେମାନଙ୍କ ଅଗ୍ରତୁଁ ସ୍ଥାନାନ୍ତର ହୋଇ ସେମାନଙ୍କ ପଛେ ଛିଡ଼ା ହେଲା।
20ସେହି ମେଘସ୍ତମ୍ଭ ମିସ୍ରୀୟ ଦଳ ଓ ଇସ୍ରାଏଲୀୟ ଦଳ ମଧ୍ୟକୁ ଆସିଲା, ପୁଣି ମେଘ ଓ ଅନ୍ଧକାର ହେଲେ ହେଁ ତାହା ରାତ୍ରିକି ଆଲୁଅମୟ କଲା; ଏଥିପାଇଁ ସମସ୍ତ ରାତ୍ରି ଏକ ଦଳ ଅନ୍ୟ ଦଳ ନିକଟକୁ ଆସି ପାରିଲେ ନାହିଁ।
21ଅନନ୍ତର ମୋଶା ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ସମସ୍ତ ରାତ୍ରି ପ୍ରବଳ ପୂର୍ବୀୟ ବାୟୁ ଦ୍ଵାରା ସମୁଦ୍ରକୁ ପଶ୍ଚାତ୍ ହଟାଇ ଶୁଷ୍କ କଲେଓ ଜଳ ଦୁଇ ଭାଗ ହେଲା।
22ତହିଁରେ ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ଗମନ କଲେ, ପୁଣି ସେମାନଙ୍କ ଦକ୍ଷିଣରେ ଓ ବାମରେ ଜଳ ପ୍ରାଚୀର ତୁଲ୍ୟ ହେଲା।
23ଅନନ୍ତର ମିସ୍ରୀୟମାନେ, ଅର୍ଥାତ୍, ଫାରୋଙ୍କର ସମସ୍ତ ଅଶ୍ଵ, ରଥ, ଓ ଅଶ୍ଵାରୂଢ଼ ଲୋକ ସମସ୍ତେ ଦୌଡ଼ି ସେମାନଙ୍କ ପଛେ ପଛେ ସମୁଦ୍ରରେ ପ୍ରବେଶ କଲେ।
24ମାତ୍ର ରାତ୍ରିର ଶେଷ ପ୍ରହରରେ ସଦାପ୍ରଭୁ ଅଗ୍ନି ଓ ମେଘସ୍ତମ୍ଭ ଦେଇ ମିସ୍ରୀୟମାନଙ୍କ ସୈନ୍ୟକୁ ଅନାଇଲେ ଓ ମିସ୍ରୀୟମାନଙ୍କ ସୈନ୍ୟକୁ ଅସ୍ତବ୍ୟସ୍ତ କଲେ।
25ସେ ସେମାନଙ୍କ ରଥର ଚକ୍ର ବାହାର କରି ପକାନ୍ତେ, ସେମାନେ ଅତି କଷ୍ଟରେ ରଥ ଚଳାଇଲେ; ତହିଁରେ ମିସ୍ରୀୟ ଲୋକମାନେ କହିଲେ, ଆସ, ଆମ୍ଭେମାନେ ଇସ୍ରାଏଲ ସମ୍ମୁଖରୁ ପଳାଇ ଯାଉ; କାରଣ ସଦାପ୍ରଭୁ ସେମାନଙ୍କର ସପକ୍ଷ ହୋଇ ମିସ୍ରୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି।
26ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କର; ତହିଁରେ ମିସ୍ରୀୟମାନଙ୍କ ଓ ସେମାନଙ୍କ ରଥ ଓ ଅଶ୍ଵାରୂଢ଼ ଲୋକମାନଙ୍କ ଉପରେ ପୁନର୍ବାର ଜଳ ଆସିବ।
27ତହୁଁ ମୋଶା ସମୁଦ୍ର ଉପରେ ହସ୍ତ ବିସ୍ତାର କଲେ, ଆଉ ପ୍ରଭାତ ସମୟକୁ ସମୁଦ୍ର ପୁନର୍ବାର ସମାନ ହେବାକୁ ଲାଗିଲା; ତହୁଁ ମିସ୍ରୀୟମାନେ ଉଜାଣି ପଳାୟନ କରନ୍ତେ, ସଦାପ୍ରଭୁ ସମୁଦ୍ର ମଧ୍ୟରେ ସେମାନଙ୍କୁ ନିକ୍ଷେପ କଲେ।
28ପୁଣି ଜଳ ପୁନର୍ବାର ଆସି ସେମାନଙ୍କ ରଥ ଓ ଅଶ୍ଵାରୂଢ଼ ଲୋକମାନଙ୍କୁ ଆଚ୍ଛାଦନ କଲା; ତହିଁରେ ଫାରୋଙ୍କର ଯେଉଁ ସବୁ ସୈନ୍ୟ ସେମାନଙ୍କ ପଛେ ପଛେ ସମୁଦ୍ର ମଧ୍ୟରେ ପ୍ରବେଶ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେହେଁ ଅବଶିଷ୍ଟ ରହିଲା ନାହିଁ।
29ମାତ୍ର ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥରେ ସମୁଦ୍ର ମଧ୍ୟଦେଇ ଗମନ କଲେ; ପୁଣି ଜଳ ସେମାନଙ୍କ ବାମ ଓ ଦକ୍ଷିଣରେ ପ୍ରାଚୀର ତୁଲ୍ୟ ହେଲା।
30ଏହି ପ୍ରକାରେ ସେହି ଦିନ ସଦାପ୍ରଭୁ ମିସ୍ରୀୟମାନଙ୍କ ହସ୍ତରୁ ଇସ୍ରାଏଲଙ୍କୁ ରକ୍ଷା କଲେ ଓ ଇସ୍ରାଏଲ ମିସ୍ରୀୟମାନଙ୍କୁ ସମୁଦ୍ର ତୀରରେ ମୃତ ଦେଖିଲେ।
31ସଦାପ୍ରଭୁ ମିସ୍ରୀୟମାନଙ୍କ ବିରୁଦ୍ଧରେ ଏହି ଯେଉଁ ମହତ କର୍ମ କଲେ, ତାହା ଇସ୍ରାଏଲ ଦେଖିଲେ; ତହିଁରେ ଲୋକମାନେ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କଠାରେ ଓ ତାହାଙ୍କ ଦାସ ମୋଶାଙ୍କଠାରେ ବିଶ୍ଵାସ କଲେ।

Highlight

Share

Copy

None

Want to have your highlights saved across all your devices? Sign up or sign in