ଯୋହନ ଉପକ୍ରମଣିକା
ଉପକ୍ରମଣିକା
ଯୀଶୁଙ୍କୁ “ମନୁଷ୍ୟ ରୂପରେ ଆମ ସହିତ ବାସ କରିଥିବା ଈଶ୍ୱରଙ୍କ ଚିରନ୍ତନ ବାକ୍ୟ” ବୋଲି ଯୋହନଲିଖିତ ସୁସମାଚାରରେ କୁହାଯାଇଛି। ଏହି ସୁସମାଚାରର ଉଦ୍ଦେଶ୍ୟ ବୁଝାଇ ଯୋହନ ଲେଖିଛନ୍ତି: “ଯୀଶୁ ଯେ ଈଶ୍ୱରପୁତ୍ର ମସୀହ ଓ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତୁମ୍ଭେମାନେ ଜୀବନ ଲାଭ କରିବ, ଏହି ବିଶ୍ୱାସ ତୁମ ମନରେ ଜନ୍ମାଇବା ପାଇଁ ଏସବୁ ଲେଖାଯାଇଛି।” (ଯୋହନ ୨୦:୩୧)
ଯୀଶୁଙ୍କୁ ଈଶ୍ୱରଙ୍କ ଚିରନ୍ତନ ବାକ୍ୟ ବୋଲି ଉଲ୍ଲେଖ କରିବା ପରେ, ଏହି ସୁସମାଚାରର ପ୍ରଥମ ଭାଗରେ ଲେଖକ ଯୀଶୁଙ୍କ ବିଭିନ୍ନ ଅଲୌକିକ କାର୍ଯ୍ୟର ବିବରଣୀ ଦେଇ ତାଙ୍କୁ ଈଶ୍ୱରଙ୍କ ପୁତ୍ର ଓ ପ୍ରତିଜ୍ଞାତ ତ୍ରାଣକର୍ତ୍ତା ବୋଲି ପ୍ରମାଣିତ କରିଛନ୍ତି। ପୁଣି ସେହିସବୁ ଅଲୌକିକ କାର୍ଯ୍ୟର ତାତ୍ପର୍ଯ୍ୟ ବୁଝାଇ ଯୀଶୁ ଯେଉଁ ଉପଦେଶମାନ ଦେଇଥିଲେ, ସେ ସମସ୍ତ ଯୋହନ ଏହି ସୁସମାଚାରରେ ସଂକଳିତ କରିଛନ୍ତି। କେତେକ ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରି କିପରି ତାଙ୍କର ଅନୁଗାମୀ ହେଲେ ଏବଂ ଆଉ କେତେକ କିପରି ବିଶ୍ୱାସ ନ କରି ଯୀଶୁଙ୍କ ବିରୁଦ୍ଧାଚରଣ କଲେ- ଏହି ସୁସମାଚାରରେ ତାହାର ବିବରଣୀ ଦିଆଯାଇଛି।
ଯୀଶୁ ଶତ୍ରୁ ହସ୍ତରେ ସମର୍ପିତ ହୋଇ କ୍ରୁଶବିଦ୍ଧ ହେବା ପୂର୍ବ ରାତ୍ରିରେ ଶିଷ୍ୟମାନଙ୍କ ପ୍ରତି ଯେପରି ନିବିଡ଼ ସାହଚର୍ଯ୍ୟ ଓ ଅନ୍ତରଙ୍ଗତା ପ୍ରକାଶ କଲେ- ୧୩ ରୁ ୧୭ ଅଧ୍ୟାୟରେ ଯୋହନ ତାହା ସ୍ପଷ୍ଟଭାବେ ଦର୍ଶାଇ ଦେଇଛନ୍ତି। ପୁଣି କ୍ରୁଶାରୋହଣ ପୂର୍ବରୁ ଯୀଶୁ ଶିଷ୍ୟମାନଙ୍କୁ ଦେଇଥିବା ଆଶ୍ୱାସନା ଓ ଉତ୍ସାହର ବାଣୀ ଏଥିରେ ସନ୍ନିବେଶିତ ହୋଇଛି।
ସୁସମାଚାରର ଶେଷ ଭାଗରେ ଯୀଶୁଙ୍କ ଶତ୍ରୁ ହସ୍ତରେ ସମର୍ପଣ, କ୍ରୁଶାରୋହଣ, ପୁନରୁତ୍ଥାନ ଓ ପୁନରୁତ୍ଥାନ ପରେ ଶିଷ୍ୟମାନଙ୍କୁ ଦର୍ଶନର ବିବରଣୀ ଦିଆଯାଇଛି।
