ଲୂକ 15
15
ହଜିଲା ମେଣ୍ଢାର ଦୃଷ୍ଟାନ୍ତ
(ମାଥିଉ 18:12-14)
1ଆଉ, କରଗ୍ରାହୀ ଓ ପାପୀ ଲୋକ ସମସ୍ତେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ତାହାଙ୍କ ପାଖକୁ ଆସୁଥିଲେ । 2ସେଥିରେ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ବଚସା କରୁ କରୁ କହିଲେ, ଏ ଲୋକଟା ପାପୀମାନଙ୍କୁ ଗ୍ରହଣ କରେ ଓ ସେମାନଙ୍କ ସହିତ ଭୋଜନ କରେ !
3ତହିଁରେ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ, 4ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି ଯେ , ତାହାର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ ସେ ଅନେଶତଙ୍କୁ ପ୍ରାନ୍ତରରେ ଛାଡ଼ି ସେହି ହଜିଥିବା ମେଣ୍ଢାଟି ନ ପାଇବା ପର୍ଯ୍ୟନ୍ତ ତାହାକୁ ଖୋଜେ ନାହିଁ ? 5ପୁଣି, ପାଇଲେ ସେ ତାହାକୁ ଆନନ୍ଦରେ କାନ୍ଧେଇ ଘରକୁ ଘେନି ଆସେ,
6ପୁଣି, ଆପଣା ବନ୍ଧୁ ପ୍ରତିବାସୀମାନଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହେ, ମୋ’ ସାଙ୍ଗରେ ଆନନ୍ଦ କର, ଯେଣୁ ମୋହର ହଜିଯାଇଥିବା ମେଣ୍ଢାଟି ପାଇଲି । 7ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେଉଁମାନଙ୍କର ମନ ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ, ଏପରି ଅନେଶତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ ।
ହଜିଲା ମୁଦ୍ରାର ଦୃଷ୍ଟାନ୍ତ
8ଅଥବା ଏପରି କେଉଁ ସ୍ତ୍ରୀଲୋକ ଅଛି ଯେ, ତାହାର ଯଦି ଦଶଟି ଟଙ୍କା ଥାଏ, ଆଉ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ ଦୀପ ଜାଳି ଘର ଝାଡ଼ି ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନରେ ଖୋଜେ ନାହିଁ ? 9ପୁଣି, ତାହା ପାଇଲେ ସେ ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକାଠି କରି କହେ, ମୋ ସାଙ୍ଗରେ ଆନନ୍ଦ କର, ଯେଣୁ ଯେଉଁ ଟଙ୍କାଟି ହଜାଇଥିଲି, ତାହା ପାଇଲି । 10ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେ ମନପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ୱରଙ୍କ ଦୂତମାନଙ୍କ ଆଗରେ ଆନନ୍ଦ ହୁଏ ।
ଅପବ୍ୟୟୀ ପୁତ୍ରର ଦୃଷ୍ଟାନ୍ତ
11ସେ ଆହୁରି କହିଲେ, ଜଣେ ବ୍ୟକ୍ତିଙ୍କର ଦୁଇଟି ପୁଅ ଥିଲେ । 12ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋ ଭାଗରେ ପଡ଼ୁଅଛି, ତାହା ମୋତେ ଦେଇଦିଅ । ସେଥିରେ ସେ ଆପଣାର ସବୁ କିଛି ସେମାନଙ୍କୁ ଭାଗ କରିଦେଇ ଦେଲେ ।
13ଅଳ୍ପ ଦିନ ପରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ ମନ୍ଦ ବିଷୟରେ ଆପଣାର ସମ୍ପତ୍ତି ଉଡ଼ାଇଦେଲା । 14କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା ।
15ସେଥିରେ ସେ ଯାଇ ସେହି ଦେଶର ଜଣେ ଲୋକଙ୍କର ଆଶ୍ରୟ ନେଲା, ଆଉ ସେ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା ପଡ଼ିଆକୁ ପଠାଇଲେ; 16ପୁଣି, ଘୁଷୁରିମାନେ ଯେଉଁ ଶିମ ଖାଉଥିଲେ, ସେଥିରେ ସେ ଆପଣା ପେଟ ପୁରାଇବାକୁ ଇଚ୍ଛା କରୁଥିଲା, କିନ୍ତୁ କେହି ତାହାକୁ ଦେଉ ନ ଥିଲେ ।
