Skip to content
โลโก้แอพพระคัมภีร์

ରୋମୀୟ 3

3
1ତେବେ, ଯିହୁଦୀ ହେବାରେ କି ଲାଭ କିମ୍ବା, ସୁନ୍ନତ ହେବାରେ କି ମୂଲ୍ୟ ଅଛି? 2ସବୁ ଦିଗରୁବହୁତ ଲାଭ ଅଛି! ପ୍ରଥମତଃ, ଯିହୁଦୀମାନଙ୍କ ହସ୍ତରେ ଈଶ୍ୱରଙ୍କ ବାକ୍ୟ ସମର୍ପିତ ହୋଇଛି।
3ଯଦି କେହି କେହି ଅବିଶ୍ୱାସୀ ହେଲେ? ତେବେ ସେମାନଙ୍କର ବିଶ୍ୱାସହୀନତା କଅଣ ଈଶ୍ୱରଙ୍କ ବିଶ୍ୱାସନୀୟତାକୁ ବ୍ୟର୍ଥ କରିବ? 4କଦାପି ନୁହେଁ! ବରଂ ପ୍ରତ୍ୟେକ ମନୁଷ୍ୟ ମିଥ୍ୟାବାଦୀ ହେଲେ ହେଉ। ଈଶ୍ୱର ଯେ ସତ୍ୟ, ଏହା ସ୍ୱୀକୃତ ହେଉ, ଯେହେତୁ ଏପରି ଲେଖାଅଛି:
“ତେଣୁ ତୁମ୍ଭେ ଆପଣା ବାକ୍ୟରେ ଯଥାର୍ଥ
ଓ ବିଚାର ନିଷ୍ପତ୍ତି ରେ ନ୍ୟାୟ ପରାୟଣ ବୋଲି ପ୍ରମାଣିତ ହେବ।”
5କିନ୍ତୁ ଆମର ଅଧାର୍ମିକତା ଯଦି ଈଶ୍ୱରଙ୍କ ଧାର୍ମିକତାକୁ ଅଧିକ ସ୍ପଷ୍ଟ ରୂପେ ଦର୍ଶାଏ, ତେବେ ଆମେ କଅଣ କହିବା? ଆମ ଉପରେ ଈଶ୍ୱର ଆପଣା କ୍ରୋଧ ବର୍ତ୍ତାଇବା ଦ୍ଵାରା ଅନ୍ୟାୟ କରୁଛନ୍ତି? (ମୁଁ ମନୁଷ୍ୟମାନଙ୍କ ଯୁକ୍ତି ବ୍ୟବହାର କରି କହୁଛି।) 6ତାହା ଆଦୌ ନୁହେଁ! ତା ଯଦି ହୋଇଥାଆନ୍ତା, ତେବେ ଈଶ୍ୱର ଜଗତର ବିଚାର କରନ୍ତେ କିପରି? 7କେହି ହୁଏତ ଯୁକ୍ତି କରି କହିପାରେ, “ମୋର ମିଥ୍ୟାବାଦୀତା ଦ୍ଵାରା ଯଦି ଈଶ୍ୱରଙ୍କ ସତ୍ୟବାଦିତା ଅଧିକ ପ୍ରତୀୟମାନ ହୋଇ ତାହାଙ୍କର ଗୌରବ ବର୍ଦ୍ଧନ କଲା, ତେବେ ମୁଁ ଆଉ କାହିଁକି ପାପୀ ବୋଲି ଦଣ୍ଡିତ ହେଉଛି?” 8ଏ କଥା ଅବା କାହିଁକି କୁହା ନ ଯିବ “ଚାଲ ଅସତ୍ କର୍ମ କରିବା ତଦ୍ଦ୍ୱାରା ମଙ୍ଗଳ ହେବ?” ଠିକ ଏହି କଥା ଆମେ କହୁଛୁ ବୋଲି କେହି କେହି ଦାବୀ କରୁଛନ୍ତି ଓ ଆମର ଅପବାଦ କରି କଥା କହୁଛନ୍ତି ସେମାନେ ଯଥୋଚିତ ଦଣ୍ଡ ପାଇବେ!