ବ୍ୟଭିଚାର ଅପରାଧୋର ଅଭିଯୁକ୍ତ ସ୍ତ୍ରୀ ଲୋକଟିର ବୃତ୍ତାନ୍ତ (୮:୧-୧୧) ବନ୍ଧନୀ ଭିତରେ ରଖାଯାଇଛି, କାରଣ ଅନେକ ପାଣ୍ଡୁଲିପିରେ ଓ ପୁରାତନ ଅନୁବାଦମାନଙ୍କରେ ଏ ଅଂଶଟିକୁ ବାଦ ଦିଆଯାଇଛି ଏବଂ ଅନ୍ୟ ପାଣ୍ଡୁଲିପିମାନଙ୍କରେ ତାହାକୁ ବିଭିନ୍ନ ଅଧ୍ୟାୟମାନଙ୍କରେ ଅନ୍ତଭୁକ୍ତ କରାଯାଇଛି।
ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରାପ୍ତ ଅନନ୍ତଜୀବନ ରୂପ ମହାଦାନ ଉପରେ ଯୋହନ ଗୁରୁତ୍ୱ ଆରୋପ କରିଛନ୍ତି। ଯୀଶୁଙ୍କ ପଥ, ସତ୍ୟ ଓ ଜୀବନ ରୂପେ ଯେଉଁମାନେ ଗ୍ରହଣ କରିବେ, ସେମାନେ ସେହି ମୁହୂର୍ତ୍ତରୁ ସେହି ଦାନ ଉପଭୋଗ କରିବେ ବୋଲି ଯୋହନ ଘୋଷଣା କରିଛନ୍ତି। ଜଳ, ରୋଟି, ଆଲୋକ, ମେଷ ଓ ମେଷପାଳକ, ଦ୍ରାକ୍ଷାଲତା ଓ ଦ୍ରାକ୍ଷା ପ୍ରଭୃତି ଦୈନନ୍ଦିନ ଜୀବନରେ ପରିଦୃଷ୍ଟ ସାଧାରଣ ବିଷୟମାନଙ୍କ ସାହାଯ୍ୟରେ ଆଧ୍ୟାତ୍ମିକ ତଥ୍ୟମାନଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରିବା ଯୋହନ ସୁସମାଚାରର ଏକ ଉଲ୍ଲେଖଯୋଗ୍ୟ ବିଶେଷତ୍ୱ।
ବିଷୟ ସୂଚୀ
ପୂର୍ବାଭାସ - ୧:୧-୧୮
ଜଳଦୀକ୍ଷାଦାତା ଯୋହନ ଓ ଯୀଶୁଙ୍କ ପ୍ରଥମ ଶିଷ୍ୟଗଣ - ୧:୧୯-୫୧
ଯୀଶୁଙ୍କ ସର୍ବସାଧାରଣ ସେବାକାର୍ଯ୍ୟ - ୨:୧-୧୨:୫୦
ଯିରୂଶାଲମ ଓ ତାହାର ନିକଟବର୍ତ୍ତୀ ଅଞ୍ଚଳରେ ଯୀଶୁଙ୍କ ଜୀବନର ଶେଷ ପର୍ଯ୍ୟାୟ - ୧୩:୧-୧୯:୪୨
ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ ଓ ଶିଷ୍ୟମାନଙ୍କୁ ଦର୍ଶନ - ୨୦:୧-୩୧
ଉପସଂହାର: ଗାଲିଲୀରେ ଅନ୍ୟ ଏକ ଦର୍ଶନ - ୨୧:୧-୨୫
Селектирано:
ଯୋହନ ଉପକ୍ରମଣିକା: ODCLBSI
Нагласи
Сподели
Копирај

Дали сакаш да ги зачуваш Нагласувањата на сите твои уреди? Пријави се или најави се
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.