17ମାତ୍ର ସେ ଚେତନା ପାଇ କହିଲା, ମୋର ବାପାଙ୍କ କେତେ ମୂଲିଆଙ୍କର ଖାଦ୍ୟ ବଳିପଡ଼ୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି । 18ମୁଁ ଉଠି ମୋର ବାପାଙ୍କ ପାଖକୁ ଯିବି ଓ ତାହାଙ୍କୁ କହିବି, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି; 19ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ; ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ ।
20ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା । କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ । 21ପୁତ୍ର ତାହାଙ୍କୁ କହିଲା, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି, ତୁମ୍ଭ ପୁଅ ବୋଲି ଡ଼କାଯିବାର ମୁଁ ଆଉ ଯୋଗ୍ୟ ନୁହେଁ ।
22କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ଲୁଗା ଶୀଘ୍ର ନେଇ ଆସି ଏହାକୁ ପିନ୍ଧାଅ, ଏହାର ହାତରେ ମୂଦି ଓ ପାଦରେ ପାଦୁକା ଦିଅ, 23ପୁଣି, ମୋଟା ବାଛୁରିଟି ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ, 24କାରଣ ମୋହର ଏହି ପୁଅ ମରିଥିଲା, ପୁନର୍ବାରେ ବଞ୍ଚିଲା; ହଜିଯାଇଥିଲା, ଆଉ ମିଳିଲା । ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ ।
25ସେତେବେଳେ ତାହାଙ୍କ ବଡ଼ ପୁଅ କ୍ଷେତରେ ଥିଲା । ସେ ଯେତେବେଳେ ଆସି ଘର ପାଖରେ ପହଞ୍ଚିଲା, ସେତେବେଳେ ବାଦ୍ୟ ଓ ନୃତ୍ୟର ଶବ୍ଦ ଶୁଣି, 26ଦାସମାନଙ୍କ ମଧ୍ୟରୁ ଜଣକୁ ପାଖକୁ ଡାକି ସେହି ସବୁ କ'ଣ ବୋଲି ପଚାରିବାକୁ ଲାଗିଲା । 27ସେ ତାହାକୁ କହିଲା, ତୁମ୍ଭର ଭାଇ ଆସିଅଛନ୍ତି, ଆଉ ତୁମ୍ଭର ବାପା ତାହାଙ୍କୁ ସୁସ୍ଥ ଶରୀରରେ ପାଇବାରୁ ମୋଟା ବାଛୁରିଟିଏ ମାରିଅଛନ୍ତି ।
28ସେଥିରେ ସେ ରାଗିଯାଇ ଭିତରକୁ ଗଲା ନାହିଁ; କିନ୍ତୁ ତାହାର ପିତା ବାହାରକୁ ଆସି ତାହାକୁ ବହୁତ ବୁଝାଇବାକୁ ଲାଗିଲେ । 29ମାତ୍ର ସେ ପିତାଙ୍କୁ ଉତ୍ତର ଦେଲେ, ଦେଖ, ଏତେ ବର୍ଷ ହେଲା ମୁଁ ତୁମ୍ଭର ଦାସ ପରି ଖଟି ଆସିଅଛି, ପୁଣି, କେବେହେଲେ ତୁମ୍ଭର ଆଜ୍ଞା ଅମାନ୍ୟ କରି ନାହିଁ, ତଥାପି ମୋର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମ୍ଭେ ମୋତେ କେବେହେଲେ ଛେଳି ଛୁଆଟିଏ ସୁଦ୍ଧା ଦେଇ ନାହଁ; 30କିନ୍ତୁ ତୁମ୍ଭର ଏହି ଯେଉଁ ପୁଅ ବେଶ୍ୟାମାନଙ୍କ ସହିତ ତୁମ୍ଭର ସବୁ ଧନ ଖାଇ ଉଡ଼ାଇ ଦେଇଅଛି, ଯେତେବେଳେ ସେ ଆସିଲା, ସେତେବେଳେ ତୁମ୍ଭେ ତାହା ପାଇଁ ମୋଟା ବାଛୁରିଟି ମାରିଲ ।
31ସେଥିରେ ସେ ତାହାକୁ କହିଲେ, ପୁଅରେ, ତୁ ତ ସବୁବେଳେ ମୋ ସାଙ୍ଗରେ ଅଛୁ, ଆଉ ଯାହାସବୁ ମୋହର, ସେହି ସବୁ ତୋହର; 32କିନ୍ତୁ ଏହି ଯେ ତୋହର ଭାଇଟି ମରିଥିଲା, ପୁନର୍ବାର ବଞ୍ଚିଲା, ହଜିଯାଇଥିଲା, ଆଉ ମିଳିଲା, ସେହି ହେତୁରୁ ଉତ୍ସବ ଓ ଆନନ୍ଦ କରିବା ଉଚିତ ଥିଲା ।
Цяпер абрана:
ଲୂକ 15: ORYIRV
Пазнака
Капіяваць
Параўнаць
Падзяліцца
Хочаце, каб вашыя адзнакі былі захаваны на ўсіх вашых прыладах? Зарэгіструйцеся або ўвайдзіце
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0