ମାଥିଉ 4
4
ଯୀଶୁ ପରୀକ୍ଷାର ସମ୍ମୁଖୀନ
(ମାର୍କ 1:12-13; ଲୂକ 4:1-13)
1ସେତେବେଳେ ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ଆତ୍ମାଙ୍କ କର୍ତ୍ତୃକ ପ୍ରାନ୍ତରକୁ ନୀତ ହେଲେ, 2ପୁଣି, ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କରି ଶେଷରେ କ୍ଷୁଧିତ ହେଲେ । 3ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, "ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡିକୁ ରୁଟି ହେବା ପାଇଁ ଆଜ୍ଞା ଦିଅ ।" 4କିନ୍ତୁ ଯୀଶୁ ଉତ୍ତର ଦେଲେ, "ଲେଖା ଅଛି, 'ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ ।'"
5ତହିଁ ଉତ୍ତାରେ ଶୟତାନ ଯୀଶୁଙ୍କୁ ପୁଣ୍ୟ ନଗରୀକୁ ନେଇଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, 6ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଲେଖା ଅଛି, ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ ।
7ଯୀଶୁ ତାହାଙ୍କୁ କହିଲେ, ଆହୁରି ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ । 8ପୁଣି, ଥରେ ଶୟତାନ ଯୀଶୁଙ୍କୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ନେଇଯାଇ ଜଗତର ସମସ୍ତ ରାଜ୍ୟ ଓ ସେ ସବୁର ଏୗଶ୍ୱର୍ଯ୍ୟ ଦେଖାଇ କହିଲା, 9ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହି ସମସ୍ତ ତୁମ୍ଭକୁ ଦେବା ।
10ତହିଁରେ ଯୀଶୁ ତାହାକୁ କହିଲେ, ଦୂର ହ, ଶୟତାନ, କାରଣ ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି, କେବଳ ତାହାଙ୍କର ଉପାସନା କରିବ ।
11ଏଥିରେ ଶୟତାନ ତାହାଙ୍କୁ ଛାଡ଼ି ଚାଲିଗଲା, ଆଉ ଦେଖ, ଦୂତମାନେ ଆସି ତାହାଙ୍କର ସେବା କରିବାକୁ ଲାଗିଲେ ।
ଯୀଶୁଙ୍କ ସେବାକାର୍ଯ୍ୟ ଆରମ୍ଭ
(ମାର୍କ 1:14,15; ଲୂକ 4:14,15,31)
12ପରେ ଯୋହନ ଧରାପଡ଼ିଲେଣି ବୋଲି ଶୁଣି ସେ ଅନ୍ତର ହୋଇ ଗାଲିଲୀକୁ ପ୍ରସ୍ଥାନ କଲେ; 13ଆଉ ସେ ନାଜରିତ ପରିତ୍ୟାଗ କରି ସବୂଲୂନ ଓ ନପ୍ତାଲୀ ଅଞ୍ଚଳରେ ଥିବା ସମୁଦ୍ର କୂଳସ୍ଥିତ କଫର୍ନାହୂମକୁ ଯାଇ ସେଠାରେ ବାସ କଲେ,
14ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ,
15ସବୂଲୂନ ଦେଶ ଓ ନପ୍ତାଲି ଦେଶ, ସମୁଦ୍ର ନିକଟବର୍ତ୍ତୀ ଓ ଯର୍ଦନର ଅପର ପାର୍ଶ୍ୱସ୍ଥ ଅଣଯିହୂଦୀମାନଙ୍କ ଗାଲିଲୀ,
16ଅନ୍ଧକାରବାସୀ ଲୋକେ ମହା ଆଲୋକ ଦର୍ଶନ କଲେ, ଆଉ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା ।
17ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, "ମନପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ ।"
ପ୍ରଥମ ଶିଷ୍ୟଙ୍କୁ ଆହ୍ୱାନ
(ମାର୍କ 1:16-20; ଲୂକ 5:1-11; ଯୋହନ 1:35-42)
18ସେ ଗାଲିଲୀ ସମୁଦ୍ରକୂଳରେ ବୁଲୁଥିବା ସମୟରେ ଶିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଏହି ଦୁଇ ଭାଇଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ । 19ସେ ସେମାନଙ୍କୁ କହିଲେ, "ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି ।" 20ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ ।
21ପୁଣି, ସେ ସେଠାରୁ ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ ନାମକ ଆଉ ଦୁଇ ଭାଇଙ୍କୁ ସେମାନଙ୍କ ପିତା ଜେବଦୀଙ୍କ ସହିତ ନୌକାରେ ଜାଲ ସଜାଡ଼ୁଥିବା ଦେଖି ସେମାନଙ୍କୁ ଡାକିଲେ । 22ସେଥିରେ ସେମାନେ ସେହିକ୍ଷଣି ନୌକା ଓ ସେମାନଙ୍କର ପିତାଙ୍କୁ ଛାଡ଼ି ତାହାଙ୍କର ଅନୁଗମନ କଲେ ।
ଯୀଶୁଙ୍କ ସେବାକାର୍ଯ୍ୟ
(ଲୂକ 6:17-19)
23ପରେ ଯୀଶୁ ସେମାନଙ୍କ ସମାଜଗୃହ ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ଗାଲିଲୀରେ ବୁଲିବାକୁ ଲାଗିଲେ, 24ଆଉ ତାହାଙ୍କ ବିଷୟରେ ଜନରବ ସମୁଦାୟ ସିରିୟା ପର୍ଯ୍ୟନ୍ତ ବ୍ୟାପିଗଲା, ପୁଣି, ଲୋକେ ଭୂତଗ୍ରସ୍ତ, ମୃଗୀରୋଗୀ ଓ ପକ୍ଷାଘାତରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତ ସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ । 25ପୁଣି, ଗାଲିଲୀ, ଦେକାପଲି, ଯିରୂଶାଲମ, ଯିହୂଦା ପ୍ରଦେଶ ଓ ଯର୍ଦନର ଅପର ପାରିରୁ ବହୁସଂଖ୍ୟକ ଲୋକ ଆସି ତାହାଙ୍କ ପଛରେ ଗଲେ ।
Цяпер абрана:
ମାଥିଉ 4: ORYIRV
Пазнака
Капіяваць
Параўнаць
Падзяліцца
Хочаце, каб вашыя адзнакі былі захаваны на ўсіх вашых прыладах? Зарэгіструйцеся або ўвайдзіце
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0