ଆଦି ପୁସ୍ତକ 30
30
1ଅନନ୍ତର ଆପଣାଠାରୁ ଯାକୁବର ପୁତ୍ର ଜନ୍ମ ହେଲା ନାହିଁ, ଏହା ଦେଖି ରାହେଲ ଆପଣା ଭଗିନୀ ପ୍ରତି ଈର୍ଷା କରି ଯାକୁବକୁ କହିଲା, ମୋତେ ସନ୍ତାନ ଦିଅ, ନୋହିଲେ ମୁଁ ମରିବି।
2ତହିଁରେ ରାହେଲ ପ୍ରତି ଯାକୁବର କ୍ରୋଧ ପ୍ରଜ୍ଵଳିତ ହେଲା; ପୁଣି ସେ କହିଲା, ମୁଁ କʼଣ ପରମେଶ୍ଵରଙ୍କର ପ୍ରତିନିଧି? ସେ ସିନା ତୁମ୍ଭକୁ ଗର୍ଭଫଳ ଦେଇନାହାନ୍ତି।
3ସେତେବେଳେ ରାହେଲ କହିଲା, ଏହି ଦେଖ, ମୋହର ଦାସୀ ବିଲ୍ହା ଅଛି, ତାହାର ସହବାସ କର; ସେ ପୁତ୍ର ପ୍ରସବ କରି ମୋʼ କୋଳରେ ଦେଲେ ତାହା ଯୋଗୁ ମୁଁ ମଧ୍ୟ ପୁତ୍ରବତୀ ହେବି।
4ପୁଣି ସେ ଆପଣା ଦାସୀ ବିଲ୍ହାକୁ ତାହା ସହିତ ବିବାହ ଦେଲା।
5ତହୁଁ ଯାକୁବ ତାହାର ସହବାସ କରନ୍ତେ, ବିଲ୍ହା ଗର୍ଭବତୀ ହୋଇ ଯାକୁବର ଗୋଟିଏ ପୁତ୍ର ପ୍ରସବ କଲା।
6ସେତେବେଳେ ରାହେଲ କହିଲା, ପରମେଶ୍ଵର ମୋହର ବିଚାର କଲେ, ମଧ୍ୟ ମୋହର କାକୂକ୍ତି ଶୁଣି ମୋତେ ପୁତ୍ର ଦେଲେ; ଏଣୁକରି ସେ ତାହାର ନାମ ଦାନ (ବିଚାର) ରଖିଲା।
7ଅନନ୍ତର ରାହେଲର ଦାସୀ ବିଲ୍ହା ପୁନର୍ବାର ଗର୍ଭଧାରଣ କରି ଯାକୁବ ପାଇଁ ଦ୍ଵିତୀୟ ପୁତ୍ର ପ୍ରସବ କଲା।
8ସେତେବେଳେ ରାହେଲ କହିଲା, ମୁଁ ଭଗିନୀ ସହିତ ପରମେଶ୍ଵର ସମ୍ଵନ୍ଧୀୟ ମଲ୍ଲଯୁଦ୍ଧ କରି ଜୟ କଲି; ଏଣୁକରି ସେ ତାହାର ନାମ ନପ୍ତାଲି (ମଲ୍ଲଯୁଦ୍ଧ) ରଖିଲା।
9ଅନନ୍ତର ଲେୟା ଆପଣାର ଗର୍ଭନିବୃତ୍ତି ବୁଝି ଆପଣାର ସିଳ୍ପା ନାମ୍ନୀ ଦାସୀକି ଘେନି ଯାକୁବ ସହିତ ବିବାହ ଦେଲା।
10ତହିଁରେ ଲେୟାର ଦାସୀ ସିଳ୍ପାଠାରୁ ଯାକୁବର ଗୋଟିଏ ପୁତ୍ର ଜାତ ହେଲା।
11ତହୁଁ ଲେୟା କହିଲା, କି ଐଶ୍ଚର୍ଯ୍ୟ ! ଏଣୁକରି ତାହାର ନାମ ଗାଦ୍ (ଐଶ୍ଚର୍ଯ୍ୟ) ରଖିଲା।
12ଅନନ୍ତର ଲେୟାର ଦାସୀ ସିଳ୍ପା ଯାକୁବ ପାଇଁ ଦ୍ଵିତୀୟ ପୁତ୍ର ପ୍ରସବ କଲା।
