ଆଦି ପୁସ୍ତକ 29
29
ରାହେଲ ଓ ଲେୟାଙ୍କ ସହ ଯାକୁବଙ୍କ ବିବାହ
1ଅନନ୍ତର ଯାକୁବ ଯାତ୍ରାରେ ଅଗ୍ରସର ହୋଇ ପୂର୍ବଦିଗସ୍ଥ ଲୋକମାନଙ୍କ ଦେଶରେ ଉପସ୍ଥିତ ହେଲା।
2ତହୁଁ ସେ ଅନାଇଲା, ଆଉ ଦେଖ, କ୍ଷେତ୍ର ମଧ୍ୟରେ ଗୋଟିଏ କୂପ, ପୁଣି ଦେଖ, ତହିଁ ନିକଟରେ ତିନି ପଲ ମେଷ ଶୋଇଛନ୍ତି; କାରଣ ଲୋକମାନେ ମେଷପଲକୁ ସେହି କୂପରୁ ଜଳ ପାନ କରାନ୍ତି; ସେହି କୂପ ମୁଖରେ ଖଣ୍ତିଏ ବଡ଼ ପଥର ଘୋଡ଼ା ହୋଇଥାଏ।
3ସେହି କୂପ ନିକଟରେ ସବୁ ପଲ ଏକତ୍ର ହୁଅନ୍ତି; ଆଉ, ଲୋକମାନେ ତାʼ ମୁଖରୁ ପଥର ଘୁଞ୍ଚାଇ ମେଷଗଣକୁ ଜଳ ପାନ କରାନ୍ତି, ପୁନର୍ବାର କୂପ ମୁଖରେ ଯଥାସ୍ଥାନରେ ପଥରଟା ଢାଙ୍କି ଦିଅନ୍ତି।
4ଯାକୁବ ସେମାନଙ୍କୁ ପଚାରିଲା, ହେ ଭାଇମାନେ, ତୁମ୍ଭେମାନେ କେଉଁ ଠାବର ଲୋକ? ସେମାନେ କହିଲେ, ଆମ୍ଭେମାନେ ହାରଣ ନଗରର ଲୋକ।
5ତେବେ ଯାକୁବ ପଚାରିଲା, ତୁମ୍ଭେମାନେ ନାହୋରର ପୌତ୍ର ଲାବନଙ୍କୁ ଚିହ୍ନ କି? ସେମାନେ କହିଲେ, ଆମ୍ଭେମାନେ ତାକୁ ଚିହ୍ନୁ।
6ଯାକୁବ ପଚାରିଲା, ସେ କୁଶଳରେ ଅଛନ୍ତି ତ? ସେମାନେ କହିଲେ, କୁଶଳରେ ଅଛି; ଏହି ଦେଖ, ତାହାର କନ୍ୟା ରାହେଲ ମେଷପଲ ଘେନି ଆସୁଅଛି।
7ସେତେବେଳେ ଯାକୁବ କହିଲା, ଦେଖ, ଏବେ ବହୁତ ବେଳ ଅଛି; ମେଷପଲ ଏକତ୍ର କରିବାର ସମୟ ହୋଇ ନାହିଁ; ତୁମ୍ଭେମାନେ ମେଷଗଣକୁ ଜଳ ପାନ କରାଇ ପୁନର୍ବାର ଚରାଇବାକୁ ଘେନିଯାଅ।
