ମାଥିଉ 11
11
ବାପ୍ତିଜକ ଯୋହନଙ୍କ ଦ୍ୱନ୍ଦ
(ଲୂକ 7:18-35)
1ଯୀଶୁ ଆପଣା ବାର ଜଣ ଶିଷ୍ୟଙ୍କୁ ଆଦେଶ ଦେବାର ସମାପ୍ତ କଲା ପରେ ଗାଲିଲୀର ନଗରସମୂହରେ ଶିକ୍ଷା ଦେବାକୁ ଓ ଘୋଷଣା କରିବାକୁ ସେ ସ୍ଥାନରୁ ବାହାରିଗଲେ । 2ଏଥିମଧ୍ୟରେ ଯୋହନ ଖ୍ରୀଷ୍ଟଙ୍କ କର୍ମର ବିବରଣ କାରାଗାରରେ ଶୁଣି ଆପଣା ଶିଷ୍ୟମାନଙ୍କ ଦ୍ୱାରା ତାହାଙ୍କୁ ପଚାରି ପଠାଇଲେ, 3ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ ?
4ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଯାଇ, ଯାହା ଯାହା ଶୁଣିଅଛ ଓ ଦେଖିଅଛ, ସେହି ସବୁ ଯୋହନଙ୍କୁ ଜଣାଅ; 5ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ପୁଣି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ; 6ଆଉ, ଯେ କେହି ମୋ'ଠାରେ ବିଘ୍ନର କାରଣ ନ ପାଏ, ସେ ଧନ୍ୟ ।
7ସେମାନେ ଚାଲିଯାଉଥିବା ସମୟରେ ଯୀଶୁ ଯୋହନଙ୍କ ସମ୍ବନ୍ଧରେ ଲୋକସମୂହକୁ କହିବାକୁ ଲାଗିଲେ, ତୁମ୍ଭେମାନେ କ'ଣ ଦେଖିବା ପାଇଁ ପ୍ରାନ୍ତରକୁ ବାହାରିଯାଇଥିଲ ? କ'ଣ ପବନରେ ଦୋହଲୁଥିବା ଗୋଟିଏ ନଳ ? 8ତାହାହେଲେ ତୁମ୍ଭେମାନେ କ'ଣ ଦେଖିବା ପାଇଁ ବାହାରିଯାଇଥିଲ ? କ'ଣ ସୂକ୍ଷ୍ମ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ? ଦେଖ, ଯେଉଁମାନେ ସୂକ୍ଷ୍ମ ପୋଷାକ ପିନ୍ଧନ୍ତି, ସେମାନେ ରାଜାଙ୍କ ଘରରେ ଥାଆନ୍ତି ।
9ତାହା ନ ହେଲେ କି ନିମନ୍ତେ ବାହାରିଯାଇଥିଲ ? କ'ଣ ଜଣେ ଭାବବାଦୀଙ୍କୁ ଦେଖିବାକୁ ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କି; 10ଯାହାଙ୍କ ବିଷୟରେ ଏହା ଲେଖା ଅଛି, ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି ।
11ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ତ୍ରୀଗର୍ଭଜାତସମସ୍ତଙ୍କ ମଧ୍ୟରେ ବାପ୍ତିଜକ ଯୋହନଙ୍କଠାରୁ ମହାନ କେହି ଉତ୍ପନ୍ନ ହୋଇ ନାହାଁନ୍ତି; ତଥାପି ସ୍ୱର୍ଗରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ । 12ଆଉ, ବାପ୍ତିଜକ ଯୋହନଙ୍କ ସମୟଠାରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟ ବଳରେ ଆକ୍ରାନ୍ତ ହେଉଅଛି; ପୁଣି, ବଳରେ ଆକ୍ରମଣକାରୀମାନେ ପରାକ୍ରମରେ ତାହା ଅଧିକାର କରୁଅଛନ୍ତି ।
13କାରଣ ସମସ୍ତ ଭାବବାଦୀ ଓ ମୋଶାଙ୍କ ବ୍ୟବସ୍ଥା ଯୋହନଙ୍କ ପର୍ଯ୍ୟନ୍ତ ଭାବବାଣୀ କହିଥିଲେ । 14ଆଉ, ତୁମ୍ଭେମାନେ ଯେବେ ଗ୍ରହଣ କରିବାକୁ ଇଚ୍ଛା କର, ତେବେ ଯେଉଁ ଏଲିୟଙ୍କ ଆସିବାର ଅଛି, ଏ ସେହି । 15ଯାହାର କାନ ଅଛି, ସେ ଶୁଣୁ ।
16କିନ୍ତୁ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ତୁଳନା କରିବି ? ଯେଉଁ ପିଲାମାନେ ହାଟବଜାରରେ ବସି ଅନ୍ୟମାନଙ୍କୁ ଡାକି କହନ୍ତି, 17ଆମ୍ଭେମାନେ ତୁମ୍ଭମାନଙ୍କ ପାଖରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ ଛାତିରେ ମାରି ହେଲ ନାହିଁ ବର୍ତ୍ତମାନ ପୁରୁଷ ସେମାନଙ୍କ ପରି ।