କେହି ଧାର୍ମିକ ନୁହେଁ
9ତା ହେଲେ ଆମେ କଅଣ କହିବା? ଆମେ ଅନ୍ୟମାନଙ୍କ ଅପେକ୍ଷା କଅଣ ଉତ୍ତମ? କଦାପି ନୁହେଁ! ମୁଁ ପୂର୍ବରୁ ଯିହୁଦୀ ଓ ଗ୍ରୀକ ସମସ୍ତଙ୍କୁ ଦୋଷ ଦେଇ କହି ସାରିଛି ଯେ ସମସ୍ତେ ସମଭାବରେ ପାପର ଆୟତ୍ତ ଧୀନରେ ଅଛନ୍ତି। 10ଯେହେତୁ ଏହିପରି ଲେଖାଅଛି:
“ଧାର୍ମିକ କେହି ନାହିଁ, ଜଣେ ସୁଦ୍ଧା ନାହିଁ;
11ବିବେଚନାଶୀଳ କେହି ନାହିଁ;
ଈଶ୍ୱରାନ୍ୱେଷୀ କେହି ନାହିଁ।
12ସେମାନେ ସମସ୍ତେ ବିପଥଗାମୀ,
ସେମାନେ ସମଭାବେ ଅଯୋଗ୍ୟ ହୋଇଛନ୍ତି;
କେହି ସତ୍କର୍ମ କରୁ ନାହିଁ,
କେହି ଜଣେ ହେଲେ ନାହିଁ।”
13“ସେମାନଙ୍କର କଣ୍ଠ ଖୋଲା କବରଗୁଡ଼ିକ ପରି;
ସେମାନଙ୍କର ଜିହ୍ଵା ଛଳନାମୟ।”
“ସେମାନଙ୍କର ଓଷ୍ଠାଧରରେ ବିଷଧର ସର୍ପର ଗରଳ ଥାଏ।”
14“ସେମାନଙ୍କର ମୁଖ ଅଭୀଶାପ ଓ କଟୁବାକ୍ୟରେ ପୂର୍ଣ୍ଣ।”
15“ସେମାନଙ୍କର ପଦଦ୍ଵୟ ରକ୍ତପାତ କରିବାକୁ ତତ୍ପର;
16ସେମାନଙ୍କ ଗତିପଥରେ ଥାଏ ବିନାଶ ଓ କ୍ଳେଶ,
17ସେମାନେ ଶାନ୍ତିର ମାର୍ଗ ଜାଣନ୍ତି ନାହିଁ।”
18“ସେମାନଙ୍କର ଦୃଷ୍ଟି ସମ୍ମୁଖରେ ଈଶ୍ୱର ଭୟ ନାହିଁ।”
19ଆମେ ଜାଣୁ ଯେ ବିଧିବ୍ୟବସ୍ଥା ଯାହା କହେ, ତାହା ବିଧିବ୍ୟବସ୍ଥାର ଅଧୀନରେ ଥିବା ଲୋକଙ୍କୁ କହେ, ଯଦ୍ଦ୍ୱାରା ପ୍ରତ୍ୟେକ ମୁଖ ନିରୁତ୍ତର ହେବ ଓ ସମଗ୍ର ଜଗତ ଈଶ୍ୱରଙ୍କ ସାକ୍ଷାତରେ ଦୋଷୀ ସାବ୍ୟସ୍ତ ହେବ। 20ଅତଏବ ବିଧିବ୍ୟବସ୍ଥା ପାଳନ କରି କେହି ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହେବ ନାହିଁ; ବରଞ୍ଚ, ବିଧିବ୍ୟବସ୍ଥା ଦ୍ଵାରା ଆମେ ପାପର ବୋଧ ପାଉ।
ବିଶ୍ୱାସ ଦ୍ଵାରା ଧାର୍ମିକତା ପ୍ରାପ୍ତି
21କିନ୍ତୁ ଏବେ ବିଧିବ୍ୟବସ୍ଥା ବ୍ୟତୀତ ଈଶ୍ୱରଙ୍କଠାରୁ ଧାର୍ମିକତା ପ୍ରକାଶିତ ହୋଇଛି, ଯାହା ସମ୍ବନ୍ଧରେ ବିଧିବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶାସ୍ତ୍ର ସାକ୍ଷ୍ୟ ଦିଏ। 