ଯିଖରୀୟ 6
6
ଚାରୋଟି ରଥର ଦର୍ଶନ
1ଏଉତ୍ତାରେ ମୁଁ ପୁନର୍ବାର ମୁଁ ଉର୍ଦ୍ଧ୍ୱକୁ ଦୃଷ୍ଟି କଲି, ଆଉ ଦେଖ, ଦୁଇ ପର୍ବତ ମଧ୍ୟରୁ ଚାରିଗୋଟି ରଥ ନିର୍ଗତ ହେଲା ସେହି ପର୍ବତ ପିତ୍ତଳମୟ ଥିଲା। 2ପ୍ରଥମ ରଥରେ ରକ୍ତବର୍ଣ୍ଣ ଅଶ୍ୱଗଣ ଓ ଦ୍ୱିତୀୟ ରଥରେ କୃଷ୍ଣବର୍ଣ୍ଣ ଅଶ୍ୱଗଣ। 3ଆଉ, ତୃତୀୟ ରଥରେ ଶ୍ୱେତବର୍ଣ୍ଣ ଅଶ୍ୱଗଣ, ପୁଣି ଚତୁର୍ଥ ରଥରେ ବିନ୍ଦୁଚିତ୍ରିତ ପାଣ୍ଡୁରବର୍ଣ୍ଣ ଅଶ୍ୱଗଣ ଥିଲେ। 4ସେତେବେଳେ ଯେଉଁ ଦୂତ ମୋ’ ସଙ୍ଗେ କଥା କହୁଥିଲେ, ମୁଁ ତାଙ୍କୁ ଉତ୍ତର କରି କହିଲି, “ହେ ମହାଶୟ, ଏସବୁ କଅଣ ?” 5ତହିଁରେ ସେ ଦୂତ ମୋତେ ଉତ୍ତର କରି କହିଲେ, “ଏମାନେ ସ୍ୱର୍ଗର ଚାରି ବାୟୁ, ଏମାନେ ସମୁଦାୟ ପୃଥିବୀର ପ୍ରଭୁଙ୍କ ଛାମୁରେ ଉଭା ଥାଇ ସେଠାରୁ ନିର୍ଗତ ହେଉଅଛନ୍ତି। 6ଯେଉଁ ରଥରେ କୃଷ୍ଣବର୍ଣ୍ଣ ଅଶ୍ୱଗଣ ଅଛନ୍ତି, ତାହା ଉତ୍ତର ଦେଶ ଆଡ଼େ ଗମନ କରୁଅଛି; ଶ୍ଵେତବର୍ଣ୍ଣ ଅଶ୍ୱଗଣ ପଶ୍ଚିମ ଦେଶ ଆଡେ ଗଲେ; ଆଉ, ବିନ୍ଦୁଚିତ୍ରିତ ଅଶ୍ୱଗଣ ଦକ୍ଷିଣ ଦେଶ ଆଡ଼େ ଗମନ କଲେ।” 7ପୁଣି, ପାଣ୍ଡୁରବର୍ଣ୍ଣ ଅଶ୍ୱଗଣ ବାହାରିଲେ ଓ ପୃଥିବୀର ଏଣେତେଣେ ଗମନାଗମନ କରିବା ପାଇଁ ଅନୁମତି ଚାହିଁଲେ; ତହିଁରେ ସେ କହିଲେ, “ତୁମ୍ଭେମାନେ ଏଠାରୁ ଯାଅ, ପୃଥିବୀର ଏଣେତେଣେ ଗମନାଗମନ କର,” ତହୁଁ ସେମାନେ ପୃଥିବୀର ଏଣେତେଣେ ଗମନାଗମନ କଲେ। 8ସେତେବେଳେ ସେ ମୋତେ ଡାକି କହିଲେ, “ଦେଖ, ଯେଉଁମାନେ ଉତ୍ତର ଦେଶ ଆଡ଼େ ଗମନ କରୁଅଛନ୍ତି, ସେମାନେ ଉତ୍ତର ଦେଶରେ ଆମ୍ଭର ଆତ୍ମାଙ୍କ ଇଚ୍ଛାନୁସାରେ କାର୍ଯ୍ୟ କରିଅଛନ୍ତି।”
ମନ୍ଦିର ଓ ମୁକୁଟ
9ଏଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, 10ନିର୍ବାସିତ ଲୋକମାନଙ୍କଠାରୁ, ଅର୍ଥାତ୍, ହିଲ୍ଦୟ, ଟୋବୀୟ ଓ ଯିଦୟୀୟଠାରୁ ଦାନ ଗ୍ରହଣ କର; ଆଉ, ସେମାନେ ଯେଉଁ ସଫନୀୟର ପୁତ୍ର ଯୋଶୀୟର ଗୃହକୁ ବାବିଲଠାରୁ ଆସିଅଛନ୍ତି, ତୁମ୍ଭେ ସେହି ଗୃହକୁ ଯାଅ। 11ହଁ, ସେମାନଙ୍କଠାରୁ ରୂପା ଓ ସୁନା ଗ୍ରହଣ କର ଓ ମୁକୁଟମାନ ନିର୍ମାଣ କରି ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକଙ୍କ ମସ୍ତକରେ ଦିଅ।” 12ପୁଣି, ତାଙ୍କୁ କୁହ, “ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଶାଖା ନାମରେ ବିଖ୍ୟାତ ପୁରୁଷଙ୍କୁ ଦେଖ ସେ ଆପଣା ସ୍ଥାନରୁ ବଢ଼ି ଉଠିବେ ଓ ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ!” 13ହଁ, ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ ଓ ସେ ମହିମାପ୍ରାପ୍ତ ହେବେ, ଆଉ ଆପଣା ସିଂହାସନରେ ବସି ରାଜତ୍ୱ କରିବେ ଓ ସେ ଆପଣା ସିଂହାସନରେ ବସି ଯାଜକ ହେବେ; ଆଉ, ସେ ଉଭୟ ମଧ୍ୟରେ ଶାନ୍ତିର ବୁଝାବଣା ହେବ। 14ପୁଣି, ସଦାପ୍ରଭୁଙ୍କ ମନ୍ଦିରରେ ଏହି ମୁକୁଟମାନ ହେଲେମର ଓ ଟୋବୀୟର ଓ ଯିଦୟୀୟର, ଆଉ ସଫନୀୟର ପୁତ୍ର ହେନର ସ୍ମରଣାର୍ଥେ ରହିବ। 15ଆଉ, ଯେଉଁମାନେ ଦୂରରେ ଅଛନ୍ତି, ସେମାନେ ଆସି ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ, ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ମୋତେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେମାନେ ଜାଣିବ ପୁଣି, ତୁମ୍ଭେମାନେ ଯଦି ଯତ୍ନପୂର୍ବକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କରିବ, ତେବେ ଏହା ଘଟିବ।
Цяпер абрана:
ଯିଖରୀୟ 6: ORYIRV
Пазнака
Капіяваць
Параўнаць
Падзяліцца
Хочаце, каб вашыя адзнакі былі захаваны на ўсіх вашых прыладах? Зарэгіструйцеся або ўвайдзіце
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0