13ତହିଁରେ ଲେୟା କହିଲା, ମୋହର କି ଆନନ୍ଦ ! ଯୁବତୀଗଣ ମୋତେ ଆନନ୍ଦିନୀ ବୋଲିବେ; ଏଣୁକରି ସେ ତାହାର ନାମ ଆଶେର୍ (ଆନନ୍ଦ) ରଖିଲା।
14ଅନନ୍ତର ଗହମ କଟା ସମୟରେ ରୁବେନ୍ ବାହାରେ ଯାଇ କ୍ଷେତରୁ ଦୂଦାଫଳ ପାଇ ଆଣି ଆପଣା ମାତା ଲେୟାକୁ ଦେଲା। ତହୁଁ ରାହେଲ ଲେୟାକୁ କହିଲା, ତୁମ୍ଭ ପୁତ୍ର ଆଣିଥିବା ଦୂଦାଫଳ କିଛି ମୋତେ ଦିଅ।
15ତହିଁରେ ସେ କହିଲା, ତୁମ୍ଭେ ମୋʼ ସ୍ଵାମୀକି ହରଣ କରିଅଛ, ଏ, କି ଅଳ୍ପ ବିଷୟ? ତୁମ୍ଭେ ମୋʼ ପୁତ୍ରର ଦୂଦାଫଳ ହିଁ କି ହରଣ କରିବ? ତେବେ ରାହେଲ କହିଲା, ତୁମ୍ଭର ପୁତ୍ରର ଦୂଦାଫଳ ପରିବର୍ତ୍ତରେ ସେ ଆଜ ରାତ୍ର ତୁମ୍ଭ ସଙ୍ଗେ ଶୟନ କରିବେ।
16ଅନନ୍ତର ସନ୍ଧ୍ୟା ବେଳେ କ୍ଷେତ୍ରରୁ ଯାକୁବର ଆଗମନ ସମୟରେ ଲେୟା ତାହା ସହିତ ସାକ୍ଷାତ କରିବା ନିମିତ୍ତ ବାହାରକୁ ଯାଇ କହିଲା, ତୁମ୍ଭକୁ ମୋʼ କତିକି ଆସିବାକୁ ହେବ; କାରଣ ମୁଁ ଆପଣା ପୁତ୍ରର ଦୂଦାଫଳ ଦେଇ ତୁମ୍ଭକୁ ଭଡ଼ା ନେଲି। ଏଣୁ ସେ ସେହି ରାତ୍ରି ତାହା ସହିତ କ୍ଷେପଣ କଲା।
17ତହିଁରେ ପରମେଶ୍ଵର ଲେୟାର ପ୍ରାର୍ଥନା ଶୁଣନ୍ତେ, ସେ ଗର୍ଭବତୀ ହୋଇ ଯାକୁବର ପଞ୍ଚମ ପୁତ୍ର ପ୍ରସବ କଲା।
18ତେବେ ଲେୟା କହିଲା, ମୁଁ ସ୍ଵାମୀକି ଆପଣା ଦାସୀ ଦେଇଥିଲି, ପରମେଶ୍ଵର ତାହାର ବର୍ତ୍ତନ ମୋତେ ଦେଇ ଅଛନ୍ତି; ଏହେତୁ ସେ ତାହାର ନାମ ଇଷାଖର (ବର୍ତ୍ତନ) ରଖିଲା।
19ଅନନ୍ତର ଲେୟା ପୁନର୍ବାର ଗର୍ଭଧାରଣ କରି ଯାକୁବର ଷଷ୍ଠ ପୁତ୍ର ପ୍ରସବ କଲା।
20ତହୁଁ ଲେୟା କହିଲା, ପରମେଶ୍ଵର ମୋତେ ଉତ୍ତମ ଯୌତୁକ ଦେଲେ; ଏବେ ମୋʼ ସ୍ଵାମୀ ମୋʼ ସଙ୍ଗେ ବାସ କରିବେ, ଯେହେତୁ ମୁଁ ତାଙ୍କର ଛଅ ପୁତ୍ର ଜନ୍ମ କରିଅଛି; ଏହେତୁ ସେ ତାହାର ନାମ ସବୂଲୂନ୍ (ବାସ) ରଖିଲା।