18କାରଣ ଯୋହନ ଆସି ଭୋଜନପାନ କଲେ ନାହିଁ, ଆଉ ଲୋକେ କହନ୍ତି, ସେ ଭୂତଗ୍ରସ୍ତ । 19ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ଲୋକେ କହନ୍ତି, ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ; ମାତ୍ର ଜ୍ଞାନ ଆପଣା କର୍ମ ଦ୍ୱାରା ଯଥାର୍ଥ ବୋଲି ପ୍ରମାଣିତ ହେଲା ।
ଅବିଶ୍ୱାସୀ ନଗରର ବିଚାର
(ଲୂକ 10:13-15)
20ସେତେବେଳେ ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ ଆଶ୍ଚର୍ଯ୍ୟର କାର୍ଯ୍ୟ କରାଯାଇଥିଲା, ସେହି ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ, କାରଣ ସେମାନେ ମନ ପରିବର୍ତ୍ତନ କରି ନ ଥିଲେ । 21ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହି ସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାନ୍ତା, ତେବେ ସେମାନେ ସମୟ ପୁର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ ପରିବର୍ତ୍ତନ କରିଥାଆନ୍ତେ । 22ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ତୁମ୍ଭମାନଙ୍କ ଦଶା ଅପେକ୍ଷା ସୋର ଓ ସୀଦୋନର ଦଶା ସହନୀୟ ହେବ।
23ଆଉ ରେ କଫର୍ନାହୂମ, ତୁ କ'ଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ ? ପାତାଳ ପର୍ଯ୍ୟନ୍ତ ତୋର ଅଧୋଗତି ହେବ, କାରଣ ତୋ'ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହି ସବୁ ଯେବେ ସଦୋମରେ କରାଯାଇଥାନ୍ତା, ତେବେ ତାହା ଆଜି ପର୍ଯ୍ୟନ୍ତ ରହିଥାନ୍ତା | 24ତଥାପି ମୁଁ ତୁମ୍ଭମାନଙ୍କୁ କହିଅଛି, ବିଚାର ଦିନରେ ତୋର ଦଶା ଅପେକ୍ଷା ସଦୋମ ଦେଶର ଦଶା ସହନୀୟ ହେବ ।
ଯୀଶୁଙ୍କଠାରେ ବିଶ୍ରାମ
(ଲୂକ 10:21,22)
25ସେହି ସମୟରେ ଯୀଶୁ ଉତ୍ତର ଦେଲେ, ପିତଃ, ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏନିମନ୍ତେ ତୁମ୍ଭର ସ୍ତୁତିବାଦ କରୁଅଛି; 26ହଁ, ପିତଃ, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା । 27ମୋର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋ'ବିଷୟ ମୋଠାରେ ସମର୍ପିତ ହୋଇଅଛି, ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ କେବଳ ପିତା ଜାଣନ୍ତି, ପୁଣି, ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି ଆଉ ପୁତ୍ର ଯାହା ପାଖରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ ।
28ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ଥ ଲୋକ ସମସ୍ତେ, ମୋ' ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି । 29ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି, ମୋ'ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ; 30ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ |
Цяпер абрана:
ମାଥିଉ 11: ORYIRV
Пазнака
Капіяваць
Параўнаць
Падзяліцца
Хочаце, каб вашыя адзнакі былі захаваны на ўсіх вашых прыладах? Зарэгіструйцеся або ўвайдзіце
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0