ପୁଣି ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ କହିଲେ, ହାୟ, ହାୟ, ଆମ୍ଭେମାନେ ଯେତେବେଳେ ମାଂସ ହାଣ୍ତି ପାଖରେ ବସି ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଭୋଜନ କରୁଥିଲୁ, ସେତେବେଳେ ଯେବେ ଆମ୍ଭେମାନେ ମିସର ଦେଶରେ ସଦାପ୍ରଭୁଙ୍କ ହସ୍ତରେ ମରିଥାʼନ୍ତୁ। ତୁମ୍ଭେମାନେ ଏହି ସମସ୍ତ ମଣ୍ତଳୀକି କ୍ଷୁଧାରେ ମାରିବା ପାଇଁ ଆମ୍ଭମାନଙ୍କୁ ବାହାର କରି ଏହି ପ୍ରାନ୍ତରକୁ ଆଣିଲ।
ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ଆକାଶରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରିବା; ପୁଣି ଲୋକମାନେ ବାହାରକୁ ଯାଇ ପ୍ରତିଦିନ ଦିନର ନିରୂପିତ ପରିମାଣାନୁସାରେ ଖାଦ୍ୟ ସଂଗ୍ରହ କରିବେ; ତହିଁରେ ସେମାନେ ଆମ୍ଭର ବ୍ୟବସ୍ଥାନୁସାରେ ଚଳିବେ କି ନାହିଁ, ଆମ୍ଭେ ସେମାନଙ୍କର ଏହି ପରୀକ୍ଷା ନେବା।