ମାର୍କ 2
2
ପକ୍ଷାଘାତୀର ସୁସ୍ଥତା
(ମାଥିଉ 9:1-8; ଲୂକ 5:17-26)
1କେତେକ ଦିନ ଉତ୍ତାରେ ଯୀଶୁ ପୁନର୍ବାର କଫର୍ନାହୁମରେ ପ୍ରବେଶ କରନ୍ତେ ସେ ଗୃହରେ ଅଛନ୍ତି ବୋଲି ଜନରବ ହେଲା । 2ସେଥିରେ ଏତେ ଲୋକ ଏକତ୍ର ହେଲେ ଯେ, ଦ୍ୱାର ପାଖରେ ସୁଦ୍ଧା ଆଉ ସ୍ଥାନ ରହିଲା ନାହିଁ, ପୁଣି, ସେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରିବାକୁ ଲାଗିଲେ । 3ଇତିମଧ୍ୟରେ ଲୋକେ ଜଣେ ପକ୍ଷାଘାତ ରୋଗୀକି ଚାରି ଜଣଙ୍କ ଦ୍ୱାରା ବୁହାଇ ତାହାଙ୍କ ନିକଟକୁ ଘେନି ଆସିଲେ, 4କିନ୍ତୁ ଭିଡ଼ ହେତୁ ତାହାଙ୍କ ପାଖକୁ ଆଣି ନ ପାରିବାରୁ, ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନର ଛାତ ଖୋଳି କାଢ଼ିପକାଇଲେ, ଆଉ ତାହା ଭାଙ୍ଗି, ଯେଉଁ ଖଟିଆରେ ପକ୍ଷାଘାତ ରୋଗୀଟି ଶୋଇଥିଲା, ତାହା ଓହ୍ଲାଇଦେଲେ । 5ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକି କହିଲେ, "ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା ।" 6କିନ୍ତୁ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ ସେ ସ୍ଥାନରେ ବସି ଆପଣା ଆପଣା ମନରେ ଏହା ତର୍କବିତର୍କ କରୁଥିଲେ, 7ଏ ଲୋକ କାହିଁକି ଏପରି କହୁଅଛି ? ସେ ଈଶ୍ୱର ନିନ୍ଦା କରୁଅଛି; କେବେଳ ଜଣଙ୍କ ବିନା, ଅର୍ଥାତ୍ ଈଶ୍ୱରଙ୍କ ବିନା ଆଉ କିଏ ପାପ କ୍ଷମା କରି ପାରେ ? 8ସେମାନେ ଯେ ମନେ ମନେ ଏପରି ତର୍କବିତର୍କ କରୁଅଛନ୍ତି, ତାହା ଯୀଶୁ ନିଜ ଆତ୍ମାରେ ସେହିକ୍ଷଣି ଜ୍ଞାତ ହୋଇ ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି ଏହି ସମସ୍ତ ତର୍କବିତର୍କ କରୁଅଛ ? 9କ'ଣ ସହଜ ? ପକ୍ଷାଘାତ ରୋଗୀକି ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, କିଅବା, ଉଠ, ତୁମ୍ଭର ଖଟିଆ ଘେନି ଚାଲ ବୋଲି କହିବା ? 10କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର-ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, 11ମୁଁ ତୁମ୍ଭକୁ କହୁଅଛି, ଉଠ; ନିଜ ଖଟିଆ ଘେନି ଆପଣା ଘରକୁ ଚାଲିଯାଅ । 12ସେଥିରେ ସେ ଉଠି ତତ୍କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହାରିଗଲା; ତହିଁରେ ସମସ୍ତେ ଆଚମ୍ବିତ ହୋଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ ।
ଲେବୀଙ୍କୁ ଆହ୍ୱାନ
(ମାଥିଉ 9:9-13; ଲୂକ 5:27-32)
13ଯୀଶୁ ପୁନର୍ବାର ସମୁଦ୍ରକୂଳକୁ ବାହାରିଗଲେ, ଆଉ ଲୋକସମୂହ ତାହାଙ୍କ ନିକଟକୁ ଆସନ୍ତେ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ । 14ପୁଣି, ସେ ଯାଉ ଯାଉ ଆଲଫିଙ୍କ ପୁତ୍ର ଲେବୀଙ୍କି କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, ମୋହର ଅନୁଗମନ କର । ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ । 15ଆଉ ଯୀଶୁ ତାଙ୍କ ଗୃହରେ ଭୋଜନ କରିବାକୁ ବସିବା ସମୟରେ ଅନେକ କରଗ୍ରାହୀ ଏବଂ ପାପୀ, ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ; କାରଣ ସେମାନେ ଅନେକ ଥିଲେ ପୁଣି, ତାହାଙ୍କର ଅନୁଗମନ କରୁଥିଲେ । 16ସେ ପାପୀ ଓ କରଗ୍ରାହୀମାନଙ୍କ ସହିତ ଭୋଜନ କରୁଅଛନ୍ତି, ଏହା ଦେଖି ଫାରୂଶୀଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, ଏ କଅଣ ? ସେ କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତି ! 17ଯୀଶୁ ତାହା ଶୁଣି ସେମାନଙ୍କୁ କହିଲେ, ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି; ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି ।