8ମାତ୍ର ସେମାନେ କହିଲେ, ତାହା ଆମ୍ଭେମାନେ କରି ନ ପାରୁ; ସମସ୍ତ ପଲ ଏକତ୍ର ହେବାର ଅପେକ୍ଷା କରିବାକୁ ହୁଏ; ତହିଁ ଉତ୍ତାରେ କୂପ ମୁଖରୁ ପ୍ରସ୍ତର ଘୁଞ୍ଚାଯାଏ, ତାହାହେଲେ, ଆମ୍ଭେମାନେ ମେଷଗଣକୁ ଜଳ ପାନ କରାଉ।
9ଯାକୁବ ସେମାନଙ୍କ ସହିତ ଏପ୍ରକାର କଥାବାର୍ତ୍ତା କରୁଅଛି, ଏଥିମଧ୍ୟରେ ରାହେଲ ଆପଣା ପିତାର ମେଷପଲ ଘେନି ଉପସ୍ଥିତ ହେଲା, କାରଣ ସେ ମେଷପାଳିକା ଥିଲା।
10ସେତେବେଳେ ଯାକୁବ ଆପଣା ମାତୁଳ ଲାବନର କନ୍ୟା ରାହେଲକୁ ଓ ମାତୁଳର ମେଷପଲକୁ ଦେଖି ନିକଟକୁ ଯାଇ କୂପ ମୁଖରୁ ପ୍ରସ୍ତର ଘୁଞ୍ଚାଇ ମାତୁଳ ଲାବନର ପଲକୁ ଜଳ ପାନ କରାଇଲା।
11ଅନନ୍ତର ଯାକୁବ ରାହେଲକୁ ଚୁମ୍ଵନ କରି ଉଚ୍ଚ ସ୍ଵରରେ କ୍ରନ୍ଦନ କରିବାକୁ ଲାଗିଲା।
12ପୁଣି ଆପେ ଯେ ତାହାର ପିତାର କୁଟୁମ୍ଵ ଓ ରିବିକାର ପୁତ୍ର, ଏହି ପରିଚୟ ଦେଲା; ତହୁଁ ରାହେଲ ଦୌଡ଼ିଯାଇ ଆପଣା ପିତାକୁ ସମାଚାର ଦେଲା।
13ତହିଁରେ ଲାବନ ଆପଣା ଭଣଜା ଯାକୁବର ସମାଚାର ପାଇ ତାହା ସଙ୍ଗେ ସାକ୍ଷାତ କରିବାକୁ ଦୌଡ଼ିଗଲା, ପୁଣି ତାହାକୁ ଆଲିଙ୍ଗନ ଓ ଚୁମ୍ଵନ କରି ଆପଣା ଗୃହକୁ ନେଇଗଲା; ତହୁଁ ସେ ସମସ୍ତ ବିବରଣ ଲାବନକୁ ଜଣାଇଲା।
14ତହିଁରେ ଲାବନ କହିଲା, ତୁମ୍ଭେ ନିତା; ଆମ୍ଭର ଅସ୍ଥି ଓ ମାଂସସ୍ଵରୂପ। ତେଣୁ ଯାକୁବ ତାହାର ଗୃହରେ ମାସେ କାଳ ବାସ କଲା।
15ଅନନ୍ତର ଲାବନ ଯାକୁବକୁ କହିଲା, ତୁମ୍ଭେ ମୋହର କୁଟୁମ୍ଵ ବୋଲି କି ବିନା ବର୍ତ୍ତନରେ ମୋହର ଦାସ୍ୟକର୍ମ କରିବ? ଏଣୁ କି ବର୍ତ୍ତନ ନେବ? ତାହା କୁହ।
16ସେହି ଲାବନର ଦୁଇ କନ୍ୟା ଥିଲେ; ଜ୍ୟେଷ୍ଠାର ନାମ ଲେୟା, କନିଷ୍ଠାର ନାମ ରାହେଲ।