22ଈଶ୍ୱରଙ୍କଠାରୁ ଏହି ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ଵାରା ସବୁ ବିଶ୍ୱାସୀଙ୍କୁ ମିଳେ। ଏଥିରେ କୌଣସି ପାର୍ଥକ୍ୟ କରାଯାଏ ନାହିଁ, 23କାରଣ ସମସ୍ତେ ପାପ କରିଛନ୍ତି ଏବଂ ଈଶ୍ୱରଙ୍କ ଗୌରବରୁ ଊଣା ପଡ଼ିଛନ୍ତି। 24ପୁଣି, ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି ତାହା ଦ୍ଵାରା ସେମାନେ ବିନାମୂଲ୍ୟରେ ତାହାଙ୍କ ଅନୁଗ୍ରହ ହେତୁ ଧାର୍ମିକ ଗଣ୍ୟ ହୁଅନ୍ତି। 25ଈଶ୍ୱର ଆପଣା ସହିଷ୍ଣୁତାରେ ପୂର୍ବକୃତ ପାପସମୂହ ପାଇଁ, ଦଣ୍ଡ ନ ଦେଇ ଛାଡ଼ି ଦେଇଥିଲେ। ତେଣୁ ସେ ନିଜର ନ୍ୟାୟପରତା ପ୍ରଦର୍ଶନ କରିବା ପାଇଁ, ଖ୍ରୀଷ୍ଟଙ୍କ ରକ୍ତରେ ବିଶ୍ୱାସ ଦ୍ଵାରା ତାହାଙ୍କୁ ପ୍ରାୟଶ୍ଚିତ ବଳି ରୂପେ ଉପସ୍ଥାପନ କଲେ 26ବର୍ତ୍ତମାନ କାଳରେ ସେ ନିଜର ନ୍ୟାୟପରତା ପ୍ରକାଶ କରିବାକୁ ଏହା କଲେ, ଯେପରି ସେ ନିଜେ ନ୍ୟାୟବାନ ଓ ଯୀଶୁଙ୍କଠାରେ ବିଶ୍ୱାସ କରୁଥିବା ମନୁଷ୍ୟକୁ ଧାର୍ମିକ ବୋଲି ପ୍ରକାଶ କରିବେ।
27ତେବେ ଗର୍ବ କେଉଁଠାରେ? ଗର୍ବର ସ୍ଥାନ ହିଁ ନାହିଁ। କେଉଁ ନୀତି ଅନୁସାରେ? କଅଣ ବିଧିବ୍ୟବସ୍ଥା ପାଳନ ଅନୁସାରେ? ନା, ଏହା ବିଶ୍ୱାସ ନୀତି ଉପରେ ଆଧାରିତ। 28କାରଣ ଆମେ ଦୃଢ଼ ରୂପେ କହି ଆସିଛୁ ଯେ ମନୁଷ୍ୟ ବିଧିବ୍ୟବସ୍ଥା ପାଳନ ଦ୍ଵାରା ନୁହେଁ ମାତ୍ର ବିଶ୍ୱାସ ଦ୍ଵାରା ଧାର୍ମିକ ଗଣ୍ୟ ହୁଏ। 29ଈଶ୍ୱର କଅଣ କେବଳ ଯିହୁଦୀମାନଙ୍କର ଈଶ୍ୱର? ସେ କଅଣ ଅଣଯିହୁଦୀମାନଙ୍କର ମଧ୍ୟ ଈଶ୍ୱର ନୁହନ୍ତି? ଅବଶ୍ୟ, ସେ ଅଣଯିହୁଦୀମାନଙ୍କର ମଧ୍ୟ ଈଶ୍ୱର, 30କାରଣ ଈଶ୍ୱର ଏକ, ଯେ କି ବିଶ୍ୱାସ ଦ୍ଵାରା ସୁନ୍ନତ ଲୋକମାନଙ୍କୁ ଧାର୍ମିକ ଗଣ୍ୟ କରିବେ ଏବଂ ସେହି ସମାନ ବିଶ୍ୱାସ ଦ୍ଵାରା ଅସୁନ୍ନତ ଲୋକଙ୍କୁ ମଧ୍ୟ ଧାର୍ମିକ ଗଣ୍ୟ କରିବେ। 31ତା ହେଲେ, ଆମେ କଅଣ, ଏହି ବିଶ୍ୱାସ ଦ୍ଵାରା ବିଧିବ୍ୟବସ୍ଥାକୁ ରଦ୍ କରୁଛୁ? କଦାପି ନୁହେଁ! ବରଞ୍ଚ, ଆମେ ବିଧିବ୍ୟବସ୍ଥାକୁ ସମର୍ଥନ କରୁଛୁ।