ଯିଖରୀୟ 12
12
ଭବିଷ୍ୟତରେ ଇସ୍ରାଏଲର ଉଦ୍ଧାର
1ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କର ବାକ୍ୟ। ଯେ ଆକାଶମଣ୍ଡଳ ବିସ୍ତାର କରନ୍ତି ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରନ୍ତି ଓ ମନୁଷ୍ୟର ଅନ୍ତରରେ ଆତ୍ମା ନିର୍ମାଣ କରନ୍ତି, ସେହି ସଦାପ୍ରଭୁ ଏହି କଥା କହନ୍ତି। 2ଦେଖ, ଆମ୍ଭେ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଗୋଷ୍ଠୀ ପ୍ରତି ଯିରୂଶାଲମକୁ ଟଳଟଳଜନକ ପାନପାତ୍ର ସ୍ୱରୂପ କରିବା ଓ ଯିରୂଶାଲମର ଅବରୋଧ ସମୟରେ ଯିହୁଦା ଉପରେ ମଧ୍ୟ ବର୍ତ୍ତିବ। 3ପୁଣି, ସେହି ଦିନ ଆମ୍ଭେ ଯିରୂଶାଲମକୁ ସମସ୍ତ ଗୋଷ୍ଠୀ ପ୍ରତି ଭାର ସ୍ୱରୂପ ପ୍ରସ୍ତର କରିବା; ଯେଉଁମାନେ ସେହି ପ୍ରସ୍ତର ଉଠାଇବା ପାଇଁ ଚେଷ୍ଟା କରନ୍ତି, ସେହି ସମସ୍ତେ ଅତ୍ୟନ୍ତ କ୍ଷତବିକ୍ଷତ ହେବେ ଓ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତାହା ବିରୁଦ୍ଧରେ ଏକତ୍ରିତ ହେବେ। 4ସଦାପ୍ରଭୁ କହନ୍ତି, “ସେହି ଦିନ ଆମ୍ଭେ ପ୍ରତ୍ୟେକ ଅଶ୍ୱକୁ ଆତଙ୍କରେ ଓ ଆରୋହୀକୁ ପାଗଳାମିରେ ଆଘାତ କରିବା ଆଉ, ଆମ୍ଭେ ଯିହୁଦା-ବଂଶ ପ୍ରତି ଆପଣା ଚକ୍ଷୁ ମେଲାଇ ଗୋଷ୍ଠୀଗଣର ପ୍ରତ୍ୟେକ ଅଶ୍ୱକୁ ଅନ୍ଧ କରିବା।” 5ପୁଣି, ଯିହୁଦାର ଅଧ୍ୟକ୍ଷଗଣ ଆପଣା ଆପଣା ମନରେ କହିବେ, “ଯିରୂଶାଲମର ନିବାସୀମାନେ ଆମର ବଳସ୍ୱରୂପ ଅଟନ୍ତି କାରଣ ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଅଟନ୍ତି। 6ସେହି ଦିନ ଆମ୍ଭେ ଯିହୁଦାର ଅଧ୍ୟକ୍ଷଗଣକୁ କାଷ୍ଠ ମଧ୍ୟରେ ଅଗ୍ନିଧାରୀ ପାତ୍ର ସ୍ୱରୂପ ଓ ଶସ୍ୟବିଡ଼ା ମଧ୍ୟରେ ମଶାଲ ସ୍ୱରୂପ କରିବା ଆଉ, ସେମାନେ ଦକ୍ଷିଣ ଓ ବାମରେ ଚତୁଃପାର୍ଶ୍ଵସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ ଗ୍ରାସ କରିବେ; ଆଉ, ଯିରୂଶାଲମ ପୁନର୍ବାର ସ୍ୱସ୍ଥାନରେ, ଅର୍ଥାତ୍, ଯିରୂଶାଲମରେ ବାସ କରିବ। 7ଆହୁରି, ଦାଉଦ-ବଂଶର ଗୌରବ ଓ ଯିରୂଶାଲମ ନିବାସୀଗଣର ଗୌରବ ଯେପରି ଯିହୁଦା-ବଂଶର ଉପରେ ଉନ୍ନତ ନ ହୁଏ, ଏଥିପାଇଁ ସଦାପ୍ରଭୁ ପ୍ରଥମରେ ଯିହୁଦାର ତମ୍ବୁସବୁକୁ ଉଦ୍ଧାର କରିବେ। 