17ଲେୟା କ୍ଷୀଣାକ୍ଷୀ, ମାତ୍ର ରାହେଲ ସୁନ୍ଦରୀ ଓ ରୂପବତୀ ଥିଲା।
18ଆଉ ଯାକୁବ ରାହେଲକୁ ପ୍ରେମ କଲା; ଏଥିନିମିତ୍ତ ସେ ଉତ୍ତର କଲା, ତୁମ୍ଭର କନିଷ୍ଠା କନ୍ୟା ରାହେଲ ନିମନ୍ତେ ମୁଁ ସାତ ବର୍ଷ ତୁମ୍ଭର ଦାସ୍ୟକର୍ମ କରିବି।
19ତହିଁରେ ଲାବନ କହିଲା, ଅନ୍ୟ ପୁରୁଷକୁ ଦାନ କରିବା ଅପେକ୍ଷା ତୁମ୍ଭକୁ ଦାନ କରିବା ଅଧିକ ଉତ୍ତମ; ମୋʼ ନିକଟରେ ଥାଅ।
20ଏହିରୂପେ ଯାକୁବ ରାହେଲ ନିମନ୍ତେ ସାତ ବର୍ଷ ଦାସ୍ୟକର୍ମ କଲା; ପୁଣି ରାହେଲ ପ୍ରତି ତାହାର ଏରୂପ ପ୍ରେମ ଥିଲା, ଯେ ସେହି ସାତ ବର୍ଷ ତାହା ପ୍ରତି କେବଳ ଅଳ୍ପ ଦିନ ପରି ବୋଧ ହେଲା।
21ଅନନ୍ତର ଯାକୁବ ଲାବନକୁ କହିଲା, ମୋହର ନିୟମିତ କାଳ ସମ୍ପୂର୍ଣ୍ଣ ହେଲା, ଏବେ ମୋʼ ଭାର୍ଯ୍ୟା ମୋତେ ଦିଅ, ମୁଁ ତାହାର ସହବାସ କରିବି।
22ତହିଁରେ ଲାବନ ସେହି ସ୍ଥାନର ସମସ୍ତ ଲୋକଙ୍କୁ ଏକତ୍ର କରି ଭୋଜ ପ୍ରସ୍ତୁତ କଲା।
23ସନ୍ଧ୍ୟାକାଳରେ ସେ ଆପଣା କନ୍ୟା ଲେୟାକୁ ଘେନି ଯାକୁବ ନିକଟକୁ ଆଣିଲା; ପୁଣି ସେ ତାହାର ସହବାସ କଲା।
24ଆଉ ଲାବନ ଆପଣା କନ୍ୟା ଲେୟାର ଦାସୀ ହେବା ନିମନ୍ତେ ସିଳ୍ପା ନାମ୍ନୀ ଆପଣା ଦାସୀକି ଦେଲା।
25ମାତ୍ର ପ୍ରଭାତ ହୁଅନ୍ତେ, ଦେଖ, ସେ ତ ଲେୟା ! ତହୁଁ ଯାକୁବ ଲାବନକୁ କହିଲା, ତୁମ୍ଭେ ମୋʼ ସହିତ ଏ କି ବ୍ୟବହାର କଲ? ମୁଁ କʼଣ ରାହେଲ ନିମନ୍ତେ ତୁମ୍ଭର ଦାସ୍ୟକର୍ମ କରି ନାହିଁ; ତେବେ କିହେତୁ ମୋତେ ପ୍ରବଞ୍ଚନା କଲ?
