Skip to content
Logo de l'Aplicació de la Bíblia

ମାଥିଉଲିଖିତ 3

3
ଡୁବକ ଯୋହନଙ୍କ ପ୍ରଚାର
1ସେହି ସମୟରେ ଡୁବକ ଯୋହନ, ଯିହୁଦା ପ୍ରଦେଶର ମରୁପ୍ରାନ୍ତରରେ ପ୍ରଚାର କରିବାକୁ ଆରମ୍ଭ କଲେ 2ସେ କହୁଥିଲେ, “ଅନୁତାପ କର, କାରଣ ସ୍ଵର୍ଗରାଜ୍ୟ ସନ୍ନିକଟ।” 3ଏ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ସମ୍ବନ୍ଧରେ ଭାବବାଦୀ ଯିଶାଇୟ କହିଥିଲେ:
“ମରୁପ୍ରାନ୍ତରରେ ଚିତ୍କାର କରୁଥିବା ଜଣକର ସ୍ଵର,
‘ପ୍ରଭୁଙ୍କ ନିମନ୍ତେ ପଥ ପ୍ରସ୍ତୁତ କର,
ତାହାଙ୍କ ପାଇଁ ସଳଖ ପଥ ତିଆରି କର।’ ”
4ଯୋହନଙ୍କ ବସ୍ତ୍ର ଓଟଲୋମରେ ତିଆରି ହୋଇଥିଲା, ଏବଂ ସେ ଅଣ୍ଟାରେ ଚମଡ଼ାର ଏକ କଟିବନ୍ଧ ପିନ୍ଧୁଥିଲେ, ପଙ୍ଗପାଳ ଓ ବନମଧୁ ତାଙ୍କର ଖାଦ୍ୟ ଥିଲା। 5ଲୋକମାନେ ଯିରୂଶାଲମରୁ ଯିହୁଦା ପ୍ରଦେଶର ସବୁ ଅଞ୍ଚଳରୁ ଏବଂ ସମଗ୍ର ଯର୍ଦ୍ଦନ ନଦୀ ଉପତ୍ୟକାରୁ ଯୋହନଙ୍କ ନିକଟକୁ ଯିବାକୁ ଲାଗିଲେ। 6ସେମାନେ ପାପ ସ୍ଵକାର କରିବାରୁ, ସେ ସେମାନଙ୍କୁ ଯର୍ଦ୍ଦନ ନଦୀରେ ଡୁବନ ଦେଲେ।
7ମାତ୍ର ସେ ଯେତେବେଳେ ଦେଖିଲେ ଯେ ଅନେକେ ଫାରୂଶୀ ଓ ସାଦ୍ଦୂକୀ ଡୁବନ ନେବାକୁ ଆସୁଛନ୍ତି, ସେତେବେଳେ ସେ ସେମାନଙ୍କୁ କହିଲେ: “ରେ କାଳସର୍ପର ବଂଶ! ଆଗାମୀ କ୍ରୋଧରୁ ପଳାଇବାକୁ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? 8ଅନୁତାପର ନିଦର୍ଶନ ସ୍ଵରୂପ ଫଳ ଉତ୍ପନ୍ନ କର। 9ଭାବ ନାହିଁ ଯେ ତୁମେ ନିଜକୁ କହିପାରିବ, ‘ଅବ୍ରହାମ ତ ଆମର ପିତୃପୁରୁଷ।’ ମୁଁ ତୁମ୍ଭମାନଙ୍କୁ କହୁଛି ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ବଂଶ ସୃଷ୍ଟି କରିପାରନ୍ତି। 10ବର୍ତ୍ତମାନ ସୁଦ୍ଧା କୁରାଢ଼ି ଗଛଗୁଡ଼ିକ ମୂଳରେ ଲଗା ହୋଇରହିଛି, ଯେଉଁ ଗଛଗୁଡ଼ିକ ସୁଫଳ ଉତ୍ପନ୍ନ କରୁ ନାହିଁ ସେହିସବୁ ହଣାଯାଇ ନିଆଁରେ ପକାଯିବ।
11“ଅନୁତାପ କରୁଥିବା ହେତୁ ମୁଁ ତୁମ୍ଭମାନଙ୍କୁ ଜଳରେ ଡୁବନ ଦେଉଛି। କିନ୍ତୁ ମୋ ପରେ ଯେ ଆସୁଛନ୍ତି ସେ ମୋ ଠାରୁ ଅଧିକ ଶକ୍ତିମାନ, ତାଙ୍କର ପାଦୁକା ଫିଟାଇବାକୁ ସୁଦ୍ଧା ମୁଁ ଯୋଗ୍ୟ ନୁହେଁ। ସେ ତୁମକୁ ପବିତ୍ରଆତ୍ମା ଓ ଅଗ୍ନିରେ ଡୁବନ ଦେବେ। 12ତାହାଙ୍କ ହାତରେ କୁଲା ଅଛି, ସେ ନିଜ ଖଳା ପରିଷ୍କାର କରି ଗହମକୁ ନିଜ ଅମାରରେ ସଂଗ୍ରହ କରି ରିଖିବେ, ଓ ଅଗାଡ଼ିକୁ ଚିରପ୍ରଜ୍ୱଳିତ ଅଗ୍ନିରେ ପୋଡ଼ି ପକାଇବେ।”
ଯୀଶୁ ଡୁବନ ନେଲେ
13ଏଉତ୍ତାରେ ଯୀଶୁ ଯୋହନଙ୍କ ଦ୍ଵାରା ଡୁବନ ନେବାକୁ ଗାଲିଲୀରୁ ଯର୍ଦ୍ଦନ ନଦୀ କୂଳକୁ ଆସିଲେ। 14କିନ୍ତୁ ଯୋହନ ତାଙ୍କୁ ବାରଣ କରି, କହିଲେ, “ମୁଁ ବରଂ ତୁମ ଦ୍ଵାରା ଡୁବନ ନେବା ପ୍ରୟୋଜନ, ଅଥଚ ତୁମେ ମୋ ନିକଟକୁ ଆସିଅଛ?”
15କିନ୍ତୁ ଯୀଶୁ ଉତ୍ତର ଦେଲେ, “ଏବେ ଏହା ହିଁ ହେଉ; କାରଣ ଏହିପରି ସମସ୍ତ ଧର୍ମକର୍ମ ପାଳନ କରିବା ଆମର କର୍ତ୍ତବ୍ୟ।” ତେଣୁ ଯୋହନ ସମ୍ମତ ହେଲେ।
16ଯୀଶୁ ଡୁବନ ନେଇ, ଜଳରୁ ଉଠିବା ମାତ୍ରେ ସ୍ଵର୍ଗକୁ ଖୋଲା ହେବାର, ଏବଂ ଈଶ୍ୱରଙ୍କ ଆତ୍ମା କପୋତ ରୂପରେ ତାଙ୍କ ଉପରେ ଅବତୀର୍ଣ୍ଣ ହେବାର ଦେଖିଲେ। 17ପୁଣି ସ୍ଵର୍ଗରୁ ଏହି ବାଣୀ ହେଲା, “ଏ ମୋହର ପ୍ରିୟ ପୁତ୍ର, ଏହାଙ୍କଠାରେ ମୁଁ ପରମପ୍ରୀତ।”