21ଏଉତ୍ତାରେ ସେ ଏକ କନ୍ୟା ପ୍ରସବ କରନ୍ତେ, ତାହାର ନାମ ଦୀଣା ରଖିଲା।
22ଅନନ୍ତର ପରମେଶ୍ଵର ରାହେଲକୁ ସ୍ମରଣ କଲେ ଓ ପରମେଶ୍ଵର ତାହାର ପ୍ରାର୍ଥନା ଶୁଣି ତାହାକୁ ଗର୍ଭଧାରଣର ଶକ୍ତି ଦେଲେ।
23ତହୁଁ ସେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରି କହିଲା, ପରମେଶ୍ଵର ଏବେ ମୋହର ଅପମାନ ଦୂର କଲେ।
24ଏଣୁ ସେ ତାହାର ନାମ ଯୋଷେଫ (ବୃଦ୍ଧି) ଦେଇ, କହିଲା, ସଦାପ୍ରଭୁ ମୋତେ ଆଉ ଏକ ପୁତ୍ର ଦେଉନ୍ତୁ।
ଯାକୁବଙ୍କ ସମୃଦ୍ଧି
25ଆଉ ରାହେଲଠାରୁ ଯୋଷେଫ ଜନ୍ମ ହେଲା ଉତ୍ତାରେ ଯାକୁବ ଲାବନକୁ କହିଲା, ମୋତେ ବିଦାୟ କର, ମୁଁ ସ୍ଵସ୍ଥାନକୁ ଓ ନିଜ ଦେଶକୁ ଯିବି।
26ମୁଁ ଯେଉଁମାନଙ୍କ ନିମନ୍ତେ ତୁମ୍ଭର ଦାସ୍ୟକର୍ମ କରିଅଛି, ମୋହର ସେହି ଭାର୍ଯ୍ୟାମାନଙ୍କୁ ଓ ପୁତ୍ରଗଣକୁ ନେଇ ଯିବାକୁ ଦିଅ; ଯେହେତୁ ଯେପ୍ରକାରେ ତୁମ୍ଭର ଦାସ୍ୟକର୍ମ କରିଅଛି, ତାହା ତୁମ୍ଭେ ଜ୍ଞାତ ଅଟ।
27ସେତେବେଳେ ଲାବନ ତାହାକୁ କହିଲା, ବିନୟ କରୁଅଛି, ତୁମ୍ଭେ ମୋʼ ପ୍ରତି ଅନୁଗ୍ରହ କର, କାରଣ ତୁମ୍ଭ ସକାଶୁ ସଦାପ୍ରଭୁ ମୋତେ ଆଶୀର୍ବାଦ କରିଅଛନ୍ତି, ଏହା ମୁଁ ଗଣକତା ଦ୍ଵାରା ଜାଣିଅଛି।
28ଏହେତୁ ତୁମ୍ଭେ ଆପେ ନିଜ ବର୍ତ୍ତନ ସ୍ଥିର କର, ମୁଁ ତାହା ତୁମ୍ଭକୁ ଦେବି।
29ତହୁଁ ଯାକୁବ ତାହାକୁ କହିଲା, ମୁଁ ତୁମ୍ଭର ଯେପ୍ରକାର ଦାସ୍ୟକର୍ମ କରିଅଛି ଓ ମୋʼ ନିକଟରେ ତୁମ୍ଭର ପଶୁଗଣ ଯେପରି ଅଛନ୍ତି, ତାହା ତୁମ୍ଭକୁ ଜଣାଅଛି।
30କାରଣ ମୋହର ଆସିବା ପୂର୍ବରେ ତୁମ୍ଭର ଅଳ୍ପ ସମ୍ପତ୍ତି ଥିଲା, ମାତ୍ର ଏବେ ବୃଦ୍ଧି ପାଇ ପ୍ରଚୁର ହୋଇଅଛି; ପୁଣି ମୋହର ଗୋଡ଼େ ଗୋଡ଼େ ସଦାପ୍ରଭୁ ତୁମ୍ଭର ମଙ୍ଗଳ କରିଅଛନ୍ତି; ମାତ୍ର ମୁଁ ଆପଣା ପରିବାର ନିମନ୍ତେ କେବେ ସଞ୍ଚୟ କରିବି?