ଉପବାସ ପ୍ରସଙ୍ଗ
(ମାଥିଉ 9:14-17; ଲୂକ 5:33-39)
18ଯୋହନଙ୍କର ଶିଷ୍ୟମାନେ ଓ ଫାରୂଶୀମାନେ ଉପବାସ କରୁଥିଲେ। ସେଥିରେ ସେମାନେ ଆସି ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଓ ଫାରୂଶୀମାନଙ୍କର ଶିଷ୍ୟମାନେ ଉପବାସ କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି ? 19ଯୀଶୁ ସେମାନଙ୍କୁ କହିଲେ, "ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ସେମାନେ କି ଉପବାସ କରି ପାରନ୍ତି ? ବର ଯେପର୍ଯ୍ୟନ୍ତ ସେମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ ସେମାନେ ଉପବାସ କରି ପାରନ୍ତି ନାହିଁ ।" 20କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ଆଉ ସେତେବେଳେ ସେହି ଦିନ ସେମାନେ ଉପବାସ କରିବେ । 21କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ନୂଆ ତାଳି ପୁରୁଣା ଲୁଗାରୁ ବେଶି ଛିଣ୍ଡାଇନିଏ ଏବଂ ଆହୁରି ଅଧିକ ଚିରା ହୁଏ । 22ଆଉ କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ଫାରେ ରଖେ ନାହିଁ; ରଖିଲେ ତାହା କୁମ୍ଫା ଫଟାଇଦିଏ, ପୁଣି, ଦ୍ରାକ୍ଷାରସ ଓ କୁମ୍ଫା ଉଭୟ ନଷ୍ଟ ହୁଏ । କିନ୍ତୁ ନୂଆ ଦ୍ରାକ୍ଷାରସ ନୂଆ କୁମ୍ଫାରେ ରଖିବା ଉଚିତ ।
ବିଶ୍ରାମବାରର ପ୍ରଭୁ
(ମାଥିଉ 12:1-8; ଲୂକ 6:1-5)
23ଥରେ ଯୀଶୁ ବିଶ୍ରାମବାରରେ ଶସ୍ୟକ୍ଷେତ୍ର ଦେଇ ଯାଉଥିଲେ, ଆଉ ତାହାଙ୍କ ଶିଷ୍ୟମାନେ ଯାଉ ଯାଉ ଶସ୍ୟର ଶିଁଷା ଛିଣ୍ଡାଇବାକୁ ଲାଗିଲେ । 24ଏଥିରେ ଫାରୂଶୀମାନେ ତାହାଙ୍କୁ କହିଲେ, "ଦେଖ, ବିଶ୍ରାମବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, 25ଏମାନେ କାହିଁକି ତାହା କରୁଅଛନ୍ତି ?" ସେ ସେମାନଙ୍କୁ କହିଲେ, "ଦାଉଦଙ୍କର ଅଭାବ ସମୟରେ ଯେତେବେଳେ ସେ ଓ ତାଙ୍କ ସଙ୍ଗୀମାନେ କ୍ଷୁଧିତ ହୋଇଥିଲେ, ସେତେବେଳେ ସେ କ'ଣ କରିଥିଲେ, ତାହା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ ? 26ଅବିୟାଥର ମହାଯାଜକଙ୍କ ସମୟରେ ସେ କିପରି ଈଶ୍ୱରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଭୋଜନ କରିଥିଲେ, ପୁଣି, ଆପଣା ସଙ୍ଗୀମମାନଙ୍କୁ ମଧ୍ୟ ଦେଇଥିଲେ ।" 27ଆଉ ସେ ସେମାନଙ୍କୁ କହିଲେ, ବିଶ୍ରାମବାର ମନୁଷ୍ୟ ନିମନ୍ତେ ହୋଇଅଛି, ମନୁଷ୍ୟ ବିଶ୍ରାମବାର ନିମନ୍ତେ ହୋଇ ନାହିଁ । 28ତେଣୁ ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ପ୍ରଭୁ ଅଟନ୍ତି ।
Цяпер абрана:
ମାର୍କ 2: ORYIRV
Пазнака
Капіяваць
Параўнаць
Падзяліцца
Хочаце, каб вашыя адзнакі былі захаваны на ўсіх вашых прыладах? Зарэгіструйцеся або ўвайдзіце
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0