ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 15
15
ଅବ୍ରାମଙ୍କ ସହିତ ପରମେଶ୍ୱରଙ୍କ ଚୁକ୍ତି
1ସେହି ଘଟଣା ଉତ୍ତାରେ ଦର୍ଶନ ଦ୍ୱାରା ସଦାପ୍ରଭୁଙ୍କର ବାକ୍ୟ ଅବ୍ରାମଙ୍କ ନିକଟରେ ଉପସ୍ଥିତ ହେଲା, “ହେ ଅବ୍ରାମ, ଭୟ କର ନାହିଁ, ଆମ୍ଭେ ତୁମ୍ଭର ଢାଲ ଓ ମହାପୁରସ୍କାର ସ୍ୱରୂପ।” 2ତହିଁରେ ଅବ୍ରାମ ଉତ୍ତର କଲେ, “ହେ ପ୍ରଭୁ ସଦାପ୍ରଭୁ, ତୁମ୍ଭେ ମୋତେ କ’ଣ ଦେବ ? ମୁଁ ତ ନିଃସନ୍ତାନ ହୋଇ ପ୍ରସ୍ଥାନ କରୁଅଛି, ପୁଣି, ଦମ୍ମେଶକୀୟ ଇଲୀୟେଜର ମୋ’ ଗୃହର ଧନାଧିକାରୀ ଅଟେ।” 3ପୁଣି, ଅବ୍ରାମ କହିଲେ, “ଦେଖ, ତୁମ୍ଭେ ମୋତେ ସନ୍ତାନ ଦେଲ ନାହିଁ, ଏଣୁ ମୋ’ ଗୃହଜାତ କୌଣସି ଲୋକ ମୋହର ଉତ୍ତରାଧିକାରୀ ହେବ।” 4ସେତେବେଳେ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, “ଦେଖ, ସେହି ବ୍ୟକ୍ତି ତୁମ୍ଭର ଉତ୍ତରାଧିକାରୀ ହେବ ନାହିଁ; ମାତ୍ର ଯେ ତୁମ୍ଭ ଔରସରେ ଜାତ ହେବ, ସେହି ତୁମ୍ଭର ଉତ୍ତରାଧିକାରୀ ହେବ।” 5ଏଥିଉତ୍ତାରେ ସଦାପ୍ରଭୁ ତାଙ୍କୁ ବାହାରକୁ ଆଣି କହିଲେ, “ତୁମ୍ଭେ ଆକାଶକୁ ଦୃଷ୍ଟି କରି ଯଦି ତାରାସମୂହ ଗଣିପାର, ତେବେ ଗଣି କୁହ।” ସେ ଆହୁରି କହିଲେ, “ଏହି ପ୍ରକାର ତୁମ୍ଭର ବଂଶ ହେବ।” 6ସେତେବେଳେ ଅବ୍ରାମ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରନ୍ତେ, ସେ ତାଙ୍କ ପକ୍ଷରେ ତାକୁ ଧାର୍ମିକତା ବୋଲି ଗଣନା କଲେ। 7ଏଥିଉତ୍ତାରେ ସଦାପ୍ରଭୁ ତାଙ୍କୁ କହିଲେ, “ଯେ ତୁମ୍ଭର ଅଧିକାର ନିମନ୍ତେ ଏହି ଦେଶ ଦେବା ପାଇଁ କଲ୍ଦୀୟମାନଙ୍କ ଊରଠାରୁ ଆଣିଲେ, ସେହି ସଦାପ୍ରଭୁ ଆମ୍ଭେ।” 8ତହୁଁ ଅବ୍ରାମ କହିଲେ, “ହେ ପ୍ରଭୁ, ସଦାପ୍ରଭୁ, ମୁଁ ଯେ ଏ ଦେଶର ଅଧିକାରୀ ହେବି, ତାହା ମୁଁ କିପରି ଜାଣିବି ?” 9ସଦାପ୍ରଭୁ କହିଲେ, “ତୁମ୍ଭେ ତିନି ବର୍ଷର ଗୋଟିଏ ଗାଭୀ ଓ ତିନି ବର୍ଷର ଗୋଟିଏ ଛାଗୀ ଓ ତିନି ବର୍ଷର ଗୋଟିଏ ମେଷ ଓ ଗୋଟିଏ ଘୁଘୁ ଓ ଗୋଟିଏ କପୋତ ଛୁଆ ଆମ୍ଭ ନିକଟକୁ ଆଣ।” 10ତହିଁରେ ଅବ୍ରାମ ସେହି ସବୁ ତାହାଙ୍କ ନିକଟକୁ ଆଣି ଦୁଇ ଖଣ୍ଡ କରି ଖଣ୍ଡକ ଆଗରେ ଅନ୍ୟ ଖଣ୍ଡ ରଖିଲେ; ମାତ୍ର ପକ୍ଷୀମାନଙ୍କୁ ଦୁଇ ଖଣ୍ଡ କଲେ ନାହିଁ। 