31ତହିଁରେ ଲାବନ କହିଲା, ମୁଁ ତୁମ୍ଭକୁ କଅଣ ଦେବି? ଯାକୁବ କହିଲା, ତୁମ୍ଭକୁ କିଛି ଦେବାକୁ ପଡ଼ିବ ନାହିଁ; ଯେବେ ତୁମ୍ଭେ ମୋʼ ପାଇଁ ଗୋଟିଏ କର୍ମ କରିବ, ତେବେ ମୁଁ ତୁମ୍ଭର ପଶୁମାନଙ୍କୁ ପୁନର୍ବାର ଚରାଇ ପ୍ରତିପାଳନ କରିବି।
32ଆଜି ମୁଁ ତୁମ୍ଭର ସକଳ ପଲ ମଧ୍ୟଦେଇ ଯାଇ ମେଷଗଣ ମଧ୍ୟରୁ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଓ କୃଷ୍ଣବର୍ଣ୍ଣ ମେଷମାନଙ୍କୁ, ପୁଣି ଛାଗଳଗଣ ମଧ୍ୟରୁ ବିନ୍ଦୁଚିହ୍ନିତ ଓ ଚିତ୍ରବିଚିତ୍ର ଛାଗଳମାନଙ୍କୁ ପୃଥକ କରିବି; ସେହି ସବୁ ମୋହର ବର୍ତ୍ତନ ସ୍ଵରୂପ ହେବେ।
33ଏଥିଉତ୍ତାରୁ ଯେତେବେଳେ ତୁମ୍ଭ ସାକ୍ଷାତରେ ମୋହର ବର୍ତ୍ତନ ବିଷୟ ଉପସ୍ଥିତ ହେବ, ସେତେବେଳେ ମୋହର ଧାର୍ମିକତା ମୋʼ ବିଷୟରେ ସାକ୍ଷ୍ୟ ଦେବ, ଅର୍ଥାତ୍, ଛାଗଳମାନଙ୍କ ମଧ୍ୟରେ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଛାଗଳ ଭିନ୍ନ ଓ ମେଷଗଣ ମଧ୍ୟରେ କୃଷ୍ଣବର୍ଣ୍ଣ ମେଷ ଭିନ୍ନ ଯେତେ ଥିବେ, ତାହା ମୋହର ଚୌର୍ଯ୍ୟ ରୂପେ ଗଣ୍ୟ ହେବ।
34ତହୁଁ ଲାବନ କହିଲା, ଭଲ, ତୁମ୍ଭ କଥାନୁସାରେ ହେଉ।
35ଅନନ୍ତର ସେ ସେହିଦିନ ରେଖାଙ୍କିତ ଓ ବିନ୍ଦୁଚିହ୍ନିତ ଛାଗସକଳ ଓ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଅଥଚ କିଞ୍ଚିତ ଶୁକ୍ଳବର୍ଣ୍ଣ ଛାଗୀସକଳ, ପୁଣି କୃଷ୍ଣବର୍ଣ୍ଣ ମେଷସକଳ ପୃଥକ ପୃଥକ କରି ଆପଣା ପୁତ୍ରମାନଙ୍କ ହସ୍ତରେ ସମର୍ପଣ କଲା;
36ଆଉ ସେ ଆପଣାର ଓ ଯାକୁବର ମଧ୍ୟରେ ତିନି ଦିନର ପଥ ଅନ୍ତର କରି ରଖିଲା; ପୁଣି ଯାକୁବ ଲାବନର ଅବଶିଷ୍ଟ ପଶୁପଲ ଚରାଇବାକୁ ଲାଗିଲା।