8ସେହି ଦିନ ସଦାପ୍ରଭୁ ଯିରୂଶାଲମର ନିବାସୀଗଣକୁ ରକ୍ଷା କରିବେ ଓ ସେମାନଙ୍କ ମଧ୍ୟରେ ଯେଉଁ ଜନ ଦୁର୍ବଳ, ସେହି ଦିନ ସେ ଦାଉଦ ପରି ହେବ ଓ ଦାଉଦ-ବଂଶ ପରମେଶ୍ୱରଙ୍କ ପରି, ସେମାନଙ୍କର ଅଗ୍ରଗାମୀ ସଦାପ୍ରଭୁଙ୍କର ଦୂତ ପରି ହେବେ। 9ଆଉ, ଯେଉଁମାନେ ଯିରୂଶାଲମର ବିରୁଦ୍ଧରେ ଆସନ୍ତି, ସେହି ସମସ୍ତ ଗୋଷ୍ଠୀଙ୍କୁ ଆମ୍ଭେ ସେହି ଦିନ ନଷ୍ଟ କରିବାକୁ ମନସ୍ଥ କରିବା। 10ପୁଣି, ଆମ୍ଭେ ଦାଉଦ ବଂଶ ଉପରେ ଓ ଯିରୂଶାଲମ ନିବାସୀମାନଙ୍କ ଉପରେ ଅନୁଗ୍ରହ ଓ ବିନତିଜନକ ଆତ୍ମା ବୃଷ୍ଟି କରିବା; ତହିଁରେ ସେମାନେ ଆମ୍ଭ ପ୍ରତି, ଅର୍ଥାତ୍, ଯାହାଙ୍କୁ ସେମାନେ ବିଦ୍ଧ କରିଅଛନ୍ତି, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ; ଆଉ, କେହି ଯେପରି ଆପଣାର ଏକମାତ୍ର ପୁତ୍ର ଲାଗି ଶୋକ କରେ, ସେପରି ସେମାନେ ତାହାଙ୍କ ପାଇଁ ଶୋକ କରିବେ ଓ କେହି ଯେପରି ଆପଣା ପ୍ରଥମଜାତର ନିମନ୍ତେ ବ୍ୟାକୁଳିତ ହୁଏ, ସେପରି ସେମାନେ ତାହାଙ୍କ ପାଇଁ ବ୍ୟାକୁଳିତ ହେବେ। 11ସେଦିନ ମଗିଦ୍ଦୋନ୍ ଉପତ୍ୟକାରେ ହଦଦ୍ ରିମ୍ମୋଣର ଶୋକ ତୁଲ୍ୟ ଯିରୂଶାଲମରେ ମହା ଶୋକ ହେବ। 12ପୁଣି ଦେଶ, ପ୍ରତ୍ୟେକ ଗୋଷ୍ଠୀ ନିଜେ ନିଜେ ଶୋକ କରିବେ; ଦାଉଦ-ବଂଶର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ; ନାଥନ-ବଂଶର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ; 13ଲେବୀ-ବଂଶର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ; ଶିମୀୟିର ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ ନିଜେ ଶୋକ କରିବେ; 14ଅବଶିଷ୍ଟ ସମୁଦାୟ ଗୋଷ୍ଠୀ ମଧ୍ୟରୁ ପ୍ରତ୍ୟେକ ଗୋଷ୍ଠୀ ନିଜେ ଓ ସେମାନଙ୍କର ସ୍ତ୍ରୀଗଣ ନିଜେ ନିଜେ ଶୋକ କରିବେ।
Цяпер абрана:
ଯିଖରୀୟ 12: ORYIRV
Пазнака
Капіяваць
Параўнаць
Падзяліцца
Хочаце, каб вашыя адзнакі былі захаваны на ўсіх вашых прыладах? Зарэгіструйцеся або ўвайдзіце
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0