Logo YouVersion
Ikona vyhledávání

ଆଦି ପୁସ୍ତକ 22

22
ଇସ୍‍ହାକଙ୍କ ଉତ୍ସର୍ଗ
1ଏହି ସମସ୍ତ ଘଟଣା ଉତ୍ତାରେ ପରମେଶ୍ଵର ଅବ୍ରହାମଙ୍କର ପରୀକ୍ଷା ନିମନ୍ତେ କହିଲେ, ହେ ଅବ୍ରହାମ। ତହିଁରେ ସେ ଉତ୍ତର କଲେ, ଦେଖନ୍ତୁ, ମୁଁ ଏଠାରେ ଅଛି।
2ସେତେବେଳେ ସେ କହିଲେ, ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଅଦ୍ଵିତୀୟ ପୁତ୍ରକୁ, ଅର୍ଥାତ୍, ତୁମ୍ଭେ ଯାହାକୁ ସ୍ନେହ କର, ସେହି ଇସ୍‍ହାକକୁ ଘେନି ମୋରୀୟା ଦେଶକୁ ଯାଅ; ପୁଣି ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର।
3ତହିଁରେ ଅବ୍ରହାମ ପ୍ରଭାତରେ ଉଠି ଗଧ ସଜାଇ ଦୁଇଜଣ ଦାସ ଓ ଆପଣା ପୁତ୍ର ଇସ୍‍ହାକକୁ ସଙ୍ଗରେ ନେଲେ, ଆଉ ହୋମ ନିମନ୍ତେ କାଠ କାଟି ପରମେଶ୍ଵରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ।
4ଅନନ୍ତର ତୃତୀୟ ଦିନରେ ଅବ୍ରହାମ ଅନାଇ ଦୂରରୁ ସେହି ସ୍ଥାନ ଦେଖିଲେ।
5ସେତେବେଳେ ଅବ୍ରହାମ ସେହି ଦାସମାନଙ୍କୁ କହିଲେ, ତୁମ୍ଭେମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବା।
6ତହୁଁ ଅବ୍ରହାମ ଯଜ୍ଞକାଷ୍ଠ ଘେନି ଆପଣା ପୁତ୍ର ଇସ୍‍ହାକର ସ୍କନ୍ଧରେ ଦେଇ ନିଜ ହସ୍ତରେ ଅଗ୍ନି ଓ ଛୁରିକା ଘେନିଲେ, ପୁଣି ଦୁହେଁ ଏକତ୍ର ଚାଲିଗଲେ।
7ଆଉ ଇସ୍‍ହାକ ଆପଣା ପିତା ଅବ୍ରହାମଙ୍କୁ ଡାକି କହିଲା, ହେ ମୋହର ପିତଃ। ତହିଁରେ ସେ ଉତ୍ତର କଲେ, ପୁତ୍ର, ଦେଖ, ମୁଁ ଏଠାରେ। ସେତେବେଳେ ସେ ପଚାରିଲା, ଏହି ଦେଖ, ଅଗ୍ନି ଓ କାଷ୍ଠ, ମାତ୍ର ହୋମ ନିମନ୍ତେ ମେଣ୍ଢାଛୁଆ କାହିଁ?
8ତହିଁରେ ଅବ୍ରହାମ କହିଲେ, ପୁତ୍ର, ପରମେଶ୍ଵର ଆପେ ହୋମ ପାଇଁ ମେଣ୍ଢାଛୁଆ ଯୋଗାଇବେ। ତହୁଁ ଦୁହେଁ ଏକତ୍ର ଚାଲିଗଲେ।
9ଆଉ ପରମେଶ୍ଵରଙ୍କ ନିରୂପିତ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ଅବ୍ରହାମ ସେଠାରେ ଏକ ଯଜ୍ଞବେଦୀ ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇସ୍‍ହାକକୁ ବାନ୍ଧି ବେଦିର କାଠ ଉପରେ ଶୁଆଇଲେ।
10ଅନନ୍ତର ଅବ୍ରହାମ ହସ୍ତ ବିସ୍ତାରି ପୁତ୍ରକୁ ବଧ କରିବା ନିମନ୍ତେ ଛୁରିକା ଧରିଲେ।
11ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଡାକି କହିଲେ, ହେ ଅବ୍ରହାମ, ହେ ଅବ୍ରହାମ; ତହିଁରେ ସେ କହିଲେ, ଦେଖନ୍ତୁ, ମୁଁ ଏଠାରେ।