37ଆଉ ଯାକୁବ ଲିବ୍ନୀ ଓ ଲୂସ୍ ଓ ଅର୍ମୋନ୍ ବୃକ୍ଷର ନୂତନ ଶାଖା କାଟି ତହିଁରୁ ବଳ୍କଳ କାଢ଼ି କାଷ୍ଠର ଶୁକ୍ଳରେଖା ବାହାର କଲା।
38ଅନନ୍ତର ଯେଉଁ ସ୍ଥାନକୁ ପଶୁଗଣ ଜଳ ପାନ କରିବା ନିମନ୍ତେ ଆସନ୍ତି, ସେହି ସ୍ଥାନରେ ସେମାନଙ୍କ ସମ୍ମୁଖସ୍ଥ ଜଳକୁଣ୍ତ ମଧ୍ୟରେ ସେହି ବଳ୍କଳଶୂନ୍ୟ ଶାଖା ସବୁ ଉଚ୍ଚ କରି ରଖିଲା; ତହୁଁ ଜଳ ପାନ କରିବା ସମୟରେ ସେମାନେ ଫଳବତୀ ହେଲେ।
39ପୁଣି ସେହି ଶାଖା ନିକଟରେ ସେମାନଙ୍କର ସଙ୍ଗମ ହେବାରୁ ପଶୁମାନେ ରେଖାଙ୍କିତ ଓ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଛୁଆ ପ୍ରସବ କଲେ।
40ତହିଁରେ ଯାକୁବ ସେହି ଛୁଆମାନଙ୍କୁ ଭିନ୍ନ ଭିନ୍ନ କଲା, ପୁଣି ଲାବନର ରେଖାଙ୍କିତ ଓ କୃଷ୍ଣବର୍ଣ୍ଣ ସବୁ ମେଷ ପ୍ରତି ମେଷୀମାନଙ୍କର ଦୃଷ୍ଟି ରଖାଇଲା; ଏହି ପ୍ରକାରେ ସେ ଲାବନର ପଲ ସହିତ ଆପଣା ପଲ ନ ରଖି ପୃଥକ କଲା।
41ପୁଣି ବଳିଷ୍ଠ ପଶୁଗଣ ଯେପରି ଶାଖା ନିକଟରେ ଗର୍ଭଧାରଣ କରନ୍ତି, ଏଥିପାଇଁ ଜଳକୁଣ୍ତ ମଧ୍ୟରେ ପଶୁମାନଙ୍କ ସମ୍ମୁଖରେ ସେହି ଶାଖା ରଖିଲା; ମାତ୍ର ଦୁର୍ବଳ ପଶୁମାନଙ୍କ ସମ୍ମୁଖରେ ରଖିଲା ନାହିଁ;
42ତହିଁରେ ଦୁର୍ବଳ ପଶୁଗଣ ଲାବନର ଓ ବଳିଷ୍ଠ ପଶୁଗଣ ଯାକୁବର ହେଲେ।
43ଏହେତୁ ଯାକୁବ ଅତିଶୟ ବର୍ଦ୍ଧିଷ୍ଣୁ ହେଲା, ପୁଣି ତାହାର ପଶୁ, ଦାସଦାସୀ, ଓଟ ଓ ଗର୍ଦ୍ଦଭ ଯଥେଷ୍ଟ ହେଲେ।
Právě zvoleno:
ଆଦି ପୁସ୍ତକ 30: ODIAOV-BSI
Zvýraznění
Kopírovat
Porovnat
Sdílet
Chceš mít své zvýrazněné verše uložené na všech zařízeních? Zaregistruj se nebo se přihlas
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.