୧ କରିନ୍ଥୀୟ 4

4
ପ୍ରେରିତମାନଙ୍କ ସେବାକାର୍ଯ୍ୟ
1ଲୋକେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କର ପରିଚାରକ, ପୁଣି, ଈଶ୍ବରଙ୍କ ନିଗୂଢ଼ତତ୍ତ୍ୱର ଭଣ୍ଡାରଘରିଆ ବୋଲି ମନେ କରନ୍ତୁ। 2ଆଉ, ଭଣ୍ଡାରଘରିଆ ବିଷୟରେ ଏହା ନିତାନ୍ତ ଆବଶ୍ୟକ, ଯେପରି ସେ ବିଶ୍ୱସ୍ତ ଦେଖାଯାଏ। 3କିନ୍ତୁ ତୁମ୍ଭମାନଙ୍କ ଦ୍ୱାରା କିମ୍ବା କୌଣସି ଲୌକିକ ବିଚାରସଭା ଦ୍ୱାରା ବିଚାରିତ ହେବା ମୋʼ ପକ୍ଷରେ ଅତି ସାମାନ୍ୟ ବିଷୟ, ଏପରିକି ମୁଁ ନିଜେ ସୁଦ୍ଧା ନିଜର ବିଚାର କରେ ନାହିଁ। 4କାରଣ ମୁଁ ନିଜ ବିରୁଦ୍ଧରେ କିଛି ଜାଣେ ନାହିଁ, ତଥାପି ଏଥିରେ ମୁଁ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇ ନାହିଁ କିନ୍ତୁ ଯେ ମୋହର ବିଚାର କରନ୍ତି, ସେ ପ୍ରଭୁ। 5ତେଣୁ, ସମୟର ପୂର୍ବେ ପ୍ରଭୁଙ୍କ ନ ଆସିବା ପର୍ଯ୍ୟନ୍ତ କୌଣସି ବିଷୟ ବିଚାର କର ନାହିଁ ସେ ଅନ୍ଧକାରର ଗୁପ୍ତ ବିଷୟଗୁଡ଼ିକ ଆଲୋକରେ ଦେଖାଇବେ, ପୁଣି, ହୃଦୟର ସଂକଳ୍ପସମସ୍ତ ପ୍ରକାଶ କରିବେ ସେତେବେଳେ ପ୍ରତ୍ୟେକ ଜଣ ଈଶ୍ବରଙ୍କଠାରୁ ପ୍ରଶଂସା ପାଇବ। 6ହେ ଭାଇମାନେ, ମୁଁ ତୁମ୍ଭମାନଙ୍କ ଶିକ୍ଷା ନିମନ୍ତେ ଏହିସବୁ କଥା ମୋʼ ନିଜକୁ ଓ ଆପଲ୍ଲଙ୍କୁ ଲକ୍ଷ୍ୟ କରି ଦୃଷ୍ଟାନ୍ତ ଦେଲି, ଯେପରି ଯାହା ଲିଖିତ ଅଛି, ତାହା ଅତିକ୍ରମ କର ନାହିଁ, ଏହା ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଶିକ୍ଷା କର, ପୁଣି, ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣକର ସପକ୍ଷ ଓ ଅନ୍ୟ ଜଣକର ବିପକ୍ଷ ହୋଇ ଗର୍ବୀ ନ ହୁଅ। 7କାରଣ କିଏ ତୁମ୍ଭକୁ ଶ୍ରେଷ୍ଠ କରିଅଛି? ଆଉ, ଯାହା ତୁମ୍ଭେ ଦାନ ସ୍ୱରୂପେ ପାଇ ନାହଁ, ଏପରି ତୁମ୍ଭର କଅଣ ଅଛି? କିନ୍ତୁ ଯଦି ତୁମ୍ଭେ ତାହା ଦାନ ସ୍ୱରୂପେ ପାଇଅଛ, ତେବେ ତାହା ଦାନ ସ୍ୱରୂପେ ପାଇ ନ ଥିଲା ପରି କାହିଁକି ଗର୍ବ କରୁଅଛ? 8ଇତିମଧ୍ୟରେ ତୁମ୍ଭେମାନେ କଅଣ ପରିତୃପ୍ତ ହୋଇଗଲଣି? ଇତିମଧ୍ୟରେ ତୁମ୍ଭେମାନେ କଅଣ ଧନବାନ ହୋଇଗଲଣି? ଆମ୍ଭମାନଙ୍କ ବିନା ତୁମ୍ଭେମାନେ କଅଣ ରାଜା ହୋଇଅଛ? ହଁ, ତୁମ୍ଭେମାନେ ରାଜା ହୋଇଥିଲେ ଭଲ ହୋଇଥାଆନ୍ତା, ଯେପରି ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ସହିତ ରାଜତ୍ୱ କରିପାରିଥାଆନ୍ତୁ। 9କାରଣ ମୋହର ମନେ ହୁଏ, ଆମ୍ଭେମାନେ ଯେ ପ୍ରେରିତ, ଆମ୍ଭମାନଙ୍କୁ ଈଶ୍ବର ମୃତ୍ୟୁମୁଖରେ ସମର୍ପିତ ସର୍ବଶେଷର ଲୋକମାନଙ୍କ ସଦୃଶ ପ୍ରଦର୍ଶନ କରିଅଛନ୍ତି, ଯେଣୁ ଆମ୍ଭେମାନେ ଜଗତ, ଦୂତ ଓ ମନୁଷ୍ୟମାନଙ୍କ ନିକଟରେ କୌତୁକର ବିଷୟ ହୋଇଅଛୁ। 10ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୂର୍ଖ, କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ; ଆମ୍ଭେମାନେ ଦୁର୍ବଳ, କିନ୍ତୁ ତୁମ୍ଭେମାନେ ବଳବାନ; ତୁମ୍ଭେମାନେ ଗୌରବପ୍ରାପ୍ତ, କିନ୍ତୁ ଆମ୍ଭେମାନେ ଅନାଦୃତ। 11ଏ ସମୟ ପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ କ୍ଷୁଧିତ ଓ ତୃଷିତ, ବସ୍ତ୍ରହୀନ ଓ ପ୍ରହାରିତ ହେଉଅଛୁ, ପୁଣି, ନିରାଶ୍ରୟ ହୋଇ ଭ୍ରମଣ କରୁ କରୁ 12ସ୍ୱହସ୍ତରେ କର୍ମ କରି ପରିଶ୍ରମ କରୁଅଛୁ, ନିନ୍ଦିତ ହୋଇ ଆଶୀର୍ବାଦ କରୁଅଛୁ, ତାଡ଼ନା ପ୍ରାପ୍ତ ହୋଇ ସହ୍ୟ କରୁଅଛୁ, 13ଅପବାଦିତ ହୋଇ ମିଳନର କଥା କହୁଅଛୁ; ଏପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ ଜଗତର ଆବର୍ଜନା, ସମସ୍ତଙ୍କର କଳଙ୍କ ସ୍ୱରୂପ ହୋଇଅଛୁ।
ଚେତାବନୀ
14ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଏହି ସମସ୍ତ ବିଷୟ ଲେଖୁ ନାହିଁ, କିନ୍ତୁ ମୋହର ପ୍ରିୟ ସନ୍ତାନ ବୋଲି ମନେ କରି ତୁମ୍ଭମାନଙ୍କୁ ଚେତନା ଦେବା ନିମନ୍ତେ ଏହି ସମସ୍ତ ଲେଖୁଅଛି। 15କାରଣ ଯଦ୍ୟପି ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ଦଶ ସହସ୍ର ଶିକ୍ଷକ ଥାଆନ୍ତେ, ତଥାପି ତୁମ୍ଭମାନଙ୍କର ଅନେକ ପିତା ନାହାନ୍ତି; କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ମୁଁ ତୁମ୍ଭମାନଙ୍କୁ ସୁସମାଚାର ଦ୍ୱାରା ଜନ୍ମ ଦେଇଅଛି। 16ଏଣୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ, ତୁମ୍ଭେମାନେ ମୋହର ଅନୁକାରୀ ହୁଅ। 17ଏଥିସକାଶେ ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ପଠାଇଅଛି, ସେ ପ୍ରଭୁଙ୍କଠାରେ ମୋହର ପ୍ରିୟ ଓ ବିଶ୍ୱସ୍ତ ସନ୍ତାନ; ଯେପରି ମୁଁ ସର୍ବତ୍ର ସମସ୍ତ ମଣ୍ଡଳୀରେ ଶିକ୍ଷା ଦେଇଥାଏ, ସେହିପରି ସେ ତୁମ୍ଭମାନଙ୍କୁ ମୋହର ଖ୍ରୀଷ୍ଟୀୟ ଆଚରଣ ସମସ୍ତ ସ୍ମରଣ କରାଇବେ। 18ମୁଁ ତୁମ୍ଭମାନଙ୍କ ନିକଟକୁ ଯିବି ନାହିଁ ବୋଲି ମନେ କରି କେହି କେହି ଗର୍ବରେ ପୂର୍ଣ୍ଣ ହୋଇଅଛନ୍ତି। 19କିନ୍ତୁ ଯଦି ପ୍ରଭୁ ଇଚ୍ଛା କରନ୍ତି, ମୁଁ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ଆସିବି; ପୁଣି, ଯେଉଁମାନେ ଗର୍ବ କରୁଅଛନ୍ତି, ସେମାନଙ୍କର ବାକ୍ୟ ନୁହେଁ, କିନ୍ତୁ ଶକ୍ତି ବୁଝିନେବି! 20କାରଣ ଈଶ୍ବରଙ୍କ ରାଜ୍ୟ ବାକ୍ୟରେ ନୁହେଁ, ମାତ୍ର ଶକ୍ତିରେ ପ୍ରକାଶ ପାଏ। 21ତୁମ୍ଭମାନଙ୍କର ଇଚ୍ଛା କଅଣ? ମୁଁ ବେତ ଘେନି ତୁମ୍ଭମାନଙ୍କ ପାଖକୁ ଆସିବି ନା ପ୍ରେମ ଓ ମୃଦୁତାର ଆତ୍ମା ଘେନି ଆସିବି?

Subratllat

Copia

Compara

Comparteix

None

Vols que els teus subratllats es desin a tots els teus dispositius? Registra't o inicia sessió