ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 13

13
ଅବ୍ରାମଙ୍କଠାରୁ ଲୋଟଙ୍କ ପୃଥକ୍
1ଏଥିଉତ୍ତାରେ ଅବ୍ରାମ ଆପଣାର ଭାର୍ଯ୍ୟା ଓ ସବୁ ସମ୍ପତ୍ତି ଘେନି ଲୋଟ ସହିତ ମିସର ଦେଶରୁ ବାହାରି ଦକ୍ଷିଣାଞ୍ଚଳକୁ ଯାତ୍ରା କଲେ। 2ଅବ୍ରାମ ପଶୁ ଓ ସୁନା ରୂପାରେ ଅତିଶୟ ଧନବାନ ଥିଲେ। 3ପୁଣି, ସେ ପୂର୍ବଯାତ୍ରାନୁସାରେ ଦକ୍ଷିଣରୁ ବେଥେଲ୍‍ ଆଡ଼କୁ ଯାଉ ଯାଉ ବେଥେଲ୍‍ ଓ ଅୟର ମଧ୍ୟବର୍ତ୍ତୀ ଯେଉଁ ସ୍ଥାନରେ ପୂର୍ବେ ତାଙ୍କର ତମ୍ବୁ ସ୍ଥାପିତ ହୋଇଥିଲା, 4ସେହି ସ୍ଥାନରେ ଉପସ୍ଥିତ ହୋଇ ଆପଣା ପୂର୍ବନିର୍ମିତ ଯଜ୍ଞବେଦି ନିକଟରେ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। 5ପୁଣି, ଅବ୍ରାମଙ୍କର ସଙ୍ଗୀ ଲୋଟଙ୍କର ମଧ୍ୟ ଅନେକ ଅନେକ ମେଷ, ଗୋରୁ ଓ ତମ୍ବୁ ଥିଲା। 6ଏଥିନିମନ୍ତେ ସେହି ଦେଶ ସେମାନଙ୍କର ଏକତ୍ର ବାସ ପାଇଁ ଉପଯୋଗୀ ହେଲା ନାହିଁ, କାରଣ ସେମାନଙ୍କର ବହୁତ ସମ୍ପତ୍ତି ଥିବାରୁ ସେମାନେ ଏକତ୍ର ବାସ କରି ପାରିଲେ ନାହିଁ। 7ପୁଣି, ଅବ୍ରାମଙ୍କର ପଶୁପାଳକ ଓ ଲୋଟଙ୍କର ପଶୁପାଳକମାନଙ୍କର ପରସ୍ପର ବିରୋଧ ହେଲା। ସେହି ସମୟରେ ସେହି ଦେଶରେ କିଣାନୀୟ ଓ ପରିଷୀୟ ଲୋକମାନେ ବାସ କରୁଥିଲେ। 8ଏଣୁ ଅବ୍ରାମ ଲୋଟଙ୍କୁ କହିଲେ, ମୁଁ ବିନୟ କରୁଅଛି, ତୁମ୍ଭ ଆମ୍ଭ ମଧ୍ୟରେ, ପୁଣି, ତୁମ୍ଭର ପଶୁପାଳକ ଓ ମୋହର ପଶୁପାଳକମାନଙ୍କ ମଧ୍ୟରେ ବିବାଦ ନ ହେଉ, କାରଣ ଆମ୍ଭେମାନେ ଭାଇ। 9ତୁମ୍ଭ ସମ୍ମୁଖରେ କି ଏହି ସମସ୍ତ ଦେଶ ନାହିଁ ? ଏହେତୁ ତୁମ୍ଭକୁ ବିନୟ କରୁଅଛି, ତୁମ୍ଭେ ମୋ’ଠାରୁ ପୃଥକ୍ ହୁଅ; ହୁଏତ, ତୁମ୍ଭେ ବାମକୁ ଯାଅ, ମୁଁ ଡାହାଣକୁ ଯାଏ; ନୋହିଲେ ତୁମ୍ଭେ ଡାହାଣକୁ ଯାଅ, ମୁଁ ବାମକୁ ଯିବି। 10ସେତେବେଳେ ଲୋଟ ଅନାଇ ଦେଖିଲେ, ସୋୟର ପର୍ଯ୍ୟନ୍ତ ଯର୍ଦ୍ଦନର ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନ ପରି ସର୍ବତ୍ର ସଜଳ ଓ ମିସର ଦେଶ ତୁଲ୍ୟ ଅଟଇ; କାରଣ ସେହି ସମୟରେ ସଦୋମ ଓ ହମୋରା ସଦାପ୍ରଭୁଙ୍କ ଦ୍ୱାରା ବିନଷ୍ଟ ହୋଇ ନ ଥିଲା। 