12ତହିଁରେ ସେ କହିଲେ, ତୁମ୍ଭେ ସେହି ବାଳକର ପ୍ରତିକୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ; କାରଣ ପରମେଶ୍ଵରଙ୍କ ପ୍ରତି ତୁମ୍ଭର ଭୟ ଅଛି, ଏହା ଏବେ ଆମ୍ଭେ ବୁଝିଲୁ; ଯେହେତୁ ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନୋହିଲ।
13ସେତେବେଳେ ଅବ୍ରହାମ ଅନାଇ ଆପଣା ପଛଆଡ଼ ବୁଦାର ଲତାରେ ବଦ୍ଧଶୃଙ୍ଗ ଗୋଟିଏ ମେଷ ଦେଖିଲେ; ତହିଁରେ ଅବ୍ରହାମ ଯାଇ ସେହି ମେଷକୁ ଆଣି ଆପଣା ପୁତ୍ର ବଦଳେ ତାକୁ ହୋମ ନିମନ୍ତେ ଉତ୍ସର୍ଗ କଲେ।
14ପୁଣି ଅବ୍ରହାମ ସେହି ସ୍ଥାନର ନାମ ଯିହୋବା-ଯିରି (ସଦାପ୍ରଭୁ ଯୋଗାଇବେ) ରଖିଲେ। ଏଣୁକରି ଆଜିଯାଏ ଲୋକେ କହନ୍ତି, ପର୍ବତରେ ସଦାପ୍ରଭୁ ଯୋଗାଇବେ।
15ଆଉ ସଦାପ୍ରଭୁଙ୍କ ଦୂତ ଦ୍ଵିତୀୟ ଥର ଆକାଶରୁ ଅବ୍ରହାମଙ୍କୁ ଡାକି କହିଲେ,
16ସଦାପ୍ରଭୁ କହୁଅଛନ୍ତି, ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମ୍ମତ ନୋହିଲ;
17ତୁମ୍ଭର ଏହି କର୍ମ ସକାଶୁ ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ, ଆମ୍ଭେ ତୁମ୍ଭକୁ ଅବଶ୍ୟ ଆଶୀର୍ବାଦ କରି ଆକାଶସ୍ଥ ତାରାଗଣ ଓ ସମୁଦ୍ରର ବାଲି ପରି ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବା; ତୁମ୍ଭର ବଂଶ ଶତ୍ରୁଗଣର ନଗର-ଦ୍ଵାର ଅଧିକାର କରିବେ।
18ପୁଣି ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ଵାରା ଆଶୀର୍ବାଦ ପ୍ରାପ୍ତ ହେବେ; ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ।
19ଅନନ୍ତର ଅବ୍ରହାମ ସେହି ଦାସମାନଙ୍କ ନିକଟକୁ ଫେରିଗଲେ; ଆଉ ସେମାନେ ଉଠି ଏକତ୍ର ବେର୍ଶେବାକୁ ଗଲେ ଓ ଅବ୍ରହାମ ବେର୍ଶେବାରେ ବାସ କଲେ।
20ସେହି ଘଟଣା ଉତ୍ତାରେ ଅବ୍ରହାମଙ୍କୁ ଏହି ସମ୍ଵାଦ ଦିଆଗଲା, ଶୁଣ, ମିଲ୍‍କା ମଧ୍ୟ ତୁମ୍ଭ ଭ୍ରାତା ନାହୋର ନିମନ୍ତେ ସନ୍ତାନସନ୍ତତି ପ୍ରସବ କରିଅଛି।
21ତାହାର ଜ୍ୟେଷ୍ଠ ପୁତ୍ର ଊଷ ଓ ତାହାର ଭ୍ରାତା ବୂଷ୍ ଓ ଅରାମର ପିତା କମୂୟେଲ,
22ପୁଣି କେଷଦ୍ ଓ ହସୋ ଓ ପିଲଦଶ୍ ଓ ଯିଦ୍ଲଫ୍ ଓ ବଥୂୟେଲ।
23ସେହି ବଥୂୟେଲର କନ୍ୟା ରିବିକା। ମିଲ୍‍କା ଏହି ଆଠଜଣଙ୍କୁ ଅବ୍ରହାମଙ୍କର ଭ୍ରାତା ନାହୋର ନିମନ୍ତେ ଜନ୍ମ କଲା।
24ପୁଣି ନାହୋରର ରୂମା ନାମ୍ନୀ ଉପପନିୀଠାରୁ ଟେବହ ଓ ଗହମ୍ ଓ ତହଶ୍ ଓ ମାଖା, ଏମାନେ ଜାତ ହେଲେ।

Zvýraznění

Kopírovat

Porovnat

Sdílet

None

Chceš mít své zvýrazněné verše uložené na všech zařízeních? Zaregistruj se nebo se přihlas