26ତହିଁରେ ଲାବନ କହିଲା, ଜ୍ୟେଷ୍ଠା ଥାଉ ଥାଉ କନିଷ୍ଠାକୁ ଦାନ କରିବା ଆମ୍ଭମାନଙ୍କ ଦେଶାଚାର ନୁହେଁ।
27ଏହାର ସପ୍ତାହ ପୂର୍ଣ୍ଣ କର, ତହିଁ ଉତ୍ତାରେ ଯେବେ ଆଉ ସାତ ବର୍ଷ ମୋହର ଦାସ୍ୟକର୍ମ କରିବ, ତେବେ ଅନ୍ୟ କନ୍ୟାକୁ ହିଁ ତୁମ୍ଭକୁ ଦାନ କରିବି।
28ତହିଁରେ ଯାକୁବ ସେହି ପ୍ରକାରେ ତାହାର ସପ୍ତାହ ପୂର୍ଣ୍ଣ କଲା; ତହୁଁ ଲାବନ ତାହା ସହିତ ଆପଣା କନ୍ୟା ରାହେଲକୁ ବିବାହ କରି ଦେଲା।
29ପୁଣି ରାହେଲର ଦାସୀ ହେବା ନିମନ୍ତେ ସେ ଆପଣାର ବିଲହା ନାମ୍ନୀ ଦାସୀକି ଦେଲା।
30ତହୁଁ ସେ ରାହେଲର ମଧ୍ୟ ସହବାସ କଲା ଓ ଲେୟାଠାରୁ ରାହେଲକୁ ଅଧିକ ପ୍ରେମ କଲା; ପୁଣି ଆଉ ସାତ ବର୍ଷ ଲାବନର ଦାସ୍ୟକର୍ମ କଲା।
ଯାକୁବଙ୍କର ସନ୍ତାନସନ୍ତତି
31ଅନନ୍ତର ସଦାପ୍ରଭୁ ଲେୟାକୁ ଅପମାନିତା ଦେଖି ତାହାକୁ ଗର୍ଭଧାରଣର ଶକ୍ତି ଦେଲେ; ମାତ୍ର ରାହେଲ ବନ୍ଧ୍ୟା ହେଲା।
32ଏଣୁକରି ଲେୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରନ୍ତେ, ତାହାର ନାମ ରୁବେନ୍ (ପୁତ୍ରକୁ ଦେଖ) ଦେଲା; ଯେହେତୁ ସେ କହିଲା, ସଦାପ୍ରଭୁ ମୋହର ଦୁଃଖ ଦେଖିଅଛନ୍ତି; ଏବେ ମୋʼ ସ୍ଵାମୀ ମୋତେ ଭଲ ପାଇବେ।
33ଆଉ, ସେ ପୁନର୍ବାର ଗର୍ଭବତୀ ହୋଇ ପୁତ୍ର ପ୍ରସବ କରି କହିଲା, ମୁଁ ଅପମାନିତା ଅଟେ, ଏହା ସଦାପ୍ରଭୁ ଶ୍ରବଣ କରି ମୋତେ ଏହି ପୁତ୍ର ଦେଲେ; ଏଣୁ ସେ ତାହାର ନାମ ଶିମୀୟୋନ୍ (ଶ୍ରବଣ) ଦେଲା।
34ପୁନର୍ବାର ସେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରି କହିଲା, ଏଥର ସ୍ଵାମୀ ମୋʼଠାରେ ଆସକ୍ତ ହେବେ, ଯେହେତୁ ମୁଁ ତାଙ୍କର ତିନି ପୁତ୍ର ପ୍ରସବ କରିଅଛି; ଏହେତୁ ତାହାର ନାମ ଲେବୀ (ଆସକ୍ତ) ଦେଲା।
35ଅନନ୍ତର ପୁନର୍ବାର ତାହାର ଗର୍ଭ ହୁଅନ୍ତେ, ସେ ପୁତ୍ର ପ୍ରସବ କରି କହିଲା, ଏବେ ମୁଁ ସଦାପ୍ରଭୁଙ୍କ ସ୍ତବଗାନ କରିବି; ତେଣୁ ସେ ତାହାର ନାମ ଯିହୁଦା (ସଦାପ୍ରଭୁଙ୍କ ସ୍ତବ) ଦେଲା। ଏଥିଉତ୍ତାରୁ ତାହାର ଗର୍ଭନିବୃତ୍ତି ହେଲା।
Právě zvoleno:
ଆଦି ପୁସ୍ତକ 29: ODIAOV-BSI
Zvýraznění
Kopírovat
Porovnat
Sdílet
Chceš mít své zvýrazněné verše uložené na všech zařízeních? Zaregistruj se nebo se přihlas
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.