11ଏଥିପାଇଁ ଲୋଟ ଆପଣା ନିମନ୍ତେ ଯର୍ଦ୍ଦନର ସମସ୍ତ ପ୍ରାନ୍ତର ମନୋନୀତ କରି ପୂର୍ବ ଦିଗକୁ ପ୍ରସ୍ଥାନ କଲେ; ଏହିରୂପେ ସେମାନେ ଏକଆରେକଠାରୁ ପୃଥକ୍ ହେଲେ। 12ତହିଁରେ ଅବ୍ରାମ କିଣାନ ଦେଶରେ ବସତି କଲେ, ପୁଣି, ଲୋଟ ସେହି ପ୍ରାନ୍ତରସ୍ଥିତ ସମସ୍ତ ନଗର ମଧ୍ୟରେ ବାସ କରି ସଦୋମ ପର୍ଯ୍ୟନ୍ତ ତମ୍ବୁ ସ୍ଥାପନ କରିବାକୁ ଲାଗିଲେ। 13ସେହି ସଦୋମର ଲୋକମାନେ ମହା ଦୁଷ୍ଟ ଓ ସଦାପ୍ରଭୁଙ୍କ ଛାମୁରେ ଅତି ପାପିଷ୍ଠ ଥିଲେ।
ଅବ୍ରାମଙ୍କ ହିବ୍ରୋଣ ଯାତ୍ରା
14ଏଥିଉତ୍ତାରେ ଅବ୍ରାମଙ୍କଠାରୁ ଲୋଟ ପୃଥକ ହେଲା ଉତ୍ତାରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ଏବେ ତୁମ୍ଭେ ଯେଉଁଠାରେ ଅଛ; ସେହିଠାରୁ ଅନାଇ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଦିଗକୁ ଦୃଷ୍ଟିପାତ କର; 15କାରଣ, ଏହି ଯେଉଁ ସକଳ ଦେଶ ତୁମ୍ଭେ ଦେଖୁଅଛ, ତାହା ଆମ୍ଭେ ତୁମ୍ଭକୁ ଓ ଯୁଗାନୁକ୍ରମେ ତୁମ୍ଭର ବଂଶକୁ ଦେବା। 16ପୁଣି, ପୃଥିବୀର ଧୂଳି ପରି ଆମ୍ଭେ ତୁମ୍ଭର ବଂଶ ବୃଦ୍ଧି କରିବା; କେହି ଯଦି ପୃଥିବୀସ୍ଥ ଧୂଳି ଗଣି ପାରଇ, ତେବେ ତୁମ୍ଭର ବଂଶ ଗଣ୍ୟ ହେବ। 17ଉଠ, ଏହି ଦେଶର ଦୀର୍ଘ ପ୍ରସ୍ଥରେ ଭ୍ରମଣ କର; ଯେଣୁ ଆମ୍ଭେ ତୁମ୍ଭକୁ ତାହା ଦେବା। 18ସେତେବେଳେ ଅବ୍ରାମ ତମ୍ବୁ ତୋଳି ହିବ୍ରୋଣ ନିକଟସ୍ଥ ମମ୍ରିର ଅଲୋନ ବୃକ୍ଷ ମୂଳେ ଯାଇ ବାସ କଲେ, ପୁଣି, ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏ ଯଜ୍ଞବେଦି ନିର୍ମାଣ କଲେ।

Subratllat

Comparteix

Compara

Copia

None

Vols que els teus subratllats es desin a tots els teus dispositius? Registra't o inicia sessió