11ଏଥିଉତ୍ତାରେ ହିଂସ୍ରକ ପକ୍ଷୀଗଣ ସେହି ମୃତ ଶବମାନଙ୍କ ଉପରେ ପଡ଼ନ୍ତେ, ଅବ୍ରାମ ସେମାନଙ୍କୁ ଅଡ଼ାଇ ଦେଲେ। 12ପୁଣି, ସୂର୍ଯ୍ୟାସ୍ତ ସମୟରେ ଅବ୍ରାମ ଅତି ନିଦ୍ରିତ ହୋଇ ଘୋର ଅନ୍ଧକାରରେ ଭୟଗ୍ରସ୍ତ ହେଲେ। 13ସେତେବେଳେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭର ସନ୍ତାନଗଣ ଚାରିଶହ ବର୍ଷ ଅନ୍ୟ ଦେଶରେ ପ୍ରବାସୀ ହୋଇ ଦାସ୍ୟକର୍ମ କରି କ୍ଳେଶ ଭୋଗ କରିବେ; ଏହା ନିଶ୍ଚିତ ଜାଣିବ; 14ମାତ୍ର ସେମାନେ ଯେଉଁ ଦେଶୀୟ ଲୋକମାନଙ୍କର ଦାସ୍ୟକର୍ମ କରିବେ, ଆମ୍ଭେ ସେମାନଙ୍କର ବିଚାର କରିବା; ତହିଁ ଉତ୍ତାରେ ସେମାନେ ବହୁତ ଧନ ଘେନି ସେହି ଦେଶରୁ ବାହାର ହେବେ। 15ମାତ୍ର ତୁମ୍ଭେ କୁଶଳରେ ଆପଣା ପୂର୍ବପୁରୁଷମାନଙ୍କ ନିକଟକୁ ଯିବ ଓ ଉତ୍ତମ ବୃଦ୍ଧାବସ୍ଥାରେ କବରପ୍ରାପ୍ତ ହେବ। 16ପୁଣି, ତୁମ୍ଭ ବଂଶର ଚତୁର୍ଥ ପୁରୁଷ ଏହି ଦେଶକୁ ବାହୁଡ଼ି ଆସିବେ; ଯେହେତୁ ଇମୋରୀୟ ଲୋକମାନଙ୍କର ପାପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ।” 17ଆଉ ଯହୁଁ ସୂର୍ଯ୍ୟ ଅସ୍ତଗତ ଓ ଅନ୍ଧକାର ହେଲା, ଦେଖ, ସଧୂମ ଚୁଲ୍ଲୀ ଓ ପ୍ରଜ୍ଜ୍ୱଳିତ ଦିହୁଡ଼ି ସେହି ଦୁଇ ଖଣ୍ଡ ଶ୍ରେଣୀର ମଧ୍ୟ ଦେଇ ଚାଲିଗଲା। 18ପୁଣି, ସେହିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ନିୟମ ସ୍ଥିର କରି କହିଲେ, “ଆମ୍ଭେ ଏହି ମିସରୀୟ ନଦୀଠାରୁ ଫରାତ୍ ନାମକ ମହାନଦୀ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭ ବଂଶକୁ ଦେଲୁ, 19ଅର୍ଥାତ୍, କେନୀୟ, କନଜୀୟ, କଦ୍ମୋନୀୟ, 20ହିତ୍ତୀୟ, ପରିଷୀୟ, ରଫାୟୀୟ, 21ଇମୋରୀୟ, କିଣାନୀୟ, ଗିର୍ଗାଶୀୟ ଓ ଯିବୂଷୀୟମାନଙ୍କର ଦେଶ ଦେଲୁ।”
S'ha seleccionat:
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 15: ORYIRV
Subratllat
Copia
Compara
Comparteix
Vols que els teus subratllats es desin a tots els teus dispositius? Registra't o inicia sessió
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0